ସରକାରଙ୍କ ଦୃଷ୍ଟି ଆଢୁଅାଳରେ ପୁରୀ କପିଳେଶ୍ୱରର ପୁରାତନ ଅତିବଡ଼ି ବିଦ୍ୟାପୀଠ
୪୯ ବର୍ଷ ପରେ ବି ସ୍କୁଲକୁ ନାହିଁ ଭଲ ରାସ୍ତା
ପୁରୀ : ରାସ୍ତାରେ ଅାଣ୍ଠୁଏ ଉଚ୍ଚର ପାଣି। ଅାଉ ପାଣି ଭିତରେ କିଛି ଛାତ୍ର ଚାଲି ଚାଲି ସ୍କୁଲ ଯାଉଛନ୍ତି ତ ଅାଉ କିଛି ଛାତ୍ର ସାଇକେଲରେ ସ୍କୁଲକୁ ଯାଇଛନ୍ତି। କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଏହି ରାସ୍ତା ଦେଇ ସ୍କୁଲକୁ ଯାଅାନ୍ତି। ସ୍କୁଲକୁ ଭଲ ରାସ୍ତା ନ ଥିବାରୁ ଏଭଳି ଅବସ୍ଥାରେ ସ୍କୁଲ ଯାଉଛନ୍ତି ପୁରୀ ଜିଲ୍ଲା କପିଳେଶ୍ୱର ସ୍ଥିତ ଅତିବଡ଼ି ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ।
ଟିକେ ବର୍ଷାରେ ଅବସ୍ଥା ଖରାପ। ରାସ୍ତାର ଗୋଟିଏ ପାଖରେ ପୋଖରୀ ଅାଉ ଅପର ପାର୍ଶ୍ୱରେ ଅଛି ବିଲ। ତେବେ ରାସ୍ତାରେ ପାଣି ଜମି ଯିବାରୁ ସାଇକେଲରେ ଯିବା ଅାସିବା ସମୟରେ ପାଣି ବି ପଡ଼ି ଖଣ୍ଡିଅା ଖାବରା ହୋଇଥାନ୍ତି ପିଲାଏ। ଯାହାକୁ ନେଇ ସମସ୍ତେ ଅସନ୍ତୋଷ।
୧୯୭୦ ମସିହାରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ନାମରେ ପ୍ରତିଷ୍ଠା ହୋଇଥିଲା ସ୍କୁଲଟି । ୨୦୧୯ରେ ବିଦ୍ୟାଳୟରେ ପାଳନ ହେବ ୫୦ ବର୍ଷ ପୂର୍ତ୍ତି ଉତ୍ସବ। ହେଲେ ଏପର୍ଯ୍ୟନ୍ତ ରାସ୍ତାରେ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ରାସ୍ତାର ଦୂରବସ୍ଥାକୁ ସ୍ୱୀକାର କରିବା ସହ ରାସ୍ତା ନିର୍ମାଣ ପାଇଁ ଅର୍ଥର ବ୍ୟବସ୍ଥା ହୋଇଛି ଏବଂ ଯଥାଶୀଘ୍ର ରାସ୍ତାକାମ କରାଯିବ ବୋଲି ବ୍ରହ୍ମଗିରି ବିଡ଼ିଓ କହିଛନ୍ତି।