ସମୁଦ୍ର ମଧ୍ୟରେ କେମିତି ବୁଡ଼ିଥିଲା ଟାଇଟେନିକ୍ ଜାହାଜ, ଜାଣନ୍ତୁ ପୂରା କାହାଣୀ

କଣ ଥିଲା ସେହି କଳା ରାତିର କାହାଣୀ?

  • କେମିତି ବୁଡ଼ିଥିଲା ଜାହାଜ ଟାଇଟେନିକ୍?
  • କ୍ୟାପଟେନ୍‌ଙ୍କ ଲାଗି ପ୍ରାଣ ହରାଇଥିଲେ କି ୧୫ ଶହ ଯାତ୍ରୀ?
  • କଣ ଥିଲା ସେହି କଳା ରାତିର କାହାଣୀ?
  • କାହିଁକି ଘଟିଥିଲା ଏମିତି ଦୁର୍ଘଟଣା?

ନୂଆଦିଲ୍ଲୀ: ଟାଇଟେନିକ୍‌ ଜାହାଜ ବୁଡ଼ିବାକୁ ନେଇ ଏବେ ବି ଅନେକ କଳ୍ପନା ଓ ଜଳ୍ପନା ଲାଗି ରହିଛି। ଜାହାଜ କେମିତି ବୁଡ଼ିଲା ଓ କାହିଁକି ବୁଡ଼ିଲା ତାହାକୁ ନେଇ ଆଜି ବି ବିତର୍କ ଚାଲୁଛି। ବିଶ୍ୱର ବୁଠୁ ବଡ଼ ଜାହାଜକୁ ନେଇ ବର୍ତ୍ତମାନ ସମୟରେ ବି ଚାଲିଛି ଆଲୋଚନା। ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ବଡ଼ ଜାହାଜ କେମିତି ଓ କାହିଁକି ବୁଡ଼ିଥିଲା?

୧୯୧୨ ମସିହାରେ ଦୁନିଆର ସବୁଠାରୁ ବଡ଼ ତଥା ବିଳାସପୂର୍ଣ୍ଣ ପାଣି ଜାହାଜ ଥିଲା ଟାଇଟେନିକ୍‌। ଏହାର ଉଚ୍ଚତା ଅନେକ ବିଳାସପୂର୍ଣ୍ଣ କୋଠାରୁ ଅଧିକ ଉଚ୍ଚ ବୋଲି କୁହଯାଏ। ଏହି ଜାହାଜ ମଧ୍ୟରେ ତିନୋଟି ବିଶାଳକାୟ ଫୁଟବଲ ପଡ଼ିଆ ମଧ୍ୟ ରହିଥିଲା। ଜାହାଜକୁ ଏମିତି ଭାବରେ ନିର୍ମାଣ କରାଯାଇଥିଲା ଯେପରି ଏକା ସାଙ୍ଗରେ ଜାହାଜରେ ପାଖାପାଖି ୨୦୨୪ ଜଣ ଲୋକ ଅତି ସହଜରେ ଯାତ୍ରା କରିପାରିବେ। ଆଉ ଆଣ୍ଟ୍ଲାଟିକ୍‌ ମହାସାଗରରେ ଟାଇଟେନିକ୍‌ ଚାଲିଲା ବେଳେ ଏକ ଛୋଟ ସହରର ଭ୍ରମ ସୃଷ୍ଟି କରିଥାଏ। ବିଶ୍ୱର ସବୁଠାରୁ ଅଧିକ ବେଗରେ ଯାତ୍ରା କରିପାରେ ଟାଇଟେନିକ୍‌। କେବଳ ଏତିକି ନୁହେଁ ବରଂ ଏଥିରେ ଲାଗିଥିବା ହର୍ଣ୍ଣ ପ୍ରାୟ ୧୫ କିମି ପର୍ଯ୍ୟନ୍ତ ଶୁଣାଯାଏ।

ଜାହାଜ ନିର୍ମାଣ କରିବାର ଦାୟିତ୍ୱ ଏକ ବ୍ରିଟିଶ କମ୍ପାନୀ ନେଇଥିଲା। ପାଖାପାଖି ୩ ହଜାରରୁ ଅଧିକ ଶ୍ରମିକ ଏହାକୁ ନିର୍ମାଣ କରିବାରେ ଲାଗିଥିଲେ। ଏତେ ବଡ଼ ଜାହାଜ ତିଆରି କରୁ କରୁ ୯ ଶ୍ରମିକଙ୍କର ଜୀବନ ଯାଇଥିବା ସହ ୪୦ ଶ୍ରମିକ ଆହାତ ମଧ୍ୟ ହୋଇଥିଲେ। ସେହି ସମୟରେ ୪୮ କୋଟି ଟଙ୍କା ବ୍ୟୟରେ ଟାଇଟେନିକ୍‌କୁ ନିର୍ମାଣ କରାଯାଇଥିଲା। ୪୦ ହଜାର ଟନ୍‌ର ପରିବହନ କ୍ଷମତା ରଖିଥିଲା ଏହି  ବିଶାଳ ଜାହାଜ। ଆଉ ଜାହାଜ ଚାଲିବାକୁ ୪ଟି ଚିମିଣି ଥିବା ବେଳେ ଏହା ମଧ୍ୟରୁ ତିନୋଟି କାମ କରୁଥିବା ବେଳେ ଗୋଟିଏ କେବଳ ସୌନ୍ଦର୍ଯ୍ୟକରଣ ପାଇଁ ତିଆରି ହୋଇଥିଲା।

ଟାଇଟେନିକ୍‌ ଦୁନିଆର ସବୁଠାରୁ ବଡ଼ ଓ ବିଳାସପୂର୍ଣ୍ଣ ଜାହାଜ ଥିଲା। ପାଖାପାଖି ୩ ବର୍ଷର ପରିଶ୍ରମ ପରେ ଟାଇଟେନିକ୍‌ ଜାହାଜର  ନିର୍ମାଣ ସରିଥିଲା। ୧ ଏପ୍ରିଲ ୧୯୧୨ ମସିହାରେ ପ୍ରଥମଲାଗି ସମୁଦ୍ରକୁ ଟାଇଟେନିକ୍‌ ପ୍ରବେଶ କରିଥିଲା। ଏହାପରେ ୨ ଏପ୍ରିଲ ୧୯୧୨ରେ ଯାତ୍ରା ପାଇଁ ଟାଇଟେନିକ୍‌କୁ ଗ୍ରୀନ ସିଗନାଲ ମିଳିଥିଲା। ବିଶାଳ ଓ ବିଳାସପୂର୍ଣ୍ଣ ଲାଗି ଇତିହାସରେ ନିଜ ନାଁ ଲେଖିସାରିଥିଲା ଟାଇଟେନିକ୍‌। ନିଜର ଯାତ୍ରା ପୂର୍ବରୁ ବେଶ ଲୋକ ପ୍ରିୟତା ହାସଲ କରିଥିଲା ଟାଇଟେନିକ୍‌। ଜାହାଜରେ ଏ, ବି ଓ ସି କ୍ଲାସ୍‌ କକ୍ଷ ରହିଥିଲା।

ପ୍ରଥମ ଶ୍ରେଣୀରେ ଯାତ୍ରା ପାଇଁ ସେହି ସମୟରେ ଜଣଙ୍କ ପିଛା ୨ ଲକ୍ଷ ୭୦ ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ସେହିପରି ଭାବରେ  ଦ୍ୱିତୀୟ ଶ୍ରେଣୀରେ ଯାତ୍ରା ବାବଦକୁ ଲକ୍ଷେ ଟଙ୍କା ଏବଂ ତୃତୀୟ ଶ୍ରେଣୀରେ ଯାତ୍ରା କରିବାକୁ ୨ ହଜାର ଟଙ୍କା ରହିଥିବା ଜଣାଯାଇଛି। ଯାତ୍ରୀଙ୍କ ଲାଗି ଜାହାଜ ମଧ୍ୟରେ ଯୋଗଠାରୁ ଆରମ୍ଭ କରି ସୁଇମିଂଫୁଲ୍‌ର ବି ବ୍ୟବସ୍ଥା କରାଯାଇଥିଲା। ଏହାସହ ଜାହାଜରେ ଦାମିକିଆ ରେଷ୍ଟୁରାଂଟ୍‌ ରହିଥିଲା। ଯେଉଁଥିରେ ସୁସ୍ୱାଦୁ ଆମିଷ ଓ ନିରାମିଷ ଯାତ୍ରୀଙ୍କ ଲାଗି ମିଳୁଥିଲା। କେବଳ ଏତିକି ନୁହେଁ ଟାଇଟେନିକ୍‌ରେ ଲାଇବ୍ରେରୀଠାରୁ ଆରମ୍ଭ କରି ଲିଫଟ୍‌ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ରହିଥିଲା। ନିଜର ପ୍ରଥମ ଯାତ୍ରା ଇଂଲଣ୍ଡରୁ ଆମେରିକା ରହିଥିଲା। ପ୍ରଥମ ଦଫାରେ ୨ ହଜାର ୨୦୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ନିଜର ଯାତ୍ରା ଆରମ୍ଭ କରିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ।

ଜାହାଜରେ ଥିବା ସମସ୍ତ ଯାତ୍ରୀ ବେଶ ଖୁସୀ ଥିଲେ। କାରଣ ବିଳାସପୂର୍ଣ୍ଣ ଜାହାଜରେ ବିଳାସମୟ ସହରକୁ ଯାତ୍ରା କରୁଥିଲା ଜାହାଜ। ଏତେ ବିଶାଳକାୟ ଜାହାଜ ଥିଲା ଦିନକୁ ପ୍ରାୟ ୮୨୫ ଟନ୍‌ କୋଇଲା ଜାହାଜ ଚାଲିବା ଲାଗି ଦରକାର ପଡୁଥିଲା। ପାଗ ଭଲ ଥିବାରୁ ଜାହାଜକୁ ନିର୍ଧାରିତ ସ୍ପିଡ଼୍‌ରୁ ଅଧିକ ନେବା ଲାଗି ଜାହାଜର ଜଣେ ଅଫିସର କହିଥିଲେ। ତେବେ  ୧୯୧୨, ୧୪ ଏପ୍ରିଲ ରବିବାର ରାତିରେ ସମୁଦ୍ର ବେଶ ଶାନ୍ତ ଥିଲା। ଆକାଶରେ କେବଳ ତାରା ହିଁ ଦୃଶ୍ୟମାନ ହେଉଥିଲା। ଅନ୍ଧାର ମଧ୍ୟରେ ସମୁଦ୍ରକୁ ସଠିକ୍‌ ଭାବରେ ଦେଖିବା କ୍ୟାପଟେନ୍‌ଙ୍କ ପାଖରେ ସମ୍ଭବ ବି ନଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜାହାଜର କ୍ୟାପଟେନ୍‌ଙ୍କୁ ବରଫ ଚଟାଣ ସମ୍ପର୍କରେ ୬ ଥର ସୂଚନା ଦିଆଯାଇଥିଲା। କିନ୍ତୁ ଏହାକୁ ଗୁରୁତର ସହ ନେଇ ନଥିଲେ କ୍ୟାପଟେନ୍‌। ଏପରିକି ସୁଚନା ପାଇବା ପରେ ବି ଜାହାଜର ବେଗ କମାଯାଇନଥିଲା।

ଆଉ ରାତି ୧୧ଟା ୪୦ ମିନିଟ୍‌ରେ ଜାହାଜର ଜଣେ ଉଚ୍ଚ ଅଧିକାରୀଙ୍କ ଫୋନ୍‌ ବାଜିଥିଲା ଓ ଆଉ ସୂଚନା ଦିଆଯାଇଥିଲା କି ଜାହାଜ ସମ୍ମୁଖରେ ଏକ ବଡ଼ ବରଫ ଚଟାଣ ରହିଛି। ତେବେ ଏହି ଖବର ସାଙ୍ଗେ ସାଙ୍ଗେ କ୍ୟାପଟେନ୍‌ଙ୍କ ପାଖରେ ପହଞ୍ଚିଥିଲା। କିନ୍ତୁ ଆଉ ହାତରେ ସମୟ ନଥିଲା। ବରଫ ସହ ଜାହାଜର ଧକ୍କା ହେବାକୁ ମାତ୍ର ୩୫ ସେକେଣ୍ଡ ସମୟ ବାକି ଥିଲା। ତେବେ ଜାହାଜକୁ ବାମ ପାର୍ଶ୍ୱକୁ ନେବା ସହ ଇଂଜିନ୍‌ ବନ୍ଦବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ହଠାତ୍‌ ପାଣି ମଧ୍ୟରେ ଜାହାଜକୁ ବାମ ଆଡ଼କୁ ନେବା ସମ୍ଭବ ନଥିଲା। ସେହି ସମୟରେ ଜାହାଜର ଗତି ପ୍ରାୟ ୩୯ କିମି ପ୍ରତି ଘଂଟା ରହିଥିଲା। ଆଉ ଚାହୁଁ ଚାହୁଁ ବରଫ ସହ ଧକ୍କା ଖାଇଥିଲା ବିଶ୍ୱର ସବୁଠୁ ବଡ଼ ତଥା ବିଳାସପୂର୍ଣ୍ଣ ଜାହାଜ। ବରଫ ସହ ଧକ୍କା ହେବା ପରେ ଜାହାଜରେ ଅନେକ ସ୍ଥାନ କଣା ହୋଇଯାଇଥିଲା।

ଏହା ଫଳରେ ଜାହାଜର ତଳ କଠୋରୀରେ ଧୀରେ ଧୀରେ ପାଣି ପଶିଥିଲା। ବିଳମ୍ବିତ ରାତି ହୋଇଥିବାରୁ ଅଧିକାଂଶ ଯାତ୍ରୀ ଶୋଇସାରିଥିଲେ। ତେବେ ଦୁର୍ଘଟଣା ପରେ ଲାଇଫ୍‌ ବୋଟ୍‌ ପାଖକୁ ଯିବାକୁ ଯାତ୍ରୀଙ୍କୁ କୁହାଯାଇଥିଲା। ସବୁଠାରୁ ବଡ଼ କଥା ହେଲା, ଜାହାଜରେ କମ ସଂଖ୍ୟକ ଲାଇଫ୍‌ ବୋଟ୍‌ ଥିଲା। ଜାହାଜ କେବେ ବୁଡ଼ିବ ନାହିଁ ବୋଲି ବିଶ୍ୱାସ ରଖି ବୋଟ୍‌ ସଂଖ୍ୟା କମ ଥିଲା। ପରେ ଲାଇଫ୍‌ ବୋଟ୍‌ରେ ଲୋକଙ୍କୁ ସ୍ଥାନାନ୍ତର କରିବା ଆରମ୍ଭ ହୋଇଥିଲା। କିନ୍ତୁ ଲାଇଫ୍‌ ବୋଟ୍‌ରେ ବି ବହୁତ କମ ସଂଖ୍ୟାର ଲୋକ ଯାଇଥିବା କୁହାଯାଏ। କିନ୍ତୁ ଜାହାଜ ବୁଡ଼ିବା ପର୍ଯ୍ୟନ୍ତ ଉପସ୍ଥିତ ଥିବା ମ୍ୟୁଜିକ୍‌ସିଆନ୍‌ ମ୍ୟୁଜିକ୍‌ ବଜାଉଥିଲେ। କିନ୍ତୁ ଦୁଃଖର ବିଷୟ, କୌଣସି ସଙ୍ଗୀତକାରଙ୍କୁ ବଞ୍ଚାଯାଇପାରିନଥିଲା।

ଆଉ ଏହି ସମୟରେ ଆକାଶକୁ ମଧ୍ୟ ରକେଟ୍‌ ଛଡାଯାଇଥିଲା ଆଉ ଆଶା କରାଯାଉଥିଲା ଅନ୍ୟ ଜାହାଜମାନେ ଟାଇଟେନିକ୍‌ର ଲୋକଙ୍କୁ ବଂଚାଇପାରିବେ। କିନ୍ତୁ କୌଣସି ଜାହାଜ ସାହାଯ୍ୟ ପାଇଁ ପହଞ୍ଚିନଥିଲେ। ଆଉ ଦେଖୁ ଦେଖୁ ଆଣ୍ଟ୍ଲାଟିକ୍‌ରେ ବୁଡ଼ିଯାଇଥିଲା ଟାଇଟେନିକ୍‌। ସମୁଦ୍ର ମଝିରେ ଦୁଇ ଖଣ୍ଡ ହୋଇଯାଇଥିଲା ଜାହାଜ। ଆଉ ରାତି ଠିକ୍‌  ୨ଟା  ୨୦ ମିନିଟ୍‌ରେ ସମୁଦ୍ର ମଧ୍ୟରେ ପୂରା ବୁଡ଼ିଯାଇଥିଲା ଟାଇଟେନିକ୍‌ ଜାହାଜ। ରାତିର ଅନ୍ଧାର ମଧ୍ୟରେ ୧୫ ଶହ ଲୋକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଲାଇଫ୍‌ ଜ୍ୟାକେଟ୍‌ ଥିବା ପରେ ବି ଅତ୍ୟଧିକ ଥଣ୍ଡା ହେତୁ ଅନେକ ପ୍ରାଣ ହରାଇଥିଲେ। ତେବେ କେବେ ବି ବୁଡ଼ିବ ନାହିଁ କୁହାଯାଉଥିବା ଜାହାଜ ଯେ ନିଜର ପ୍ରଥମ ଯାତ୍ରାରେ ଏମିତି ଭୟାନକ ଦୁର୍ଘଟଣାର ସାମ୍ନା କରିବ ତାହା କେହି ବିଶ୍ୱାସ କରିପାରିନଥିଲେ।

You might also like