ରଜ: କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ

ରଜ ପର୍ବ ! ମା’ ଓ ମାଟିର ପୂଜାର ପର୍ବ । ଏକ କୃଷିଭିତ୍ତିକ ତଥା ଧରିତ୍ରୀମାତାକୁ ପୂଜା ପାଇଁ ଉଦ୍ଦିଷ୍ଟ ପର୍ବ । ବର୍ଷକରେ ଥରେ ଆସୁଥିବା ଏହି କୃଷିଭିତ୍ତିକ ପର୍ବକୁ ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆ ପରିବାର ବେଶ୍ ଧୁମଧାମରେ ପାଳନ କରିଥାନ୍ତି । ପ୍ରକୃତିକୁ ସମ୍ମାନ ଦେବା ସହିତ ନାରୀକୁ ସମ୍ମାନ ଦେବାର ଏକ ସୂକ୍ଷ୍ମ ପରମ୍ପରା ପ୍ରଚଳିତ । କୃଷି ଭିତ୍ତିକ ପର୍ବ ରଜ ମଉଜକୁ ଆଉ ଟିକେ ପାରମ୍ପରିକ ଛାପ ଦେବାକୁ କେଉଁଠି ଚାଲିଥାଏ ଦଉଡ଼ି ଡିଆଁ, ପୁଚି ତ, ଆଉ କେଉଁଠି ଚାଲିଥାଏ କବାଡ଼ି, ଲୁଡୁ ପାଲି ଓ ତାସ୍ ଖେଳର ପ୍ରତିଯୋଗିତା ।

ମାଟି ଓ ମୌସୁମୀର ମିଳନର ପର୍ବ ରଜ । ରଜ ପର୍ବକୁ ମୁଖ୍ୟତଃ ତିନି ଦିନ ପାଳନ କରାଯାଇଥାଏ ।  କୃଷିପର୍ବର ଆରମ୍ଭରୁ ମାଟିକୁ ସଂପୂର୍ଣ୍ଣ ବିଶ୍ରାମ ଦେବା ପାଇଁ ଏହି ପର୍ବର ପରିକଳ୍ପନା । ପ୍ରକୃତି ସୃଷ୍ଟି କରିଛି ବର୍ଷା ଆଉ ବର୍ଷାକୁ ସ୍ଵାଗତ କରି ସୃଷ୍ଟି ହୋଇଛି ରଜ ପର୍ବ । ଜ୍ୟେଷ୍ଠମାସର ଶେଷଦିନ ଓ ଅଷାଢ ମାସର ପ୍ରଥମ ଦୁଇଦିନକୁ ନେଇ ରଜ ପର୍ବ ଭାବେ ପାଳନ କରାଯାଏ । ରଜର ପ୍ରଥମ ଦିନକୁ ପହିଲି ରଜ, ଦ୍ଵିତୀୟଦିନକୁ ରଜ ସକ୍ରାନ୍ତି ଓ ତୃତୀୟ ଦିନକୁ ଭୂମିଦାନ ଓ ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ । ଏହି ସମୟରେ ଭୁଇଁରେ ଖାଲି ପାଦରେ ଚାଲିବା ମନା, କର୍ଷଣ ବି ମନା । ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ଶାସ୍ତ୍ର ଅନୁଯାୟୀ ପୃଥିବୀ ମା ଏହିଦିନ ରଜସ୍ୱଳା ହେଇଥାଏ । ମାଟି ମା ଖରା ସହି ଶୁଷ୍କ ଥିବା ସମୟରେ ଆଷାଢ଼ ମାସର ପହିଲି ବର୍ଷାର କିରଣ ଭୂମିର ଉର୍ବରତା ବଢ଼ାଇଥାଏ ।

ଝିଅ ମାନଙ୍କୁ ଏହି ପର୍ବରେ ଅଗ୍ରାଧିକାର ଦିଆଯାଇଥାଏ । ମାଁ ବସୁଧା ରଜସ୍ୱଳା ହୋଇଥିବା କାରଣରୁ ଘରେ ମହିଳାମାନଙ୍କୁ ମଧ୍ୟ କୌଣସି କାର୍ଯ୍ୟ ନକରିବାର ପରମ୍ପରା ରହିଛି । ରଜରେ ପୋଡ଼ପିଠା ହେଉଛି ଏକ ସ୍ୱତନ୍ତ୍ର ଖାଦ୍ୟ । ଗାଁମାନଙ୍କରେ ଆଜିର ଦିନରେ ପୋଡପିଠା ସମସ୍ତଙ୍କ ଘରେ ତିଆରି ହୁଏ । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ, ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ । ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ ।

ରଜ ତିନି ଦିନ ଝିଅ ମାନେ କଦଳୀ ପାଟୁଆ ପାଦରେ ବାନ୍ଧି ଚାଲନ୍ତି । ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ରଜରେ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଏ । ଏହି ତିନି ଦିନ ମଧ୍ୟରେ ଗାଁ ଗହଳିରେ ତାସ୍, ଲୁଡ଼ୁ ଆଦି ଖେଳସାଙ୍ଗକୁ ଯୁବକମାନଙ୍କର କବାଡ଼ି, ଫୁଟବଲ୍, କୁସ୍ତି କସରତ ଆଦି ଖେଳର ଦୃଶ୍ୟ ନିଆରା ହୋଇଥାଏ ।

You might also like