ବିପଦରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ

କୋରାପୁଟ: ପ୍ରବଳ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ିଛି। କିଛି ଅଞ୍ଚଳ ବିଚ୍ଛିନ୍ନ ହୋଇପଡ଼ିଛି। ନଦୀରେ ପୋଲଟିଏ ନଥିବାରୁ କେଉଁଠି ଅସ୍ଥାୟୀ ପୋଲ ଉପରେ ଲୋକ ନିର୍ଭର କରୁଛନ୍ତି, ତ ଆଉ କେଉଁଠି ଲୋକଙ୍କ ପାଇଁ ଅଭ୍ୟାସରେ ପଡ଼ିଗଲାଣି ବିପଦପୂର୍ଣ୍ଣ ଯାତ୍ରା। ପ୍ରଶାସନ କିନ୍ତୁ ପ୍ରତିଶ୍ରୁତି ଦେଇଚାଲିଛି । ତେଣୁ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବା ସତେ ଯେମିତି ଅଭ୍ୟାସରେ ପଡ଼ିଗଲାଣି । 

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ର ଉପାପଡ଼ା ନଦୀରେ ବିପଦପୂର୍ଣ୍ଣ ଭାବେ ପୋଲରେ ପାର ହେଉଛନ୍ତି ଛାତ୍ରଛାତ୍ରୀ। ନଦୀରେ ପାଣି ଆସିଥିବାରୁ ନିଶୁଣିରେ ଚଢ଼ି ଏକ ପାଇଲ ଦେଇ ଉପରକୁ ଚଢୁଛନ୍ତି ଛାତ୍ରଛାତ୍ରୀ। ଏହାପରେ ଅନ୍ୟ ଏକ ପାଇଲ ଦେଇ ମାଟିରାସ୍ତା ଦେଇ ନଦୀ ପାର ହେଉଛନ୍ତି। ଆଖପାଖର ୬ଟି ଗ୍ରାମବାସୀଙ୍କ ଏହା ନିତିଦିନିଆ ଘଟଣା। କେବଳ ଛାତ୍ରଛାତ୍ରୀ ନୁହଁନ୍ତି, ରୋଗୀଙ୍କୁ ନେବାଲାଗି ମଧ୍ୟ ଅନେକ ଅସୁବିଧା ଭୋଗିବାକୁ ପଡୁଛି। ଠିକାଦାରଙ୍କ ଅବହେଳାରୁ ୪ ବର୍ଷ ହେଲା ବ୍ରିଜ୍ ଏମିତି ପଡ଼ି ରହିଥିବା ଲୋକେ ଅଭିଯୋଗ କରିଛନ୍ତି। ସେପଟେ ବ୍ରିଜ୍ ନିର୍ମାଣ ନେଇ ଠିକାଦାରଙ୍କୁ ନୋଟିସ ଦିଆଯାଇଛି। ଆସନ୍ତା ନଭେମ୍ବର ସୁଦ୍ଧା କାମ ସରିବ ବୋଲି ସେ କହିଛନ୍ତି।

ରାୟଗଡ଼ା ଜିଲ୍ଲା କଲ୍ୟାଣ ନଦୀ ପାରହେବାକୁ ମଧ୍ୟ ସମାନ ଅବସ୍ଥା। ରବର ଟ୍ୱିଉବ୍‌ ଓ ବାଉଁଶରେ ନିର୍ମିତ ଭେଳାରେ ବିପଦପୂର୍ଣ୍ଣ ଭାବେ ନଦୀ ପାର ହେଉଛନ୍ତି ଲୋକେ। ଛାତ୍ରଛାତ୍ରୀମାନେ ମଧ୍ୟ ବିପଦପୂର୍ଣ୍ଣ ଅବସ୍ଥାରେ ଭେଳାରେ ବସି ପାର ହେଉଛନ୍ତି। ଭେଳାରେ ଗାଡ଼ି ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପାର କରୁଛନ୍ତି। ଗତ ଜୁଲାଇରେ ବନ୍ୟାପାଣିରେ ଭାସି ଯାଇଥିଲା କଲ୍ୟାଣୀ ପୋଲ। ଓଟିଭିରେ ଖବର ପ୍ରସାରଣ ପରେ ନଦୀ ଉପରେ ପ୍ରଶାସନ ଏକ ଅସ୍ଥାୟୀ ପୋଲ ନିର୍ମାଣ କରିଥିଲା। ତେବେ ଗତ କିଛି ଦିନର ବର୍ଷାରେ ଏହି ପୋଲ ମଧ୍ୟ ଭାସିଗଲା। ପୋଲ ନିର୍ମାଣ କରିବାକୁ ଲୋକେ ଦାବି କରିଥିବାବେଳେ, ସୁରକ୍ଷିତ ନଦୀ ପାରହେବା ସହ ରାସ୍ତାରେ ଯିବାକୁ ବିକଳ୍ପ ଗାଡ଼ି ବ୍ୟବସ୍ଥା କରିବାକୁ କଲ୍ୟାଣସିଂହପୁର ତହସିଲଦାର କହିଛନ୍ତି।

(କୋରାପୁଟ ଲମତାପୁଟରୁ ଜଗତଜୀବନ କଚିମଙ୍କ ସହ ରାୟଗଡ଼ା କଲ୍ୟାଣସିଂହପୁରରୁ ମାଉଡି ବାରିକଙ୍କ ରିପୋର୍ଟ)

You might also like