ଡାଇବେଟିସ୍‌ ରୋଗୀଙ୍କ ଘା’ ଭଲ କରିଦେବ ଏହି ସ୍ୱତନ୍ତ୍ର ବ୍ୟାଣ୍ଡେଜ୍‌, ଜାଣନ୍ତୁ ଏହା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ…‌

ଘା ଭଲ କରିବ ବ୍ୟାଣ୍ଡେଜ୍‌

ଭୁବନେଶ୍ୱର(କପିଳେନ୍ଦ୍ର ପ୍ରଧାନ): ରୋଷେଇ ଘରେ ହଳଦୀର ବ୍ୟବହାର ସଂପର୍କରେ ସମସ୍ତେ ଜାଣନ୍ତି। କିନ୍ତୁ ଏଥିରୁ ନିର୍ମିତ ବ୍ୟାଣ୍ଡେଜ୍ ଯେ ରୋଗୀର ଘାକୁ ଶୀଘ୍ର ଭଲ କରିପାରିବ, ତା ହୁଏତ ଅନେକ ଭାବିନଥିବେ। କିନ୍ତୁ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍ ଲାଇଫ୍ ସାଇନ୍ସର ବରିଷ୍ଠ ବୈଜ୍ଞାନିକ ଡ. ସଞ୍ଜୀବ ସାହୁଙ୍କ ଦ୍ୱାରା ବିକଶିତ ଟର୍ମେରିକ୍ ବ୍ୟାଣ୍ଡେଜ୍ ଡାଇବେଟିସ୍ ରୋଗୀର ଘାକୁ ବି ଭଲ କରିବାର କ୍ଷମତା ରଖିଛି ବୋଲି ସେ ଦାବି କରିଛନ୍ତି।

ମଧୁମେହ ରୋଗୀର ସବୁଠୁ ବଡ଼ ଚିନ୍ତା ଥାଏ ଘାକୁ। କାରଣ ଡାଇବେଟିସ୍ ରୋଗୀର ଶରୀରରେ ଘା ହେଲେ, ତାହା ସହଜରେ ଶୁଖି ନଥାଏ। କିନ୍ତୁ ଟର୍ମେରିକ୍ ବ୍ୟାଣ୍ଡେଜ୍ ବା ହଳଦୀରୁ ପ୍ରସ୍ତୁତ ଏହି ବ୍ୟାଣ୍ଡେଜ୍ କ୍ଷତକୁ ସହଜରେ ଭଲ କରିବାର କ୍ଷମତା ରଖିଛି ବୋଲି ଦାବି କରିଛନ୍ତି ଆଇଏଲ୍ଏସ୍ ବୈଜ୍ଞାନିକ ଡର ସଞ୍ଜୀବ ସାହୁ। ଡ. ସାହୁ କହିଛନ୍ତି, ବର୍ଷ ବର୍ଷ ଧରି ହଳଦୀକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଇଆସୁଛି। ଏଥିରେ ଥିବା ନାନୋପାର୍ଟିକୁଲେଟ୍ କକ୍ୟୁୟମିନର ବହୁ ଔଷଧୀୟ ଗୁଣ ରହିଛି। ଏପରିକି ଡାଇବେଟିସ୍ ରୋଗୀର କ୍ଷତକୁ ବି ହଳଦୀ ଭଲ କରିପାରୁଥିବା ଗବେଷଣା ଜରିଆରେ ପ୍ରମାଣିତ ହୋଇଛି। ତେବେ ଘା ଶୁଖାଇବା ଉଦ୍ଦେଶ୍ୟରେ ପୂର୍ବରୁ କେବେ ବ୍ୟାଣ୍ଡେଜରେ କକ୍ୟୁୟମିନ ବ୍ୟବହାର ହୋଇ ନଥିଲାା। ତେଣୁ କ୍ଷତକୁ ଶୀଘ୍ର ଶୁଖାଇବା ପାଇଁ କକ୍ୟୁୟମିନ ବା ହଳଦୀ ଲେପ ଥିବା ବ୍ୟାଣ୍ଡେଜ୍ ବିକାଶ କରିବାକୁ ଯୋଜନା କରିଥିଲେ ଆଇଏଲ୍ଏସର ବୈଜ୍ଞାନିକ।

ତେବେ ଏହି ସ୍ୱତନ୍ତ୍ର ବ୍ୟାଣ୍ଡେଜରେ ବ୍ୟବହାର ହୋଇଛି ବାୟୋକମ୍ପାଟେବଲ ଓ ବାୟୋଡିଗ୍ରେଡେବଲ ସାଇଟୋସାନ୍ ଓ ଆଲ୍ଜିନେଟ୍ ପଲିମର୍। ଯାହାକି କ୍ଷତ ସହ ଆପେ ଆପେ ମିଶିଯିବ।  ଶରୀରର କୌଣସି ଅଙ୍ଗରେ କ୍ଷତ ହେଲେ, ରକ୍ତ ଜମାଟ ବାନ୍ଧିବା ପାଇଁ ମଧ୍ୟ ବ୍ୟବହାର ହୋଇପାରିବ ଏହି ବ୍ୟାଣ୍ଡେଜ୍। ଏହାସହ ପୋଡ଼ା ଘାକୁ ମଧ୍ୟ ଭଲ କରିବାର କ୍ଷମତା ରଖିଛି ଏହି ବ୍ୟାଣ୍ଡେଜ୍ । ବୈଜ୍ଞାନିକ ସଞ୍ଜୀବ ସାହୁଙ୍କ ଦ୍ୱାରା ବିକଶିତ କକ୍ୟୁୟମିନ ବ୍ୟାଣ୍ଡେଜରେ ଟେକ୍ନୋଲୋଜି ପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ଭାରତ, ଆମେରିକା, ୟୁରୋପ ଓ ଅଷ୍ଟ୍ରେଲିଆରେ ପ୍ୟାଟେଣ୍ଟ ପଞ୍ଜୀକରଣ କରିଛି। ଏପରିକି ଜନସାଧାରଣଙ୍କ ପାଇଁ ଏହି ବ୍ୟାଣ୍ଡେଜକୁ ବଜାରରେ ଉପଲବ୍ଧ କରାଇବାକୁ ଆଇଏଲ୍ଏସ୍ ଏକ ଘରୋଇ କମ୍ପାନି ସହ ଚୁକ୍ତିବଦ୍ଧ ହୋଇଛି।

ତେବେ ଏହା ନିଶ୍ଚତ ଫଳପ୍ରଦ ହେଉଥିବା ସେ କହିଛନ୍ତି। ସାଧାରଣ ଭାବରେ ଡାଇବେଟିସ ରୋଗୀଙ୍କର ଘା ହେଲେ ତାହା ସହଜରେ ସୁଖେ ନାହିଁ। କିନ୍ତୁ ଏହି ବ୍ୟାଣ୍ଡେଜ୍‌ ଯଦି ଘା ଶୁଖାଇ ଦେଉଛି ତାହା ନିଶ୍ଚିତ ଏକ ଭଲ ଖବର।

You might also like