କାମ୍ପା ଫଣ୍ଡ ମହାଦୁର୍ନୀତି: ଟଙ୍କା ଯାଉଛି ହିତାଧିକାରୀଙ୍କ ଆକାଉଣ୍ଟକୁ , ଉଠାଉଛନ୍ତି ରେଞ୍ଜର
ଭୁବନେଶ୍ୱର: ଗୋଟିଏ ପଟେ କରୋନା ଆତଙ୍କ, ହେଲେ ଆରପଟେ ଲୁଟ୍ ହେଉଛି ସରକାରୀ ଅର୍ଥ। କରୋନାର ଭୟାବହତା ମୁକାବିଲା ଭିତରେ ସମସ୍ତେ ବ୍ୟସ୍ତ ଥିବାର ସୁଯୋଗ ଉଣ୍ଡି ସରକାରୀ ତହବିଲରୁ ହୋଇଛି ମହାଲୁଟ୍ । ଜଙ୍ଗଲ ବିଭାଗର କାମ୍ପା ଫଣ୍ଡରେ ହୋଇଛି ବଡ ଧରଣର ଅନିୟମିତତା। ଯାହାର ଦସ୍ତାବିଜ୍ ଲାଗିଛି ଓଟିଭି ହାତରେ।
ଉଜୁଡା ଓ କ୍ଷତିଗ୍ରସ୍ତ ଜଙ୍ଗଲର ପୁନରୁଦ୍ଧାର ଏବଂ ପୁନଃ ବନୀକରଣ ନାଁରେ ହୋଇଛି ଏହି ବଡ ଧରଣର ହେରାଫେରି। ଅନୁସନ୍ଧାନରୁ ଜଣାଯାଇଛି, ବାଣପୁର ଅଞ୍ଚଳର ସୁରେନ୍ଦ୍ର ଜେନା ତାଙ୍କ ଆକାଉଣ୍ଟକୁ ବନବିଭାଗ ପଠାଇଛି ଏକ ଲକ୍ଷ ୧୯ ହଜାର ଟଙ୍କା। ହେଲେ ତାକୁ ପରେ ସଲାସୁତରା କରି ଉଠାଇ ନେଇଛନ୍ତି ରେଞ୍ଜର। ସେହିପରି ପଙ୍କାଳ ଗାଁର ପ୍ରଭାତ ପ୍ରଧାନଙ୍କ ଆକାଉଣ୍ଟକୁ ବି ଜଙ୍ଗଲ ବିଭାଗରୁ ବିଭିନ୍ନ କିସ୍ତିରେ ଆସିଥିଲା ୨ ଲକ୍ଷ ୬୪ ହଜାର ଟଙ୍କା। ମୁନା ମାର୍ଥାଙ୍କ ଆକାଉଣ୍ଟକୁ ବି ଆସିଥିଲା ୧ ଲକ୍ଷ ୧୯ ହଜାର ଟଙ୍କା। ତେବେ କେଉଁ ବାବଦରେ ଟଙ୍କା ଆସିଲା ଏବଂ କାହିଁକି ଉଠାଇ ନିଆଗଲା ସେ ରହସ୍ୟ ଜମାରୁ ଧରି ପାରୁ ନାହାନ୍ତି ଆକାଉଣ୍ଟଧାରୀ।
ଅଭିଯୋଗ ହେଉଛି, ଏପରି ମହାଦୁର୍ନୀତି ପଛରେ ଅଛନ୍ତି ଖୋର୍ଦ୍ଧା ଜଙ୍ଗଲ ଡିଭିଜନ ଅଧିନସ୍ଥ ବାଲୁଗାଁ ବରବରା ରେଞ୍ଜର ଏ. କେ. ଜଗଦ୍ଦେବ । ସେ ଏଭଳି ଅଭିନବ ଉପାୟରେ ବାଲୁଗାଁ କାମ୍ପା ଫଣ୍ଡକୁ ଆସିଥିବା ପ୍ରାୟ ୭୭ ଲକ୍ଷ ଟଙ୍କା ଦୁଇଟି କିସ୍ତ ମାର୍ଚ୍ଚ ୨୩ ଓ ମାର୍ଚ୍ଚ ୨୯ରେ ଉଠାଇ ନେଇଛନ୍ତି। ମାର୍ଚ୍ଚ ୨୩ ତାରିଖରେ ୬୯ଲକ୍ଷ ୬୮ ହଜାର ଟଙ୍କା ଖୋର୍ଦ୍ଧା ଡିଏଫଓ ବାଲୁଗାଁ ରେଞ୍ଜ କାମ୍ପା ଫଣ୍ଡକୁ ପଠାଇଥିଲେ। ବାକି ଟଙ୍କା ମାର୍ଚ୍ଚ ୨୯ ପଠାଇଥିଲେ।
ଏସବୁ ଟଙ୍କାକୁ କୌଣସି ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯାଇ ନାହିଁ । ବରଂ ଏମିତି କିଛି ବ୍ୟକ୍ତିଙ୍କ ଆକାଉଣ୍ଟକୁ ଯାଇଛି, ଯାହା ପାଖରୁ ପରବର୍ତ୍ତୀ ସମୟରେ ଏହାକୁ ଉଠାଇ ନିଆଯାଇ ପାରିବ। ସଲାସୁତରାରେ ଏଭଳି କାରବାର ହୋଇଥିବା ୧୦ଜଣଙ୍କର ତଥ୍ୟ ପାଇଛି ଓଟିଭି । ତେବେ ଏଠି ଆଉ ଏକ ପ୍ରଶ୍ନ। ଟଙ୍କା ଆସିଥିଲା ବାଲୁଗାଁ ରେଞ୍ଜରେ ଖର୍ଚ୍ଚ ହେବାକୁ, ହେଲେ ପାଇଲେ ନୟାଗଡ଼, ରଣପୁର ଓ ଟାଙ୍ଗି ଅଞ୍ଚଳର ହିତାଧିକାରୀ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଟଙ୍କାକୁ ପରବର୍ତ୍ତୀ ସବୁକୁ ଉଠାଇ ନେଇଛନ୍ତି ରେଞ୍ଜର। ତେବେ ବାବୁଙ୍କ କେଳେଙ୍କାରୀ ଏତିକିରେ ସରୁନି। ଧର୍ମକୁ ଆଖିଠାର ଭଳି କାଁ ଭାଁ କାମ କରି, ସେ ବାବଦକୁ ମଜୁରୀ ପାଇଥିବା ଲୋକଙ୍କଠାରୁ ଜୋର ଜବରଦସ୍ତ ୫୦ ପ୍ରତିଶତ କମିଶନ ମାଗୁଥିବା ବି ଅଭିଯୋଗ ହୋଇଛି।
ଏଭଳି ସାଂଘାତିକ ଘୋଟାଲା ଘଟାଇଥିବା ରେଞ୍ଜର ଏ. କେ. ଜଗଦ୍ଦେବ, ତଳିଆ କର୍ମଚାରୀ ଓ ଗାର୍ଡମାନଙ୍କୁ ମିଥ୍ୟା କାଗଜପତ୍ର, ମଷ୍ଟର ରୋଲ ଓ ବିଲ୍ କରିବାକୁ ଫୋନରେ ଧମକ ଦେଉଛନ୍ତି। ଏହାର ଅଡିଓ ବି ରହିଛି। ଏପରିକି ପିସିସିଏଫ୍, କଞ୍ଜରଭେଟର ଏବଂ ଡିଏଫଓଙ୍କ ଭାଗ ଟଙ୍କା ପଇଠ ପାଇଁ ବି କୁହାଯାଉଛି। ଏପରିକି ଟଙ୍କା ନଦେଲେ ଆମ ଛାଡ଼ିବୁନି ବୋଲି ରେଞ୍ଜର ଫୋନରେ କହୁଛନ୍ତି।
ଅନ୍ୟପକ୍ଷେ ଏମାନେ ଫିଲ୍ଡରେ କାମ କରୁଥିଲେ ଏବଂ ବାହାର ଲୋକ ଏଠାରେ କାମ କରିବାର ନିୟମ ଅଛି ବୋଲି କହିଛନ୍ତି ବାଲୁଗାଁ ରେଞ୍ଜର । ତେବେ ପୁନର୍ବାର ପ୍ରତିକ୍ରିୟା ଦେବୁ ବୋଲି କହି ଓଟିଭି ସାମ୍ବାଦିକଙ୍କ ଉପରେ ଚାପ ପକାଇବା ସହ ଏପରି ଅନିୟମିତତାକୁ ସ୍ୱୀକାର କରିଛନ୍ତି ରେଞ୍ଜର ଏ. କେ. ଜଗଦ୍ଦେବ।
ଏ. ଗୋଟିଏ ପଟେ ପ୍ରବାସ ଫେରନ୍ତାଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ବୃକ୍ଷରୋପଣ ଯୋଜନା କରୁଛନ୍ତି ରାଜ୍ୟ ସରକାର ହେଲେ ଅନ୍ୟପଟେ ଢୋଲ ଭିତରେ ମୂଷା ସାଜିଛନ୍ତି ବନକର୍ମଚାରୀ। ତେବେ ପ୍ରଶ୍ନ କାହା ଛତ୍ରଛାୟାରେ ଏତେ ବଡ଼ କେଳେଙ୍କାରୀ କରିଛନ୍ତି ରେଞ୍ଜର ? ପର୍ଦ୍ଦା ପଛରେ ବଡ଼ବଡ଼ିଇାଙ୍କ ହାତ ନାହିଁ ତ ?