ସିଆଚେନ୍ ବୀରଙ୍କୁ ଶେଷ ସଲାମ୍
ସିଆଚେନକୁ ରକ୍ଷା କରିଥିବା ଅଦମ୍ୟ ସାହସର ପ୍ରତୀକ କର୍ଣ୍ଣେଲ ବୁଲ କୁମାର, ସବୁଠାରୁ ଦୁର୍ଗମ ତଥା ବିପଦପୂର୍ଣ୍ଣ ଯୁଦ୍ଧେକ୍ଷେତ୍ରରେ ବୀରତ୍ୱର ଧ୍ୱଜା ଉଡ଼ାଇଥିଲେ ବୀର ପୁତ୍ର
ନୂଆଦିଲ୍ଲୀ : ସିଆଚେନ୍ ହିରୋଙ୍କୁ ଶେଷ ସଲାମ୍ । ନୀରବି ଗଲେ ବୀରତ୍ୱର ଧ୍ୱଜା ଉଡ଼ାଇଥିବା ବୀରପୁତ୍ର । ସିଆଚେନ ବରଫଭ୍ୟାଲିରେ ଭାରତର ଉପସ୍ଥିତିକୁ ଜାହିର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କର୍ଣ୍ଣେଲ ବୁଲଙ୍କର ବର୍ଷ ଶେଷରେ ନିଧନ ହୋଇଛି । ରାତ୍ରି ରାତ୍ରି ଉଜାଗର ରହି ଦୁର୍ଗମ ଯୁଦ୍ଧକ୍ଷେତ୍ର ସିଆଚେନରେ ତ୍ରିରଙ୍ଗା ଉଡାଇଥିବା କର୍ଣ୍ଣେଲ ନରେନ୍ଦ୍ର ବୁଲ କୁମାର ଗର୍ବର ସହିତ ମୃତ୍ୟୁକୁ ଆଦରି ଚିରଦିନ ପାଇଁ ଅମର ହୋଇଯାଇଛନ୍ତି ।
ସିଆଚେନକୁ ରକ୍ଷା କରିଥିବା ଅଦମ୍ୟ ସାହସର ପ୍ରତୀକ କର୍ଣ୍ଣେଲ ବୁଲ କୁମାର । ବିଶ୍ୱର ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନକୁ ସୁରକ୍ଷା ଦେବା କ୍ଷେତ୍ରରେ ତାଙ୍କର ବଳିଦାନ ଅବିସ୍ମରଣୀୟ । ଚତୁରତାର ସହ ଶତ୍ରୁ ପକ୍ଷର ଗତିବିଧି ଉପରେ କଡ଼ା ନଜର ରଖିବା ସହ ଦେଶକୁ ସମୟ ଥାଉ ଥାଉ ଆସନ୍ନ ବିପଦର ସୂଚନା ଦେଇଥିଲେ ଏହି ବୀର ପୁତ୍ର ।
୧୯୩୩ ରାଓଲପିଣ୍ଡି (ବର୍ତ୍ତମାନ ପାକିସ୍ତାନର)ରେ ଜନ୍ମିତ କର୍ଣ୍ଣେଲ ନରେନ୍ଦ୍ର ବୁଲ କୁମାର ୧୯୮୪ରେ ସିଆଚେନ୍ ଉପରେ ଭାରତୀୟ ସେନାର ନେତୃତ୍ୱ ନେବା ସହ ଦୁନିଆର ସବୁଠାରୁ ଉଚ୍ଚ ରଣକ୍ଷେତ୍ରକୁ କବଜା କରିନେଇଥିଲେ ।ଏବଂ ଶତ୍ରୁ ଦେଶ ଉପରେ ଭାରତର ଦବଦବା ଜାହିର କରିଥିଲେ । ବୀରପୁତ୍ରର ସୂଚନା ଆଧାରରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅପରେସନ୍ ମେଘଦୂତ ଲଂଚ କରିବାରେ ସାହାଯ୍ୟ ମିଳିଥିଲା । ଆଉ ତା’ପରେ ସିଆଚେନ୍ ଉପରେ ଭାରତୀୟ ସେନାର ଅଧିକାର ରହିଲା ।
ପର୍ବତାରୋହଣ ଅଭିଯାନର ଏକ ଅଂଶ ଭାବରେ ଦୁର୍ଗମ ବରଫଭ୍ୟାଲିରେ ପାଦ ଦେଇଥିବା ପ୍ରଥମ ଅଧିକାରୀଙ୍କ ମଧ୍ୟରୁ ସିଆଚେନ୍ ଗ୍ଲାସିୟରରେ ଭାରତୀୟ ସାମରିକ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନରେନ୍ଦ୍ର ବୁଲ କୁମାର ।କେବଳ ଏତିକି ନୁହେଁ ୧୯୭୮ରେ ଦୁନିଆର ତୃତୀୟ ସବୁଠାରୁ ଉଚ୍ଚ ପର୍ବତମାଳା କାଞ୍ଚନଗଙ୍ଗାର ଉତ୍ତର ପୂର୍ବ ଦିଗରେ ପର୍ବତାରୋହରଣ କରିଥିଲେ । ୪୫ ବର୍ଷରେ ଏପରି ଦୁଃସାହସ କେହି କରିନଥିଲେ । କର୍ଣ୍ଣେଲ ନରେନ୍ଦ୍ର କୁମାରଙ୍କୁ ସ୍ନେହରେ ବୁଲ ଡାକୁଥିଲେ ସାଥୀ ସେନା । ନରେନ୍ଦ୍ର କୁମାରଙ୍କର ସାନ ଭାଇ ମଧ୍ୟ ପର୍ବତାରୋହୀ ଥିଲେ । ଗତ ଗୁରୁବାର ଦିଲ୍ଲୀ ସ୍ଥିତ ଆର୍ମିର ବରାର ସ୍କୋୟାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଆଜି ଆମ ଗହଣରେ ନଥିଲେ ମଧ୍ୟ ତାଙ୍କର ବୀରତ୍ୱର ଗାଥା କାଳକାଳକୁ ମନେ ରହିବ ।
ସୂଚନାଯୋଗ୍ୟ ସିଆଚେନ୍ ଅଞ୍ଚଳରେ ମୁତୟନ ଯବାନମାନେ ଅତି ଦୟନୀୟ ସ୍ଥିତିରେ ରହି ନିଜର ଦାୟିତ୍ୱ ନିର୍ବାହ କରନ୍ତି । ଆବଶ୍ୟକ ପରିମାଣ ଖାଦ୍ୟ, ପୋଷାକ ନଥିଲେ ସୁଦ୍ଧା ମା’ମାଟିର ସେବାରେ ଲାଗିଥାଆନ୍ତି । ଅତ୍ୟଧିକ ଥଣ୍ଡା ଯୋଗୁଁ ଖାଦ୍ୟପାନୀୟ ସବୁ ବରଫରେ ପରିଣତ ହୋଇଯାଏ । ତଥାପି ଦେଶମାତୃକାର ସେବା କରିବାରେ କେବେ ଆନମନା ହୋଇ ନାହାନ୍ତି । ଏହି ଯବାନଙ୍କୁ ନିତି ପ୍ରତିଦିନ ଅନ୍ତରରେ ବରଫଝଡ଼ର ମୁକାବିଲା କରିବାକୁ ପଡ଼େ । ପ୍ରତି ମୁହୂର୍ତ୍ତରେ ବଂଚିବାକୁ ସଂଘର୍ଷ କରିବାକୁ ପଡ଼େ । ଯୁଦ୍ଧରେ ନୁହେଁ ନିମ୍ନ ତାପମାତ୍ରା ଯୋଗୁଁ ଅନେକ ସମୟରେ ଯବାନମାନେ ସହିଦ ହୁଅନ୍ତି । ପାଖାପାଖି ୧୨ ହଜାରରୁ ୨୦ ହଜାର ଫୁଟ୍ ଉଚ୍ଚତା ଉପରେ ଥରି ଥରି ଦେଶ ମାତୃକାକୁ ସୁରକ୍ଷା ପ୍ରଦାନ କରନ୍ତି ଭାରତୀୟ ସେନା ।