ସମୁଦ୍ରରୁ ଅାବର୍ଜନା ସଫା ପାଇଁ ଅଭିନବ ପ୍ରୟାସ

ଅାରମ୍ଭ ହେଲା ଓସନ କ୍ଲିନ ଅପ୍ ଅପରେସନ

ଅାମେରିକା  : ସଫା ହେବ ସମୁଦ୍ର। ସମୁଦ୍ରର ଅତଳ ଗହ୍ୱରରୁ ଖୋଜି ଅାଣିବ ଅଳିଅା। ଏଥିପାଇଁ ଅାରମ୍ଭ ହୋଇଛି ମିଶନ୍  ଓସନ କ୍ଲିନ ଅପ୍। ଅାମେରିକାର ସାନ୍‌ ଫ୍ରାନ୍‌ସିସ୍କୋ ସହର ନିକଟ ସମୁଦ୍ର ଗର୍ଭରେ ଏଥିପାଇଁ ୨ହଜାର ଫୁଟ ଲମ୍ବର ପାଇପ୍‌ ବିଛାଯାଇଛି।

ପାଇପ୍‌ର ଅାଗରେ ପାଖାପାଖି ୧୦ଫୁଟ ଚଉଡାର ସ୍କ୍ରିନ ରହିଛି। ଏଥିରେ କ୍ୟାମେରା, ସେନସର ସହ ସାଟେଲାଇଟ ଅାଣ୍ଟିନା ଖଞ୍ଜାଯାଇଛି। ଅାଉ ଏଥିପାଇଁ ସୌରଶକ୍ତିର ବ୍ୟବହାର କରାଯାଉଛି।  ଅାଣ୍ଟିନାରୁ ନିୟମିତ ବ୍ୟବଧାନରରେ ସୂଚନା ମିଳିବ। ଏହାପରେ ଅଳିଅାକୁ ସଂଗ୍ରହ କରାଯାଇ ପୁନଃପ୍ରକ୍ରିୟାକରଣ କରାଯିବ। ପାଇପ୍‌ ତଳେ ଜଳଜୀବମାନେ ଯେପରି ସ୍ୱାଭାବିକ ଭାବେ ଯାଇପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଛି।

ପରୀକ୍ଷାମୂଳକ ଭାବେ ଏହି ଉପାୟ କରାଯାଇଛି। ଯଦି ଏହି ପ୍ରୟାସ ସଫଳ ହୁଏ, ତେବେ ଏହା ପ୍ରଥମ ବର୍ଷ ୫୦ଟନ୍ ଅଳିଅା ସଂଗ୍ରହ କରିପାରିବ। ଏପରିକି ଅାସନ୍ତା ୫ବର୍ଷ ମଧ୍ୟରେ ଗ୍ରେଟ୍‌ ପାସିଫିକ୍ ଗାର୍ବେଜ ପ୍ୟାଚ୍‌ର ୫୦ପ୍ରତିଶତ ସଫା କରାଯାଇ ପାରିବ ବୋଲି ଅନୁମାନ କରାଯାଉଛି।

ପ୍ଲାଷ୍ଟିକର ଅପବ୍ୟବହାର ଦ୍ୱାରା ସମୁଦ୍ରରେ ଏବେ ଜମା ହେଉଛି କୁଢକୁଢ ଅଳିଅା। ଅାଉ ଦିନକୁ ଦିନ ଏହା ବଢିବାରେ ଲାଗିଛି। ବର୍ଷକୁ ପ୍ରାୟ ୮ ମିଲିୟନ ଟନ୍ ପ୍ଲାଷ୍ଟିକ ସାମଗ୍ରୀ ଗଦା ହେଉଥିବା ଅାକଳନ କରାଯାଇଛି। କୁଢ କୁଢ ଅଳିଅା ଜମା ହୋଇ ସମୁଦ୍ରର କିଛି ସ୍ଥାନରେ ଛୋଟିଅା ଦ୍ୱୀପର ଭ୍ରମ ସୃଷ୍ଟି କରୁଛି। ପ୍ଲାଷ୍ଟିକ ସାମଗ୍ରୀ ଜଳରେ ମିଶିବା ଦ୍ୱାରା ଜୈବ ବିବିଧତା ଉପରେ ବିପଦ ସୃଷ୍ଟି ହେଉଥିବା ପରିବେଶବିତମାନେ ମତ ଦେଇଛନ୍ତି।

ଓସନ କ୍ଲିନ୍‌ ଅପ୍ ଅପରେସନ ପାଇଁ ପାଖାପାଖି ୩୫ ମିଲିୟନ ଡଲାର ପାଣ୍ଠି ସଂଗ୍ରହ କରଯାଇଛି।  ଏଥିପାଇଁ ୧୬୦ଟି ଦେଶର ୩୮ହଜାର ଲୋକ ସହାୟତାର ହାତ ବଢାଇଛନ୍ତି। ଏଭଳି ଅଭିନବ ଯୋଜନା ପ୍ରସ୍ତୁତ କରିଛନ୍ତି ଓସନ କ୍ଲିନ ଅପ୍ ସିଇଓ ବୟାନ୍ ସ୍ଲାଟ୍।

ବୟସ ମାତ୍ର ୨୪ବର୍ଷ। ନେଦରଲାଣ୍ଡର ଏହି ବୈଜ୍ଞାନିକ ଜଣେ ସଫଳ ଉଦ୍‌ଭାବକ ଓ ଉଦ୍ୟୋଗୀ। କିନ୍ତୁ ଅାପଣ ଜାଣି ଅାଶ୍ଚର୍ଯ୍ୟ  ହେବେ, ବୟାନ୍ ଜଣେ ଡ୍ରପ୍‌ ଅାଉଟ୍ ଛାତ୍ର। ମହାକାଶ ବିଜ୍ଞାନର ପଢୁଥିବା ବେଳେ ଅଧାରୁ ପାଠ ଛାଡି ଏପରି ଅଭିନବ ଯୋଜନାର ରୂପରେଖ ତିଅାରି କରିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ଜାତିସଂଘ ତରଫରୁ ସମ୍ମାନିତ କରାଯାଇଛି। ଏଥିସହ ୟୁରୋପିଅାନ ଇୟର ପୁରସ୍କାର ମଧ୍ୟ ପାଇଛନ୍ତି ସେ।

ସେପଟେ ଓସନ କ୍ଲିନ ଅପ୍ ଅପରେସନ ସଫଳ ହେବ ନାହିଁ ବୋଲି କିଛି ବିଶେଷଜ୍ଞ ମତ ଦେଉଛନ୍ତି। ଏହା ଜୈବ ବିବିଧତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସେମାନେ ଅାଶଙ୍କା କରିଛନ୍ତି।

You might also like