ନୋବେଲ୍ ପୁରସ୍କାର ବିଷୟରେ ଜାଣିଛନ୍ତି କି ଏହିସବୁ କଥା ?
ଭୁବନେଶ୍ୱର: ଚଳିତ ବର୍ଷ ପାଇଁ ବିଭିନ୍ନ କ୍ଷେତ୍ରରେ ନୋବେଲ୍ ପୁରସ୍କାର୍ ଘୋଷଣା ହୋଇଛି। ମେଡିସିନ୍ କ୍ଷେତ୍ରରେ ୩ ଜଣ ବୈଜ୍ଞାନିକ-ୱିଲିୟମ ଜି କାଇଲିନ ଜୁନିୟର, ସାର ପିଟର ଜେ ରାଟକ୍ଲିଫେ ଓ ଗର୍ଗ ଏଲ ସିମେନଜାଙ୍କୁ ଚଳିତ ବର୍ଷ ମେଡିସିନ୍ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ମିଳିବ। ସେହିଭଳି ରାସାୟନ ବିଜ୍ଞାନ କ୍ଷେତ୍ରରେ ୩ ଜଣ- ଜନ୍ ବି ଗୁଡ୍ଏନଫ୍, ଏମ୍ ଷ୍ଟେନଲି ହ୍ୱିଟନ୍ଗାମ୍ ଏବଂ ଆକିରା ୟୋଶିନୋଙ୍କୁ ମିଳିବ ନୋବେଲ୍। କିନ୍ତୁ ଏଥର ସାହିତ୍ୟ କ୍ଷେତ୍ରରେ ୨୦୧୮ ଓ ୨୦୧୯ ପାଇଁ ଏକା ସଙ୍ଗରେ ଦୁଇ ବର୍ଷର ପୁରସ୍କାର ଘୋଷଣା କରାଯାଇଛି। ସାହିତ୍ୟ କ୍ଷେତ୍ରରେ ପୋଲାଣ୍ଡର ସାହିତ୍ୟିକ ଓଲ୍ଗା ଟୋକାର୍ଜକ୍ଙ୍କୁ ୨୦୧୯ ପାଇଁ ଅଷ୍ଟ୍ରିଆର ସାହିତ୍ୟିକ ପିଟର ହାଣ୍ଡକେଙ୍କୁ ନୋବେଲ୍ ପାଇଁ ମନୋନୀତ କରାଯାଇଛି।
ଏହି ଅବସରରେ ନୋବେଲ୍ ପୁରସ୍କାର ବିଷୟରେ ଆସନ୍ତୁ ଟିକେ ଅଧିକ ଜାଣିବା-
- ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନପ୍ରଦ ପୁରସ୍କାର। ଆଲଫ୍ରେଡ୍ ନୋବେଲ୍ଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ ଟି କ୍ଷେତ୍ର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ମେଡିସିନ୍, ସାହିତ୍ୟ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ।
- ୧୧୮ ବର୍ଷ ପୂର୍ବେ ୧୯୦୧ ମସିହାରେ ହେନେରୀ ଡୁନାଣ୍ଟ ପ୍ରଥମ ନୋବେଲ୍ ପୁରସ୍କାର ପାଇଥିଲେ। ୫ ଜଣ ଭାରତୀୟ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି।
- ରବିନ୍ଦ୍ରନାଥ ଟାଗୋର ଦେଶର ପ୍ରଥମ ନୋବେଲ୍ ପୁରସ୍କାର ବିଜେତା ହୋଇଥିବା ବେଳେ ଶେଷ ଥର ୨୦୧୪ ମସିହାରେ ଶାନ୍ତି ପାଇଁ କୈଳାଶ ସତ୍ୟାର୍ଥୀ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ।
କେଉଁ ଭାରତୀୟ କେବେ ପାଇଥିଲେ ନୋବେଲ୍ ପୁରସ୍କାର୍
- ସାହିତ୍ୟ କ୍ଷେତ୍ରରେ ରବିନ୍ଦ୍ରନାଥ ଟାଗୋର (୧୯୧୩ ମସିହାରେ), ପଦାର୍ଥ ବିଜ୍ଞାନରେ ସିଭି ରମଣ (୧୯୩୦ ମସିହାରେ), ଶାନ୍ତି କ୍ଷେତ୍ରରେ ମଦର ଟେରେସା (୧୯୭୯ ମସିହାରେ), ଅର୍ଥନୀତିରେ ଅମର୍ତ୍ତ୍ୟ ସେନ୍ (୧୯୯୮ମସିହା), ଶାନ୍ତି କ୍ଷେତ୍ରରେ କୈଳାଶ ସତ୍ୟାର୍ଥୀ (୨୦୧୪ ମସିହା)ରେ ନୋବେଲ୍ ପୁରସ୍କାର ମିଳିଥିଲା।
ହରଗୋବିନ୍ଦ ଖୁରାନା - ଏହାଛଡ଼ା ବିଭିନ୍ନ ଦେଶର ୩ ଜଣ ଭାରତୀୟ ମୂଳ ଅଧିବାସୀଙ୍କୁ ମଧ୍ୟ ଏହି ସମ୍ମାନ ମିଳିଛି। ସେମାନେ ହେଲେ ମେଡ଼ିସିନ୍ କ୍ଷେତ୍ରରେ ହରଗୋବିନ୍ଦ ଖୁରାନା (୧୯୬୮ ମସିହା)। ପରାଧୀନ ଭାରତର ରାୟପୁର ଠାରେ ସେ ଜନ୍ମ ହୋଇଥିଲେ। ପରବର୍ତ୍ତି ସମୟରେ ଆମେରିକା ନାଗରିକତ୍ୱ ଗ୍ରହଣ କଲେ।
ସୁବ୍ରମଣ୍ୟନ୍ ଚନ୍ଦ୍ର ଶେଖର - ପଦାର୍ଥ ବିଜ୍ଞାନରେ ସୁବ୍ରମଣ୍ୟନ୍ ଚନ୍ଦ୍ର ଶେଖରଙ୍କୁ ୧୯୮୩ରେ ନୋବେଲ ପୁରସ୍କାର ମିଳିଥିଲା। ସେ ବ୍ରିଟିସ ଶାସନ ସମୟରେ ଲାହୋରରେ ତାଙ୍କର ଜନ୍ମ ଗ୍ରହଣ କରିଥିଲେ। ପରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।
ଭେଙ୍କଟରମଣ ରାମକ୍ରିଶନ - ରସାୟନ ବିଜ୍ଞାନରେ ଭେଙ୍କଟରମଣ ରାମକ୍ରିଶନଙ୍କୁ ୨୦୦୯ରେ ଏହି ପୁରସ୍କାର ମିଳିଥିଲା। ତାମିଲ୍ନାଡୁର ଚିଦାମ୍ବରମ୍ଠାରେ ଜନ୍ମଗ୍ରହଣ କରିଥିବା ଭେଙ୍କଟରମଣ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ।