ଟାଟୁ କରି ରେକର୍ଡ କଲେ ମହିଳା

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ନାମୀ ଷ୍ଟୁଡିଓରେ ଜଣେ ମହିଳା ଅନ୍ୟ ଜଣଙ୍କ ଶରୀରରେ ଟାଟୁ କରି ବିରଳ ରେକର୍ଡ ସୃଷ୍ଟି କରିଥିବା ଦାବି କରିଛନ୍ତି। ତାଙ୍କ ଦାବି ଯଦି ସତ ହୁଏ,  ତେବେ ଆଫଗାନିସ୍ତାନ ଇତିହାସରେ ଏହା ପ୍ରଥମ ଘଟଣା ହେବ। କାରଣ ଆଫଗାନିସ୍ତାନରେ କେହି ମହିଳା ଟାଟୁକାରୀ ନଥିବା କୁହାଯାଏ। କାବୁଲର ସୋରାୟା ଶାହିଡି ନାମ୍ନୀ ଏହି ମହିଳା ଜଣକ ଅନ୍ୟ ଜଣେ ମହିଳା ନରଗିସ୍ ମର୍ଜାଇଙ୍କ ହାତରେ ସ୍ୱତନ୍ତ୍ର ଟାଟୁ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କାରଣ ଆଫଗାନିସ୍ତାନ ଦେଶରେ ମହିଳା ମାନେ କାହା ହାତରେ ଟାଟୁ କରିବା ଉପରେ କଡ଼ା କଟକଣା ରହିଛି। ଏହା ଇସଲାମ ବିରୋଧୀ ବୋଲି ସେମାନଙ୍କର ବିଶ୍ୱାସ ରହିଛି।

ପ୍ରତିଷ୍ଠିତ ନ୍ୟୁଜ ଏଜେନ୍ସି ରଏଟରକୁ ଦେଇଥିବା ପ୍ରତିକ୍ରିୟାରେ ସୋରାୟା କହିଛନ୍ତି-‘ମୋର ଟାଟୁ ଭାରି ପସନ୍ଦ। ଅନ୍ୟ କାହାରି ହାତରେ ସୁନ୍ଦର ଟାଟୁ କଲେ ମୋତେ ଆନନ୍ଦ ମିଳେ। ବିଶେଷ କରି ମୋ ଦେଶ ଆଫଗାନିସ୍ତାନରେ ଟାଟୁର ପ୍ରସାର ପାଇଁ ମୁଁ ଅଣ୍ଟା ଭିଡ଼ିଛି’ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ସେ କହିଛନ୍ତି, କେବଳ ପୁରୁଷ  ନୁହେଁ, ମହିଳାମାନଙ୍କର ମଧ୍ୟ ଟାଟୁ କରିବାର ଅଧିକାର ରହିଛି। ତେଣୁ ଟାଟୁ କରିବା ନେଇ ତୁର୍କୀରେ ସ୍ୱତନ୍ତ୍ର ପ୍ରଶି‍କ୍ଷଣ ନେଇଥିବା କହିଛନ୍ତି ୨୭ ବର୍ଷୀୟା ସୋରାୟା।

ଯାହା ବି ହେଉ, ଆଫଗାନିସ୍ତାନରେ କୌଣସି ମହିଳା ଟାଟୁ କରୁ ନ ଥିବାବେଳେ ସୋରାୟା ତାଙ୍କର ଟାଟୁକୁ ନେଇ ଚର୍ଚ୍ଚାରେ ଅଛନ୍ତି।

You might also like