ସାଇକେଲ୍‌ରେ ପରିବା ବିକ୍ରି କରୁଥିଲେ ଯୁବତୀ, ଟୁ-ହ୍ୱିଲର ଗିଫ୍ଟ କଲା ପୁଲିସ୍

ଦିବ୍ରୁଗଡ଼: କରୋନା ଭାଇରସ୍‌ ଯୋଗୁ ଦେଶ ବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏଥିପାଇଁ ଅନେକ ଲୋକ ରୋଜଗାର ହରାଉଛନ୍ତି।  ପରିବାର ପୋଷିବା ବି କଷ୍ଟକର ହୋଇପଡ଼ୁଛି। ଏହି ସମୟରେ ନିଜ ପରିବାର ପୋଷିବା ଦାୟିତ୍ୱ ନିଜ କାନ୍ଧକୁ ନେଇଛନ୍ତି ଆସାମ ଦିବ୍ରୁଗଡ଼ ଜିଲ୍ଲା ବୋଗିବୀଲ ଅଞ୍ଚଳର ସଫାକଟିରେ ରହୁଥିବା ଯୁବତୀ ଜନମୋନୀ ଗୋଗୋଇ।

ଜନମୋନୀ ଏକ ବାଇସାଇକେଲ୍‌ରେ ଘରଠୁ ଘର ବୁଲି ପରିବା ବିକ୍ରି କରୁଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ବାପା ଅସୁସ୍ଥ ରହୁଥିବାରୁ ସେ ଏକା ଆଉ ଏ ଦାୟିତ୍ୱ ସମ୍ଭାଳି ପାରୁ ନାହାନ୍ତି। ସେଥିପାଇଁ ଝିଏ ଜନମୋନୀ ମଧ୍ୟ ତାଙ୍କୁ ଏ କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ତେବେ ଜନମୋନୀ ସାଇକେଲ୍‌ରେ ପରିବା ବିକ୍ରି କରୁଥିବା ବେଳେ କିଛି ଲୋକ ଏହାକୁ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ। ଏହାପରେ ତାହା ଖୁବ୍‌ ଭାଇରାଲ୍‌ ହୋଇଥିଲା। ପରେ ଏହି ଭାଇରାଲ୍‌ ଫଟୋ ଆସାମ ପୁଲିସ୍‌ ସାମ୍ନାକୁ ଆସିଥିଲା।

ଏହାଦେଖି ଆସାମ ପୁଲିସ୍‌ ଜନମୋନୀଙ୍କୁ ସହଯୋଗର ହାତ ବଢ଼ାଇଥିଲା। ସୋମବାର ଦିବ୍ରୁଗଡ଼ ପୁଲିସର ଏକ ଟିମ୍‌ ଡିଏସ୍‌ପି ପଲ୍ଲବୀ ମଜ୍‌ମୁଦାରଙ୍କ ନେତୃତ୍ୱରେ ଜନମୋନୀଙ୍କ ଘରକୁ ଆସିଥିଲେ। ଏତେ କମ୍‌ ବୟସରେ ପରିବାରର ଦାୟିତ୍ୱ ନେଇଥିବା ଜନ୍‌ମୋନୀକୁ ଭୁରି ଭୁରି ପ୍ରଶଂସା କରିଥିଲେ ଡିଏସ୍‌ପି। ଏଥିସହିତ ପୁଲିସ୍‌ ପକ୍ଷରୁ ଜନମୋନୀଙ୍କୁ ଉପହାର ସ୍ୱରୁପ ଏକ ଟ୍ୱ-ହ୍ୱିଲର୍ ଦିଯାଇଥିଲା।। ପରେ ଦିବ୍ରୁଗଡ଼ ପୁଲିସ୍‌ ଟ୍ୱିଟ୍‌ କରି ଏହି ବିଷୟରେ ସୂଚନା ଦେଇଛି।

ଜନ୍‌ମୋନୀ ଦିବ୍ରୁଗଡ଼ର ସରକାରୀ ହାଇୟର ସେକେଣ୍ଡାରୀ ସ୍କୁଲ୍‌ରୁ ପ୍ଲସ୍‌ଟୁ ପାସ୍ କରିସାରିଛନ୍ତି। ଉଚ୍ଚ ଶିକ୍ଷା ପାଇଁ ଉଚ୍ଛା ବି ରଖିଛନ୍ତି। କିନ୍ତୁ ଲକ୍‌ଡାଉନ୍‌ ସମୟରେ ପରିବାରର ଆର୍ଥିକ ଶକ୍ତି ଦୁର୍ବଳ ହୋଇଯାଇଥିବାରୁ ପରିବାର ପୋଷିବା ପାଇଁ ସେ ପରିବା ବିକ୍ରି କରୁଛନ୍ତି। ତେବେ ଲକ୍‌ଡାଉନ୍‌ ସମୟରେ ଅସହାୟ ଲୋକଙ୍କ ଆସାମ ପୁଲିସ୍‌ର ଏପରି ସହଯୋଗକୁ   ଚାରିଆଡ଼ୁ ପ୍ରଶଂସା କରାଯାଉଛି।

 

You might also like