ଶ୍ରୀଅଙ୍ଗ ଛୁଇଁବା ପରେ ସତେଜ ହୋଇଗଲା ମଉଳା ଫୁଲ

ପୁରୀ ( ମିହିର ପଟ୍ଟନାୟକ): ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ପର୍କ ଖୁବ ନିବିଡ। ଖାସ ସେଇଥି ପାଇଁ ମହାପ୍ରଭୁଙ୍କ ବିଭିନ୍ନ ଅଙ୍ଗକୁ ପଦ୍ମ ସହ ତୁଳନା କରାଯାଏ । ଫୁଲମାନଙ୍କ ଭିତରେ କମଳ ବା ପଦ୍ମ ଶ୍ରେଷ୍ଠ ହୋଇଥିବାରୁ ମହାପ୍ରଭୁଙ୍କ ବର୍ଷକୁ ଗୋଟିଏ ଥର ପଦ୍ମ ବେଶରେ ସଜ୍ଜିତ କରାଯାଏ। ଗତକାଲି ଥିଲା ଏହି ଶୁଭ ଦିନଟି।

ଗତକାଲି ଅର୍ଥାତ୍‌ ବୁଧବାର ରାତିରେ କାଳିଆ ଠାକୁରଙ୍କ ନିତ୍ୟ ବଡ଼ସିଂହାର ବେଶ ହୋଇ ନ ଥିଲା। ପଦ୍ମ ବେଶରେ ରହି ରାତ୍ର ପହୁଡ଼ ହୋଇଥିଲା। 

ବେଶର ଇତିହାସ : ସପ୍ତଦଶ ଶତାବ୍ଦୀରୁ ଏହି ବେଶ ହୋଇ ଆସୁଛି ବୋଲି ଗବେଷକମାନେ କୁହନ୍ତି। ଯାହାର ପ୍ରବର୍ତ୍ତକ ହେଉଛନ୍ତି  ବଡଛତା ମଠର ସନ୍ଥ  ରଘୁବର ଦାସ । ତାଙ୍କ ସମୟରୁ ହିଁ ଏହି ବେଶର ସମସ୍ତ ଖର୍ଚ୍ଚ ମଠ ବହନ କରି ଆସୁଛି।

ବେଶ ପଛର କାହାଣୀ : ଉତ୍ତର ଭାରତର ସନ୍ଥ ମନୋହର ଦାସ। ଶ୍ରୀଜୀଉ ଦର୍ଶନ ପାଇଁ ମାଇଲ ମାଇଲ ଦୂରରୁ ଆସୁଥାନ୍ତି ପୁରୀ। ବାଟରେ ପଦ୍ମ ପୋଖରୀ ଦେଖନ୍ତି। ଶୀତ ଦିନେ ପଦ୍ମ ପୋଖରୀ ପୁଷ୍ପ ପୂର୍ଣ୍ଣ ହୋଇପଡିଥିବାରୁ ସେ ଆଶ୍ଚର୍ଯ୍ୟ ହୁଅନ୍ତି ଓ ମହାପ୍ରଭୁଙ୍କ ନିମିତ୍ତ ପଦ୍ମ ତୋଳି ଦିଅନ୍ତି। ନିଜ ଅଙ୍ଗବସ୍ତ୍ରରେ ଗୁଡ଼ାଇ ଏହାକୁ ଧରି ବାବାଜୀ ଚାଲନ୍ତି ଶ୍ରୀକ୍ଷେତ୍ର। ହେଲେ ପହଂଚୁ ପହଂଚୁ ବିଳମ୍ବ ହେବାରୁ ମଉଳି ଯାଇଥାଏ ପଦ୍ମ ଫୁଲ। ସେବକଗଣ ଏହି ଫୁଲ ଲାଗି ହେବା ସମ୍ଭବ ନୁହେଁ କହି ଫିଙ୍ଗି ଦିଅନ୍ତି। ଦୁଃଖରେ ମ୍ରିୟମାଣ ସାଧୁ ମୂର୍ଚ୍ଛା ଯାଆନ୍ତି ସିଂହଦ୍ୱାର ସମ୍ମୁଖରେ। ଭାବଗ୍ରାହୀ ଜଗନ୍ନାଥ ଭକ୍ତର ଦୁଃଖ ବୁଝନ୍ତି। ଆଉ ସ୍ୱପ୍ନାଦେଶ ହୁଏ ସେହି ମଉଳି ଯାଇଥିବା ପଦ୍ମ ଫୁଲରେ ଶ୍ରୀଅଙ୍ଗ ଶୃଙ୍ଗାର କରିବା ପାଇଁ। ଦଉଡି ଆସନ୍ତି ଗଜପତି।

ମଉଳି ଯାଇଥିବା ପଦ୍ମ ଲାଗି ହୁଅନ୍ତି ବଡଠାକୁରଙ୍କ ପାଖରେ। ଶୁଷ୍କ ଫୁଲ ଜୀବନ ପାଏ। ଅଶ୍ରୁପାତ ହୁଏ ସାଧୁଙ୍କର। ସେବେଠାରୁ ଆରମ୍ଭ ହୁଏ ପଦ୍ମବେଶ ପରମ୍ପରା। ହେଲେ ଶୀତ ଋତୁରେ ପଦ୍ମ ସଂଗ୍ରହ ସମ୍ଭବ ନୁହେଁ ଭାବି ବଡ଼ଛତା ମଠର ତତ୍କାଳୀନ ମହନ୍ତ ରଘୁବର ଦାସ ଆରମ୍ଭ କରନ୍ତି ଭିନ୍ନ ପରମ୍ପରା। ସୋଲ, କନା, କଇଥ ଅଠା, ରଙ୍ଗରେ ଆରମ୍ଭ ହୁଏ ବେଶ। ସେବେଠାରୁ ନିରବଚ୍ଛିନ୍ନ ଭାବେ ଏହି ବେଶ ଅନୁଷ୍ଠିତ ହେଉଛି। ଏହା ଶ୍ରୀଜୀଉଙ୍କ ଏକ ଆକର୍ଷଣୀୟ ବେଶ। ଯେଉଁଥିରେ ତିନି ଠାକୁରେ ତିନି ପ୍ରସ୍ପୁଟିତ ପଦ୍ମ ପରି ସଜ୍ଜିତ ହୋଇ ରତ୍ନସିଂହାସନରେ ଛିଡା ହୋଇଥାନ୍ତି । ଦୁଇ ଯୋଡ଼ା ହଂସ ପଦ୍ମରୁପି ମହାପ୍ରଭୁଙ୍କୁ ଚୁମ୍ବନ ଦେବା ଢଙ୍ଗରେ ରହିଥାନ୍ତି।

ବେଶ ସମୟ : ପ୍ରତିବର୍ଷ ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାର ଏହି ବେଶ ହେବାର ପରମ୍ପରା ରହିଛି । ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୁଅନ୍ତି। ଏହି ବେଶ ଥାଇ ରାତ୍ର ପହୁଡ଼ ହୁଏ। ତହିଁ ପରଦିନ ସକାଳେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ଭକ୍ତଙ୍କୁ ମିଳିଥାଏ।

ସାମ୍ପ୍ରତିକ ସ୍ଥିତି : 2011 ମସିହାରେ ଭୁବନେଶ୍ୱରର ଜଣେ ସଂସ୍କୃତ ଶିକ୍ଷକ ଚିନ୍ତାମଣି ଦାଶ ପ୍ରତିବର୍ଷ ଏହିଦିନ ୫ ହଜାର ସଜ ପଦ୍ମଫୁଲ ମହାପ୍ରଭୁଙ୍କ ବେଶ ପାଇଁ ପ୍ରଦାନ କରୁଛନ୍ତି।

 

You might also like