ଏଣିକି କେବଲ ଓ DTHରେ ଚାନେଲ ଅନୁସାରେ ଟଙ୍କା

ଟ୍ରାଇର ନୂଆ ଟାରିଫ୍ ନୀତିରେ ଗ୍ରାହକଙ୍କୁ ଫାଇଦା ଆଶା

ନୂଆଦିଲ୍ଲୀ : ଏଣିକି ଉପଭୋକ୍ତା ଯେଉଁ ଚାନେଲ ଦେଖିବେ କେବଳ ସେଇ ଚ୍ୟାନେଲ ପାଇଁ ପଇସା ଦେବେ। ଟେଲିକମ୍ ନିୟନ୍ତ୍ରଣ ନିୟାମକ ବା ଟ୍ରାଇର ନୂଆ ଟାରିଫ୍ ନୀତି ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହେବ। ଚାନେଲ ଦର ନିର୍ଦ୍ଧାରଣ ପ୍ରକ୍ରିୟାରେ ସ୍ପଷ୍ଟତା ଆଣିବା ଲାଗି ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହାଦ୍ୱାରା କେବୁଲ ଓ ଡିଟିଏଚ୍ ଅପରେଟରଙ୍କ ସହ ଉପଭୋକ୍ତା ବି ଉପକୃତ ହେବେ ବୋଲି ଟ୍ରାଇ ଯୁକ୍ତି ଦର୍ଶାଇଛି।

କେବୁଲ ଅପରେଟର ଏହି ବ୍ୟବସ୍ଥାକୁ ସ୍ୱାଗତ କରିଥିଲେ ବି ଗ୍ରାମାଞ୍ଚଳର ଉପଭୋକ୍ତାଙ୍କ ଉପରେ ବୋଝ ପଡିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

ଟ୍ରାଇର ନୂଆ ଦର ନିର୍ଦ୍ଧାରଣ ବ୍ୟବସ୍ଥା ଅନୁଯାୟୀ କେବୁଲ ଓ DTH ଉପଭୋକ୍ତା ମାସିକ ୧୫୩ ଟଙ୍କାରେ ଦୂରଦର୍ଶନର ୨୬ଟି ବାଧ୍ୟତାମୂଳକ ଚାନେଲକୁ ମିଶାଇ ଶହେଟି ଫ୍ରି ଟୁ ଏୟାର ଚାନେଲ ଦେଖିପାରିବେ। ଅଧିକ ୨୦ ଟଙ୍କା ଦେଲେ ଆଉ ୨୫ଟି ଫ୍ରି ଟୁ ଏୟାର ଚାନେଲ ଦେଖିହେବ। ତେବେ ପେ-ଚାନେଲ କ୍ଷେତ୍ରରେ ଉପଭୋକ୍ତା ଯେଉଁ ଯେଉଁ ଚାନେଲ ଦେଖିବାକୁ ଚାହିଁବେ କେବଳ ସେଇ ଚାନେଲ ପାଇଁ ହିଁ ପଇସା ଦେବେ।

ପ୍ରତି ଚାନେଲର ଦର ୧ରୁ ୧୯ ଟଙ୍କା ମଧ୍ୟରେ ନିର୍ଦ୍ଧାରଣ କରାଯାଇଛି। ଅପରେଟରମାନେ ଗ୍ରାହକଙ୍କ ସୁବିଧା ଲାଗି ପ୍ରତି ଚାନେଲର ଦର ପ୍ରଦର୍ଶିତ କରିବେ। ନୂଆ ନିୟମ ଦ୍ୱାରା ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ବୋଲି ହେଉଥିବା ଯୁକ୍ତିକୁ ଟ୍ରାଇ ଅଗ୍ରାହ୍ୟ କରିଛି।

ନୂଆ ନିୟମ ଲାଗୁ ହେବାକୁ ଯାଉଥିବାରୁ  ଡିସେମ୍ବର ୨୯ ତାରିଖରୁ ଜଣେ ଉପଭୋକ୍ତା ନିଜ ପସନ୍ଦର ଚ୍ୟାନେଲ ଦେଖିପାରିବେ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଟ୍ରାଇ ଖଣ୍ଡନ କରିଛି। ଉପଭୋକ୍ତା କିପରି ନୂଆ ବ୍ୟବସ୍ଥାରେ ସାମିଲ ହେବେ ଓ ନିଜ ପସନ୍ଦର ଚାନେଲ ବିନା କୌଣସି ବାଧାରେ ଦେଖିପାରିବେ ସେନେଇ  ବିସ୍ତୃତ ମାଇଗ୍ରେସନ ପ୍ଲାନ୍ ପ୍ରସ୍ତୁତ କରାଯାଇ ଏବଂ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ କେବୁଲ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଟ୍ରାଇ କହିଛି।

You might also like