ହଜି ଯାଉଛି କି ଆମ ପଖାଳ ହାଣ୍ଡିର ବାସ୍ନା ?

ଆମ ହାଣ୍ଡିଶାଳରୁ ହଜି ଯାଉଛି କି ପଖାଳ ହାଣ୍ଡି? ଆମ ଖାଦ୍ୟ ଶୈଳୀରୁ ଦୂରେଇ ଯାଉଛି କି ପଖାଳ କଂସା? ଦିନକୁ ଦିନ ପଖାଳଠାରୁ ଆମର ସମ୍ପର୍କ ଛିନ୍ନ ହୋଇଯାଉଛି କି ? ଏହା ଯେ ଆମ ଜୀବନ ଜୀବିକା ଓ ଦିନଚର୍ଯା ସହ ଅତି ଅନ୍ତରଙ୍ଗ, ଏହାକୁ ସେତିକି ସମ୍ମାନ ଦେବାରେ ଆମେ ହେଳା କରି ଦେଉ ନାହାନ୍ତି ତ?
ଆଲେଖ୍ୟ:- ଜଗମୋହନ ମହାରଣା

ପଖାଳ ଖାଲି ଏକ ଖାଦ୍ୟ ନୁହେଁ, ସକାଳରୁ ସଞ୍ଜ ରାତିରୁ ଦିନ ଏହା ଆମ ଜୀବନ ଧନ… ଏ ପଖାଳ ତୋରାଣି ଆମ ପିଣ୍ଡରେ ପ୍ରାଣକୁ ବାନ୍ଧି ରଖିବାର ଅମୂଲ୍ୟ ରତ୍ନ। ଏ କଥାକୁ ଆମେ ଜାଣି ଜାଣି ପାସୋରି ଦେଉଛନ୍ତି କି?

ଯଦି ପାସୋରି ନାହାନ୍ତି, ଯଦି ଆଜି ବି ଆମ ପଖାଳ ହାଣ୍ଡି ଆମ ହାଣ୍ଡିଶାଳର ଗୌରବ ବଢ଼ାଉଛି, ତାହାଲେ ଆମେ ତାକୁ ପାଳନ କରୁଛନ୍ତି କାହିଁକି? ଆମେ ପଖାଳକୁ  ଭୁଲି ନାହୁଁ ଏଇ କଥା କହି ଭଲେଇ ହେବା ପାଇଁ କିମ୍ବା  ଭୁଲକୁ  ଘୋଡ଼ାଇବା ପାଇଁ ପାଳନ କରୁନେ ତ ?

ଯଦି ପଖାଳ ପାଇଁ ଦିବସ ଆମେ ପାଳନ କରୁଛନ୍ତି ତାହାଲେ ଆନ୍ତରିକତାର ସହ ପାଳୁଛନ୍ତି ନା କେବଳ ଫଟୋ ଉଠାଇବା ପାଇଁ?

ଯେତେ ଫଟୋ ସବୁ ସୋସିଆଲ ମିଡିଆରେ ବୁଲୁଛି ସେଥିରେ ଓଡ଼ିଆ ପଣ ନଥିଲା ପରି ମନେ ହେଉନାହିଁ କି? ଏବେ ଯେଉଁ ଢଙ୍ଗରେ ଆମେ ପଖାଳ ଦିବସ ପାଳୁଛନ୍ତି ତାହା କ’ଣ ଆମ ପ୍ରକୃତ ପଖାଳ?
ବର୍ଷ ସାରା ପଖାଳକୁ ଯେଉଁ ମାନେ ନାକ ଟେକି ଗରିବ ଲୋକର ଖାଦ୍ୟ ବୋଲି କହୁଛନ୍ତି ସେମାନେ ଆଜି ଗୋଟିଏ ଦିନ କାହିଁ କି ପାଳନ କରୁଛନ୍ତି?

ପ୍ରକୃତରେ ଯେଉଁ ମାନେ ବାରମାସୀ ସଞ୍ଜରୁ ସକାଳ ପଖାଳ ତୋରାଣୀରେ ବୁଡିକି ଅଛନ୍ତି ସେମାନଙ୍କ ମନର କଥାକୁ କାହିଁ କି ଲିପିବଦ୍ଧ କରାଯାଉନି? ଗଉଡ଼ ଗାଈ ଚରେଇ ଗଲାବେଳେ ତତଲା ଦ୍ୱିପ୍ରହରରେ ତା ପ୍ରାଣପ୍ରିୟା ପତ୍ନୀ ଯେଉଁ ଶାଗପଖାଳ ମୁଠିଏ ନେଇ ମାଳ ତଇଲା ବୁଲି ବୁଲି ଯାଏ,  ସେ ଛବି କାହିଁକି ତ ଦେଖା ଯାଉନି ?
ଚଷା ପୁଅ ଗହିର ବିଲରେ ପାଣି କାଦୁଅରେ ଖଟୁଥିବା ବେଳେ ତା ପାଖକୁ ଯେଉଁ ଗୁଣ୍ଡେ ପଖାଳ ଖଣ୍ଡେ ପିଆଜ ପହଞ୍ଚେ, ଆଉ ସିଏ ସେହି ମାଟି କାଦୁଅ ବୋଳା ଦେହରେ ସେ ଖାଉଥାଏ ସେ ଦୃଶ୍ୟ ଗଲା କୁଆଡ଼େ?

ଶୀତ ଦିନେ ଚୁଲି ନିଆଁ ମୂଳେ ବସି ବୁଢି ମା ସାଙ୍ଗେ ନାତି ନାତୁଣୀ ଖାଉଥିବା ପଖାଳର ମୋହଗ୍ରସ୍ତ ଛବି କୁଆଡେ ହଜିଗଲା?

ଝିଅ ଘରକୁ ବାପ ଘର ଲୋକ କିଏ ଆସିଲେ, ନୂଆ ବୋହୁଟି ମୁଣ୍ଡରେ ଓଢ଼ଣା ଦେଇ ନିଜ ବାପ ଭାଇକୁ ବଳକେଇ ବଳକେଇ ପଖାଳ ସାଙ୍ଗେ ୬ତିଅଣ ୯ଭଜା ବାଢ଼ି ଦିଏ। ସେ ଗ୍ରାମବଧୂର ବଢ଼ା ପଖାଳର ଦୃଶ୍ୟ କାଇଁ?
ଏହା ଆଜିବି ଅଛି। ଆଜି ବି ଆମେ ଓଡ଼ିଆମାନେ ଆମ ଗାଁରେ ଏମିତି ବଞ୍ଚୁଛେ। ଯାହାକି ପ୍ରକୃତ ଓ ବାସ୍ତବ। କିନ୍ତୁ ଏହାକୁ ଆମେ ପ୍ରଦର୍ଶନ କରିବାରେ ସଫଳ ହୋଇଛେ ତ? ନା ଯେଉଁମାନେ କେବଳ ଦିନକ ପାଇଁ ଏହାକୁ ଏକ ସଉକି ବୋଲି ଭାବୁଛନ୍ତି ଏବଂ ସୋସିଆଲ୍ ମିଡିଆ ଟ୍ରେଣ୍ଡରେ ରହିବାକୁ ଚାହୁଁଛନ୍ତି ଆମେ ସେଇମାନଙ୍କୁ ଦେଖି ଭାବୁଛନ୍ତି ଯେ ଆମେ ପଖାଳକୁ ଭଲପାଉଛୁ।

କିନ୍ତୁ ଯେଉଁ ମାନେ ଜୀବନ ସାରା ପଖାଳ ତୋରଣିରେ ନିଜ ଜୀବନକୁ  ବଞ୍ଚାଇ ରଖିଛନ୍ତି ସେମାନଙ୍କୁ କେବେ ପଖାଳର ମୋହ ସମ୍ପର୍କରେ କାହିଁକି ପଚାରି ନାହାନ୍ତି?

ଏ ରାଜ୍ୟର ମୁଖିଆଙ୍କୁ ବି ପଖାଳ ଭଲକି ଖାଇ ଆସିଥିବ କି ନାହିଁ ତାହା ଜଣାନାହିଁ। ଆଉ ଇଏ ପାଳିବେ କ’ଣ? ଅତି ବିରୋଧ କଲେ ଏ ରାଇଜ ମୁଖିଆ ନିଜ ବାପାଙ୍କ ନାଁରେ ଗୋଟେ ଯୋଜନା କରି ବିଜୁ ପଖାଳ ଦିବସ କରିଦେବେ, ହେଲେ ଗରିବଙ୍କ ତୁଣ୍ଡରେ ଆତ୍ମୀୟତାର ସହ ପଖାଳ ତୋରାଣି ଟିକେ ଦେଇ ପାରିବେନି।  ଏପରି ସ୍ଥିତିରେ ଏ ଓଡିଆଙ୍କ ସ୍ୱାଭିମାନର ପଖାଳ କଂସାକୁ ମୁଣ୍ଡରେ ବସେଇ ବିଶ୍ୱ ଦରବାରରେ ପହଞ୍ଚାଇବ କିଏ?

You might also like