ନିଆରା ନିଶା.. ନୂଆ ଉଦ୍ଭାବନ… ଆକାଶରେ ଡ୍ରୋନ ଉଡ଼ାଇଲେ ବି-ଟେକ୍ ଛାତ୍ର

ନୟାଗଡ(ଆର୍ତ୍ତତ୍ରାଣ ପ୍ରଧାନ):  ବି-ଟେକ୍ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ । ରିମୋର୍ଟ  କଣ୍ଟ୍ରୋଲ ଦ୍ୱାରା ଫାଇଟର ଜେଟ ଉଡାଇ ସମସ୍ତଙ୍କୁ କରିଛନ୍ତି ଚକିତ । ଏହା ବ୍ୟତୀତ ଜଳ ଜାହାଜ, ରୋବର୍ଟ ଆଦି ନିର୍ମାଣ କରିବାର ଲକ୍ଷ୍ୟ ରଖିଛନ୍ତି।  ଜଣେ ସଫଳ ବୈଜ୍ଞାନିକ ହୋଇ DRDO ରେ କାମ କରିବା ତାଙ୍କର ସ୍ୱପ୍ନ।  ହେଲେ ଏଥିପାଇଁ ଅର୍ଥ ସାଜିଛି ବାଧକ।  ସହାୟତା ମିଳିଲେ ସେ ନିଜର ଉଦ୍ଭାବନାକୁ ସଫଳ ରୂପ ଦେଇପାରନ୍ତେ। ଏମିତି ସଂଘର୍ଷ ଏବଂ ସଫଳତା ଭରା କାହାଣୀ ହେଉଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଯୁବକ ଅଂଶୁମାନ ମିଶ୍ରଙ୍କର।
ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଯୁବକ ଅଂଶୁମାନ ମିଶ୍ର। ବୟସ ମାତ୍ର ୧୮ ବର୍ଷ । ପକ୍ଷୀଟିଏ ଆକାଶରେ ଉଡ଼ିଗଲେ ତାଙ୍କ ମନରେ କୌତୁହଳ ଜନ୍ମେ। ଛୋଟ ଛୋଟ କୌତୁହଳରୁ ଜନ୍ମ ନେଇଥିଲା ଉଦ୍ଭାବନର ନିଶା।  ହେଲେ କେମିତି କରିବେ ଜାଣି ପାରୁ ନ ଥିଲେ। ଇଣ୍ଟରନେଟ୍‌ରୁ ସର୍ଚ୍ଚ କରି ନୂଆ ନୂଆ ଜ୍ଞାନ ଆହରଣ କରୁଥିଲେ। ତାଙ୍କର ସେହି ଜ୍ଞାନ ଆଜି ବାସ୍ତବ ରୂପ ନେଇଛି। ଏହି ବୟସରେ ସେ ଉଦ୍ଭାବନ କଲେଣି ଡ୍ରେନ, ଶୁଦ୍ଧଜାହାଜ ଓ ରୋବୋର୍ଟ ଭଳି ଅନେକ ଜିନିଷ।  ସେତିକି ନୁହେଁ, ରିମୋଟ୍ ମାଧ୍ୟମରେ ସେ ଆକାଶରେ ଡ୍ରୋନ ବି ଉଡାଉଛନ୍ତି । ଏପରିକି ଏହି ଡ୍ରୋନକୁ ରିମୋଟ ମାଧ୍ୟମରେ କଣ୍ଟ୍ରୋଲ ମଧ୍ୟ କରିପାରୁଛନ୍ତି । ଏହ ବ୍ୟତୀତ କରୋନା କାଳରେ ସେ ସେଫଟି ଡିଭାଇସ୍ ବି ନିର୍ମାଣ କରିଛନ୍ତି।
ଅଂଶୁମାନ ବର୍ତ୍ତମାନ ଏକ ଘରୋଇ କଲେଜରେ ବି-ଟେକର ପ୍ରଥମ ବର୍ଷର ଛାତ୍ର। ପିଲାଟି ଦିନରୁ ବିଜ୍ଞାନ ମେଳା ପାଇଁ ପ୍ରୋଜେକ୍ଟ ପ୍ରସ୍ତୁତ କରି ବେଶ ପୁରସ୍କାର ପାଇଛନ୍ତି । ସେ ଦୁଇ ଥର ବିଜ୍ଞାନ ମେଳାରେ ନୟାଗଡ଼ ଜିଲ୍ଲାରେ ଟପର ହୋଇଛନ୍ତି। ପିଲାଦିନରୁ ନୂଆ ଉଦ୍ଭାବନା ତାଙ୍କର ପ୍ରଥମ ଲକ୍ଷ୍ୟ ଭବିଷ୍ୟତରେ DRDOରେ କାମ କରି ଦେଶ ପାଇଁ କିଛି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ପୁଅର ବୈଜ୍ଞାନିକ ନିଶା ଦେଖି ବାପା ବିଶ୍ୱମୋହନ ମଧ୍ୟ ଖୁସି। ହସି ହସି କହନ୍ତି, ସେ (ଅଂଶୁମାନ) ପିଲାବେଳୁ ଭଙ୍ଗାଗଢା କାମ ଚଲାଇଥାଏ। ହେଲେ ସେଇ ଭଙ୍ଗାଗଢା କାମ ତାକୁ ଏତେ ସଫଳତା ଦେବ ବୋଲି ସେ ଜାଣି ନ ଥିଲେ। ମା’ ରୀତା ମିଶ୍ର ପୁଅର ସଫଳତା ଦେଖି ଖୁସିରେ ବିଭୋର ହୋଇ ଯାଇଛନ୍ତି। କିନ୍ତୁ ମନରେ ଦୁଃଖ, ପୁଅ ଯାହା ଚାହୁଁଛି ଯୋଗାଇ ପାରୁ ନାହାନ୍ତି। କାରଣ ରିମୋର୍ଟ, ପାର୍ଟସ କିଣିବାକୁ ତାଙ୍କ ପାଖରେ ଅର୍ଥର ଅଭାବ।

ଅଂଶୁମାନଙ୍କ ଏଭଳି ଉଦ୍ଭାବନାରେ ଅର୍ଥ ବାଧକ ସାଜିଛି ସତ, ହେଲେ ସେ ଭାଙ୍ଗି ପଡ଼ିନାହାନ୍ତି । ସେ ତାଙ୍କ କାମ ଚଲାଇଛନ୍ତି। ନୂଆ ଯନ୍ତ୍ରପାତି ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଯୋଗାଇ ଦେଲେ ସେ ଅନେକ ଉଦ୍ଭାବନା କରିପାରିବେ ବୋଲି କହିଛନ୍ତି।

You might also like