ନୀଳଗରି: ନୀଳଗିରିରେ ଟୟଲେଟ୍ ମ୍ୟାନ୍ ନରେନ୍ଦ୍ରଙ୍କୁ ନେଇ ଭାରି ଚର୍ଚ୍ଚା ହେଉଛି। କାରଣ ଏକ ଶୌଚାଳୟକୁ ସେ  ନୂଆ ରୂପ ଦେଇଛନ୍ତି। ଯିଏ ଦେଖୁଛି ପ୍ରଶଂସା ନକରି ରହିପାରୁନି।

ଏହି ଶୌଚାଳୟରେ ଲାଗିଛି ଟିଭି, ଫ୍ୟାନ୍, ମ୍ୟୁଜିକ୍ ସିଷ୍ଟମ ଏବଂ ରଙ୍ଗବେରଙ୍ଗର ଲାଇଟ୍। ଏଥିସହ ସୁନ୍ଦର ସୁନ୍ଦର ଫୁଲରେ ବି ସଜାଯାଇଛି। ଭିତରକୁ ପୁରା ସଫା ସୁତରା କରାଯାଇଛି। ସାନିଟାଇଜର ମଧ୍ୟ ରଖାଯାଇଛି।

ନୀଳଗିରି ଗୁଣ୍ଡିଚା ମନ୍ଦିର ନିକଟରେ ରହିଛି ଏହି ଟଏଲେଟ୍। ଯାହାର ସଫେଇ ଦାୟିତ୍ୱରେ ଅଛନ୍ତି ନରେନ୍ଦ୍ର ପ୍ରଧାନ। ଗୁଣ୍ଡିଚା ମନ୍ଦିର ବୁଲିବାକୁ ଆସୁଥିବା ଦର୍ଶନାର୍ଥୀ ଶୌଚାଳୟ ଭିତରକୁ ଆସିଲେ ତାଙ୍କୁ ମିଳୁଛି ନିଆରା ଅନୁଭବ।

ଶୌଚାଳୟର ଚେହେରା ବଦଳାଇ ଦେଇଥିବା ନରେନ୍ଦ୍ର, ପୂର୍ବରୁ ଯାତ୍ରାପାର୍ଟିରେ ହାସ୍ୟ କଳାକାର ଭାବେ ଅଭିନୟ କରୁଥିଲେ। ତେବେ ସେ ସ୍ୱାସ୍ଥ୍ୟଗତ କାରଣରୁ ଅଭିନୟ ଛାଡ଼ି ଜନସ୍ୱାସ୍ଥ୍ୟ ବିଭାଗର ଏହି ଶୌଚାଳୟକୁ କର୍ମସ୍ଥଳ ଭାବେ ବାଛିଛନ୍ତି। ବିନା ପାରିଶ୍ରମିକରେ ସଫେଇ କରୁଛନ୍ତି।  ଯଦିଓ ଏବେ ତାଙ୍କୁ କଳାକାର ଭତ୍ତା ବାବଦରେ ୧୨ଶହ ଟଙ୍କା ମିଳୁଛି ତେବେ ତାଙ୍କର ମୁଖ୍ୟ ଲକ୍ଷ୍ୟ ସ୍ୱଚ୍ଛତା। ସ୍ୱଚ୍ଛ ଭାରତ, ସ୍ୱଚ୍ଛ ଓଡ଼ିଶା, ସ୍ୱଚ୍ଛ ନୀଳଗିରି ଗଢ଼ିବା ଲକ୍ଷ୍ୟରେ ତାଙ୍କର ଅଭିଯାନ ଜାରି ରହିବ ବୋଲି ନରେନ୍ଦ୍ର କହିଛନ୍ତି।

Other Stories