ଗୁମୁରି କାନ୍ଦୁଛି ଗଜପତି : ଉଭୟ ମାତୃଭୂମି ଏବଂ ମାତୃଭାଷା ବିପଦରେ

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୦ ବର୍ଷ ପରେ ପରିଚୟ ଖୋଜୁଛି ଓଡ଼ିଆ ଭାଷା

ମାତୃଭୂମି ଏବଂ ମାତୃଭାଷାକୁ ସୁରକ୍ଷା ଦେବାରେ ସରକାର ଯେତିକି ବିଫଳ, ଏଥିପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରେ ତଥାକଥିତ ବୁଦ୍ଧିଜୀବି ସେତିକି ସମ୍ବେଦନହୀନ । ତେଣୁ ଆଜି ଉଭୟେ ମାତୃଭୂମି ଏବଂ ମାତୃଭାଷା ବିପଦରେ । ଏଭଳି କହିବାର ମାନେ ବୁଝିବାକୁ ହେଲେ ଓଡିଶାର ଏନ୍ତୁଡିଶାଳ କୁହାଯାଉଥିବା ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିବାକୁ ହେବ । ଏଠାରେ ଅଣଓଡିଆ ଭାଷାର ପ୍ରଭାବ ଏତେ ଯେ, ଓଡିଆ ଭାଷା ଏଠାରେ ନିଜର ପରିଚୟ ଖୋଜିବା ଭଳି ସ୍ଥିତି । କେବଳ ସେତିକି ନୁହେଁ ସରକାରଙ୍କ ଆନ୍ତରିକତା ଅଭାବରୁ ପଡୋଷୀ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ସୀମାରେ ଅନୁପ୍ରବେଶ କରିବାରେ ଲାଗିଛି ।

ଭାଷାଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ କୁଳବୃଦ୍ଧ ମଧୁସୂଦନ ଦାସ ସ୍ୱପ୍ନ ଦେଖିଥିଲେ ସତ, ହେଲେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ବିନା ଏହା କରିବା ଏକ ପ୍ରକାର ଅସମ୍ଭବ ଥିଲା। ଯଦିଓ ଏଥିପାଇଁ ଉତ୍କଳ ସମ୍ମିଳନୀ ଗଠନ କରାଯାଇ ଏହାରି ମାଧ୍ୟମରେ ଦାବି କରିବା ଆରମ୍ଭ ହୋଇ ଯାଇଥିଲା। ତେବେ ଉତ୍କଳ ସମ୍ମିଳନୀର ୧୦ମ ଅଧିବେଶନ ହିଁ ଏହି ଦାବିକୁ ଅଧିକ କ୍ରିୟାଶୀଳ କରିଥିଲା। ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ଏହି ଅଧିବେଶନରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ଆବଶ୍ୟକୀୟ କାର୍ଯ୍ୟକ୍ରମରେ ହେବାକୁ ଥିବା ଖର୍ଚ୍ଚକୁ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନିଜେ ବହନ କରିବୋ ବୋଲି ଘୋଷଣା କରିଥିଲେ।

ଏହାପର ଠାରୁ କୌଣସି ସ୍ଥାନରେ ବୈଠକ ହେଉ କି ଦାବି ଉପସ୍ଥାପନ ପାଇଁ ଗୋଲଟେବୁଲ ବୈଠକରେ ଯୋଗ ଦେବା ପାଇଁ ଲଣ୍ଡନ ଗସ୍ତର ଖର୍ଚ୍ଚ ସବୁ କିଛି ଖର୍ଚ୍ଚ ହୋଇଥିଲା ପାରଳା ମହାରାଜାଙ୍କ ତିଜୋରିରୁ ହିଁ ଯାଇଥିଲା। ଏପରିକି ଓଡିଶା ପ୍ରଦେଶ ମଧ୍ୟରେ ପାରଳାଖେମୁଣ୍ଡିକୁ ରଖିବା ପାଇଁ ପାରଳା ମହାରାଜା ନିଜ ଜମିଦାରିରର ଏକ ତୃତୀୟାଂଶକୁ ମଧ୍ୟ ହରାଇବାକୁ ପଛାଇ ନ ଥିଲେ। ଏଥିରୁ ଓଡିଆ ଭାଷା ପ୍ରତି ତାଙ୍କ ସ୍ନେହ ଓ ଶ୍ରଦ୍ଧା କେତେ ତାହା ସ୍ପଷ୍ଟ ବାରି ହୋଇପଡେ। କେବଳ ସେତିକି ନୁହେଁ, ପାରଳା ମହାରାଜାଙ୍କ ବଳିଷ୍ଠ ଯୁକ୍ତି ମଧ୍ୟ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ବେଶ ସହାୟକ ହୋଇଥିଲା। ତେଣୁ ଏହାକୁ ଓଡିଶାର ଏନ୍ତୁଡିଶାଳ ବୋଲି କୁହାଯାଏ।

ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ଇତି ମଧ୍ୟରେ ୮୦ ବର୍ଷ ବିତି ଯାଇଛି। ଏହି ସମୟ ମଧ୍ୟରେ ଓଡିଆ ଭାଷା ଏହି ଅଂଚଳରେ ବିକଶିତ ହେବା ବଦଳରେ ଅବକ୍ଷୟମୁଖୀ ହୋଇଛି। ଏହାର ଏକମାତ୍ର କାରଣ ହେଲା ଭାଷା ସୁରକ୍ଷା ଆଇନକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଟାଳଟୁଳ ନୀତି ଏବଂ ଅଂଚଳରେ ରହୁଥିବା ଓଡିଆ ଲୋକଙ୍କ ଅଣଓଡିଆ ଭାଷା ପ୍ରୀତି। ପାରଳାଖେମୁଣ୍ଡି ସହରରେ ଜଣେ ଲୋକ ଘେରାଏ ବୁଲି ଆସିଲେ ସେ ଓଡିଶା ବାହାରେ ରହିଛି ଥିବା ଭ୍ରମ ସୃଷ୍ଟି ହେବା ସ୍ୱାଭାବିକ। କାରଣ ବ୍ୟବସାୟିକ ପ୍ରତିଷ୍ଠାନଠାରୁ ଆରମ୍ଭ କରି ବସ୍, ସିନେମା ହଲ୍, ବେସରକାରୀ ପ୍ରତିଷ୍ଠାନ ସବୁଠାରେ ଅଣଓଡିଆ ଭାଷାକୁ ପ୍ରାଧାନ୍ୟ ଦେବା ଦେଖିବାକୁ ମିଳିବ।

ଯେଉଁ କେତେକ ସ୍ଥାନରେ ଓଡିଆ ଲେଖା ହୋଇଛି, ସେଥି ମଧ୍ୟରୁ ଅଧିକାଂଶ ସ୍ଥାନରେ ଓଡ଼ିଆ ଭାଷାକୁ ଅତି କଦାର୍ଥ ଭାବେ ଲେଖା ହୋଇଥିବା ଦେଖିବାକୁ ମିଳିବ। ଯାହାକୁ ନେଇ ସ୍ୱାଭିମାନୀ ଓଡିଆ ସହ୍ୟ କରି ପାରୁ ନଥିଲେ ମଧ୍ୟ କିଛି କରିବାର ଚାରା ସେମାନଙ୍କ ପାଖରେ ନାହିଁ। ଏଥିରେ ସରକାରଙ୍କ ହସ୍ତକ୍ଷେପ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସ୍ଥାନୀୟ ବୁଦ୍ଧିଜୀବିମାନେ କହିଛନ୍ତି।

ଭାଷାର ସୁରକ୍ଷା ପାଇଁ ସରକାର ଯେତିକି ଗୁରୁତ୍ୱ ଦେବା କଥା ତାହା ହେଉନାହିଁ କି ଏଥି ପାଇଁ ସରକାରଙ୍କ ଉପରେ ଯେଭଳି ଚାପ ପ୍ରଯୋଗ କରିବା କଥା ତଥାକଥିତ ଭାଷା ପ୍ରେମୀମାନେ ତାହା କରିବା ଦେଖା ଯାଉନାହିଁ। ଯାହାକି ଓଡ଼ିଆ ଭାଷାକୁ ଅଧିକ ବିପଦ ଆଡକୁ ଠେଲି ଦେଉଛି।


ପଢନ୍ତୁ : ଆଜି ଉତ୍କଳ ଦିବସ; ସାରା ରାଜ୍ୟରେ ଉତ୍ସବର ମାହୋଲ

You might also like