୫ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ବାଗଦେବୀ, କେଉଁ କେଉଁ ସାମଗ୍ରୀ ପୂଜାରେ ଲାଗିଲେ ବରଦାନ ପ୍ରାପ୍ତି ହେବ ?
ଆଉ ମାତ୍ର ୫ଦିନ ପରେ ମା’ ସରସ୍ୱତୀ ଧରାପୃଷ୍ଠକୁ ଅବତରଣ କରିବେ।ମହାମାରୀ ଯୋଗୁଁ ମା’ଙ୍କ ପୂଜା ନେଇ ଅନୁମତି ମିଳିବ କି ନାହିଁ ଦ୍ୱିଧାରେ ଅଛନ୍ତି ଛାତ୍ରଛାତ୍ରୀ ଓ ଶ୍ରଦ୍ଧାଳୁ। ତଥାପି କରୋନା କଟକଣା ଭିତରେ ମା’ଙ୍କ ଆବାହନ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଲବ ଓ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ମାଆ ସରସ୍ୱତୀ ଜ୍ଞାନ-ବିଦ୍ୟାର ଦେବୀ। ବାଗଦେବୀ ସମସ୍ତ ଜ୍ଞାନର ଉତ୍ସ। ଶୁଭ୍ରତାର ପ୍ରତୀକ। ଯାହା ଧବଳ ତାହା ହିଁ ସତ୍ତ୍ୱ। ସ୍ୱଚ୍ଛ, ପବିତ୍ର ଓ ନିର୍ମଳ ମୂର୍ତ୍ତି ସାତ୍ତ୍ୱିକତାର ପରିପ୍ରକାଶ। ତୁଷାର ପରି ସ୍ୱଚ୍ଛ, ସୁନ୍ଦର ଓ ପବିତ୍ରତାର ପ୍ରତୀକ ଧବଳ ବର୍ଣ୍ଣର ହଂସ ଦେବୀଙ୍କ ବାହନ। ସରସ୍ୱତୀ ଆତ୍ମଜ୍ଞାନର ଅବିଚ୍ଛେଦ୍ୟ ଅଙ୍ଗ। ସେ ନିତ୍ୟା, ଶୁଦ୍ଧା, ବିକାର ବିବର୍ଜିତା। ତାଙ୍କ ବିନା ଜ୍ଞାନର ବର୍ତ୍ତିକା ପରିକଳ୍ପନା କରିବା ଅସମ୍ଭବ।
ସେ ବ୍ରହ୍ମାଙ୍କ ପତ୍ନୀ ଏବ˚ ସ୍ୱୟଂ ସୃଷ୍ଟିକର୍ତ୍ତା ତାଙ୍କଠାରୁ ପ୍ରେରଣା ପାଇ ବିଶ୍ୱ-ବ୍ରହ୍ମାଣ୍ତ ସୃଷ୍ଟି କରିଥିଲେ। ସରସ୍ୱତୀ ମହାମାୟାଙ୍କ ଅନ୍ୟତମ ଅବତାର। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ମାତା ସରସ୍ୱତୀଙ୍କର ଅତ୍ୟନ୍ତ ପ୍ରିୟ ଦିନ। ଏହି ଦିନ ପୂର୍ବାହ୍ନରେ ତାଙ୍କୁ ସ୍ୱତନ୍ତ୍ର ଭାବେ ଆବାହନ କରାଯାଏ। ଏହି ସମୟରେ ବସନ୍ତ ଋତୁ ଆରମ୍ଭ ହେଉଥିବାରୁ, ଏହାକୁ ବସନ୍ତ ପଞ୍ଚମୀ ମଧ୍ୟ କହାଯାଏ।
ହିନ୍ଦୁ ମାନ୍ୟତା ଅନୁସାରେ ବସନ୍ତ ପଞ୍ଚମୀ ଦିନ ମା’ ସରସ୍ୱତୀଙ୍କର ଜନ୍ମ ହୋଇଥିଲା। ପ୍ରଚଳିତ ପୌରାଣିକ କଥାନୁସାରେ, ଏହି ଦିନ ମା’ ସରସ୍ୱତୀଙ୍କର ସଂରଚନା ହୋଇଥିଲା। ସରଞ୍ଚନା ସମୟରେ ମାତାଙ୍କର ଥିଲା ଚାରି ହାତ। ଗୋଟିଏ ହାତରେ ବୀଣା, ଦ୍ୱିତୀୟ ହାତରେ ପୁସ୍ତକ, ତୃତୀୟରେ ମାଳା ଓ ଚତୁର୍ଥ ହାତ ଥିଲା ବର ମୁଦ୍ରାରେ।
ତେବେ ମାତାଙ୍କ ସରଞ୍ଚନା ପରେ ବ୍ରହ୍କା ତାଙ୍କୁ ବୀଣା ବଜାଇବା ପାଇଁ କହିଥିଲେ। ମାତା ବାଗଦେବୀ ବୀଣା ବାଦନ ପର ଠାରୁ ସଂସାରର ସମସ୍ତ ଜିନିଷ ସୁମଧୁର ମୂର୍ଚ୍ଛନାରେ ଭରିଗଲା ବୋଲି ବିଶ୍ୱାସ ରହିଛି। ଏହି କାରଣରୁ ତାଙ୍କୁ ବାଣୀରଦେବୀ, ବୀଣାପାଣି କୁହାଯାଏ।ସରସ୍ୱତୀ ପୂଜା ଦିନ ବିଧିବିଧାନ ଅନୁସାରେ ମା ବୀଣାପାଣିଙ୍କର ପୂଜାର୍ଚ୍ଚନା କରାଯାଏ। ପୂଜା ସମୟରେ ମା’ ସରସ୍ୱତୀଙ୍କୁ କିଛି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଭୋଗ ଲଗାଇବା ଦ୍ୱାରା ବୁଦ୍ଧିର ବରଦାନ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।
ଚଳିତ ବର୍ଷ ବସନ୍ତ ପଞ୍ଚମୀ ପାଇଁ ଶୁଭ ମୁହୂର୍ତ୍ତ :
୧୬ ଫେବ୍ରୁଆରୀ ପାହାନ୍ତା ୩ଟା ୩୬ ମିନିଟ ଠାରୁ ପଞ୍ଚମୀ ତିଥି ଆରମ୍ଭ ହେବ, ଯାହା ଆଗାମୀ ଦିନ ଅର୍ଥାତ ୧୭ ଫେବ୍ରୁଆରୀ ସକାଳ ୫ଟା ୪୬ ମିନିଟରେ ସମାପ୍ତ ହେବ। ଏପରି ସ୍ଥଳେ ୧୬ ଫେବ୍ରୁଆରୀ ପୁରା ଦିନ ରହିବ ପଞ୍ଚମୀ ତିଥି।
ମା’ ସରସ୍ୱତୀ ପୂଜାରେ ଏହି ସବୁ ସାମଗ୍ରୀ ଭୋଗ ଲଗାଇବା ଶୁଭ :
୧. ହଳଦିଆ ଫୁଲ- ବସନ୍ତ ପଞ୍ଚମୀରେ ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନରେ ମା’ ସରସ୍ୱତୀଙ୍କୁ ହଳଦିଆ ଫୁଲ ଅର୍ପଣ କରିବା ଶୁଭ। ସେ ଏଥିରେ ସନ୍ତୁଷ୍ଟ ହୋଇ ଜ୍ଞାନ ପ୍ରଦାନ କରନ୍ତି ବୋଲି କୁହାଯାଏ। କେବଳ ଏତିକି ନୁହେଁ ଏହି ଦିନ ହଳଦିଆ ପୋଷାକ ପିନ୍ଧିବା ମଧ୍ୟ ଶୁଭ ବୋଲି ବିବେଚନା କରାଯାଏ।
୨.ପୂଜାରେ ଏହି ସାମଗ୍ରୀ ସାମିଲ କରନ୍ତୁ : ମା’ ବାଗଦେବୀଙ୍କ ପୂଜାରେ ପେନ୍, ବହି, ଖାତା ଇତ୍ୟାଦି ସାମିଲ କରିବା ଉଚିତ୍। ଏପରି କଲେ ଜ୍ଞାନ ଏବଂ ବରଦାନ ପ୍ରାପ୍ତି ହୁଏ।
୩. ହଳଦିଆ ମିଠା ଲାଗି କରିବା : ମା’ ସରସ୍ୱତୀଙ୍କ ପୂଜା ବିଧିବିଧାନରେ କରିବା ପରେ ହଳିଦିଆ ମିଠା ଭୋଗ କରିବା ଉଚିତ୍। ଏହି ଦିନ ମା ସରସ୍ୱତୀଙ୍କୁ ବେସନ ଲଡ଼ୁ କିମ୍ବା ବୁନ୍ଦି ପ୍ରଦାନ କରାଯାଇଥାଏ। ମା ସରସ୍ୱତୀଙ୍କୁ ପ୍ରସନ୍ନ କରିବାକୁ ଖୀରି କିମ୍ବା ମାଲପୁଆ ମଧ୍ୟ ଭୋଗ ଲଗାଯାଏ।
ବସନ୍ତ ପଞ୍ଚମୀ ପୂଜା ବିଧି:
୧. ମା ସରସ୍ୱତୀଙ୍କ ପ୍ରତିମାକୁ ହଳଦିଆ ପୋଷାକ ଅର୍ପଣ କରିବା ଉଚିତ୍।
୨. ଏହାସହ ଚନ୍ଦନ, ହଳଦୀ, କେସର, ହଳଦିଆ ଫୁଲ, ଧଳା ଫୁଲ, ହଳଦିଆ ମିଠା ଅର୍ପଣ କରନ୍ତୁ।
୩. ପୂଜା ହଉଥିବା ସ୍ଥାନରେ ବାଦ୍ୟଯନ୍ତ୍ର ଏବଂ ପୁସ୍ତକ ଅର୍ପଣ କରନ୍ତୁ।
୪. ଏବଂ ମା’ ସରସ୍ୱତୀଙ୍କ ବନ୍ଦନା ଗାନ କରନ୍ତୁ।