ନଦୀ ପାଲଟିଛି ଚଲାପଥ

ଗଜପତି : ବିପଦ ସଂକୁଳ ଉଛୁଳା ନଈରେ ପାର ହେଉଛନ୍ତି ଲୋକେ। ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଲାଗି କିଏ ସାଇକେଲକୁ ବୋହି ତ କିଏ ପ୍ରଖର ସ୍ରୋତକୁ ଖାତିର ନକରି ପିଲାଙ୍କୁ କାନ୍ଧରେ ଧରି ହେଉଛନ୍ତି ନଈପାର।

ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ସମ୍ବଲପୁର ପଞ୍ଚାୟତର ୯ ଖଣ୍ଡ ଗ୍ରାମବାସୀଙ୍କ ପାଇଁ ଏହି ନଈ ପାଲଟିଛି ଚଲାରାସ୍ତା। ବର୍ଷା ଋତୁରେ ୩ ମାସ ଏମାନେ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ। ଏଠାରେ ପୋଲ ନିର୍ମାଣ ଲାଗି ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି। ହେଲେ ଉପରିସ୍ତ ଅଧିକାରୀ କେହି ଶୁଣୁନଥିବା ଅଭିଯୋଗ ହୋଇଛି। ବର୍ଷା ପରେ ପୋଲ ନିର୍ମାଣ ଲାଗି ପଦକ୍ଷେପ ନିଆନଗଲେ ନିର୍ବାଚନ ବର୍ଜନ କରିବାକୁ ପଞ୍ଚାୟତବାସୀ ଧମକ ଦେଇଛନ୍ତି।

୨୦୧୭-୧୮  ମସିହାରେ ମନରେଗା ଯୋଜନାରେ ନଦୀ କୂଳରୁ ଗୁରୁଡ଼ା ଯାଏଁ ରାସ୍ତା ନିର୍ମାଣ ଲାଗି ୫ ଲକ୍ଷ ଟଙ୍କା ଆସିଥିଲା। ତେବେ ନଦୀ ଉପରେ ପୋଲ ନିର୍ମାଣ ଲାଗି ଅର୍ଥ ନ ଆସିବା ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ପୋଲ ନିର୍ମାଣ ଲାଗି ପଞ୍ଚାୟତ ସମିତି ରେଜୋଲ୍ୟୁସନ କରି ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଠାଇଥିବା ବିଡିଓ କହିଛନ୍ତି। ଅର୍ଥ ଆସିଲେ ବର୍ଷା ଋତୁପରେ ପୋଲ ନିର୍ମାଣ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Comments
Loading...