ଏହି ଅଦ୍ଭୁତ ପେଣ୍ଟିଂ ଦେଖୁଥିଲେ ସାବଧାନ; ଘଟିପାରେ ଏମିତି କିଛି ଅଘଟଣ !
ମୁମ୍ବାଇ:ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ସହ ଏକ ଫଟୋର ସମ୍ପର୍କ ଥିବା ରିୟା ଚକ୍ରବର୍ତ୍ତୀ କହିଥିଲେ। ୟୁରୋପ ଟ୍ରିପ୍ ସମୟରେ ଏହି ପେଣ୍ଟିଂକୁ ଦେଖିବା ପରଠୁ ସୁଶାନ୍ତଙ୍କ ବ୍ୟବହାର ପରିବର୍ତ୍ତନ ହେବାକୁ ଲାଗିଥିଲା। ଏହି ପେଣ୍ଟିଂର ଶନି ତାଙ୍କର ନବଜାତ ପୁତ୍ରକୁ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ପ୍ରକୃତରେ ଏହି ପେଣ୍ଟିଂ ମଣିଷର ମନକୁ ବିଚଳିତ କରିବା ପରି ଏକ ଆର୍ଟ। କେବଳ ଏଇ ପେଣ୍ଟିଂ ନୁହେଁ, ବିଶ୍ୱରେ ଏମିତି ଅନେକ ପେଣ୍ଟିଂ ରହିଛି ଯାହାକୁ ଦେଖିଲେ ମନ ବିଷାଦଗ୍ରସ୍ତ ହୋଇଯାଏ ବୋଲି କହୁଯାଏ। ମଣିଷ ମାନସିକ ସ୍ଥିତିରେ ନକରାତ୍ମକ ପରିବର୍ତ୍ତନ ଆସିଥାଏ। ଆସନ୍ତୁ ଜାଣିବା ଏହି ସବୁ ପେଣ୍ଟିଂ ବିଷୟରେ।
ୟୁକ୍ରେନ୍ରେ ରହିଛି ଏମିତି ଏକ ପେଣ୍ଟିଂ ଯାହାକୁ ଆଙ୍କିଥିଲେ ଶ୍ୱେତଲାନା ଟେଲେଟ୍ସ। ଅନେକ କଳାକୃତି ତିଆରି କରିଛନ୍ତି ଶ୍ୱେତଲାନା। କିନ୍ତୁ ତାଙ୍କର ଗୋଟିଏ ପେଣ୍ଟିଂ ବେଶି ଚର୍ଚ୍ଚାକୁ ଆସିଥିଲା। The Rain Woman ଶୀର୍ଷକ ଥିବା ଏହି ପେଣ୍ଟିଂରେ ବର୍ଷା ପାଣିରେ ଜଣେ ମହିଳାଙ୍କ ଛବି ଦେଖିବାକୁ ମିଳିଛି। ଏଥିରେ କଳାଧଳା ରଙ୍ଗ ମଧ୍ୟରେ ହାଲ୍କା ହଳଦିଆ ରଙ୍ଗର ଛିଟା ରହିଛି।
ଏହାକୁ ତିଆରି କରିବା ପାଇଁ ଶେତଲାନାଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା। ସେ ସମୟର ଅନୁଭୂତି ବର୍ଣ୍ଣନା କରି ଶେତଲାନା କହିଥିଲେ, ଏହାକୁ ପ୍ରସ୍ତୁତ କଲାବେଳେ ଲାଗୁଥିଲା ଯେମିତି କେହି ମୋ ହାତ ଧରି ଆଙ୍କି ଦେଉଛି। ଅନେକ ଲୋକ ଏହାକୁ ଉଚ୍ଚଦରରେ କିଣିଥିଲେ। ହେଲେ କିଣିବାର କିଛି ଘଣ୍ଟା କିମ୍ବା କିଛି ଦିନ ପରେ ଏହାକୁ ଫେରାଇବାକୁ ଆସିଲେ। ଲୋକମାନେ କହୁଥିଲେ, ଏହି ଫଟୋକୁ ଡ୍ରଇଂ ରୁମ୍ରେ ରଖିବା ପରଠାରୁ ଘରେ ଉଦାସୀ ଲାଗି ରହୁଛ । ପରିବାର ଲୋକଙ୍କୁ ନିଦ ହେଉନି।
ସେହିପରି ଆଉ ଏକ ପେଣ୍ଟିଂ ହେଉଛି Love Letters Replica । ଏହି ପେଣ୍ଟିଂକୁ ଦେଖିବା ପରେ ଲୋକମାନେ ଡରିବାକୁ ଲାଗିଲେ। ପେଣ୍ଟିଂରେ ୪/୫ ବର୍ଷର ଏକ ଛୋଟ ଝିଅ ଗୋଟିଏ ହାତରେ ଗୋଲାପ ଫୁଲ ଏବଂ ଅନ୍ୟ ହାତରେ ଏକ ଲଫାପା ଧରି ଠିଆ ହୋଇଛି। ଝିଅଟିର ସୁନା ରଙ୍ଗର ବାଳ ତାକୁ ଖୁବ୍ ମାନୁଛି। ଏହି ପେଣ୍ଟିଂ ପଛରେ ଏକ କାହାଣୀ ଲୁଚି ରହିଛି।
୪ ବର୍ଷର ଏଇ ଝିଅଟି ଆମେରିକୀ ସିନେଟରଙ୍କ ଝିଅ। ସିଡି ଚଢିବାବେଳେ ଝିଅଟି ପଡିଯାଇ ଗୁରୁତର ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାହାର ମୃତ୍ୟୁ ଘଟିଥିଲା। ୧୮୮୭ରେ ଏହି ପେଣ୍ଟିଂ ତିଆରି କରାଯାଇଥିଲା। ଏକ ପ୍ରଦର୍ଶନୀରେ ମଧ୍ୟ ଲାଗିଥିଲା। ହେଲେ ଏହାକୁ ହଟାଇବାକୁ ପଡ଼ିଥିଲା। ଦେଖିବା ଲୋକଙ୍କ କହିବା ଅନୁଯାୟୀ ପେଣ୍ଟିଂକୁ ଗୋଟିଏ ମିନିଟ୍ ଚାହିଁଲେ ଏହାର ଭାବ ବଦଳୁଥିବା ପରି ଦିଶିଥାଏ।
ଲୌରା ପି ନାମକ ଜଣେ କଳାକାରଙ୍କ ପେଣ୍ଟିଂ The Stagecraft ମଧ୍ୟ ଏହିପରି ଏକ ଅଭିଶପ୍ତ କଳାକୃତି। ଏକ ଫଟୋଗ୍ରାଫି ଚିତ୍ରକୁ ଦେଖିବା ପରେ ପ୍ରଭାବିତ ହୋଇ ଶିଳ୍ପୀ ଏହି କଳାକୃତିର ପରିକଳ୍ପନା କରିଥିଲେ। ତେବେ ଫଟୋଗ୍ରାଫର ଜଣକ ଏହି ପେଣ୍ଟିଂକୁ ଦେଖିବା ପରେ କହିଥିଲେ ସେ ଉଠାଇଥିବା ଫଟୋରେ ଗାଡି ସାମ୍ନାରେ କୌଣସି ମଣିଷ ଛିଡ଼ା ହୋଇ ନ ଥିଲେ। ଏହି ପେଣ୍ଟିଂରେ କିନ୍ତୁ ମୁଣ୍ଡ ବିହୀନ ଜଣେ ମଣିଷ ଛିଡ଼ା ହେବା ପରି ଦୃଶ୍ୟମାନ ହେଉଛନ୍ତି। ହେଲେ ଲୌରା ପି ନିଜେ କହିଛନ୍ତି, ପେଣ୍ଟିଂରେ ସେ ସେମିତି କାହାକୁ ବି ଛିଡ଼ା କରାଇ ନାହାନ୍ତି। ଲୌରା ଏହି ପେଣ୍ଟିଂକୁ ଏକ ଅଫିସରେ ରଖିଲେ। ହେଲେ ତା’ ପରଠାରୁ ସେଠାରେ ବାରମ୍ବାର ଅବ୍ୟବସ୍ଥା ଦେଖାଦେଲା। ପେପର ଗାଏବ ହୋଇଗଲା। ଶେଷରେ ଏହି ପେଣ୍ଟିଂକୁ ଲୋକେ ଜାଳି ଦେଇଥିଲେ।
ଇଟାଲି କଳାକାର ବ୍ରୁନୋ ଏମେଡିୟୋ ଦୀର୍ଘଦିନ ଧରି ଅନାଥାଶ୍ରମରେ ବୁଲି ବୁଲି ଛୋଟ ପିଲାଙ୍କ ଦୁଃଖକୁ ଅଙ୍ଗେ ଅଙ୍ଗେ ଅନୁଭବ କରିଥିଲେ। ବ୍ରୁନୋ ୬୫ଜଣ କ୍ରନ୍ଦନରତ ଶିଶୁଙ୍କ ପେଣ୍ଟିଂ କରିଛନ୍ତି । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କଥା। ଲକ୍ଷ ଲକ୍ଷ ଶିଶୁ କମ୍ ବୟସରେ ଅନାଥାଶ୍ରମରେ ରହିବାକୁ ବାଧ୍ୟ ହୋଇଥିଲେ। ଏପରିକି କେହି କାହାର ଭାଷା ମଧ୍ୟ ଜାଣି ନ ଥିଲେ। ଶିଶୁମାନଙ୍କର ଏପରି ଦୁଃଖ ଦେଖିବା ପରେ ବ୍ରୁନୋ ଅନେକ ପେଣ୍ଟିଂ କରିଥିଲେ। ଏସବୁ ପେଣ୍ଟିଂକୁ ନେଇ ସେ ପ୍ରଦର୍ଶନୀରେ ଲଗାଇଥିଲେ। ଅନେକ ପେଣ୍ଟିଂକୁ ଲୋକେ କିଣି ନେଇଥିଲେ। ହେଲେ ଏଥିମଧ୍ୟରୁ ଗୋଟିଏ ପେଣ୍ଟିଂ The Crying Boyକୁ ଅଭିଶପ୍ତ କୃତି ତାଲିକାରେ ସାମିଲ କରାଯାଇଥିଲା। ଯେଉଁମାନେ ଏହି ପେଣ୍ଟିଂ ରଖିଥିଲେ ସେମାନଙ୍କ ସହ ଅଜୀବ ଘଟଣା ସବୁ ଘଟିବାକୁ ଲାଗିଲା। ଏପରିକି ଏହି ପେଣ୍ଟିଂ ଯେଉଁଠି ରହୁଥିଲା ସେଠାରେ ହଠାତ୍ ନିଆଁ ଲାଗି ଯାଉଥିଲା। କୁହାଯାଉଛି, କଳାକାର ପିଲାଟିକୁ କନ୍ଦାଇବା ପାଇଁ ତା’ର ଆଖି ସାମ୍ନାରେ ଦିଆସିଲି କାଠି ଜଳାଇଥିଲେ।
ଏହିପରି ଆଉ ଏକ ପେଣ୍ଟିଂThe Anguished Man ଦୁନିଆର ସବୁଠାରୁ ଭୟଙ୍କର ପେଣ୍ଟିଂ ବୋଲି କୁହାଯାଏ। ଏହାକୁ କିଏ ତିଆରି କରିଥିଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ କୁହାଯାଉଛି, କଳାକାର ଏହି ପେଣ୍ଟିଂଟିକୁ କାହାରି ରକ୍ତରେ ତିଆରି କରିଥିଲେ। ସୀନ ରବିନସନ୍ ନାମକ ଜଣେ ବ୍ୟକ୍ତି ଏହି ପେଣ୍ଟିଂକୁ ତାଙ୍କର ମୃତ ଦାଦିଙ୍କ ସିନ୍ଦୁକରୁ ପାଇଥିଲେ। ତେବେ ଏହି ପେଣ୍ଟିଂକୁ ଦେଖିବା ପରେ ପରେ ସୀନଙ୍କ ସହ ଅନେକ ଅଘଟଣ ଘଟିଲା। ତାଙ୍କୁ ଲଗାତାର କିଛି ଶବ୍ଦ ଶୁଭୁଥିଲା, ଘରେ ଅପରିଚିତ ଲୋକଙ୍କ ଚେହେରା ଦୃଶ୍ୟ ହେଉଥିଲା। ଏହାର ରହସ୍ୟ ଜାଣିବା ପାଇଁ ଅନେକ ଲୋକ ଚେଷ୍ଟା କଲେ। ହେଲେ ଯିଏ ଚେଷ୍ଟା କଲା ତାହା ସହ କିଛି ନା କିଛି ଅଘଟଣ ଘଟିଲା।
ଏହା ପରେ ସୀନ ଏହି ପେଣ୍ଟିଂଟିକୁ ବିକ୍ରି କରିବା ପାଇଁ ଚାହିଁଲେ ଏବଂ ଏହାକୁ ନେଇ ଅଜ୍ଞାତ ସ୍ଥାନରେ ଲୁଚାଇ ରଖିଦେଲେ। ଏବେ ଏହି ଫଟୋର ପ୍ରିଣ୍ଟ ଇଣ୍ଟରନେଟ୍ରେ ଦେଖିବାକୁ ମିଳୁଛି। ତେବେ ଅସୁବିଧା ଅସଲି ପେଣ୍ଟିଂରେ ରହିଛି, ପ୍ରିଣ୍ଟରେ ନାହିଁ ବୋଲି କୁହାଯାଉଛି।