ପଖାଳର ଫାଇଦା: ଜାଣିଲେ, ନ ଫୋପାଡି ସାଇତି ରଖିବେ…

ଭୁବନେଶ୍ୱର: ଓଡ଼ିଆ ହାଣ୍ଡିଶାଳର ସ୍ୱତନ୍ତ୍ର ଆକର୍ଷଣ ପଖାଳ। ମାର୍ଚ୍ଚ ମାସର ଟାଇଁ ଟାଇଁ ଖରାରେ  ଯେପରି ହାତ ଠାରି ଡାକୁଥାଏ। ଖାଲି ଖରା କାହିଁକି, ଶୀତ ହେଉ କି ବର୍ଷା…ସବୁ ଋତୁ, ସବୁ ଦିନ ପଖାଳର ଆକର୍ଷଣ ମନଲୋଭା।  ଚୂନା ମାଛ ସାଙ୍ଗକୁ ଆଳୁ ଭର୍ତ୍ତା, ବଡ଼ି ଚୁରା, ଛୁଇଁ ଭଜା, ଟମାଟୋ, ବାଇଗଣ ଚକଟା ଆଉ ପିଆଜ ଖଣ୍ଡେ …ଆଃ, ଭାବିଦେଲେ ଯେମିତି ମୁହଁରେ ପାଣି ଆସିଯାଉଛି।   ଗୁଣ୍ଡେ ଖାଇ ଢ଼ୋକେ ପିଇଦେଲେ ସବୁ ଶାନ୍ତି ।  

ପଖାଳ ଖାଲି ପାଟିକୁ ସୁଆଦ, ମନକୁ ଶାନ୍ତି ଦିଏନି।  ପଖାଳ ଫାଇଦା ଜାଣିଲେ..ଏହାକୁ ଫୋପାଡ଼ିବାକୁ ହାତ ଯିବନି।  ଆଉ ଯଦି ଫୋପାଡିବା ପାଇଁ ଭାବୁଥାନ୍ତି, ତାହେଲେ ବାରମ୍ୱାର ଭାବିବାକୁ ବାଧ୍ୟ ହେବେ। ଏବେ ଜାଣନ୍ତୁ, ପଖାଳରେ କଣ ସବୁ ରହିଛି।

  • ଆମେ ଯେତେବେଳେ ଭାତ ରାନ୍ଧିଥାଉ, ସେହି ୧୦୦ ଗ୍ରାମ ଭାତରେ ଆଇରନର ମାତ୍ରା ୩.୪ ମିଲିଗ୍ରାମ ଥାଏ। ଯଦି ଏଥିରେ ପାଣି ମିଶାଇ ଅତିକମରେ ୧୨ ଘଣ୍ଟା ଭିଜାଇ ରଖାଯାଏ, ତେବେ ସେଥିରେ ଥିବା ଆଇରନ୍ ମାତ୍ରା ୭୩.୯୧ ମିଲିଗ୍ରାମ ହୋଇ ଯାଇଥାଏ।
  • ସେହିପରି ସୋଡ଼ିୟମ ୪୭୫ ମିଲି ଗ୍ରାମରୁ କମି ୩୦୩ ମିଲି ଗ୍ରାମ, ପୋଟାସିୟମ ୮୩୯ ମିଲି ଗ୍ରାମ ଓ କ୍ୟାଲ୍‌ସିଅମ ୨୧ ମିଲି ଗ୍ରାମରୁ ବଢି ୮୫୦ ମିଲି ଗ୍ରାମ ହୋଇଯାଇଥାଏ। ସାଧା ଭାତରେ ଥିବା ଫାଇଟିକ ଏସିଡ଼ ଓ ଓଲିଗୋସାକାରାଇଡ଼ସ୍ ଯୋଗୁ ହଜମ କରିବାରେ ଅସୁବିଧା ହୋଇଥାଏ। କିନ୍ତୁ ପଖାଳିବା ପରେ ଏ ଅସୁବିଧା ଦୂର ହୋଇ ହଜମ କ୍ରିୟା ସହଜ ହୋଇଥାଏ।
  •  ଖାଲି ସେତିକି ନୁହେଁ ସବୁଠାରୁ ଅଧିକ ଶକ୍ତିବର୍ଦ୍ଧକ ଉପାଦାନ ହିଁ କେବଳ ପଖାଳ ଭାତରେ ରହିଛି। ପ୍ରାତଃ ଭୋଜନରେ ପଖାଳ ଭାତ ଖାଇଲେ ଶରୀରରେ ସ୍ଫୂର୍ତ୍ତି ଆସିବା ସାଙ୍ଗକୁ ପେଟରେ ଅଲସର୍ର ସମସ୍ୟା ଥିଲେ, ତାହା ଦୂରେଇ ଯାଇଥାଏ ବୋଲି କୁହାଯାଏ। ପଖାଳ ଭାତକୁ ନେଇ ଆସାମର କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି।
  •  ଖରା ଦିନରେ ଓଡ଼ିଆ ଘରମାନଙ୍କରେ ଦେହରୁ ତାତି କମାଇବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ପଖାଳ ଖିଆ ଯାଇଥାଏ। ସାଧାରଣତଃ ସକାଳେ ଅଧିକାଂଶ ଲୋକ ପଖାଳ ଖାଇଥାନ୍ତି। ଖରାଦିନରେ ଖରାବେଳେ, କେହି କେହି ଉପରଓଳି ମଧ୍ୟ ଖାଇ ଥାଆନ୍ତି।

ଏଥିପାଇଁ ତତଲା ଭାତ ବଳି ପଡିଲେ କେବେ ହେଲେ ଫୋପାଡିବେ ନାହିଁ। ତାହାକୁ ପାଣିରେ ଭିଜାଇ ଖାଇଲେ ତାହା ଶରୀର ପାଇଁ ଖୁବ ଲାଭଦାୟକ। ସକାଳ ହେଉକି ଦିପହର ସବୁବେଳେ ପଖାଳ ଖାଇବାକୁ ଓଡ଼ିଆମାନେ ଭାରି ଭଲ ପାଆନ୍ତି। ପ୍ରତିଟି ଓଡ଼ିଆଙ୍କର ଏହା ପ୍ରିୟ ଖାଇବା।

You might also like