୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ରାହୁଲଙ୍କ ବାସଭବନରେ ଘମାସାନ

ନୂଆଦିଲ୍ଲୀ : ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ? କଂଗ୍ରେସ ପାଇଁ ଅଡୁଆ ସାଜିଛି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଅଛିଣ୍ଡା ଗଣିତ। ରାହୁଲଙ୍କ ବାସଭବନରେ ସକାଳ ୯ଟାରୁ ମାରାଥନ୍ ବୈଠକ ଚାଲିଥିଲେ ମଧ୍ୟ ବାହାରି ପାରିନି ସମାଧାନର ବାଟ।

ଖାସ୍ କରି ରାଜସ୍ଥାନରେ ଗେହଲଟ୍ ଓ ସଚିନ ପାଇଲଟ ଗୋଷ୍ଠୀଙ୍କ ଲବି ରାହୁଲଙ୍କ ଆଗରେ ସବୁଠୁ ବଡ଼ ଅଡୁଆ ସାଜିଛି। ଅନ୍ୟପକ୍ଷରେ ରାହୁଲ ଉଭୟ ନେତାଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ କଥା ହୋଇଛନ୍ତି। ଚୂଡ଼ାନ୍ତ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି। ପୁରୁଖା ଅଶୋକ ଗେହଲୋଟଙ୍କୁ ବହୁ ବିଧାୟକଙ୍କ ସମର୍ଥନ ରହିଥିବା କୁହାଯାଉଛି। ତେବେ ଗଲା ୫ ବର୍ଷ ହେବ ପିସିସି ସଭାପତି ଥିବା ଯୁବ ଚେହେରା ସଚିନ ପାଇଲଟଙ୍କୁ ଆଗରେ ରଖି ଦଳ ନିର୍ବାଚନ ଲଢିଥିଲା।

ଆଉ ଦଳକୁ ବିଜୟୀ କରାଇବାରେ ପାଇଲଟ୍ ବେଶ ଝାଳ ମଧ୍ୟ ବୁହାଇଛନ୍ତି। ସେଦୃଷ୍ଟିରୁ ସେ ମୁଖ୍ୟମନ୍ତ୍ରୀ ପଦ ହକ୍‌ଦାର ବୋଲି ତାଙ୍କ ସମର୍ଥକ ଦାବି କରୁଛନ୍ତି। ଏମିତିକି ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ଦାବିରେ ତାଙ୍କ ସମର୍ଥକମାନେ ପୋଡ଼ାଜଳା କରିଛନ୍ତି। ତେବେ ରାହୁଲ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ଏବେ ତାକୁ ଅପେକ୍ଷା।

ରାଜସ୍ଥାନ ଭଳି ମଧ୍ୟପ୍ରଦେଶରେ ବି କିଏ ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ ତାକୁ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ବରିଷ୍ଠ ନେତା କମଲନାଥଙ୍କ ପଲ୍ଲା ଭାରି ରହିଛି। ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ମୋହର ବାଜିଥିବା ସୂଚନା ମିଳିଥିବା ବେଳେ କମଲନାଥ ହିଁ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି। ଏମିତିକି ଭୋପାଳ କଂଗ୍ରେସ କାର୍ଯ୍ୟାଳୟରେ କମଲନାଥଙ୍କ ସମର୍ଥକ ବାଣ ଫୁଟାଇ ସେଲିବ୍ରେସନ କରିଛନ୍ତି। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ନିଜ ଦାବିରେ ଅଟଳ ଅଛନ୍ତି। ରାହୁଲଙ୍କ ସହ କମଲନାଥ ଓ ସିନ୍ଧିଆଙ୍କର ବୈଠକ ହୋଇଥିଲେ ମଧ୍ୟ ସସ୍‌ପେନ୍ସ ଲାଗି ରହିଛି।

ସେପଟେ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦରେ ୩ ଆଶାୟୀ ଥିବାବେଳେ ତାମ୍ରଧ୍ୱଜ ସାହୁ ରେସ୍‌ରେ ଆଗରେ ଥିବା କୁହାଯାଉଛି। ତେବେ ଛତିଶଗଡ଼ କଂଗ୍ରେସ ସଭାପତି ଭୁପେଶ ଓ୍ୱାଘେଲ୍  ଓ ଟି.ଏସ୍. ସିଂହଦେଓ ମଧ୍ୟ ଆଶା ଛାଡିନାହାନ୍ତି। ସେପଟେ ମୁଖ୍ୟମନ୍ତ୍ରୀ ଚୟନ ନେଇ ରାହୁଲଙ୍କ ସହ ସୋନିଆ କଥା ହୋଇଛନ୍ତି। ଏବେ ଚୂଡ଼ାନ୍ତ ଘୋଷଣାକୁ ଦଳୀୟ କର୍ମୀ ଓ ନେତା ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

You might also like