ବାଜପେୟୀଙ୍କ ବିଷୟରେ କିଛି ଅଜଣା କଥା ଯାହା ଅନେକଙ୍କୁ ଅଜଣା

ଶଗଡ଼ରେ ସଂସଦକୁ ଆସିଥିଲେ ବାଜପେୟୀ!

ଜଣେ ଜନନାୟକ ଭାବେ ବେଶ୍ ଲୋକପ୍ରିୟ ଥିଲେ ଅଟଳ ବିହାରୀ ବାଜପେୟୀ।  ଅନ୍ୟ ଦଳର ନେତା ବି ତାଙ୍କୁ ବେଶ୍ ସମ୍ମାନ କରୁଥିଲେ। ବାଜପେୟୀଙ୍କୁ ନେଇ ଏମିତି ଅନେକ କଥା ଅଛି, ଯାହାକି ଅନେକ ଲୋକ ଜାଣି ନାହାନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର ଏମିତି କିଛି ଅଜଣା ତଥ୍ୟ-

୧ – ନୈଷ୍ଠିକ ବ୍ରାହ୍ମଣ ବାଜପେୟୀ ବହୁତ ଅାମିଷପ୍ରିୟ ଥିଲେ। ତାଙ୍କର ପ୍ରିୟ ଅାମିଷ ଖାଦ୍ୟ ଥିଲା ଚିଙ୍ଗୁଡ଼ି  ଏବଂ ଓଲ୍‌ଡ ଦିଲ୍ଲୀର କରିମ୍ ରେଷ୍ଟୁରାଣ୍ଟରେ ସେ ନିୟମିତ ଭାବେ ଚିଙ୍ଗୁଡ଼ି ଖାଉଥିଲେ। ଏହି ରେଷ୍ଟୁରାଣ୍ଟ ତାଙ୍କର ବେଶ୍ ପ୍ରିୟ ଥିଲା।

୨ – ନିଜର ଓଜସ୍ୱିନୀ ଭାଷଣ ଏବଂ ଭାଷଣରେ ଶବ୍ଦ ଚୟନ ପାଇଁ ବେଶ୍ ପରିଚିତ ଥିଲେ ଅଟଳ ବିହାରୀ ବାଜପେୟୀ। ୧୯୫୭ରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହେବା ପରେ ତାଙ୍କ ଭାଷଣ ଶୁଣି ଜବାହରଲାଲ ନେହେରୁ ଭବିଷ୍ୟବାଣୀ କରିଥିଲେ ଯେ, ବାଜପେୟୀ ଦିନେ ନା ଦିନେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଏହି କଥା ସତ ହୋଇଥିଲା। ୧୯୯୬ ରେ  ବିଜେପିର ୧୩ ଦିନିଅା ସରକାରରେ ପ୍ରଧାନମନ୍ତ୍ରୀ ହୋଇଥିଲେ ବାଜପେୟୀ।

୩ – ନିଜର ଶାଣିତ ସମାଲୋଚନା ସହିତ ଅଭିନବ ପ୍ରତିବାଦ ପାଇଁ ବାଜପେୟୀ ଜଣାଶୁଣା। ଇନ୍ଦିରା ଗାନ୍ଧି ପ୍ରଧାନମନ୍ତ୍ରୀ ଥିବା ବେଳେ ପେଟ୍ରୋଲ ଡିଜେଲ ଦାମ୍ ଅହେତୁକ ଭାବେ ବୃଦ୍ଧି ପାଇବାରୁ ଶଗଡ଼ରେ ସଂସଦକୁ ଅାସିଥିଲେ ବାଜପେୟୀ। ସେତେବେଳେ ଏହା ବହୁତ ଚର୍ଚ୍ଚିତ ହୋଇଥିଲା।

୪ -ରାଜୀବ ଗାନ୍ଧିଙ୍କ ପାଇଁ ନୂଅା ଜୀବନ ପାଇଥିଲେ ବାଜପେୟୀ। ଏକଥା ନିଜେ ସେ କହିଥିଲେ।  ୧୯୮୭ରେ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ବେଳେ ଅାମେରିକାରେ ବାଜପେୟୀଙ୍କ ଚିକିତ୍ସାର ବ୍ୟବସ୍ଥା କରାଇଥିଲେ ରାଜୀବ ଗାନ୍ଧି। ସେତେବେଳେ କେବଳ ଅାମେରିକାରେ ହିଁ ସେପରି ଚିକିତ୍ସା ସମ୍ଭବ ଥିଲା।  ବାଜପେୟୀ ଏହାକୁ ଭୁଲି ନ ଥିଲେ। ୧୯୯୧ରେ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ବାଜପେୟୀ ନିଜେ ଏହା ପ୍ରକାଶ କରି କହିଥିଲେ, ରାଜୀବ ଗାନ୍ଧିଙ୍କ ପାଇଁ ସେ ବଂଚିଛନ୍ତି।

୫- ୧୯୬୫ରେ ପାକିସ୍ତାନ ସହିତ ଯୁଦ୍ଧ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ଲୋଗାନ ଥିଲା ଜୟ ଯବାନ, ଜୟ କିଷାନ। ଏଥିରେ ଜୟ ବିଜ୍ଞାନକୁ ଯୋଡ଼ିଥିଲେ ବାଜପେୟୀ। ୧୯୯୮ରେ ପୋଖରାନ-ଟୁ ପରେ ସେ କହିଥିଲେ ଜୟ ଯବାନ, ଜୟ କିଷାନ, ଜୟ ବିଜ୍ଞାନ।

୬- ବଲିଉଡ୍‌ର ଡ୍ରିମ୍‌ଗର୍ଲ ହେମାମାଳିନୀଙ୍କ ବଡ଼ ଫ୍ୟାନ୍ ଥିଲେ ବାଜପେୟୀ। ୧୯୭୨ରେ ରିଲିଜ୍‌ ହୋଇଥିବା ‘ସୀତା ଓ୍ୱର୍ ଗୀତା’ ଫିଲ୍ମକୁ ସେ ୨୭ ଥର ଦେଖିଥିଲେ। ହେମାମାଳିନୀ ଯେତେବେଳେ ରାଜନୀତିକୁ ଅାସିଲେ ଓ ବାଜପେୟୀଙ୍କ ସହିତ ତାଙ୍କର ଦେଖା ହୋଇଥିଲା, ସେତେବେଳେ ବେଶ୍ ହଡ଼ବଡ଼େଇ ଯାଇଥିଲେ ବାଜପେୟୀ।

୭- ବାଜପେୟୀଙ୍କ କବିତାକୁ ନେଇ ‘ସମ୍ବେଦନା’ ଏବଂ ‘କ୍ୟା ଖୋୟା କ୍ୟା ପାୟା’ ନାମରେ ଦୁଇଟି ମ୍ୟୁଜିକ୍ ଭିଡିଓ ବି ହୋଇଥିଲା। ଜଗଜିତ୍‌ ସିଂହ ଗୀତ ଗାଇଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ୟଶ୍ ଚୋପ୍ରା।  ବାଜପେୟୀ ନିଜେ ବି ଅଭିନୟ କରିଥିଲେ।

You might also like