୭୩୦ଦିନର ଛୁଟି ନେବାକୁ ଦରଖାସ୍ତ ଦେଲେ ଅଫିସର
ସୋଶାଲ ମିଡିଆରେ ଛୁଟି ଦରଖାସ୍ତ ଭାଇରାଲ୍
ଲାହୋର: ଦେଖାଯାଏ କୌଣସି ଅଫିସ୍ ବା ଅନୁଷ୍ଠାନରେ କାମ କରୁଥିବା କର୍ମଚାରୀମାନେ ନିଜର କିଛି ଜରୁରୀ କାମରେ ଅଧିକା ଦିନ ଛୁଟି ନେବାକୁ ଅଫିସରେ ଦରଖାସ୍ତ ଦେଇଥାନ୍ତି। ହେଲେ ପାକିସ୍ତାନର ଜଣେ ରେଳବାଇ ଅଧିକାରୀ କିଛି ଭିନ୍ନ କାରଣକୁ ନେଇ ଲମ୍ବା ଅବଧିର ଛୁଟି ଦରଖାସ୍ତ କରିଛନ୍ତି । ଯାହାକି ଏବେ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି।
(ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଦରଖାସ୍ତ)
ସୂଚନା ଅନୁସାରେ , ଜଣେ ଅଫିସର ୨ ବର୍ଷ ଅର୍ଥାତ ୭୩୦ ଦିନ ଛୁଟିରେ ଯିବାକୁ ରେଳ ବିଭାଗକୁ ଦରଖାସ୍ତ ଦେଇଛନ୍ତି। ଏହି ଛୁଟି ଅବଧି ମଧ୍ୟରେ ତାଙ୍କୁ ଦୁଇ ବର୍ଷର ଦରମା ମିଳୁ ବୋଲି ମଧ୍ୟ ଅଧିକାରୀ ଜଣଙ୍କ ନିଜ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି।
ପ୍ରକୃତ କଥା ହେଲା ,ଇମ୍ରାନ୍ ଖାନ୍ ସରକାରଙ୍କ ଦ୍ୱାରା ନବ ନିଯୁକ୍ତ ପାକିସ୍ତାନ ରେଳବାଇ ମନ୍ତ୍ରୀ ଶେଖ୍ ରଶିଦ୍ଙ୍କ ବ୍ୟବହାର ଭଲ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଏହି ଅଫିସର ଜଣକ। ଆଉ ସେଇଥି ପାଇଁ ସେ ଏତେ ଲମ୍ବା ଅବଧିର ଛୁଟିରେ ଯିବାକୁ ଚାହିଁଛନ୍ତି।
ପାକିସ୍ତାନ ରେଳବାଇର ଗ୍ରେଡ୍ ୨୦ର ଅଧିକାରୀ ମହମ୍ମଦ ହନିଫ୍ ଗୁଲ୍ ତାଙ୍କ ଦରଖାସ୍ତରେ ଲେଖିଛନ୍ତି ଯେ “ନୂଆ ରେଳବାଇ ମନ୍ତ୍ରୀଙ୍କ ବ୍ୟବହାର ଅଦୌ ଗ୍ରହଣୀୟ ନୁହେଁ। ପାକିସ୍ତାନର ଜଣେ ଦାୟିତ୍ୱସମ୍ପନ୍ନ ସରକାରୀ କର୍ମଚାରୀ ହିସାବରେ ମୁଁ ନୂଆ ମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିପାରିବି ନାହିଁ। ନୂଆ ମନ୍ତ୍ରୀ ସଂପୂର୍ଣ୍ଣ ଭାବେ ଅଣ-ପ୍ରଫେସନାଲ୍। କାହାକୁ କେମିତି ବ୍ୟବହାର କରାଯାଏ, ସେ କଥା ସେ ଆଦୌ ଶିଖିନାହାନ୍ତି। ସେ ଦଳଗତ ଭାବେ କେମିତି କାର୍ଯ୍ୟ କରାଯାଏ, ସେକଥା ମଧ୍ୟ ଜାଣିନାହାନ୍ତି। ତାଙ୍କ ଅଧୀନରେ କାମ କରିବା ସମ୍ଭବପର ନୁହେଁ। ତେଣୁ ମୋତେ ୭୩୦ ଦିନ ପାଇଁ ସବେତନ ଛୁଟି ଦିଆଯାଉ।” ଏହି ଦରଖାସ୍ତଟିକୁ ସେ ରେଳବାଇ ବିଭାଗକୁ ପଠାଇଛନ୍ତି।
ଗୁଲ୍ ମଧ୍ୟ ଏହା ପୂର୍ବରୁ ପୂର୍ବତନ ରେଳବାଇ ମନ୍ତ୍ରୀ ସାଦ ରଫିଙ୍କୁ ମଧ୍ୟ ଅନେକ ସମୟରେ ସମାଲୋଚନା କରିଥିବାର ନଜିର ରହିଛି।