ବଦଳୁଛି ମାନସିକତା ; ସବୁଠି ପ୍ରତିଷ୍ଠିତ ଏବେ ମହିଳାମାନେ

ଭୁବନେଶ୍ୱର : ବଦଳୁଛି ସମାଜ । ଆଉ ତା ସହ ତାଳ ଦେଇ ବଦଳୁଛି ଆମ ମାନସିକତା। ଝିଅ ମାନେ ଏବେ ପୁଅଙ୍କଠୁ ଗୋଟିଏ ପାଦ ଆଗରେ । ଶିକ୍ଷା, କ୍ରୀଡ଼ା, କଳା ସବୁଠି ଏବେ ଝିଅଙ୍କ ଦବଦବା।

କନ୍ୟାଟିଏ, ସେ କେତେବେଳେ ମାଆ ତ କେତେବେଳେ ଭଉଣୀ। କେତେବେଳେ ଲକ୍ଷ୍ମୀ ତ ପୁଣି କେତେବେଳେ ଲକ୍ଷ୍ମୀବାଈ । ଭିନ୍ନ ତାର ରୂପ ଅନେକ ତାର ପରିଚୟ । ସୃଷ୍ଟିର ସେ ହେଉଛି ଅନନ୍ୟ ଅବଦାନ।

 ଶିଶୁ ତାର ପ୍ରଥମ ଭାଷା ମାଆଠୁ ହିଁ ଶିଖେ । ଶିକ୍ଷା, ଦାନ, ଧର୍ମ ସବୁଠି ମହିଳାଙ୍କ ସ୍ଥାନ ସ୍ୱତନ୍ତ୍ର। ତେବେ ଏତେ ସବୁ ପରେ, ଏବେ ବି ଜନ୍ମ ନେବା ପାଇଁ ପ୍ରତିଦିନ ସଂଘର୍ଷ କରେ କୁନି ଝିଅଟିଏ । ଆଉ ଯଦି ଜନ୍ମ ନେବା ପରେ ସମାଜକୁ ଚାଲି ଆସେ ,ତେବେ ଶିକ୍ଷା ଓ କର୍ମ କ୍ଷେତ୍ରରେ ଏବେ ବି ତା ସହ ହୁଏ ପାତର ଅନ୍ତର ।

ହେଲେ ଏମିତି କିଛି ମହିଳା ଯିଏ କି ଆଜି ନିଜକୁ ସ୍ୱତନ୍ତ୍ର ପରିଚୟ ଦେଇପାରିଛନ୍ତି । ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପ୍ରମାଣିତ କରିଛନ୍ତି ହମ୍ ଭି କିସି ସେ କମ୍ ନହି । ଇନ୍ଦିରାଙ୍କ ଠାରୁ ଆରମ୍ଭ କରି କଳ୍ପନା, ପ୍ରତିଭା ପାଟିଲ୍‌ଙ୍କ ଠାରୁ  କିରନ୍ ବେଦୀ । ସମସ୍ତେ ନିଜ ନିଜ କ୍ଷେତ୍ରରେ ଆଗୁଆ ।

ଏପରି କିଛି ଝିଅ ଯିଏ କି ଓଡ଼ିଶାର ନାଁକୁ ବି ଜାତୀୟ ଓ ବିଶ୍ୱସ୍ତରରେ ଗୌରବାନ୍ୱିତ କରିଛନ୍ତି। ଜଣେ ହେଲେ ସାଇନା ସଲୋନିକା ,ଯାହାଙ୍କ ନାଁ ହି ଯଥେଷ୍ଟ । ଭାରତର କିଛି ବଛା ଓ ଟପ୍ ଜୁନିୟର ଚେସ୍ ଖେଳାଳି ଭିତରେ ସେ ହେଉଛନ୍ତି ଅନ୍ୟତମ । ସାଇନାଙ୍କୁ ନେଇ ତାଙ୍କ ପରିବାର ଲୋକେ ଗର୍ବିତ।

ଅଭିନୟ କ୍ଷେତ୍ରରେ ମଧ୍ୟ ଝିଅ ମାନେ ଏବେ ପୁଅଙ୍କଠୁ ଗୋଟିଏ ପାଦରେ ଆଗରେ । ଏହାକୁ ପ୍ରମାଣିତ କରିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା। ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତା କିମ୍ବା ଓଡ଼ିଆ ଫିଲ୍ମ , ନିଜ ସ୍ୱତନ୍ତ୍ରତା ପାଇଁ ସବୁବେଳେ ସେ ପରିଚିତ । ଅର୍ଚ୍ଚିତା ଓ ତାଙ୍କ ଭଉଣୀଙ୍କୁ ନେଇ ବେଶ ଗର୍ବିତ ତାଙ୍କ ପରିବାର । ସେହିଭଳି ଦୂତି ଚାନ୍ଦ । ଆଥଲେଟିକ୍ସରେ ନିଜ ଆଧିପତ୍ୟ ବିସ୍ତାର କରିଥିବା ଦୂତି ଏବେ ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି।

ବଦଳୁଛି ସମାଜର ମାନସିକତା । ପୁଅ ଝିଅ ଭିତରେ ପାର୍ଥକ ଭୁଲି ଏବେ ଉଭୟଙ୍କୁ ଆଗେଇ ନେବାର ସମୟ ଆସିଛି।

You might also like