ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳସ୍ତର

ଭୁବନେଶ୍ୱର : ହିମାଳୟରୁ ଆରମ୍ଭ କରି ଆଣ୍ଟାର୍କଟିକା ଯାଏଁ ତରଳୁଛି ବରଫ ଭଣ୍ଡାର। ପୂର୍ବ ଆକଳନ ତୁଳନାରେ ଅଧିକ ଦ୍ରୁତ ଗତିରେ ଉପରକୁ ଉଠୁଛି ସମୁଦ୍ର ଜଳ ସ୍ତର। ଏହାର ପ୍ରଭାବରେ ନିଉ ୟର୍କରୁ ସାଙ୍ଘାଇ ଯାଏଁ ଅନେକ ସହରରେ ହେବ ନିୟମିତ ବନ୍ୟା। ଏବଂ କୋଟିକୋଟି ଲୋକଙ୍କ ପୁଷ୍ଟି ଓ ଖାଦ୍ୟ ଆବଶ୍ୟକତା ପୂରଣ କରୁଥିବା ମତ୍ସ୍ୟ ସଂପଦ ମଧ୍ୟ ଦ୍ରୁତଗତିରେ କ୍ଷୟମାଣ।

ଏମିତି କିଛି ଚିନ୍ତାଜନକ କଥା ଉଲ୍ଲେଖ ରହିଛି ମିଳିତ ଜାତିସଂଘର ପାଗ ପରିବର୍ତ୍ତନ ସଂକ୍ରାନ୍ତ ଆନ୍ତଃସରକାର ସ୍ତରୀୟ କମିଟି ବା ଆଇପିସିସିର ସଦ୍ୟତମ ରିପୋର୍ଟରେ। ସବୁଜଗୃହ ବାଷ୍ଫ ପ୍ରଭାବରେ ସାଗର ଓ ତୁଷାର ସ୍ତରରେ ପୂର୍ବରୁ ହୋଇଆସୁଥିବା କ୍ଷତି ଅପେକ୍ଷା ଆଗାମୀ କ୍ଷୟକ୍ଷତି ଅଧିକ ସାଙ୍ଘାତିକ ଓ ଚିନ୍ତାଜନକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ପ୍ରାୟ ୩୬ଟି ଦେଶର ୧୦୦ ଉପରେ ବୈଜ୍ଞାନିକ ପ୍ରସ୍ତୁତ କରିଛନ୍ତି ଏହି ରିପୋର୍ଟ। ଏହାର ଶୀର୍ଷକ ହେଉଛି ‘ପରିବର୍ତ୍ତନଶୀଳ ପାଗରେ ସାଗର ଓ କ୍ରାୟୋସ୍ଫିୟର ଉପରେ ସ୍ୱତନ୍ତ୍ର ରିପୋର୍ଟ। ଏହା ହେଉଛି ଏ ସଂକ୍ରାନ୍ତରେ ତୃତୀୟ ତଥା ଚୂଡ଼ାନ୍ତ ଜରୁରୀକାଳୀନ ରିପୋର୍ଟ। ଗତ ବର୍ଷ ଅକ୍ଟୋବର ମାସରେ ଆନ୍ତଃସରକାର ସ୍ତରୀୟ ପାଗ ପରିବର୍ତ୍ତନ ପ୍ୟାନେଲ ବା ଆଇପିସିସି ତାହାର ପ୍ରଥମ ଜରୁରୀକାଳୀନ ରିପୋର୍ଟ ଦାଖଲ କରିଥିଲା। ସେଥିରେ କୁହାଯାଇଥିଲା ଯେ ପୃଥିବୀର ତାପମାତ୍ରା ବୃଦ୍ଧିକୁ ୧.୫ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରଖିବା ପାଇଁ ବିଶ୍ୱବାସୀଙ୍କ ନିକଟରେ ସର୍ବାଧିକ ୨୦୩୦ ଯାଏଁ ସମୟ ଅଛି। ତା’ପରକୁ ପ୍ରଳୟ ଆସିପାରେ। ଗତ ଅଗଷ୍ଟରେ ଦାଖଲ ହୋଇଥିଲା ଏହାର ଦ୍ୱିତୀୟ ଭାଗ।

ଆଇପିସିସିର ଉପାଧ୍ୟକ୍ଷ କୋ ବାରେଟ୍ଟ କହିଛନ୍ତି, ‘ଆମେ ଅପହଂଚ ମେରୁର ସର୍ବୋଚ୍ଚ ଶୃଙ୍ଗରୁ ଆରମ୍ଭ କରି ଅତଳ ସାଗର ଯାଏଁ ଅନୁଧ୍ୟାନ କରିଛୁ। ସବୁଠି ଦେଖିଛୁ ମଣିଷକୃତ ପାଗ ପରିବର୍ତ୍ତନର ପ୍ରମାଣ।

ରିପୋର୍ଟର ଲେଖକ ବୈଜ୍ଞାନିକମାନେ କହିଛନ୍ତି, କ୍ଷୟକ୍ଷତି କେତେ ହେବ ତାହା ନେଇ କେହି ନିଶ୍ଚିତ ନଥିଲେ ବି ଗୋଟିଏ କଥା ଦୃଢ଼ନିଶ୍ଚିତ ଯେ ସମସ୍ତ ପ୍ରକାର ଧ୍ୱଂସ ଓ କ୍ଷତି ସତ୍ତ୍ୱେ ମଣିଷ ନିକଟରେ ଏବେ ବି ଉପାୟ ଅଛି। ସମୁଦ୍ର ଜଳ ସ୍ତର ବୃଦ୍ଧିକୁ ଏବେ ହୁଏତ ଆଉ ରୋକାଯାଇ ପାରିବ ନାହିଁ। କିନ୍ତୁ ତାହାର ଗତିକୁ କମାଇ ହେବ। ବିଶ୍ୱ ଅର୍ଥନୀତିରେ ଜୀବାଶ୍ମ ଇନ୍ଧନ ବ୍ୟବହାର କମାଇଦେଲେ ଅନେକ ଆଶାର ଜନ୍ମ ହେବ। ଏହା ନହେଲେ ଆମେ ଯେଉଁ ବାଟରେ ଯାଉଛନ୍ତି ସେଇବାଟରେ ଆଗେଇ ଚାଲିବା ଓ ପୃଥିବୀକୁ ଆହୁରି କମ୍‌ ବାସୋପଯୋଗୀ ଭାବେ ଗଢ଼ି ତୋଳିବା।

ରିପୋର୍ଟ ଅନୁସାରେ ଗ୍ରୀନଲାଣ୍ଡରୁ ଆଣ୍ଟାର୍କଟିକା ଯାଏଁ ତୁଷାର ସ୍ତର ତରଳି ଚାଲିଛି। କେବଳ ଗ୍ରୀନଲାଣ୍ଡରେ ଯେତେ ବରଫ ରହିଛି ତାହା ଯଦି ତରଳି ଯାଏ ତେବେ ସମୁଦ୍ର ଜଳ ସ୍ତର ୨୦ ଫୁଟ ଉପରକୁ ଉଠିଯିବ। ସେହି ବରଫ ସ୍ତର ଏବେ ଅଧିକରୁ ଅଧିକ ଦ୍ରୁତ ଗତିରେ ତରଳିବା ଲକ୍ଷ୍ୟ କରାଯାଉଛି। ୨୦୦୬ରୁ ୨୦୧୫ ମଧ୍ୟରେ ଗ୍ରୀନଲାଣ୍ଡର ବରଫ ବାର୍ଷିକ ହାରାହାରି ୨୭୫ ଗିଗାଟନ୍‌ ହାରରେ କ୍ଷୟ ପାଉଛି। ସେହିପରି ୨୦୦୭ରୁ ୨୦୧୬ ମଧ୍ୟରେ ଆଣ୍ଟାର୍କଟିକାର ବରଫ ସ୍ତର ପୂର୍ବ ୧୦ ବର୍ଷ ତୁଳନାରେ ତିନି ଗୁଣ ଅଧିକ ହାରରେ ଲୋପ ପାଇଛି।

ଅଙ୍ଗାରକାମ୍ଳ ନିର୍ଗମନ ବନ୍ଦ ହୋଇନାହିଁ, ବଢ଼ି ଚାଲିଛି। ଏହା ଫଳରେ ଆଣ୍ଟାର୍କଟିକାର ବରଫ ପାହାଡ଼ ତରଳି ଚାଲିଛି। ଏହି ଗତି ବଜାୟ ରହିଲେ ୨୧୦୦ ସୁଦ୍ଧା ସମୁଦ୍ର ଜଳ ସ୍ତର ୩ ଫୁଟ ଅଧିକ ବୃଦ୍ଧି ପାଇବା ନିଶ୍ଚିତ। ଆଲାସ୍କା ଫେୟାରବ୍ୟାଙ୍କସ ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ତଥା ଏହି ରିପୋର୍ଟର ଅନ୍ୟତମ ରଚନାକାର ରେଜିନ୍‌ ହକ୍‌ କୁହନ୍ତି, ‘ବରଫ ତରଳିବା ବନ୍ଦ ନହେଲେ ଆସନ୍ତା ଦୁଇ ତିନି ଶତାବ୍ଦୀ ମଧ୍ୟରେ ସମୁଦ୍ର ଜଳ ସ୍ତର ବହୁ ମିଟର ଉପରକୁ ଉଠିଯିବ।’

ଏହିଭଳି ବରଫ ପାହାଡ଼ କ୍ଷୟ ପାଇ ଚାଲିଲେ ପୃଥିବୀର କେତେକ ସମୁଦ୍ର ତଟରେ ବସବାସ କରୁଥିବା ପ୍ରାୟ ୬୮୦ ନିୟୁତ ଲୋକଙ୍କର ଜୀବନ ଦୁର୍ବିସହ ହୋଇପଡ଼ିବ। ପୂର୍ବରୁ ସେମାନେ ଶହେ ବର୍ଷରେ ଥରେ ବନ୍ୟା ପ୍ଲାବନର ଦଶା ଭୋଗୁଥିଲେ। ୨୦୫୦ ସୁଦ୍ଧା ସେମାନେ ପ୍ରତି ବର୍ଷ ଏଭଳି ବନ୍ୟାର ସମ୍ମୁଖୀନ ହେବେ।

ମଣିଷକୃତ ବିଶ୍ୱ ତାପନର ସର୍ବାଧିକ ପ୍ରଭାବ ସହୁଛି ସମୁଦ୍ର। ପୃଥିବୀର ୭୧ ଭାଗ ସ୍ଥାନ ଦଖଲ କରିଥିବା ସମୁଦ୍ରରେ ପାଗ ପରିବର୍ତ୍ତନ ଯୋଗୁଁ ଆସିଛି ମହା ପରିବର୍ତ୍ତନ। ରିପୋର୍ଟ ଅନୁସାରେ ୧୯୭୦ ପରଠାରୁ ସମୁଦ୍ର ଅଧିକ ଉତ୍ତପ୍ତ ହେଉଛି ଏବଂ ପୃଥିବୀର ଅଧିକ ତାପମାତ୍ରାର ୯୦ ଭାଗ ସମୁଦ୍ର ଗ୍ରହଣ କରୁଛି। ସାମୁଦ୍ରିକ ତାପ ପ୍ରବାହ ଫଳରେ ପ୍ରବାଳ ପ୍ରାଚୀର ସବୁ ଦ୍ରୁତ ଗତିରେ ନଷ୍ଟ ହେବାରେ ଲାଗିଛି। ସମୁଦ୍ର ପ୍ରାକୃତିକ ଉପାୟରେ ବାୟୁମଣ୍ଡଳର ଅଙ୍ଗାରକାମ୍ଳ ଗ୍ରହଣ କରେ। ୧୯୮୦ ପରଠାରୁ ମଣିଷକୃତ କାରଣରୁ ଯେତେ ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ମିଶିଛି ତାହାର ୩୦-୪୦ ଭାଗ ସମୁଦ୍ର ଶୋଷି ନେଇଛି। ଏହାର ପ୍ରଭାବରେ ସମୁଦ୍ର ହୋଇଛି ଅଧିକ ଅମ୍ଳଯୁକ୍ତ। ଏହା ଫଳରେ ସାମୁଦ୍ରିକ ଜୀବନ ମଧ୍ୟ ସମ୍ମୁଖୀନ ହୋଇଛି ଦୁର୍ଗତିର। ପ୍ରବାଳ ପ୍ରାଚୀର ଲୋପ ପାଉଥିବାରୁ ଏହା ଉପରେ ନିର୍ଭରଶୀଳ ଅନ୍ୟ ନିୟୁତ ଜୀବନ ମଧ୍ୟ ସଂକଟର ସମ୍ମୁଖୀନ ହୋଇଛନ୍ତି।

ସାମୁଦ୍ରିକ ଜୀବସ୍ତର ପ୍ରଭାବିତ ହେଲେ ପୃଥିବୀର କୋଟିକୋଟି ଲୋକଙ୍କ ପାଇଁ ଖାଦ୍ୟ ଓ ପୁଷ୍ଟି ସଂକଟ ସୃଷ୍ଟି ହେବା ନିଶ୍ଚିତ। ଭୌଗୋଳିକ ଭିନ୍ନତା ଅନୁଯାୟୀ ଅନେକ ଅଞ୍ଚଳରେ ସାମୁଦ୍ରିକ ମତ୍ସ୍ୟ ସଂଗ୍ରହ ଆଶଙ୍କାଜନକ ଭାବେ ହ୍ରାସ ପାଇବ। ଆର୍କଟିକ ଅଞ୍ଚଳରେ ଅଧିକ ମାଛ ଦେଖାଦେବେ କିନ୍ତୁ ଅନ୍ୟ ଅଂଚଳରେ ସାମୁଦ୍ରିକ ମାଛ ଅମଳର କମିବ। ପୃଥିବୀର ଯେଉଁ କୋଟିକୋଟି ଲୋକ ସମୁଦ୍ରକୁ ନିଜର ଖାଦ୍ୟର ଭଣ୍ଡାର ଭାବେ ବ୍ୟବହାର କରିଆସୁଛନ୍ତି ସେମାନଙ୍କ ପାଇଁ ଖାଦ୍ୟ ସଂକଟ ସୃଷ୍ଟି ହେବା ନିଶ୍ଚିତ।

ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଯେଉଁ ପରିମାଣରେ ସବୁଜଗୃହ ବାଷ୍ଫ ନିର୍ଗମନ ହେଉଛି ତାହାର ପ୍ରଭାବରେ ୨୧୦୦ ସୁଦ୍ଧା ସମୁଦ୍ର ଜଳ ସ୍ତର ବାର୍ଷିକ ୧୫ ମିଲିମିଟର ବୃଦ୍ଧି ପାଇବ। କିନ୍ତୁ ଯଦି ମଣିଷ ଜାତି ସବୁଜଗୃହ ବାଷ୍ଫ ନିର୍ଗମନକୁ ଆଖିଦୃଶିଆ ପରିମାଣରେ କମାଇ ଦିଅନ୍ତି ତେବେ ଏହି ଜଳସ୍ତର ବୃଦ୍ଧି ବାର୍ଷିକ ୪ ମିଲିମିଟରକୁ ଖସି ଆସିପାରିବ।

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like