ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ରାଉରକେଲା: ଭଲ ପାଠ ପଢି ସାର୍ଟିଫିକେଟ ହାସଲ କରିବା, ବଡ ଚାକିରି କରି ବହୁତ ଟଙ୍କା ଉପାର୍ଜ୍ଜନ କରିବା  ସଫଳତାର ମାପକାଠି ନୁହେଁ। ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେବା, ଅନ୍ୟକୁ ସହାୟତାର ହାତ ବଢାଇବା, ନିଜ ଭିତରର ମଣିଷ ପଣିଆର ଆହ୍ୱାନକୁ ଶୁଣିବାରେ ହିଁ ରହିଛି ମଣିଷ ଜୀବନର ସଫଳତା। ଜୀବନର ଏଇ ସତ୍ୟକୁ ବୁଝି ପାରିଛନ୍ତି ରାଉରକେଲା ଏନଆଇଟିର ଏଇ ଛାତ୍ରଛାତ୍ରୀମାନେ। ସେଥିପାଇଁ ତାଙ୍କ ପାଖରେ ଜ୍ଞାନର ଆଲୋକଙ୍କୁ ବାଣ୍ଟୁଛନ୍ତି ଗରିବ ବସ୍ତିରେ। ଯେଉଁମାନେ ଅର୍ଥାଭାବରୁ ପାଠ ପଢିବାରୁ, ଟ୍ୟୁସନ ଯିବାରୁ ବଞ୍ଚିତ ହେଉଛନ୍ତି ସେମାନଙ୍କ ପାଖରେ ପହଞ୍ଚି ପାଠ ପଢାଉଛନ୍ତି ଏନଆଇଟି ଛାତ୍ରଛାତ୍ରୀ, ତା ପୁଣି ମାଗଣାରେ।

ଆଜକୁ ୧୫ ବର୍ଷ ତଳେ ମହତ୍‌ କାମର ଶୁଭାରମ୍ଭ ହୋଇଥିଲା।  ଏନଆଇଟିର କିଛି ଛାତ୍ର ପାଠପଢା ସହ କିଛି ଭଲ କାମ କରିବାର ଅଭିପ୍ରାୟ ନେଇ ଆରମ୍ଭ କରିଥିଲେ ଏପରି ଅଭିଯାନ। ଗଢିଥିଲେ ଆଶ୍ରା ନାମକ ଏକ ସଂଗଠନ। ଏନଆଇଟିରେ ପଢୁଥିବା ୨୩୦ ପିଲା ଏହାର ସଦସ୍ୟ। ସନ୍ଧ୍ୟା ହେଲେ ମୁଖ୍ୟ ଫାଟକ ସମ୍ମୁଖରେ ଭିଡ଼ ଜମିଯାଏ। ଏଇଠାରେ ନିଷ୍ପତ୍ତି ନିଆଯାଏ କିଏ କେଉଁଠିକୁ ଯିବ। ତା’ ପରେ ସାଇକେଲ ଧରି ବାହାରି ଯାଆନ୍ତି ନିଜ ନିଜ ଲକ୍ଷ୍ୟସ୍ଥଳକୁ।

ଜଗଦା ସ୍ଥିତ ମାନବ ସେବା ଅନୁଷ୍ଠାନ, ସେର ୨ ବସ୍ତି, ସେର ୨୧ ଲେପ୍ରସି କଲୋନି, ସେର ୬ ବସ୍ତି, ଓଏସଏପି ଲେପ୍ରସି କଲୋନି, ଖାଲସା ବସ୍ତି, ଛେଣ୍ଡ ଆଦି ୮ଟି ବସ୍ତି ଅଞ୍ଚଳରେ ଆରମ୍ଭ ହୁଏ ପାଠପଢା। ଛୋଟବଡ଼ ଗରିବ, ଅନାଥ ପିଲାମାନଙ୍କୁ ଏକାଠି କରାଇ ବସ୍ତିର ମଣ୍ଡପ ବା କ୍ଲବ ଘରେ ଚାଲେ ପାଠପଢା। ଯାତାୟାତ ଖର୍ଚ୍ଚ ଠାରୁ ଅନ୍ୟାନ୍ୟ ଅନୁସଙ୍ଗିକ ଖର୍ଚ୍ଚ ସବୁକିଛି ପିଲାମାନେ ନିଜ ପକେଟରୁ ଦେଇଥାନ୍ତି।  ୧୫ ବର୍ଷ ତଳୁ ଚାଲି ଆସିଥିବା ଏଇ ମହାନ୍‌ ପରମ୍ପରାକୁ ଆଜି ବି ଏଇ ଛାତ୍ରଛାତ୍ରୀମାନେ ବଜାୟ ରଖିଛନ୍ତି।

ପିଲାଙ୍କୁ ଖାଲି ପାଠ ପଢାଇବା ଏମାନଙ୍କର ଲକ୍ଷ୍ୟ ନୁହେଁ, ପିଲା କିପରି ଭଲ ପଢିବେ, ପାଠରେ ଥିବା ଛୋଟବଡ ସବୁ ସମସ୍ୟାକୁ କିପରି ଦୂର କରିପାରିବେ ସେଥିପାଇଁ  ଗୋଟିଗୋଟି କରି ପ୍ରତ୍ୟେକ ପିଲାଙ୍କ ପାଖକୁ ଯାଇ ବୁଝାଇଥାନ୍ତି ଏନଆଇଟି ଛାତ୍ରଛାତ୍ରୀ। ପିଲାମାନେ ବି ଏମାନଙ୍କ ପାଖରେ ପଢିବାକୁ ବେଶ ଆଗ୍ରହୀ।

ଏନଆଇଟିରେ ପଢିବା ପାଇଁ କାହିଁ କେତେ ଦୂରରୁ ପିଲା ନିଜର ବାପା-ମା’ ପରିବାର ଛାଡ଼ି  ଏଠାକୁ ଧାଇଁ ଆସିଥାନ୍ତି। ନିଜେ ପଢିବା ସହ ଗରିବ ପିଲାଙ୍କୁ ଶିକ୍ଷା ଦାନ କରି ଏମାନେ ବେଶ୍‌ ଆତ୍ମତୃପ୍ତି ଲାଭ କରିଥାନ୍ତି। ଏପରିକି ଏହି ପିଲାଙ୍କ ପାଖରେ ଏମାନେ ନିଜ ପରିବାର ଅନୁଭୂତି ପାଇଥାନ୍ତି ବୋଲି କହନ୍ତି। ସେତିକି ନୁହେଁ, ପଢାଇବାକୁ ଆସିଲାବେଳେ ଛାତ୍ରଛାତ୍ରୀମାନେ ନିଜ ସାଧ୍ୟମତେ ଅନାଥ ଓ ଗରିବ ପିଲାଙ୍କ ପାଇଁ ବହି, ଚକ୍‌ଲେଟ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ବି  ଆଣିଥାନ୍ତି। ଛୋଟ ପିଲାମାନେ ଏସବୁ ପାଇ ବେଶ ଖୁସି। ପାଠ ପଢିବିନି ବୋଲି କହି ଜିଦ୍‌ କରୁଥିବା ଅଝଟ ପିଲାଟି ବି ଆଜିକାଲି ଏଇ ଏନଆଇଟି ଛାତ୍ରଛାତ୍ରୀଙ୍କ ସ୍ନେହ, ଶ୍ରଦ୍ଧା ପାଇ ପାଠ ପଢିବାକୁ ଧାଇଁ ଆସୁଛି।

ଏଠି ଖାଲି ପାଠପଢା ଚାଲେନି। ହସ, ଖୁସି ମୌଜମଜଲିସ ବି ଚାଲେ। ଅନାଥ ଗରିବ ପିଲାଙ୍କ ସହ ଖେଳି, ମଜା କରି ଏନଆଇଟି ପିଲମାନେ ଖୁବ୍‌ ଖୁସି ଅନୁଭବ କରନ୍ତି। ଏନଆଇଟି ପିଲାଙ୍କ ଏପରି ମହାନ କାମକୁ ସାରା ସହରରେ ବେଶ ପ୍ରଶଂସା କରୁଛନ୍ତି।

 

ଆହୁରି ପଢ଼ନ୍ତୁ

You might also like