୧୫ ମିନିଟ୍‌ରୁ ଅଧିକ ସମୟ ଟଏଲେଟ୍‌ରେ ରହିଲେ ବାଜିବ ଆଲାର୍ମ

ବେଜିଂ: ଆପଣ ଟଏଲେଟ୍‌ରେ କେତେ ସମୟ ବିତାଉଛନ୍ତି ? ଏଭଳି ପ୍ରଶ୍ନ କେବେ କାହାକୁ ବି କରାଯାଇପାରିବନି। କାହିଁକି ନା ଟଏଲେଟ୍‌ରେ କିଏ କେତେ ସମୟ ବିତାଇବ ସେହିଁ କେବଳ କହିପାରିବ ଯିଏ ଟଏଲେଟ୍‌ରେ ଥିବ। ହେଲେ ଆମେ ଏଠି ଆପଣଙ୍କୁ ଏହି ପ୍ରଶ୍ନ ଏଥିପାଇଁ କଲୁ କାରଣ ଏବେ ସ୍ମାର୍ଟ ଟଏଲେଟ୍‌ ଆସି ଯାଇଛି।  ଟଏଲେଟ୍‌ରେ ଆପଣ ଆଉ ଅଧିକ ସମୟ ରହିପାରିବେନି। ଆଉ ଯଦି ରୁହନ୍ତି ଏକ ଆଲାର୍ମ ବାଜିବ। ଚୀନ୍‌ରେ ଏହି ନୂତନ ଜ୍ଞାନ କୌଶଳ ଉପରେ ଆଧାରିତ ସ୍ମାର୍ଟ ଟଏଲେଟ୍‌ର ବ୍ୟବହାର ହେଉଛି।

ଚୀନ୍‌ର ସାଂଘାଇରେ ଏଭଳି ୧୫୦ଟି ସ୍ମାର୍ଟ ପବ୍ଲିକ୍‌ ଟଏଲେଟ୍‌ କରାଯାଇଛି। ଯାହାକି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଉପରେ ଆଧାରିତ। ଏହି ସ୍ମାର୍ଟ ଟଏଲେଟ୍‌ ପଛରେ ରହିଥିବା ଖାସ୍‌ କଥା ହେଲା, ଆପଣ ଟଏଲେଟ୍‌ରେ ୧୫ ମିନିଟ୍‌ରୁ ଅଧିକ ସମୟ ରହିପାରିବେନି। ଯଦି ଅଧିକ ସମୟ ରୁହନ୍ତି ତେବେ ଆପେଆପେ ଏକ ଆଲାର୍ମ ବାଜିବ। ଯାହାର ସତର୍କ ଘଣ୍ଟି ସିଧା ଯାଇ ନିଗମ କର୍ମଚାରୀଙ୍କ ନିକଟରେ ପହଞ୍ଚି ଯିବ। ଆଉ ଘଟଣାସ୍ଥଳରେ କର୍ମଚାରୀମାନେ ପହଞ୍ଚି ଆପଣଙ୍କୁ ଟଏଲେଟ୍‌ରୁ ବାହାର କରିଦେବେ ।

ଏହି ସ୍ମାର୍ଟ ଟଏଲେଟ୍‌ ଆସିବା ପରେ ବହୁ ସମୟ ଧରି ଟଏଲେଟ୍‌ରେ ରହି ମୋବାଇଲ୍‌ ବ୍ୟବହାର କରୁଥିବା, ଖବରକାଗଜ ପଢ଼ୁଥିବା ବ୍ୟକ୍ତି ଅସୁବିଧାରେ ପଡ଼ିଛନ୍ତି। ତେବେ ଏହି ସ୍ମାର୍ଟ ଟଏଲେଟ୍‌ ଚୀନ୍‌ର ଏୟାରପୋର୍ଟ ସମେତ ଅନ୍ୟ ସ୍ଥାନରେ ବ୍ୟବହାର କରିବା ପାଇଁ ଯୋଜନା ଚାଲିଛି।

You might also like