ଚୋରି ହୋଇଗଲା କୋଟିଏ ୩୦ ଲକ୍ଷ ଟଙ୍କାର ଗହଣା

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଚୋରି ହେଲା କୋଟିଏ ୩୦ ଲକ୍ଷ ଟଙ୍କାର ଗହଣା । ଚୋର ଧରାହେଲା କୋଲକାତାର ହାଓଡା ଷ୍ଟେସନରୁ । ଏକ ନାଟକୀୟ ଢଙ୍ଗରେ ବେଙ୍ଗାଲୁରୁ ପୋଲିସ କୋଲକାତାରୁ ଏହି  ଚୋରକୁ ଧରିଛି । ତାର ନାଁ କୈଳାଶ ଦାସ । ଘର ପଶ୍ଚିମବଙ୍ଗ ଜିଲ୍ଲା ବର୍ଦ୍ଧମାନ ଜିଲ୍ଲାରେ । ସେ ବେଙ୍ଗାଲୁରୁରେ ଜଣେ ବିଲ୍ଡରଙ୍କ ଘରେ ରହି କାମ ଦାମ କରୁଥିଲା । ଏହି ମାଲିକଙ୍କ ଘରେ ଏଇ ମାସ ପ୍ରଥମ ସପ୍ତାହରେ ଜଣେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ଘରେ  ସମସ୍ତେ କୋଭିଡ କଟକଣାରେ ରହିଲେ ।

ଏହି ଚୋର ମାଲିକଙ୍କ ଘରର ବେସମେଣ୍ଟରେ ରହୁଥିଲା । କୋଭିଡ କଟକଣା ସମୟରେ ଏହି ଚୋରକୁ ସୁଯୋଗ ମିଳିଗଲା । ଘର ଲୋକ କ୍ୱାରେଣ୍ଟାଇନରେ ରହିବା ପରେ ଏହି ଚୋର ଗୋଟିଏ ଇଲେକ୍ଟ୍ରୋମିକ ଚେଷ୍ଟ ଧରି ଚମ୍ପଟ ମାରିଲା । ଏହି ଚେଷ୍ଟରେ କୋଟିଏ ୩୦ ଲକ୍ଷ ଟଙ୍କାର ହୀରା ଓ ସୁନା ଗହଣା ଥିଲା ।  ଏହି କଥା ଘର ଲୋକ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ।  ଚୋରକୁ ଖୋଜିବା ପ୍ରକ୍ରିୟା ଆରମ୍ଭ ହେଲା । ପୋଲିସ ପାଖାପାଖି ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କଲା ।

ୟଶମନ୍ତପୁର ରେଲୱେ ଷ୍ଟେସନର ସିସିଟିଭି ଫୁଟେଜରୁ ଜଣାପଡିଲା ଯେ, ଚାକର ଜଣକ ଟ୍ରେନରେ କୋଲକାତା ଚାଲିଯାଇଛନ୍ତି । ବେଙ୍ଗାଲୁରୁ ପୋଲିସ ସଙ୍ଗେ ସଙ୍ଗେ ଫ୍ଲାଇଟ୍ ଟିକେଟ୍ କରି କୋଲକାତାରେ ପହଞ୍ଚିଗଲା । ହାଓଡାରେ ଟ୍ରେନ ପହଞ୍ଚିବା ପୂର୍ବରୁ ପୋଲିସ ଜଗିରହିଲା । କୈଳାଶ ଟ୍ରେନରୁ  ଓହ୍ଲାଇବା ପରେ ପୋଲିସ ତାକୁ ମାଡିବସିଲେ । ଚୋର ଓ ଚୋରି ଜିନିଷ ଧରି ପୋଲିସ ବେଙ୍ଗାଲୁରୁ ଫେରିଯାଇଛନ୍ତି ।

ସାଧାରଣତଃ କୁହାଯାଏ ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯାଏ । ସେଇଥି ପାଇଁ ଚୋର ଖସିଯାଏ । କିନ୍ତୁ ଏହି ଘଟଣାରେ ଚୋର ଟ୍ରେନରେ ଗଲା ବେଳକୁ ପୋଲିସ୍ ଫ୍ଲାଇଟ୍ ରେ ଗଲା । ପୂର୍ବରୁ ବେଙ୍ଗାଲୁରୁ ପୋଲିସ ଅନ୍ୟ ଏକ ଘଟଣାରେ ରାଜସ୍ଥାନର ଆଜମେର୍ ଯାଇ ଚୋରକୁ ଧରିବାରେ ସକ୍ଷମ ହୋଇଥିଲା ।

You might also like