ଏମିତି ଏକ ଗାଁ, ଯେଉଁଠାରେ ଘରେ ଘରେ ଲାଗିଛି ସିସିଟିଭି

ଅନ୍ ଡିମାଣ୍ଡ ମିଳୁଛି ୱେଦର ରିପୋର୍ଟ

  • ଦେଶର ସବୁଠୁ ସ୍ମାର୍ଟ ଗାଁ
  • ଅନ୍ ଡିମାଣ୍ଡ ମିଳୁଛି ୱେଦର ରିପୋର୍ଟ
  • ଘରେ ଘରେ ଲାଗିଛି ସିସିଟିଭି

ଗାନ୍ଧୀନଗର: ସ୍ମାର୍ଟ ହେଉଛି ଗାଁ ଠୁ ସହର।  ସମୟ ଆଉ ଟେକନୋଲୋଜି ସହିତ ଜୀବନ ଜୀବିକାରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ଆସିଛି । ପକେଟରେ ସ୍ମାର୍ଟଫୋନ, ଆଉ ଆାଖପାଖରେ ସ୍ମାର୍ଟ ସହର। ଆଉ ମଣିଷ ବି ସ୍ମାର୍ଟ। ଏଭଳି ସମୟରେ ଗାଁ କେମିତି ପଛରେ ରହିବ? ସେହି କ୍ରମରେ ଆମ ଭାରତରେ ରହିଛି ଏକ ସ୍ମାର୍ଟ ଗାଁ। ସମଗ୍ର ଭାରତ ବର୍ଷ ପାଇଁ ଏହା ପାଲଟିଯାଇଛି ଏକ ଆାଦର୍ଶ ଗାଁ ।

ଗୁଜୁରାଟ ଗାନ୍ଧୀନଗରରୁ ୮୦ କିମି ଦୂରରେ ଅବସ୍ଥିତ ଏକ ସ୍ୱତନ୍ତ୍ର ଗାଁ ପୁନ୍ସରୀ। ଏ ଗାଁ ସ୍ୱତନ୍ତ୍ର କାହିଁକି? ଏହି ଗାଁର କିଛି ସ୍ୱତନ୍ତ୍ରତା ନାହିଁ, ବରଂ ସମ୍ପୂର୍ଣ୍ଣ ଗାଁ ହିଁ ସ୍ୱତନ୍ତ୍ର। ସହରର ବଡ ବଡ ଅଟ୍ଟାଳିକା ଓ ପ୍ରଦୂଷଣଠାରୁ ଦୂରରେ ଏଠାକାର ଛୋଟ ଛୋଟ ଦୋକାନ, ସୁନ୍ଦର ସୁନ୍ଦର ହସ୍ତଶିଳ୍ପ ତଥା କାରୁକାର୍ଯ୍ୟ, ଆଉ ସବୁଜ ସୁନ୍ଦର କ୍ଷେତ। ଦେଖିବାକୁ ତ ଏହି ଗାଁଟି ଅନ୍ୟ ଗାଁ ଭଳି ସାଧାରଣ ହେଲେ ଏଠି ପ୍ରତ୍ୟେକ ଲୋକ ଟେକନୋଲୋଜି ସହ ଜଡିତ। ଅନ୍ ଡିମାଣ୍ଡ ଏଠି ଲୋକମାନଙ୍କୁ ମିଳିଯାଏ ୱେଦର ରିପୋର୍ଟ ବା ପାଣିପାଗ ଖବର । ତେବେ ଆଶ୍ଚର୍ଯ୍ୟ ହେବାରେ କିଛି ନାହିଁ। ଏହା ହେଉଛି ଭାରତର ସ୍ମାର୍ଟ ତଥା ହାଇଟେକ୍ ଗାଁ, ପୁନ୍ସରୀ।

ତେବେ ଏଠି ମିନେରାଲ୍ ଓ୍ୱାଟରର ହୋମ୍ ସର୍ଭିସିଂ ହୁଏ । ଘରର ଅଳିଆ ଆବର୍ଜନା ବାହାର କରିବା ପାଇଁ ପ୍ରତିଦିନ ଟ୍ରକ୍ ଆସେ। ଏଠି ସବୁ ଜାଗାରେ କ୍ୟାମେରା ଲାଗିଛି, ତେଣୁ ଚୋରି-ଡକାୟତିର ବି ଭୟ ନାହିଁ । ସବୁଠି ଚକାଚକ୍ ରାସ୍ତା, ଭଲ ଡ୍ରେନେଜ୍ ବ୍ୟବସ୍ଥା ଇତ୍ୟାଦି ସୁବିଧା ସୁଯୋଗର ଲିଷ୍ଟ ରହିଛି। ଅନେକ ଗାଁରେ ଲୋକମାନେ ନିଜ ଅଂଚଳର ସମସ୍ୟା ଇତ୍ୟାଦି କଥା ନେଇ ଅଭିଯୋଗ ଆଣୁଥିବା ବେଳେ ପୁନସରୀ ଗାଁର ଲୋକମାନେ କିନ୍ତୁ ଗାଁର ସୁବିଧା ସୁଯୋଗ କଥା ନେଇ ଆଲୋଚନା କରିଥାଆନ୍ତି। ଗତ ୧୨-୧୩ ବର୍ଷ ମଧ୍ୟରେ ପୁନସରୀ ଗାଁର ଲୋକମାନଙ୍କର ଜୀବନଶୈଳୀ ନାଟକୀୟ ଭଙ୍ଗୀରେ ପରିବର୍ତ୍ତନ ହେଲା।

ଆଉ ଏହି ପରିବର୍ତ୍ତନର ଆରମ୍ଭ ହେଲା ପାଣି ଭଳି ମୌଳିକ ସୁବିଧାରୁ। ଏ ପରିବର୍ତ୍ତନର ନେତୃତ୍ୱ ନେଇଥିଲେ ଗାଁର ପୂର୍ବତନ ସରପଞ୍ଚ ହିମାଂଶୁ ପଟେଲ୍। ଓ୍ୱାଟର ଟ୍ୟାଙ୍କ ଓ ପ୍ଲାଂଟରେ ଅନେକ ଯୁବକଙ୍କୁ ସେ ରୋଜଗାର ଦେଇଛନ୍ତି। ଏହିଭଳି ଗୋଟେ ଗୋଟେ ସୁବିଧା ଉପରେ କାମ କରାଗଲା। ସମସ୍ତଙ୍କ ମୌଳିକ ଆବଶ୍ୟକତା ଯେପରି ଜଳସେଚନ, ଯାତାୟତ, ବିଦ୍ୟୁତିକରଣ, ଶିକ୍ଷା, ଇତ୍ୟାଦି ଲୋକମାନଙ୍କ ନିକଟରେ ପହଞ୍ଚାଇଲେ। ଆଉ ଲୋକମାନଙ୍କର ଜୀବନ ପ୍ରତି ଦୃଷ୍ଟିକୋଣ ବଦଳାଇ ଦେଲେ। ଆଉ ୪ଜି ଯୁଗରେ ଗାଁ ପଛରେ ନ ରହିଯାଉ, ସେଥିପାଇଁ ସମ୍ପୂର୍ଣ୍ଣ ଗାଁରେ ଓ୍ୱାଇଫାଇ କନେକ୍ସନ୍ ଲଗାଇ ଦିଆଗଲା।

ପ୍ରଥମେ ଡିମାଣ୍ଡ ଆସୁଥିଲା ଯେ, ପାଣି ସପ୍ଲାଏର ସମସ୍ୟା ହେଉଛି, ହେଲେ ଏବେ ଅଭିଯୋଗ ଆସୁଛି ଯେ, ଓ୍ୱାଇଫାଇର ସର୍ଭର ଡାଉନ୍ ଅଛି ଆଉ ଏଠି ଡିଜିଟାଇଜେନସର ସବୁଠାରୁ ବଡ ଉଦାହରଣ ହେଉଛି ଏଠାକାର ସରକାରୀ ସ୍କୁଲ୍। ସରକାରୀ ସ୍କୁଲର ସ୍ଥିତି ଏଠାରେ ବେଶ ଉନ୍ନତ। ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ସରକାରୀ ସ୍କୁଲକୁ ବେଶ୍ ଆନନ୍ଦରେ ଆପଣାଇ ନେଇଛନ୍ତି।

ଏହି ଗାଁକୁ ପ୍ରେଷ୍ଟିଜିଅସ୍ ଆଦର୍ଶ ଗାଁର ସମ୍ମାନ ବି ଦିଆଯାଇଛି। ଆଉ ପରିବର୍ତ୍ତନର ସ୍ରୋତରେ କେବଳ ଗାଁ ବଦଳିନି ବରଂ ଲୋକମାନଙ୍କର ଚିନ୍ତାଧାରା ଓ ଜୀବନଶୈଳୀ ମଧ୍ୟ ବଦଳିଛି। ବିକାଶର ସବୁଠାରୁ ବଡ ଉଦାହରଣ ଯେଉଁମାନେ ରୋଜଗାର ପାଇଁ ବାହାରକୁ ଚାଲିଯାଇଥିଲେ, ସେମାନେ ପୁଣିଥରେ ଫେରିଆସିଛନ୍ତି ନିଜ ଗାଁକୁ। ଆଉ ଦେଶର ଅନେକ ଗାଁ ଏହି ପୁନସରୀ ଗାଁର କନସେପ୍ଟକୁ ଆପଣାଇବା ପ୍ରୟାସରେ ଲାଗିପଡିଛନ୍ତି। ବାସ୍ତବିକ ଏହି ପୁନସରୀ ଗାଁ ସମସ୍ତଙ୍କ ପାଇଁ ଉଦାହରଣ ଓ ଆଦର୍ଶ। ଥରେ ଆପଣ ସେହି ଗାଁକୁ ଗଲେ ସହଜରେ ଆସିବାକୁ ମନ ହେବ ନାହିଁ।

You might also like