ସ୍ମୃତି ସାଉଁଟୁଛି ଆଜିର ଓଡ଼ିଶା… ଖଣ୍ଡ ବିଖଣ୍ଡିତ ଉତ୍କଳରୁ ସ୍ୱତନ୍ତ୍ର ପ୍ରଦେଶ

ଉତ୍କଳ ଦିବସର ସଂଘର୍ଷର କାହାଣୀ

ଓଡିଶା ଇତିହାସରେ ଏପ୍ରିଲ ୧ ତାରିଖ ଅବିସ୍ମରଣୀୟ ଦିନ। ୧୯୩୬ ଆଜିର ଦିନରେ ସାରା ଭାରତ ବର୍ଷରେ ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଆମ ରାଜ୍ୟ ଓଡିଶା। ଏହା ପୂର୍ବରୁ ଆଧୁନିକ ଭାରତରେ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ ନ ଥିଲା କହିଲେ ଚଳେ। ବିକ୍ଷିପ୍ତ ଭାବେ ରହିଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। କହିବାକୁ ଗଲେ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ଆମ ଉତ୍କଳ।

୧୫୬୮ ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ୍‌ ଶାସନ କାଳରେ ଓଡ଼ିଶା ଅଲଗା ହୋଇ ଯାଇଥିଲା। ଖଣ୍ଡବିଖଣ୍ଡିତ ହୋଇ ପଡ଼ି ରହିଥିଲା ଉତ୍କଳ। ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶି ରହିଥିବା ବେଳେ ଉତ୍ତରରେ ଥିବା ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ ରହିଥିଲା। ଏମିତିକି କେତେକ ଅଞ୍ଚଳ ବିହାରରେ, ଦକ୍ଷିଣରେ ଗଂଜାମ ମାଡ୍ରାସ୍ ପ୍ରେସିଡେନ୍ସି ଅଧୀନରେ ଥିଲା। ସେତେବେଳେ ହୀନ ମାନ୍ୟତାରେ ବଞ୍ଚୁଥିଲେ ଓଡ଼ିଆ। ଏହା ସହ୍ୟ କରି ନ ପାରି ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ ସେନାପତି, ସ୍ୱଭାବକବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କର୍ମବୀର ଗୌରୀଶଙ୍କର ରାୟ, ପଣ୍ଡିତ ନୀଳକଣ୍ଠ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ, ହରିହର ମର୍ଦରାଜ, ବାମଣ୍ଡା ରାଜା ସାର୍ ବାସୁଦେବ ସୁଢଳ ଦେବ ପ୍ରମୁଖ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବା ପାଇଁ ସଂଘର୍ଷ କରିଥିଲେ। ଏହି ବୀରପୁତ୍ରଙ୍କ ସଂଘର୍ଷରେ ୧୯୦୩ ମସିହାରେ ପ୍ରଥମେ ଗଠନ ହେଲା ଉତ୍କଳ ସମ୍ମିଳନୀ। ଜୋରଦାର ସଂଗ୍ରାମ ପରେ ଶେଷରେ ସେମାନଙ୍କର ସ୍ୱପ୍ନ ସାକାର ହେଲା। ୧୯୩୬ ଏପ୍ରିଲ ପହିଲାରେ ଗଠନ ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ। ଓଡ଼ିଆମାନେ ପାଇଲେ ନିଜ ପାଇଁ ଏକ ସ୍ୱତନ୍ତ୍ର ଭୌଗୋଳିକ ଭୂଖଣ୍ଡ।

ଆଜି ଓଡ଼ିଆ ତଥା ଓଡ଼ିଶାବାସୀଙ୍କ ଲାଗି ଗର୍ବ ଓ ଗୌରବ କରିବାର ଦିନ। ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷାଭିତ୍ତିରେ ସ୍ୱତନ୍ତ୍ର ପରିଚୟ ପାଇ ପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଇ ତାଙ୍କ ଗୁଣଗାନ କରିବା ଉଚିତ୍। ସେମାନଙ୍କର ସାଧନା-ସଂକଳ୍ପ-ସଂଗ୍ରାମ ଯୋଗୁଁ ଓଡିଆ ଜାତି, ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ, ପରମ୍ପରା ଆଜି ସୁସଂଗଠିତ ହୋଇ ପାରିଛି।

ଓଡ଼ିଶାକୁ ଏକ ଅଲଗା ରାଜ୍ୟ ଭାବେ ଗଢିବା ପାଇଁ ଏକ ବିରାଟ ଜନ ଆନ୍ଦୋଳନ ତେଜିଥିଲା। ଏନେକ ସଂର୍ଘଷ ପରେ ଶେଷରେ ତାହା ସଫଳ ହୋଇ ପାରିଛି। ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଗଠନ କରାଯାଇଥିଲା। ସେତେବେଳେ ସାର୍‌ ଅଷ୍ଟିନ୍‌ ହବାକ୍‌ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ପରେ ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ରେ ପହଂଚିଥିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା। ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଉଛି।

 ଏକ ମହାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ମହାପୁରୁଷମାନେ ଖଣ୍ଡ ବିଖଣ୍ଡିତ ଓଡ଼ିଶାକୁ ଏକାଠି କରିଥିଲେ। ବିଚ୍ଛିନ୍ନ ଓଡ଼ିଶାକୁ ଏକତ୍ର କରିବା ପାଇଁ ସେ ଯେଉଁ ଉଦ୍ୟମ କରିଥିଲେ, ତାହା ଓଡ଼ିଶାବାସୀ କେବେ ଭୁଲି ପାରିବେ ନାହିଁ। ମାତ୍ର ଦୁଃଖର କଥା ଆଜକୁ ୮୪ ବର୍ଷ ତଳେ ମଧୁ ବାବୁ ଯେଉଁ ସ୍ୱପ୍ନ ନେଇ ସ୍ୱତନ୍ତ୍ର ଉତ୍କଳର ଚିନ୍ତା କରିଥିଲେ, ପରବର୍ତ୍ତୀ ପିଢି ତାହା ନଷ୍ଟଭ୍ରଷ୍ଟ କରି ଦେଇଛନ୍ତି। ଖଣି, ଖାଦାନ, ଜଳ, ଜଙ୍ଗଲରେ ପରିପୂର୍ଣ୍ଣ ଓଡ଼ିଶାରେ ସବୁ ଥାଇ ମଧ୍ୟ ଆମ ରାଜ୍ୟର ଲୋକେ ଗରୀବ ହୋଇ ରହିଛନ୍ତି। ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାରେ କାମ ମିଳୁ ନଥିବାରୁ ପେଟ ପୋଷିବା ପାଇଁ ଓଡ଼ିଆ ଲୋକମାନେ ବାହାର ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି।

 ଆଜି ଓଡିଶା ତଥା ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ବହୁ ଘାତ-ପ୍ରତିଘାତ ମଧ୍ୟରେ ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବେ ଉଭା ହୋଇଥିଲା। ଏହା ଥିଲା ଊନବିଂଶ ଶତାଦ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା ଓଡିଶାର ନବଜାଗରଣ ପର୍ବର ଚୂଡାନ୍ତ ଫଳଶ୍ରୁତି। ନବଗଠିତ ହେବା ସ୍ମୃତିରେ ଆଜିର ଦିନକୁ ଓଡ଼ିଶା ଦିବସ କୁହାଯାଉଛି। ଆଜିର ଏହି ମହାନ ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି।

You might also like