ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣ

ସେଇ ସନ୍ଥ, ଯାହାଙ୍କର ସାରା ଜୀବନ ବିତିଗଲା ନିରାଡ଼ମ୍ବରରେ। ସେଇ ବୈଜ୍ଞାନିକ, ଯିଏ ରସାୟନ ବିଜ୍ଞାନରେ ଗବେଷଣା କରି ପାଇଥିଲେ ସଫଳତା। ସେଇ ଚିକିତ୍ସକ, ରୋଗୀ ସେବା ଯାହାଙ୍କର ଥିଲା ଜୀବନବ୍ରତ। ସେଇ ସନ୍ଥ, ଚିକିତ୍ସକ ଓ ବୈଜ୍ଞାନିକ ଧୀରେନ୍ଦ୍ର ନାରାୟଣଙ୍କ ଉପରେ ଲେଖିକା ସୁମିତ୍ରା ପାଢ଼ୀଙ୍କ ସ୍ୱତନ୍ତ୍ର ଆଲେଖ୍ୟ ।

୧୯୫୭ ମସିହାର କଥା । ସେତେବେଳକୁ ଭାରତ ମାତ୍ର ଦଶ ବର୍ଷ ତଳେ ସ୍ୱାଧୀନ ହୋଇଥାଏ । ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ସହର । ଭଦ୍ରକ ଜିଲ୍ଲାସ୍କୁଲର ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଫଳ ପ୍ରକାଶ ପାଇଲା । ଦୁଇ ଦୁଇଟି ସେକ୍ସନ୍ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ପିଲାଟିଏ । ନାଁ ଧୀରେନ୍ଦ୍ର ନାରାୟଣ ନନ୍ଦ ।

କିଏ ଏଇ ଧିରେନ୍ଦ୍ର? ପ୍ରଧାନ ଶିକ୍ଷକଙ୍କ ଠୁଁ ଆରମ୍ଭ କରି ଶ୍ରେଣୀ ଶିକ୍ଷକ ଓ ସାଙ୍ଗସାଥିମାନେ ଖୋଜି ହେଲେ । ମନେ ପଡ଼ିଲା ପଛ ଧାଡ଼ିରେ ଚୁପଚାପ୍ ଧୀରସ୍ଥିର ହୋଇ ବସୁଥିବା ଶାନ୍ତସୁଧାର ପିଲାଟି । ସେ ହିଁ ହୋଇଥିବ ଧୀରେନ୍ଦ୍ର । ସେତେବେଳେ ବିଦ୍ୟାଳୟର ପରମ୍ପରା ଅନୁସାରେ ଶ୍ରେଣୀର ପ୍ରଥମ ଧାଡ଼ିରେ କେବଳ ଭଲ ପାଠ ପଢ଼ୁଥିବା ଚାଟମାନେ ହିଁ ବସୁଥିଲେ । ଗାଁ’ରୁ ନୂଆ କରି ଆସିଥିବା ଓ ସହରରେ କେହି ସାଙ୍ଗସାଥି ନଥିବା ଧୀରେନ୍ଦ୍ର ତେଣୁ ବାଛି ନେଇଥିଲେ ପଛ ଧାଡ଼ି । ଏଥର କିନ୍ତୁ ଧୀରେନ୍ଦ୍ରଙ୍କୁ ସମସ୍ତେ ଚିହ୍ନିଗଲେ । ପ୍ରଧାନ ଶିକ୍ଷକ ଉପେନ୍ଦ୍ର ମହାନ୍ତି ଡାକିଲେ ହଷ୍ଟେଲରେ ରହିବାକୁ । ଧୀରେନ୍ଦ୍ର ମନା କଲେ । ରହିଲେ ଭାଇଙ୍କ ପାଖରେ ।

କେବଳ ସ୍କୁଲର ସବୁ ପରୀକ୍ଷାରେ ପ୍ରଥମ ନୁହେଁ, ମ୍ୟାଟ୍ରିକ୍ ପରୀକ୍ଷାରେ ବି ପୂରା ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ପ୍ରଥମ ହେଲେ ସେ ଓ ଭଦ୍ରକ କଲେଜରେ ଆଇ.ଏସ୍.ସିରେ ନାଁ ବି ଲେଖାଇଲେ। ସାଙ୍ଗମାନଙ୍କ ସହ ଧୀରେନ୍ଦ୍ର ସବୁଦିନିଆ ଖଟି ଜମୁଥିଲା ଚରମ୍ପା ସିନେମା ହଲ୍ ପାଖରେ। ସିନେମା ଦେଖିବାକୁ ଖୁବ୍ ଭଲ ପାଉଥିଲେ ଧୀରେନ୍ଦ୍ର । ଖଟିରେ ଦୁଇ ଚାରି କପ୍ ଚାହା’ର ଆସର। ସାଙ୍ଗମାନେ ବୁଝି ପାରନ୍ତିନି ଧୀରେନ୍ଦ୍ର ପଢ଼ୁଛି କେତେବେଳେ । ପରୀକ୍ଷାରେ ଏତେ ଭଲ ନମ୍ବର ରଖୁଛି ଯେ!

ଧୀରେନ୍ଦ୍ରଙ୍କ ପିତା ଧନେଶ୍ୱରଙ୍କ ମାନବମିତ୍ର ସେବା ନିକେତନ ଘର

ଆଇ.ଏସ୍.ସି ସରିଲା ପରେ ବନ୍ଧୁ କାମପାଳ ଓ ଦୁର୍ଗାଚରଣଙ୍କ ସାଙ୍ଗରେ ଧୀରେନ୍ଦ୍ର ନାରାୟଣ ବୁର୍ଲା ଚାଲିଲେ । ଦୁଇ ବନ୍ଧୁ ଇଞ୍ଜିନିୟରିଂ ପଢ଼ିଲେ ଓ ଧୀରେନ୍ଦ୍ର ଡାକ୍ତରୀ ପଢ଼ିଲେ। ହେଲେ ବୁର୍ଲା କି ଡାକ୍ତରୀ ପାଠ କେଉଁଥିରେ ବି ମନ ଲାଗିଲାନି ତାଙ୍କର । ଦୁଇ ସାଙ୍ଗଙ୍କୁ ବୁଝାଇ ସୁଝାଇ ସାଙ୍ଗରେ ଧରି ଭଦ୍ରକ କଲେଜକୁ ଫେରିଆସିଲେ ଧୀରେନ୍ଦ୍ର । ଆଉ ଏଇଠାରେ ହିଁ ରସାୟନ ବିଜ୍ଞାନରେ ସ୍ନାତକ କଲେ।

ଭଦ୍ରକ ଜିଲ୍ଲାର ବୈତରଣୀ ନଈ କୂଳର ଛୋଟିଆ ଗୋଟେ ଗାଁ । ନଈ କୂଳର ଆମ୍ବ, ନଡ଼ିଆ ଓ ଗୁଆ ଗଛ ଘେରା ସେଇ ଛୋଟିଆ ଗାଁ ଟିର ନାଁ ଖଡ଼ିପଦା । ସେଇ ଗାଁ ର ବ୍ରାହ୍ମଣ ସାହିରେ ୧୯୪୨ ମସିହା ଫେବୃଆରୀ ୧୯ ତାରିଖରେ ଧୀରେନ୍ଦ୍ର ନାରାୟଣଙ୍କ ଜନ୍ମ । ତାଙ୍କ ପିଲାଦିନର ନାଁ ପ୍ରଫୁଲ୍ଲ । ସାଙ୍ଗସାଥି ପରିଜନ ସମସ୍ତଙ୍କ ପାଖରେ ସେ ପ୍ରଫୁଲ୍ଲ ନାଁ ରେ ପରିଚିତ ।

ଭଦ୍ରକ କଲେଜରେ ରସାୟନ ବିଜ୍ଞାନ ସମ୍ମାନରେ ବି.ଏସ୍.ସି ପାସ୍‌ କରିବା ପରେ ଧୀରେନ୍ଦ୍ର ଚାଲିଆସିଥିଲେ ଓଡ଼ିଶାର ସେତେବେଳର ଶ୍ରେଷ୍ଠ ବାଣୀକ୍ଷେତ୍ର ରେଭେନସା କଲେଜକୁ ।  ସେଠି ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ପ୍ରାପ୍ତ ପରେ ସେ ପି.ଏଚ୍.ଡି କରିବାକୁ ଆଇ.ଆଇ.ଟି, କାନପୁର ଚାଲିଯାଇଥିଲେ । କାନପୁର ଯିବା ପୂର୍ବରୁ ସାମୟିକ ଭାବରେ ସେ ଭଦ୍ରକ କଲେଜରେ ରସାୟନ ବିଭାଗର ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । କାନପୁର ରହଣୀ ସମୟରେ ତାଙ୍କୁ ମିଳିଥିଲା ଆମେରିକୀୟ କେମିକାଲ୍ ସୋସାଇଟି ତରଫରୁ ବେଷ୍ଟ ରିସର୍ଚ୍ଚର ଆୱାର୍ଡ । ଏଇ ପୁରସ୍କାର ପାଇବାରେ ସେ ଥିଲେ ପ୍ରଥମ ଓଡ଼ିଆ।

ଯୁବା ଅବସ୍ଥାରେ ଧୀରେନ୍ଦ୍ର ନାରାୟଣ

ଉଚ୍ଚଶିକ୍ଷାର ଝୁଙ୍କ୍ ଓ ନିଜର ମେଧାବୀ ପ୍ରତିଭା ଯୋଗୁଁ ସେ ସବୁବେଳେ ସହପାଠୀ ଓ ଅଧ୍ୟାପକମାନଙ୍କର ପ୍ରିୟ ଥିଲେ । ୧୯୬୯ରୁ ୧୯୭୧ ପର୍ଯ୍ୟନ୍ତ ସିନିୟର ରିସର୍ଚ୍ଚ ଫେଲୋ ଓ ୧୯୭୧-୭୪ ଯାଏଁ ସିନିୟର ରିସର୍ଚ୍ଚ ଆସିଷ୍ଟାଣ୍ଟ ଭାବରେ କାମ କଲା ପରେ ୧୯୭୫ ମସିହା ଜୁନ୍ ମାସରେ ଆଇ.ଆଇ.ଟି, ଖଡ଼ଗପୁରରେ ପୋଷ୍ଟ ଡକ୍ଟରାଲ୍ ଫେଲୋ ଭାବରେ ଯୋଗ ଦେଲେ । ୧୯୭୫ରେ ଆଇ.ଆଇ.ଟି ରେ ଉନ୍ନତତର ଗବେଷଣା କରି ବିଜ୍ଞାନରେ ସର୍ବୋଚ୍ଚ ଡି.ଏସ୍.ସି ଡିଗ୍ରୀ ପ୍ରାପ୍ତ ହେଲାବେଳକୁ କେଇଜଣ ହାତଗଣତି ଓଡ଼ିଆ ଏ ଡିଗ୍ରୀ ପାଇଥିଲେ ମାତ୍ର ।

ଜୀବନର ସବୁପ୍ରକାର ସାମୟିକ ସୁଖ ଓ ପ୍ରାଚୁର୍ଯ୍ୟକୁ ଏଡ଼ାଇ ଦେଇ ସେ ଏକନିଷ୍ଠ ସାଧକ ଭାବରେ ରସାୟନ ବିଜ୍ଞାନର ଉଚ୍ଚତର ଗବେଷଣାରେ ବ୍ରତୀ ଥିଲେ । ସେଇଥିପାଇଁ ୧୯୭୭ରେ ତାଙ୍କୁ ବମ୍ବେ ଆଇ.ଆଇ.ଟି ରେ ପ୍ରଫେସର ଭାବରେ ନିଯୁକ୍ତି ମିଳିଥିଲା । ସେଠି ମାତ୍ର ଛଅ ମାସର ଅଧ୍ୟାପନା ପରେ ଉଚ୍ଚତର ଗବେଷଣା ପାଇଁ ସେ ପଶ୍ଚିମ ଜର୍ମାନୀର ହାନୋଭର ୟୁନିଭର୍ସିଟି ଚାଲିଯାଇଥିଲେ ।

୧୯୭୭ ମସିହା ଜାନୁଆରୀରେ ଧୀରେନ୍ଦ୍ର ନାରାୟଣ ପଶ୍ଚିମ ଜର୍ମାନୀର ହାନୋଭର ବିଶ୍ୱବିଦ୍ୟାଳୟରେ ଗବେଷଣା ସହଯୋଗୀ ଭାବରେ ଯୋଗ ଦେଇଥିଲେ । ରସାୟନ ବିଜ୍ଞାନର ଅତି ଜଟିଳ ତତ୍ତ୍ୱ ସମ୍ବଳିତ କ୍ୱାଣ୍ଟମ୍ ଥିଓରୀ ଉପରେ ତାଙ୍କର ଗବେଷଣା ଚାଲିଥିଲା । ଜର୍ମାନର ବିଖ୍ୟାତ ବୈଜ୍ଞାନିକ କେ.ଜଙ୍ଗଙ୍କ ସହ ମିଶି ଧୀରେନ୍ଦ୍ର ନାରାୟଣ SINDO1 ଉପରେ ଯେଉଁ ଗବେଷଣା କରିଥିଲେ ତା’ର ବିବରଣୀକୁ ଜର୍ମାନର ଇନସବ୍ରୁକ୍ ଠାରେ ଅନୁଷ୍ଠିତ ଚତୁର୍ଦ୍ଧଶ ସିମ୍ପୋସିୟମ୍ ଫର୍ ଥିଓରିଟିକାଲ୍ କେମେଷ୍ଟ୍ରି ଅଧିବେଶନରେ ଉପସ୍ଥାପନ କରିଥିଲେ, ଯାହା ତାଙ୍କୁ ଆର୍ନ୍ତଜାତୀକ ସ୍ୱୀକୃତି ଆଣିଦେଇଥିଲା ।

କ୍ୱାଣ୍ଟମ୍ କେମିଷ୍ଟ୍ରିର ଏହି SINDO1 ଥିଓରୀ ସହଯୋଗରେ ଆବ୍ ଇନିସିଓର ସ୍ରଷ୍ଟା ବ୍ରିଟିଶ୍ ବୈଜ୍ଞାନିକ ଜେ.ଏ.ପୋପଲ୍ ୧୯୯୮ ମସିହାରେ ରସାୟନ ବିଜ୍ଞାନରେ ନୋବେଲ୍ ପୁରସ୍କାର ପାଇଥିଲେ । ଦେଶକୁ ଫେରିନଆସି ସେଇ ଜର୍ମାନରେ ରହି ଗବେଷଣା କରିଥିଲେ ଆଜି ନିଶ୍ଚୟ ସେ ଏକାକି ଭାବରେ କିମ୍ବା ମିଳିତ ଭାବରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥା’ନ୍ତେ ।

ରସାୟନ ବିଜ୍ଞାନର କଷ୍ଟସାଧ୍ୟ ବିଷୟ କ୍ୱାଣ୍ଟମ୍ ଓ ଥିଓରିଟିକାଲ୍ କେମିଷ୍ଟ୍ରିରେ ତାଙ୍କ ଗବେଷଣାର ପ୍ରଭାବ ଥିଲା ସୁଦୂରପ୍ରସାରୀ । ଅର୍ନ୍ତଜାତୀୟ ପତ୍ରପତ୍ରିକାରେ ଏ ସମ୍ପର୍କରେ ତାଙ୍କର ଗବେଷଣାତ୍ମକ ସିଦ୍ଧାନ୍ତ ସମ୍ପର୍କିତ ନିବନ୍ଧମାନ ତାଙ୍କୁ ଜଣେ ପ୍ରତିଭାସମ୍ପନ୍ନ ଯୁବ ବୈଜ୍ଞାନିକର ପରିଚୟ ଦେଇଥିଲା ।

ଧୀରେନ୍ଦ୍ର ଓ ତାଙ୍କ ବପାଙ୍କର ମାନବମିତ୍ର ସେବା ନିକେତନ ଘର

ଜର୍ମାନରୁ ଫେରି ନ୍ୟାସନାଲ୍ କେମିକାଲ୍ ଲାବୋରେଟୋରୀ, ପୁନା ଓ ସି.ଏସ୍.ଆଇ.ଆର୍, ନୂଆଦିଲ୍ଲୀରେ ପୁଲ୍ ଅଫିସର୍ ଭାବରେ ଯୋଗ ଦେଇଥିଲେ । ୧୯୮୫ରେ ମାତ୍ର କିଛି ମାସ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରେ ରସାୟନ ବିଜ୍ଞାନ ବିଭାଗରେ ପ୍ରାଧ୍ୟାପକ ଭାବରେ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧକୁ ବିନମ୍ର ଭାବରେ ଏଡାଇ ଦେଇଥିଲେ ସେ । ବିଶ୍ୱବିଦ୍ୟାଳୟର ପୁରୁଣା ସିଲାବସ, ଗବେଷଣା ବିମୂଖ ପରିବେଶ ଓ ଅନ୍ୟାନ ବିଭିନ୍ନ କାରଣରୁ ସେ ସେଥିରେ ଘାଣ୍ଟି ଚକଟି ହେବାକୁ ମନା କରିନଥିଲେ ।

ଜର୍ମାନରେ ରସାୟନ ବିଜ୍ଞାନର ଉଚ୍ଚତର ଗବେଷଣା ସମୟରେ ଧୀରେନ୍ଦ୍ର ନାରାୟଣ ହୋମିଓପାଥି ପ୍ରେମରେ ପଡ଼ି ଯାଇଥିଲେ। ନୋବେଲ୍ ପୁରସ୍କାର ବିଜେତା ଓ ଶତାବ୍ଦୀର ଶ୍ରେଷ୍ଠ ହୋମିଓପାଥ ଭିଥୌଲକାସ ଓ ଡକ୍ଟର କେଣ୍ଟଙ୍କ ଦର୍ଶନ ଉପରେ ଆସ୍ଥା ରଖି ସେ ଜୀବନର ଆଉ ଏକ ପରୀକ୍ଷାଗାର ଭିତରକୁ ପଶିଯାଇଥିଲେ । ଆରାମ ଦାୟକ ୟୁରୋପୀୟ ଜୀବନ ଶୈଳୀ, ମରସିଡିଜ ଗାଡି, ଗବେଷଣା, ସାଙ୍ଗ ସୁଖକୁ ଛାଡ଼ି ଫେରି ଆସିଥିଲେ ଆପଣା ଗାଁ ମାଟିକୁ ।

ଝାଟିମାଟିର ଘର ଏଥର ପାଲଟି ଯାଇଥିଲା ଗବେଷଣାଗାର । ଆରମ୍ଭ ହୋଇଥିଲା ରସାୟନ ଶାସ୍ତ୍ରର କ୍ୱାଣ୍ଟମ୍ ମେକାନିଜମ୍ ପଦ୍ଧତିକୁ ନେଇ ଆଧୁନିକ ହୋମିଓପାଥି ଚିକିତ୍ସାର ବ୍ୟବହାର । ଗବେଷଣାର ମଣିଷ ମାନବ ଜୀବନରେ ଆଶାର ସଞ୍ଚାର କରିବା ପାଇଁ ଆରମ୍ଭ କରିଥିଲେ ଗବେଷଣା । ନୂଆ ନୂଆ ଔଷଧର ନୂଆ ପ୍ରୟୋଗ । ନିଜର ଶରୀରକୁ ସେ ପରୀକ୍ଷାର କ୍ଷେତ୍ର ଭାବରେ ବାଛି ନେଇଥିଲେ । ଆଧୁନିକ ଚିକିତ୍ସାରୁ ବିଫଳ ହୋଇ ଫେରି ଆସିଥିବା ରକ୍ତ ଓ ଜରାୟୁ କ୍ୟାନ୍ସର୍, ବ୍ରେନ୍ ଟ୍ୟୁମର୍, ରିଉମାଟିଜିମ୍, ଗଲ୍ ଷ୍ଟୋନ୍, କିଡନି ଷ୍ଟୋନ୍, ସ୍ପଣ୍ଡିଲାଇଟିସ୍, ଆସ୍ଥମା, ଏପିଲେପସି(ଅପସ୍ମାର) ଭଳି ଦୂରାରୋଗ୍ୟ ମାରାତ୍ମକ ରୋଗୀଙ୍କୁ ସେ ଚିକିତ୍ସା କରିଥିଲେ ଓ ସଫଳତା ପାଇଥିଲେ ।

ଧୀରେନ୍ଦ୍ର ନାରାୟଣଙ୍କର ହୋମିଓପାଥି ଚିକିତ୍ସା ପ୍ରତି ଥିବା ଆକର୍ଷଣ ପ୍ରକୃତରେ ଉତ୍ତରାଧିକାରୀ ସୂତ୍ରରେ ମିଳିଥିଲା । ଧୀରେନ୍ଦ୍ରଙ୍କ ବାପା ସ୍ୱାଧୀନତା ସଂଗ୍ରାମୀ ଧନେଶ୍ୱର ନନ୍ଦ ୧୯୪୨ରେ ମାନବମିତ ସେବା ନିକେତନ ନାମରେ ଏକ ଦାତବ୍ୟ ହୋମିଓ ଚିକିତ୍ସାଳୟ ଆପଣା ଗାଁ ଖଡ଼ିପଦାରେ ଖୋଲି ଆଖପାଖର ରୋଗୀମାନଙ୍କର ମାଗଣାରେ ଚିକିତ୍ସା କରୁଥିଲେ । ସେଇ ସେବା ନିକେତନରେ ଗାନ୍ଧୀଜୀଙ୍କର ନିର୍ଦ୍ଦେଶରେ ଇଶ୍ୱରଲାଲ୍ ବ୍ୟାସ ଦୁସ୍ଥ ଜନତାଙ୍କର ସେବା ପାଇଁ କିଛି ବର୍ଷ ରହିଥିଲେ ।

ଧୀରେନ୍ଦ୍ର ନାରାୟଣ

ଧୀରେନ୍ଦ୍ର ନାରାୟଣ ଥିଲେ ଯେତିକି ସିଧାସାଧା, ସରଳ, ସଳଖ, ସେତିକି ସ୍ୱାଭିମାନୀ ଓ କଡ଼ା ନିୟମ କାନୁନର ମଣିଷ । ଖଡ଼ିପଦାରେ ରୋଗୀ ଦେଖିବା ବେଳେ ସେ ନିୟମ କରିଥିଲେ ଯିଏ ଆଗରୁ ଟିକେଟ୍ କରିଥିବ ସେ ହିଁ କ୍ରମାନ୍ୱୟରେ ରୋଗୀ ଦେଖାଇପାରିବ । ଏ ନିୟମର ବ୍ୟତିକ୍ରମ ନଥିଲା । ନିଜ-ପର ଭାବର ଉର୍ଦ୍ଧ୍ୱରେ ଥିଲେ ସେ । ଓଡ଼ିଶାର ଦୂରଦୂରାନ୍ତରୁ ରୋଗୀମାନେ ବଡ଼ ଆଶାରେ ଧାଇଁ ଆସୁଥିଲେ ତାଙ୍କ ପାଖକୁ । କେବେ କେବେ ସେମାନଙ୍କର ରହିବା ଖାଇବାର ଦାୟିତ୍ୱ ବି ନେବାକୁ ହେଉଥିଲା ଧୀରେନ୍ଦ୍ରଙ୍କୁ ।

ଜଣେ ସନ୍ୟାସୀ ପରି ବିଷୟ ସମ୍ପତ୍ତି ପ୍ରତି ତାଙ୍କର ଅନୁରାଗ ନଥିଲା । ରୋଗୀମାନଙ୍କୁ ମାଗଣା ଚିକିତ୍ସା କରିବାରେ ବିଶ୍ୱାସ କରୁଥିଲେ ସେ । ତଥାପି କେହି କେହି ଯତକିଞ୍ଚିତ୍ ଦେଉଥିଲେ ତାକୁ ସେ ନା ହାତରେ ଧରୁଥିଲେ ନା ହିସାବ ରଖୁଥିଲେ ।

ନିରାଡ଼ମ୍ବର ଜୀବନଯାପନ ଶୈଳୀ ଓ ଆତ୍ମପ୍ରଚାର ବିମୁଖତା ଧୀରେନ୍ଦ୍ର ନାରାୟଣଙ୍କ ଚରିତ୍ରର ଦୁଇଟି ମୁଖ୍ୟ ଦିଗ ଥିଲା । ବିଦେଶ ମାଟିର ପ୍ରାଚୁର୍ଯ୍ୟ ଭରା ଜୀବନ ହେଉ କି ଦେଶ ଭିତରେ ଉଚ୍ଚ ବେତନର ଗବେଷକ  ଚାକିରି ହେଉ, କେହି ତାଙ୍କୁ ଅଟକାଇ ପାରିନଥିଲେ । ଜଣେ ଧୂଳିମାଟିର ସନ୍ଥ ପରି ସେ ସବୁକିଛିକୁ ତୁଚ୍ଛ କରି ହଠାତ୍ ଫେରି ଆସିଥିଲେ ଆପଣା ଗାଁ କୁ । ଅତି ସାଧାରଣ ଗାଉଁଲି ଲୋକର ବେଶଭୂଷାରେ ଏକ ନିପଟ ସରଳ ଜୀବନ ବଞ୍ଚିବା ଆରମ୍ଭ କରିଥିଲେ ।

ଦିନରେ ରୋଗୀ ଦେଖା ଓ ସାରା ରାତି ରୋଗ ପ୍ରତିଷେଧକ ଉପରେ ଗବେଷଣା ଚାଲେ । ସହଧର୍ମିଣୀ ସୁନୀତି କପ୍ ପରେ କପ୍ ଚା ଯୋଗାଇ ଚାଲନ୍ତି । ରାତି ତିନିରେ ଧୀରେନ୍ଦ୍ର କରୁଥିଲେ ରାତ୍ରୀ ଭୋଜନ । ସେଥିରେ ନିଜ ଦେହ ଉପରେ ଔଷଧର କ୍ରିୟା ପ୍ରତିକ୍ରିୟାର ପରୀକ୍ଷା । ଅଧିକ କାମ ଓ ବିଶ୍ରାମର ଅଭାବ ଧୀରେ ଧୀରେ ତାଙ୍କ ଶରୀରକୁ ଦୁର୍ବଳ କରିବା ଆରମ୍ଭ କରିଦେଲା । ପୁଅ ବାହାଘର ସ୍ଥିର କରିସାରିଥିଲେ । ମନେ ମନେ ଠିକ୍ କରିଥିଲେ ଦେହ ସୁସ୍ଥ ହେଲେ ଆଉଥରେ ଜର୍ମାନ ଯିବେ । ବାରମ୍ବାର ଜର୍ମାନରୁ ତାଙ୍କ ସାଥି ବୈଜ୍ଞାନିକମାନଙ୍କର ଚିଠି ଆସୁଥିଲା ଗବେଷଣା ପାଇଁ ଫେରି ଯିବାକୁ । ସେମାନେ ଆଶା ଛାଡ଼ି ନଥିଲେ । କେତେଦିନ ଆଉ ଅନୁରୋଧ ଆଡେ଼ଇଥାନ୍ତେ ଧୀରେନ୍ଦ୍ର । ଉଦ୍ଦେଶ୍ୟ ଥିଲା ମହତ୍ତର ।

ଇଚ୍ଛା ଥିଲା ଗାଁ ରେ ହିଁ ସେ ଗୋଟେ ଗବେଷଣାଗାର ଓ ଦାତବ୍ୟ ଚିକିତ୍ସାଳୟ ପ୍ରତିଷ୍ଠା କରିବେ । ସେଥିପାଇଁ ଢେର୍ ସାରା ଅର୍ଥର ଆବଶ୍ୟକତା ଅଛି । ତାଙ୍କର ବିଶ୍ୱାସ ଥିଲା ସେ ଥରେ ଜର୍ମାନ ଗଲେ ସବୁକିଛି ସହଜ ହୋଇଯିବ । ସେମିତି କିଛି ହୋଇପାରିଲାନି । ଆକସ୍ମିକ ଅସୁସ୍ଥତା ଭିତରୁ ସେ ଧୀରେ ଧୀରେ ସୁସ୍ଥ ହୋଇଆସୁଥିଲେ । ହଠାତ୍ ୧୮ ଜୁନ୍ ୧୯୯୯ରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣ କରୁକରୁ ସେ ନୀରବ ହୋଇଗଲେ । ସେ ନୀରବତା ଆଉ ଭାଙ୍ଗି ନଥିଲା ।

ଭାରତ ମାଆ ତା’ର ଜଣେ ସୁଯୋଗ୍ୟ ସନ୍ତାନକୁ ସବୁଦିନ ପାଇଁ ହରାଇ ବସିଲା । ଅନେକ ସ୍ୱପ୍ନ ଅଧା ରହିଗଲା । ବାକି ରହିଗଲା ଅନେକ କାମ । ଧରାଧାମରୁ ବିଦାୟ ନେଇଗଲେ ବୈଜ୍ଞାନିକ, ଗବେଷକ, ଦାର୍ଶନିକ, ଚିକିତ୍ସକ ଧୀରେନ୍ଦ୍ର ନାରାୟଣ । କିନ୍ତୁ ଆଜି ବି ଧୀରେନ୍ଦ୍ର ବଞ୍ଚି ରହିଛନ୍ତି ତାଙ୍କ ଦ୍ୱାରା ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିବା କୃତଜ୍ଞ ମଣିଷମାନଙ୍କ ଭିତରେ, ବଞ୍ଚିରହିଛନ୍ତି ପୃଥିବୀର ବଡ଼ ବଡ଼ ରସାୟନ ବିଜ୍ଞାନୀଙ୍କ ଗବେଷଣାରେ, ବଞ୍ଚିରହିଛନ୍ତି ତାଙ୍କ ସୁପୁତ୍ର ଡାକ୍ତର ବିକାଶ ନାରାୟଣ ନନ୍ଦଙ୍କ ଦ୍ୱାରା ୨୦୦୦ ମସିହାରେ ନିଜ ଗାଁ ଖଡ଼ିପଦାରେ ପ୍ରତିଷ୍ଠିତ ଧୀରେନ୍ଦ୍ର ନାରାୟଣ ସ୍ମୃତି ପାଠାଗାର ଓ ଧୀରେନ୍ଦ୍ର ନାରାୟଣ ସେବା ନିକେତନରେ । ପ୍ରଚାର, ପ୍ରସାର, ସ୍ୱୀକୃତିର ଆଢୁଆଳରେ ଥିବା ଏମିତି ଜଣେ ସନ୍ଥ, ଚିକିତ୍ସକ, ବୈଜ୍ଞାନିକ, ସର୍ବୋପରି ଜଣେ ମାନବମିତ୍ରଙ୍କୁ ଆଜି ତାଙ୍କ ପବିତ୍ର ଜନ୍ମଦିନ ଅବସରରେ ଲୋକଲୋଚନକୁ ଆଣିବାର ୟେ ଏକ ଛୋଟିଆ ପ୍ରୟାସ ମାତ୍ର ।

ଲେଖିକା-

You might also like