ଦିନେ ସ୍ପାନିଶ ଫ୍ଲୁଠାରୁ ଜିତିଥିଲା ମଣିଷ, ଆଜି କରୋନାଠୁ ବି ଜିତିବ
କୋଭିଡ-୧୯କୁ ନେଇ ସାରା ବିଶ୍ୱରେ ଖେଳି ଯାଇଛି ଆତଙ୍କ। ସବୁଠି ଲାଗିଛି କର୍ଫ୍ୟୁ। ଲାଗୁଛି ଯେମିତି ଅଟକି ଯାଇଛି ପୃଥିବୀ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ଘରେ ରହିବା ପାଇଁ ସାରା ଦେଶବାସୀଙ୍କୁ ହାତଯୋଡ଼ି ନିବେଦନ କରିଛନ୍ତି। ଦୋକାନ ବଜାର ବନ୍ଦ। ବ୍ୟବସାୟ ବି ଠପ୍। ଅର୍ଥନୀତି ଭୂଷୁଡ଼ି ପଡ଼ିବା ଉପରେ। ଏହା ସତ୍ତ୍ୱେ ଲକ୍ଡାଉନ ପାଇଁ ପ୍ରଧାନମନ୍ତ୍ରୀ ଡାକରା ଦେଇଛନ୍ତି। ଏଥିରୁ ସ୍ପଷ୍ଟ ବୁଝି ହେଉଛି କରୋନାର ଭୟବହତା। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠେ, କେଉଁଠୁ ଆସିଲା ଏଇ କରୋନ ? ସତରେ କ’ଣ ଏହାଠାରୁ ମୁକ୍ତି ନାହିଁ ? ମଣିଷ ସମାଜକୁ ତଳିତଳାନ୍ତ କରି ଛାଡ଼ିବ କି ଏଇ ଭାଇରସ୍ ?
ଇତିହାସ ପୃଷ୍ଠାରେ ନଜର ପକାଇଲେ ଦିଶିଯାଏ, ମଣିଷ ସମାଜ ଉପରେ ଏମିତି ଦିନେ ତାଣ୍ଡବ ରଚିଥିଲା ଭୟାବହ ରୋଗ। ଆଜକୁ ଠିକ୍ ଶହେ ବର୍ଷ ତଳେ । ୧୯୧୮ ମସିହାର କଥା । ସ୍ପାନିଶ ଫ୍ଲୁ ବିଧ୍ୱସ୍ତ କରି ଦେଇଥିଲା ପୃଥିବୀର ଚିତ୍ର। ସେତେବେଳେ ବି ମଣିଷ ମନରେ ପ୍ରଶ୍ନ ଉଠିଥିଲା ଲୋପ ପାଇଯିବ କି ଏ ମଣିଷ ସମାଜ ? ଏ ମହାମାରୀ ଭୂତାଣୁ ପାଖରେ ହାରିଯିବ କି ମଣିଷର ବୁଦ୍ଧି ତାର ଜ୍ଞାନକୌଶଳ ! ହେଲେ ନା, ସେମିତି କିଛି ବି ହେଲାନି। ବିଶ୍ୱ ମହାମାରୀ ବା ପାଣ୍ଡାମିକ୍ ସ୍ପାନିଶ ଫ୍ଲୁ ରେ ବିଶ୍ୱର ତିନିଭାଗରୁ ଏକଭାଗ ଲୋକ ସଂକ୍ରମିତ ହୋଇଥିଲେ। ୫୦ ମିଲିଅନ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହି ମହାମାରୀ ବିଶ୍ୱର କେତେ ଜୀବନ ନେଇଥିଲା ସେ ସଂଖ୍ୟାକୁ ନେଇ ଯଦିଓ ଦ୍ୱନ୍ଦ୍ୱ ଦେଖା ଦେଇଛି, ତେବେ ଏକା ଆୟରଲାଣ୍ଡରୁ ୨୩ ହଜାର ଲୋକଙ୍କର ମୃତ ଘଟିଥିଲା।
ତଥାପି ମଣିଷ ଜିତିଲା। ହାରିଲା ସ୍ପାନିଶ ଫ୍ଲୁ। ମଣିଷ ପୁଣି ଉଠି ଠିଆ ହେଲା। ଜୀବନର ସ୍ରୋତ ପୁଣି ଆଗକୁ ଆଗକୁ ଗଡ଼ି ଚାଲିଲା। ତେଣୁ ଆଜରି କରୋନା ଭାଇରସର କରାଳ ରୂପ ଦେଖିଲେ ମନରେ ଆଶ୍ୱାସନା ଜନ୍ମେ, ମଣିଷ ଏହି ଭାରଇସ ଉପରେ ନିଶ୍ଚୟ ବିଜୟ ଲାଭ କରିବ। କରୋନା ସବୁଦିନ ପାଇଁ ନିଶ୍ଚହ୍ନ ହେବ। ତେବେ କ’ଣ ସେଇ ସ୍ପାନିଶ ଫ୍ଲୁ ? କେମିତି ଥିଲା ଏହି ପାଣ୍ଡାମିକ ରୋଗର ଭୟାବହତା ଜାଣିବା ।
କାହିଁକି ନାଁ ହୋଇଥିଲା ସ୍ପାନିଶ ଫ୍ଲୁ
ନାଁ ଶୁଣିଲେ, ଲାଗୁଛି ଯେମିତି ସ୍ପେନରୁ ଏହି ରୋଗର ଆରମ୍ଭ ହୋଇଥିଲା। ହେଲେ ତାହା ନୁହେଁ । ତେବେ ସ୍ପାନିଶ ନିଉଜପେପରରେ ପ୍ରଥମେ ଏହି ଖବର ପ୍ରକାଶ ପାଇଥିଲା। ୧୯୧୮ ମେ’ ମାସରେ ଏହାର ଭୟଙ୍କର ପ୍ରଭାବ ବେଲଫାଷ୍ଟରେ ଦେଖିବାକୁ ମିଳିଥିଲା । ପରେ ଶରତ ଋତୁ ବେଳକୁ ଏହା ଦକ୍ଷିଣ ଭାଗରେ ତାଣ୍ଡବ ରଚିଥିଲା।
ସେ ସମୟରେ ବିଶ୍ୱଯୁଦ୍ଧ ଘଟଣାକୁ ନେଇ ଖବରକାଗଜର ପୃଷ୍ଠା ମଣ୍ଡନ ହେଉଥିବାବେଳେ ବେଲଫାଷ୍ଟରେ ଦେଖା ଦେଇଥିବା ଏହି ଇନ୍ଫ୍ଲୁଏଞ୍ଜା ଏପିଡେମିକ୍ ପାଇଁ ଛୋଟିଆ ସ୍ତମ୍ଭଟିଏ ମିଳୁଥିଲା।
ପରେ ରୋଗର ଭୟାବହତାକୁ ଦେଖି ସମସ୍ତ ସ୍କୁଲ, କଲେଜ ବନ୍ଦ କରି ଦିଆଯାଇଥିଲା। ଅନେକ ଦୋକାନ ବଜାର ବନ୍ଦ ହୋଇଥିଲା । କାରଣ ଅଧିକାଂଶ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଯାଇଥିଲା
ସେହିବର୍ଷ ଜୁନ୍ ବେଳକୁ ବେଲଫାଷ୍ଟର ହଜାର ହଜାର କର୍ମଜୀବୀ ଏହି ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ଔଷଧ ବିକ୍ରେତାମାନେ ଚିନ୍ତାରେ ପଡ଼ିଗଲେ କ’ଣ ଔଷଧ ଦେବେ ? ଦ ଟେଲିଗ୍ରାଫର ରିପୋର୍ଟ ଅନୁଯାୟୀ, ନଭେମ୍ବର ବେଳକୁ ଲଣ୍ଡନରେ ମୃତ୍ୟୁହାର ଏତେ ମାତ୍ରାରେ ବଢ଼ି ଯାଇଥିଲା ଯେ, ଡବଲିନ୍ ହସପିଟାଲରେ ଦୁର୍ଘଟଣାରେ ଆହତ ରୋଗୀଙ୍କ ପାଇଁ ସ୍ଥାନ ନ ଥିଲା। ସୂଚନା ଅନୁଯାୟୀ, ନଭେମ୍ବର ୮ ତାରିଖ ଦିନ ଏକାସାଥିରେ ଡବଲିନ ଶ୍ମଶାନ ଏକାସାଙ୍ଗରେ ୫୦ କଫିିନ ରଖାଯାଇଥିଲା ଯାହା ଏକ ରେକର୍ଡ ଥିଲା ବୋଲି କୁହାଯାଇଥିଲା।
ସଂକ୍ରମଣକୁ ରୋକିବା ପାଇଁ ନଭେମ୍ବର ଆରମ୍ଭ ବେଳକୁ ବେଲଫାଷ୍ଟରେ ସମସ୍ତ ସ୍କୁଲ ଏବଂ ପବ୍ଲିକ ଏଣ୍ଟରଟେନମେଣ୍ଟ ବନ୍ଦ କରି ଦିଆଯାଇଥିଲା।
ଭାରତରେ ବି ତାଣ୍ଡବ ରଚିଥିଲା ଏହି ମହାମାରୀ
ଏହି ରୋଗରେ ବିଶ୍ୱରୁ ପ୍ରାୟ ୫୦ ମିଲିୟନ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ କେବଳ ଭାରତରେ ୧୦ରୁ ୨୦ ମିଲିଅନ ଲୋକ ଜୀବନ ହରାଇଥିଲେ। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୬ ପ୍ରତିଶତ ଲୋକ ଏଥିରେ ପ୍ରାଣ ହରାଇଥିଲେ। ଯଦିଓ ଏହାର ନାଁ ଥିଲା ସ୍ପାନିଶ ଫ୍ଲୁ, ତେବେ ଭାରତରେ ଏହାକୁ ‘ବମ୍ବେ ଇନ୍ଫ୍ଲୁଏଞ୍ଜା’ ବା ବମ୍ବେ ଫିବର ବୋଲି କୁହାଯାଉଥିଲା। କାରଣ ଏହାର ଉତ୍ପତି ପ୍ରଥମେ ବମ୍ବେରୁ ହୋଇଥିଲା।
ତତ୍କାଳୀନ ସହରର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଜେ.ଏ.ଟର୍ଣ୍ଣରଙ୍କ କହିଥିଲେ ଯେ, ପ୍ରଥମେ ବମ୍ବେକୁ ଚୋର ପରି ଲୁଚି ଲୁଚି ଆସିଥିଲା । ଏଥିରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମୃତ୍ୟୁ ହାର ଅଧିକ ଥିଲା। ତେବେ ସଚେତନ ଏବଂ ଶିକ୍ଷିତ ଥିବା ୟୁରୋପିୟମାନଙ୍କଠାରେ ଏହି ସଂକ୍ରମଣ ଖୁବ୍ କମ୍ ଦେଖିବାକୁ ମିଳିଥିଲା ।
ବମ୍ବେ ଡକ୍ରେ ଲାଗିଥିବା ଏକ ଜାହଜରୁ ବ୍ରିଟିଶ ସୈନିକମାନେ ଅବତରଣ କରିବା ପରେ ଏହି ରୋଗ ବ୍ୟାପିଥିଲା। ଏହି ସୈନିକମାନେ ବିଶ୍ୱଯୁଦ୍ଧ ଫେରନ୍ତା ଥିଲେ। ତେଣୁ ବିଦେଶରୁ ସଂକ୍ରମଣକୁ ଆମଦାନୀ କରିଥିଲେ। ମହାମରୀ ସଂକ୍ରମଣ ଏତେ ମାତ୍ରାରେ ବ୍ୟାପି ଯାଇଥିଲା ଯେ, ବମ୍ବେ ସହର ଏମିତି କୌଣସି ଘର ନ ଥିଲା, ଯେଉଁଥିରେ କେହି ସଂକ୍ରମିତ ନ ଥିଲେ।
ପ୍ରଥମେ ଏହି ରୋଗରେ ବମ୍ବେର ୭ ଜଣ ପୋଲିସ ସିପାହୀ ପୋଲିସ ହସପିଟାଲ୍ରେ ଆଡମିଟ୍ ହୋଇଥିଲେ। ନନ୍-ମାଲେରିଆ ଫିବର ବୋଲି ତାଙ୍କ ରିପୋର୍ଟରେ ଲେଖା ଯାଇଥିଲା। ତା ପରେ ଏକ ସିପିଙ୍ଗ ଫାର୍ମ, ବମ୍ବେ ପୋର୍ଟ ଟ୍ରଷ୍ଟ, ଦ ହଙ୍ଗ କଙ୍ଗ ଏବଂ ସାଘାଂଇ ବ୍ୟାଙ୍କ, ଦ ଟେଲିଗ୍ରାଫ ଅଫିସର କର୍ମଚାରୀମାନେ ରୋଗାକ୍ରାନ୍ତ ହୋଇପଡ଼ିଲେ। ପ୍ରଥମେ ଲକ୍ଷ୍ୟ କରାଗଲା ଏହି ରୋଗ ବିଶେଷ କରି ବୟସ୍କ ଏବଂ ପିଲାମାନଙ୍କୁ ପ୍ରଭାବିତ କରୁଛି। ହେଲେ ଦ୍ୱିତୀୟ ପର୍ଯ୍ୟାୟରେ ଏହା କରାଳ ରୂପ ନେଇଥିଲା ଏବଂ ୨୦ରୁ ୪୦ ବର୍ଷର ଅଧିକାଂଶ ଲୋକଙ୍କର ଏଥିରେ ମୃତ୍ୟୁ ଘଟିଲା।
ସେତେବେଳେ ଭାରତରେ ଡାକ୍ତରଙ୍କ ଘୋର ଅଭାବ ଥିଲା। ଯେତିକି ଡାକ୍ତର ଓ ନର୍ସ ଥିଲେ, ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ବିଶ୍ୱଯୁଦ୍ଧ ଆହତମାନଙ୍କ ଚିକିତ୍ସା କରି କ୍ଳାନ୍ତ ହୋଇପଡ଼ିଥିଲେ। ଫଳରେ ସ୍ୱାସ୍ଥ୍ୟସେବା ମିଳିମା ଦୁର୍ମୂଲ୍ୟ ହୋଇପଡ଼ିଥିଲା। ବମ୍ବେରେ ସେତେବେଳେ ପ୍ରାୟ ୨ କୋଟି ଲୋକ ବସବାସ କରୁଥିଲେ ଯେଉଁଥିରୁ ଅର୍ଦ୍ଧେକ ଏହି ସଂକ୍ରମଣର ଶିକାର ହୋଇଥିଲେ।
ଡାଭିଡ ଆନୋଲ୍ଡ ନାମକ ଜଣେ ଗବେଷକ ଲେଖିଛନ୍ତି ‘ଗୋଟିଏ ଦିନ ଅର୍ଥାତ୍ ୬ ଅକ୍ଟୋବର ୧୯୧୮ରେ କେବଳ ବମ୍ବେ ସହରରେ ୭୬୮ ଲୋକଙ୍କର ମୃତ୍ୟୁ ଘଟିଥିଲା।’ ପରେ ଏହି ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଥିଲା। ପଞ୍ଜାବ ଏବଂ ଉତ୍ତର ପ୍ରଦେଶରେ ଅନେକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।
ସେତେବେଳେ ଏହି ମହାମାରୀରେ କିପରି ଅନେକ ଲୋକ ମରୁଥିଲେ ଏବଂ ଗଙ୍ଗା ନଦୀରେ କେମିତି ମାଳ ମାଳ ମଣିଷ ଶବ ଭାସୁଥିଲା ତାକୁ ନେଇ ଅନେକ ରିପୋର୍ଟ ପ୍ରକାଶ ପାଇଥିଲା। ସୂର୍ଯ୍ୟକାନ୍ତ ତ୍ରିପାଠୀ ସେ ସମୟର ଦୃଶ୍ୟ ବର୍ଣ୍ଣନା କରିବାକୁ ଯାଇ ଲେଖିଥିଲେ- ‘ଏହି ସମୟ ଥିଲା ମୋ ଜୀବନର ସବୁଠାରୁ କଠିନ ସମୟ। ଆଖି ସାମ୍ନାରେ ମୋ ପରିବାର ନିଶ୍ଚିହ୍ନ ହୋଇ ଯାଉଥିଲା। ଆମର ଅନେକ ଶ୍ରମିକ ଗୋଟିଏ ପରେ ଗୋଟିଏ ଟଳି ପଡ଼ୁଥିଲେ। ଏପରିକି ମୋ ସମ୍ପର୍କିୟ ଭାଇ ପାଖରେ କାମ କରୁଥିବା ୪ ଜଣ ଏବଂ ମୋ ପାଖରେ କାମ କରୁଥିବା ୨ ଜଣ ଏହି ରୋଗୀରେ ପ୍ରାଣ ହରାଇଥିଲେ।
ମହାତ୍ମା ଗାନ୍ଧି ବିି ଆକ୍ରାନ୍ତ ହୋଇଥିଲେ
ଦକ୍ଷିଣ ଆଫ୍ରିକାରୁ ଫେରି ଗୁଜରାଟର ସାବରମତିଠାରେ ଗାନ୍ଧିଜୀ ନିଜର ଆଶ୍ରମ ଆରମ୍ଭ କରୁଥିଲେ। ଏହି ସମୟରେ ସେ ମଧ୍ୟ ଏହି ସ୍ପାନିଶ ଫ୍ଲୁର ଆକ୍ରାନ୍ତ ହୋଇଥିଲେ। ଏହି ଖବର ବିଜୁଳି ବେଗରେ ଚାରିଆଡେ ବ୍ୟାପୀ ଯାଇଥିଲା। ଲକ୍ଷ ଲକ୍ଷ ଲୋକ ବ୍ୟସ୍ତ ହୋଇ ପଡ଼ିଲେ। ହେଲେ ଗାନ୍ଧିଜୀ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରିବା ସହ ବିଶ୍ରାମ ନେଲେ। ଶେଷରେ ଭୂତାଣୁ ହାର ମାନିଲା। ଗାନ୍ଧିଜୀ ଏହି ରୋଗମୁକ୍ତ ହୋଇ ପୁଣି ନିଜ ଜୀବନଧାରାକୁ ଫେରିଲେ।
ଏମିତି ଥିଲା ସ୍ଥିତି
ରୋଗ ସଂକ୍ରମଣ ଏତେ ମାତ୍ରାରେ ବ୍ୟାପିଗଲା ଯେ ତାହାକୁ ନିୟନ୍ତ୍ରଣ କରାଯାଇ ପାରିଲା ନାହିଁ। ପରିସ୍ଥିତି ଏପରି ହେଲା ୧୯୧୮ ଜୁଲାଇ ମାସରେ କେବଳ ବମ୍ବେ ସହରରେ ଦିନକୁ ୨୩୦ ଜଣ ପ୍ରାଣ ହରାଉଥିଲେ। ତେବେ ଏଥିରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା।
ସେତେବେଳେ ବି ଲକ୍ ଡାଉନ୍ ହୋଇଥିଲା ।
ସଂକ୍ରମଣ ବ୍ୟାପୁଥିବାରୁ ବାଧ୍ୟ ହୋଇ ବମ୍ବେ ସହରକୁ ଲକ୍ ଡାଉନ କାଯାଇଥିଲା। କାରଖାନା ବନ୍ଦ କରି ଦିଆଗଲା। କର୍ମଚାରୀଙ୍କୁ ଛୁଟିରେ ଚାଲିଯିବାକୁ କୁହାଗଲା। ତଥାପି ରୋକୁ ନିୟନ୍ତ୍ରଣ କରାଯାଇ ପାରିଲାନି।
କରୋନାଠାରୁ ଆହୁରି ଭୟଙ୍କର ଥିଲା ସ୍ପାନିଶ ଫ୍ଲୁ
କରୋନା ଆଜି ଯେମିତି ତା’ କରାଳ ରୂପରେ ସମସ୍ତଙ୍କୁ ଡରେଇ ଦେଇଛି, ସେଦିନ ମଧ୍ୟ ଏମିତି ସାରା ପୃଥିବୀକୁ ଭୟଭୀତ କରି ଦେଇଥିଲା ସ୍ପାନିଶ ଫ୍ଲୁ। ଦୁଇଟି ଯାକ ଭୂତାଣୁର ସମାନ ଲକ୍ଷଣ ଥିବା ଗବେଷକମାନେ କୁହନ୍ତି। ଦୁଇଟି ଯାକ ଭୂତାଣୁ କେବଳ ମନୁଷ୍ୟମାନଙ୍କୁ ହିଁ ସଂକ୍ରମିତ କରୁଥିଲା। ସଂକ୍ରମଣ କ୍ଷମତା ମଧ୍ୟ ଉଭୟଙ୍କର ସମାନ। ଆଜି କରୋନା ଯେମିତି ଭାବେ ଜଣଙ୍କଠାରୁ ଅନ୍ୟଜଣଙ୍କ ପାଖକୁ ସଂକ୍ରମିତ ହେଉଛି, ସ୍ପାନିଶ ଫ୍ଲୁ ମଧ୍ୟ ଠିକ୍ ସେହିପରି ସଂକ୍ରମିତ ହେଉଥିଲା ।
ତେବେ ଚିକିତ୍ସା ବିଜ୍ଞାନ ସେତେବେଳେ ଏତେଟା ଉନ୍ନତ ନ ଥିବାରୁ ଏବଂ ଲୋକଙ୍କ ପାଖରେ ସଚେତନତାର ଅଭାବ ଥିବାରୁ ଅନେକ ଲୋକଙ୍କ ଜୀବନ ଏଥିରେ ଚାଲିଗଲା। ହେଲେ ଏବେ କରୋନା ପାଇଁ ଔଷଧ ବାହାରି ନ ଥିଲେ ମଧ୍ୟ ଚିକିତ୍ସା ପଦ୍ଧତିରେ ଉନ୍ନତି ଆସିଥିବାରୁ ମୃତ୍ୟୁ ହାରକୁ କମାଇ ଦିଆଯାଇଛି।
ଯାହା ବି ହେଉ, କିଛି ସ୍ୱେଚ୍ଛାସେବୀ ଏହି ସମୟରେ ଦେବଦୂତ ସାଜି ଭାରତୀୟଙ୍କୁ ଏହି ବିପତ୍ତିରୁ ଉଦ୍ଧାର କରିଥିଲେ। ନିଜ ଉଦ୍ୟମରେ କିଛି ସ୍ୱେଚ୍ଛାସେବୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରିବା ସହ ପଡ଼ି ରହିଥିବା ଶବର ସତ୍କାର କାମ କରିଥିଲେ। ଘର ଘର ବୁଲି ଲୋକଙ୍କୁ ସୋଶାଲ ଡିଷ୍ଟାନ୍ସ ବଜାୟ ରଖିବା ପାଇଁ ବୁଝାଇ କହିଥିଲେ। ସେମାନଙ୍କ ଅବିରତ ନିଃସ୍ୱାର୍ଥପର ସେବାରେ ପ୍ରାୟ ୬ ମାସ ପରେ ଏହି ଘାତକ ସ୍ପାନିଶ ଫ୍ଲୁ ନିଶ୍ଚିହ୍ନ ହୋଇ ଯାଇଥିଲା।