ଗ୍ରାହକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ଠକିଲେ ରଦ୍ଦ ହେବ ପମ୍ପ ମାଲିକଙ୍କ ଲାଇସେନ୍ସ

ଗ୍ରାହକଙ୍କୁ ଠକିଲେ ବାତିଲ ହେବ ପେଟ୍ରୋଲ ପମ୍ପର ଲାଇସେନ୍ସ

ଗ୍ରାହକଙ୍କୁ ଠକିଲେ ବାତିଲ ହେବ ପେଟ୍ରୋଲ ପମ୍ପର ଲାଇସେନ୍ସ

ମାମଲା ହେବ, ଜୋରିମାନା ବି ଆଦାୟ କରାଯିବ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଆଉ ଠକି ପାରିବେ ନାହିଁ ପେଟ୍ରୋଲ ପମ୍ପ ମାଲିକ। ତେଲ ଭରିବା ବେଳେ ନିର୍ଧାରିତ ଲିଟରଠୁ କମ ଦେଲେ ସ୍ଥିତି ହୋଇପାରେ ସଙ୍ଗୀନ। ଏମିତିକି ସମ୍ପୃକ୍ତ ପେଟ୍ରୋଲ ପମ୍ପର ଲାଇସେନ୍ସ ସବୁଦିନ ଲାଗି ବାତିଲ ହୋଇପାରେ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅନେକ ସମୟରେ ତେଲର ମୂଲ୍ୟ ଦେବା ପରେ ବି ସଠିକ ଢଙ୍ଗରେ ତେଲ ପାଇନଥାନ୍ତି ଗ୍ରାହକ। କାରଣ ଦେଶରେ ଏମିତି ଶହଶହ ପେଟ୍ରୋଲ ପମ୍ପ ରହିଛି ଯେଉଁମାନେ କି ପ୍ରତି ମୁହୂର୍ତ୍ତରେ ଗ୍ରାହକଙ୍କୁ ଠକି ଥାଆନ୍ତି। ତେବେ ଗ୍ରାହକ ଏନେଇ ଯଦି ଖାଉଟି ଉପଭୋକ୍ତାଙ୍କ ପାଖରେ ଅଭିଯୋଗ କରନ୍ତି ତେବେ ସ୍ଥିତି ହୋଇପାରେ ସଙ୍ଗୀନ।

ପୂର୍ବରୁ ଏପରି ଅଭିଯୋଗ ଆସୁଥିଲେ ଜିଲ୍ଲା ଖାଉଟି ବିଭାଗ ଏହାର ତଦନ୍ତ କରି ସମ୍ପୃକ୍ତ ପମ୍ପ ବିରୋଧରେ ମାମଲା ରୁଜୁ କରିବା ସହ ଜୋରିମାନା ଆଦାୟ କରୁଥିଲା ନଚେତ୍ କିଛି ଦିନ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଦେଶରେ ନୂଆ ଉପଭୋକ୍ତା ଆଇନ (Consumer Protection Act 2019) ଲାଗୁ ହେବା ଫଳରେ ପେଟ୍ରୋଲ ପମ୍ପ ମାଲିକଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଏହାସହ ଆଦାୟ କରାଯିବ ମୋଟା ଅଙ୍କର ଜୋରିମାନା। କାରଣ ଏମିତି କିଛି ଠକ ବ୍ୟବସାୟୀଙ୍କୁ ଧରିବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛି ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ।

କେମିତି ଓ କେଉଁ ପରିସ୍ଥିତିରେ ରଦ୍ଦ ହେବ ଲାଇସେନ୍ସ?

ପେଟ୍ରୋଲ ପମ୍ପ ମାଲିକ ମାନେ ମେସିନରେ ଚିପ୍ ଲଗାଇ ଖାଉଟି ମାନଙ୍କଠାରୁ ଲିଟର ପ୍ରତି ନିର୍ଧାରିତ ଟଙ୍କା ନେଉଥିବା ବେଳେ ଅଳ୍ପ ତେଲ ଦେଉଥିବା ଅଭିଯୋଗ ହେଉଛି। ତେଣୁ ଏହାକୁ ପ୍ରତିହତ କରିବାକୁ ମୋଦି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କାରଣ ପମ୍ପରେ ଗ୍ରାହକମାନେ ୧୦୦,୨୦୦,୫୦୦ କିମ୍ବା ୧ ହଜାର ଟଙ୍କାରେ ତେଲ ଭରିବା ପାଇଁ କୁହନ୍ତି କିନ୍ତୁ ପମ୍ପ ମାଲିକମାନେ ପୂର୍ବରୁ ଚିପ୍ ଲଗାଇ ତେଲ କମାଇ ଦେବାର ବ୍ୟବସ୍ଥା କରିଥାଆନ୍ତି। କିନ୍ତୁ ଏହାକୁ ଗ୍ରାହକମାନେ ଜାଣିପାରନ୍ତି ନାହିଁ।

ଯେତିକି ତେଲ ପକାଇଲେ ଯଦି ସେହି ଅନୁସାରେ ଗାଡ଼ି ନଚାଲେ ତେବେ ଗାଡି ଚାଳକମାନେ ସନ୍ଦେହ କରନ୍ତି ଓ ପମ୍ପ ମାଲିକଙ୍କ ସହ କମ୍ପାନୀକୁ ମଧ୍ୟ ଠକ ବୋଲି କହନ୍ତି। କିନ୍ତୁ ପ୍ରକୃତରେ କମ୍ପାନୀ ନୁହେଁ ବରଂ ପମ୍ପ ମାଲିକମାନେ ହିଁ ଗ୍ରାହକଙ୍କୁ ଚୂନା ଲଗାଇଥାଆନ୍ତି। ତେଣୁ ଏହାକୁ ପ୍ରତିହତ କରିବାକୁ କେନ୍ଦ୍ର ସରକାର ନୂଆ ନିୟମ କରିଛନ୍ତି ଯେଉଁଥିରେ ଏମିତି ଠକାମୀର ଅଭିଯୋଗ ଆସିଲେ ଓ ତାହା ସତ ପ୍ରମାଣିତ ହେଲେ ସାଙ୍ଗେ ସାଙ୍ଗେ ସେହି ପମ୍ପର ଲାଇସେନ୍ସ ବାତିଲ କରାଯିବ।

ତେବେ ମିଳିଥିବା ସୂଚନା ଅନୁସାରେ, କଡାକଡି କରାଯିବ ପେଟ୍ରୋଲ ପମ୍ପର ଯାଞ୍ଚ। ନୂତନ ଗ୍ରାହକ ସୁରକ୍ଷା ଆଇନ ଅଧିନିୟମ ଅନୁଯାୟୀ, ବ୍ୟଭିଚାର କିମ୍ବା ନକଲି ଦ୍ରବ୍ୟ ଉତ୍ପାଦନ କିମ୍ବା ବିକ୍ରୟ ପାଇଁ କଡା ନିୟମ ସ୍ଥିର କରାଯାଇଛି। ବର୍ତ୍ତମାନ, ଯଦି ଗ୍ରାହକମାନେ ଉଚିତ ଟଙ୍କା ଦେଇ କମ୍ ତେଲ ପାଇବାର ଅଭିଯୋଗ କରନ୍ତି, ତେବେ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ ପ୍ରଥମଥର ଲାଗି ପେଟ୍ରୋଲ ପମ୍ପ ମାଲିକଙ୍କ ଲାଇସେନ୍ସ ଦୁଇ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇପାରିବ। ଯଦି ଦ୍ୱିତୀୟ ଥର କିମ୍ବା ବାରମ୍ବାର ଏପରି ଅଭିଯୋଗ ଆସେ ତେବେ ସବୁଦିନ ଲାଗି ପେଟ୍ରୋଲ ପମ୍ପର ଲାଇସେନ୍ସ ବାତିଲ କରାଯିବ ବୋଲି ସୂଚନା ରହିଛି।

ତେବେ ମୋଟ ଉପରେ କହିବାକୁ ଗଲେ, ଯଦି କୌଣସି ପେଟ୍ରୋଲ ପମ୍ପ ଏମିତି ଠକିବାର ଆପଣଙ୍କ ନଜରକୁ ଆସୁଛି ତେବେ ତୁରନ୍ତ ସେହି ପମ୍ପ ବିରୋଧରେ ଅଭିଯୋଗ କରନ୍ତୁ। ନିଜେ ସତର୍କ ରୁହନ୍ତୁ ଓ ଅନ୍ୟକୁ ସଚେତନ କରନ୍ତୁ।

 

You might also like