• translate
Biswobandita Swain
  • ବିଶ୍ୱବନ୍ଦିତା ସ୍ୱାଇଁ

ଢ଼େଇର ଅନ୍ଧାରୀ ଗଳିକୁ ବାହାରି ନ୍ୟାୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଆମେ ବାଟସାରା ଯାହା ଛାଡ଼ିଦେଉ, ସେସବୁ ଯନ୍ତ୍ରଣାର ଛିଟା ବହନ କରୁଥିବା ଗୋଟେ ଗୋଟେ ପରିବର୍ତ୍ତନ। ଏ ପରିବର୍ତ୍ତନ ଶକ୍ତ ଏବଂ ସମାନତାର ବାର୍ତ୍ତା ବାଣ୍ଟୁଥିବା ଏକ ସମାଜ ଗଢ଼ିବାକୁ। ନୟାଗଡ଼ ଜିଲ୍ଲାର ୫ବର୍ଷର ଝିଅ ପରୀ ପାଇଁ ନ୍ୟାୟର ଲଢ଼େଇ ସେଭଳି ଏକ ପରିବର୍ତ୍ତନ ପାଇଁ ପ୍ରୟାସର ଅଂଶବିଶେଷ। ଅନେକ ଆଶା ଏବଂ ଅବଶୋଷର ସମୁଦ୍ର ମଧ୍ୟରେ ଏକ ଅଦମନୀୟ ଜିଦ୍ ପାଲଟିଛି ନୟାଗଡ଼ର ଏହି କନ୍ୟା ରତ୍ନ ପାଇଁ ଆରମ୍ଭ ହେଇଥିବା ସଂଗ୍ରାମ। ପରୀର ମୃତ୍ୟୁକୁ ନେଇ ରାଜଧାନୀ ରାଜରାସ୍ତାଠୁ ଆରମ୍ଭ କରି ବିଧାନସଭା, ଏପରିକି ଦିଲ୍ଲୀ ଯାଏ ସବୁଠି ହଇଚଇ। ଏ କୋଳାହଳ ଅନ୍ୟାୟ, ଅସନ୍ତୋଷ, ଅମାନବିକତା ବିରୋଧରେ। ଯାବତୀୟ ଚାପ ଏବଂ ଅବରୋଧ ସତ୍ତ୍ୱେ ପରୀକୁ ନ୍ୟାୟ ଦେବାକୁ ଯାଇ ତା ପରିବାରର ଲଢ଼େଇ ଏ ସଭ୍ୟ ସମାଜ ପାଇଁ ଏକ ଉଦାହରଣ ନିଶ୍ଚୟ।

ନ୍ୟୁୟର୍କର ଲେଖକ ଷ୍ଟିଓ୍ୱାର୍ଟ ଷ୍ଟାଫୋର୍ଡ( Stewart Stafford) ଥରେ କହିଥିଲେ, Victory is always a possibility - but it only happens when you decide to make it your reality ଅର୍ଥାତ୍  ବିଜୟ ଗୋଟିଏ  ସମ୍ଭାବନା କିନ୍ତୁ ଏହା ସେତେବେଳେ ସମ୍ଭବ, ଯେତେବେଳେ  ଆପଣ ଏହାକୁ ବାସ୍ତବତାର ରୂପ ଦେବାକୁ ଚାହିଁବେ। ଆଉ ଏହି ଉକ୍ତିକୁ ପରୀ ଘଟଣାରେ ତା’ ବାପାମାଆଙ୍କଠାରେ ପ୍ରତିଫଳିତ ହୋଇଥିବା ଅନୁଭବ ହୁଏ। ନଚେତ ମା’ ଗର୍ଭରୁ କନ୍ୟା ଭୃଣକୁ ହତ୍ୟା କରି ଆଶ୍ୱସ୍ତ ଅନୁଭବ କରୁଥିବା ଲୋକମାନଙ୍କ ମଧ୍ୟରେ ଝିଅ ମୃତ୍ୟୁର ନ୍ୟାୟ ଖୋଜିବା ପାଇଁ ପରୀ ବାପା ମା’ ଯେଉଁ ଲଢେଇ ଆରମ୍ଭ କରିଛନ୍ତି ତାକୁ ଆମେ କ’ଣ କହିବା?

ନଭେମ୍ବର ୨୪ ତାରିଖ ଦିନ ସକାଳୁ ବିଧାନସଭା ସାମ୍ନାରେ ନୟାଗଡ ଯଦୁପୁରର ଅଶୋକ ସାହୁ ଏବଂ ସୌଦାମିନୀ ସାହୁଙ୍କ ଆତ୍ମହୁତି ଉଦ୍ୟମର ଖବର ମିଳିଲା। ବିଧାନସଭା ବାହାରେ ଏହି ଦମ୍ପତି ଦେହରେ ଡିଜେଲ୍‌ ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ।  ଛୋଟ ବଡ଼ ସମସ୍ତ ଟିଭି ଚ୍ୟାନେଲ୍‌ରେ ଏ ଖବର ପ୍ରସାରଣ କରାଗଲା। ଟେଲିଭିଜନ୍‌ରେ ଲାଇଭ୍ ପରେ ଲାଇଭ୍ ଦେଖି ଏ ଆତ୍ମହୁତି ଉଦ୍ୟମ ପଛର କାରଣ ଜାଣିବାକୁ ମନ ସେତେବେଳେ ବ୍ୟାକୁଳ ପ୍ରାୟ। କିଛି ସମୟ ପରେ ସୌଦାମିନୀ ଏବଂ ଅଶୋକ କ୍ୟାମେରା ସାମ୍ନାରେ କାନ୍ଦି କାନ୍ଦି ଆମ ଝିଅକୁ ନ୍ୟାୟ ଦରକାର ବୋଲି ଚିତ୍କାର କଲେ। ଏ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ସମ୍ପୃକ୍ତ ଅଛନ୍ତି। ସେ ତାଙ୍କ ଝିଅକୁ ଲୋକ ଲଗାଇ ମାରି ତାର ଆଖି ଏବଂ କିଡ୍‌ନୀ କାଢ଼ି ନେଇଥିବା ଅଭିଯୋଗ କଲେ। ପରୀ ମା’ ବାପାଙ୍କର ଏଭଳି ବିସ୍ଫୋରକ ପ୍ରତିକ୍ରିୟା ପରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ଏହି ଘଟଣାର ପ୍ରଭାବ ସମଗ୍ର ରାଜ୍ୟରେ ପଡ଼ିଲା। ନୟାଗଡ଼ ଘଟଣା ନୂଆଦିଲ୍ଲୀ ପହଞ୍ଚିଲା। ବିଧାନସଭାରେ ହୋହଲ୍ଲା ହେଲା। ନେତା ମାନଙ୍କ ବଡ଼ ବଡ଼ ଗାଡ଼ି ନୟାଗଡ଼ ଅଭିମୁଖେ ବାହାରିଲା। ସୋଶିଆଲ୍ ମିଡିଆରେ କିଏ ପରୀକୁ ନ୍ୟାୟ #JusticeForPari ଲେଖି ପୋଷ୍ଟ କଲା ତ କିଏ ଶ୍ରୀମନ୍ଦିର ବାହାରେ ପରୀକୁ ନ୍ୟାୟ ପାଇଁ କଳାଠାକୁର ପାଖେ ଦୀପ ଜାଳିଲା। ଏବେ ବି ପରୀକୁ ନ୍ୟାୟ ପାଇଁ ଲଢ଼େଇ ଜାରି ରହିଛି। ଏସ୍ଆଇଟିର ଅଧିକାରୀ ପରୀ ଘଟଣାର ତଦନ୍ତ କରୁଛନ୍ତି। ଶୀଘ୍ର ପରୀକୁ ନ୍ୟାୟ ନଦେଲେ ଆଗକୁ ପରିସ୍ଥିତି ଆହୁରି ଗମ୍ଭୀର ହେବ ବୋଲି ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ହୋଇଛି। ପରୀକୁ ନ୍ୟାୟ ଲଢେଇ ଆଗକୁ କେଉଁ ମୋଡ଼ ନେବ, ଘଟଣାର ସତ୍ୟତା ଲୋକଲୋଚନକୁ ଆସିବା ପୂର୍ବରୁ ଏ ଗରିବ ପରିବାରର ଲଢ଼େଇ ଦେଖି ଏମିତି ଲାଗୁଛି ଯେମିତି ଏକ ସଚେତନମୂଳକ ପରିବର୍ତ୍ତନଠୁ ବହୁ ଦୂରରେ ସଭ୍ୟ ସମାଜ। ଆଉ ନାରୀ ସୁରକ୍ଷା ନେଇ ସରକାରଙ୍କ ଯୋଜନା ଯେମିତି ମହାକାଳଫଳ।

କାରଣ ୨୦୧୮ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରତ୍ୟେକ ଦିନ ୭ଜଣ ଝିଅ ଅପହରଣ ହେଉଥିବା ବେଳେ ୫ଜଣ ନିଖୋଜ ହେଉଛନ୍ତି। ୨୦୧୮ରେ ୮୨୨ଜଣ  ଶିଶୁ କନ୍ୟା ନିଖୋଜ ହୋଇଥିବା ବେଳେ ୨୭୮୬ ଜଣ ଅପହରଣ ହୋଇଛନ୍ତି। ଏହି ବର୍ଷ ଶିଶୁ କନ୍ୟା ନିଖୋଜରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ୨୦୧୯ରେ ଏହାର ସ୍ଥାନ ଥିଲା ସର୍ବୋଚ୍ଚ।

ଗତବର୍ଷ ଓଡିଶାରେ ନିଖୋଜ ପିଲାମାନଙ୍କର ପୁନରୁଦ୍ଧାର ହାର ୨୭.୧% ଥିଲା, ଯାହା ଦେଶରେ ସର୍ବନିମ୍ନ। ନିଖୋଜ ପିଲାମାନଙ୍କର ୯୪% ପୁନରୁଦ୍ଧାର ସହିତ କେରଳ ଶୀର୍ଷ ସ୍ଥାନ ଅଧିକାର କରିଛି। ସେମିତି ଦେଖିଲେ ୨୦୧୮ରେ ଓଡିଶାରେ ନିଖୋଜ ପିଲାମାନଙ୍କର ପୁନରୁଦ୍ଧାର ହାର ୩୧.୭% ରହିଥିଲା।

ନିଖୋଜ ଶିଶୁମାନଙ୍କୁ ଖୋଜିବା ଏବଂ ପୁନରୁଦ୍ଧାର ପାଇଁ ୨୦୧୫ ରୁ ୨୦୧୯ ମଧ୍ୟରେ କ୍ରାଇମ ବ୍ରାଞ୍ଚ ‘ମୁସ୍କାନ’, ‘ସ୍ମାଇଲ୍‌’ ଏବଂ ‘ପରୀ’ ନାଁରେ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଉପରୋକ୍ତ ତଥ୍ୟ ଦେଖିବା ପରେ ଏ ଅଭିଯାନର ବାସ୍ତବ ଚିତ୍ର ଜଳଜଳ ଦେଖାଯାଉଛି। ଏ ସମସ୍ତ ଅଭିଯାନର ନାଁ ବାହାରକୁ ଆକର୍ଷଣୀୟ ଦିଶୁଥିବା ମହାକାଳ ଫଳ ସଦୃଶ୍ୟ। ଅଭିଯାନର ଆକର୍ଷଣୀୟ ନାଁ ପଛରେ କାମ କିନ୍ତୁ ନିରାଶାଜନକ। ଦିନକୁ ଦିନ ଏକାଧିକ ରଙ୍ଗୀନ ଅଭିଯାନ ଭିତରେ ଗରିବଙ୍କ ଅସହାହାୟତା ଆଜି ବି ଚିରାଚରିତ।

ଆଉ ଏହି ଅସହାୟତା ଆଗକୁ ଏକ ଉଦାହରଣ ନେଇ ଆସିବ ବୋଲି ବିଶ୍ୱାସ। ଏ ଲଢ଼େଇରେ ପରୀ ପରିବାରର ହାତମୁଠାକୁ ଟାଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମନେ ରଖିବ ଇତିହାସ। ପରୀର ଗରିବ ଅଟୋଚାଳକ ବାପାଙ୍କ ଲଢ଼େଇ ନିଶ୍ଚୟ ପ୍ରମାଣିତ କରିବ, ଗରିବଟିଏର ପ୍ରକୃତ ଧନ ତା କନ୍ୟା ରତ୍ନ/ସନ୍ତାନ।

 

Other Stories

  • Dev Deepawali | Devotees Offer Diyas In Puri, Special Rituals At Puri Srimandir
    Dev Deepawali ଶ୍ରୀମନ୍ଦିରରେ ଦେବ ଦୀପାବଳି

    ପବିତ୍ର ଦେବଦୀପାବଳୀର ଅନ୍ତିମ ଦିନରେ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ନୀତି ପାଳନ ହୋଇଛି ।ଅନ୍ତିମ ଦିନରେ ପିତାମାତା ନନ୍ଦ, ଯଶୋଦା, ଦେବକୀ, ବସୁଦେବ ଏବଂ ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କୁ ଶ୍ରାଦ୍ଧ ପ୍ରଦାନ କରାଯାଇଛି

  • Konark mahotsav
    Konark Mahotsav ଓଡିଶୀ ନୃତ୍ୟରେ ଉତ୍ସବମୁଖରିତ ହୋଇ ଉଠିଲା କୋଣାର୍କ ମହୋତ୍ସବ

    କାଲିଠୁ ଆରମ୍ଭ ହୋଇଛି ବହୁପ୍ରସିଦ୍ଧ କୋଣାର୍କ ମହୋତ୍ସବ । ପ୍ରଥମ ଦିନରେ ହିଁ ପାରମ୍ପରିକ ନୃତ୍ୟ ଓଡିଶୀର କଳା ପରିବେଶଣରେ ଉତ୍ସବମୁଖରିତ ହୋଇ ଉଠିଛି କୋଣାର୍କ । ନାନା ପ୍ରକାରର ଭାବଭଙ୍ଗୀରେ ନୃତ୍ୟ ଦେଖାଇ ଲୋକଙ୍କ ମନକୁ...

  • 5-Day Konark Festival To Begin Today
    5-Day କଟକଣା ଭିତରେ ହେବ କୋଣାର୍କ ଉତ୍ସବ

    ଆଜିଠୁ ଆରମ୍ଭ ହେଉଛି ୩୨ତମ କୋଣାର୍କ ଉତ୍ସବ.. ଏହା ସହ ଆରମ୍ଭ ହେବ ନବମ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ.. କୋଭିଡ୍ କଟକଣା ମଧ୍ୟରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ୫ ଦିନ ଧରି କୋଣାର୍କ ଉତ୍ସବ ଅନୁଷ୍ଠିତ...

  • Prathamastami Celebrations In Odisha
    Prathamastami ପ୍ରଥମାଷ୍ଟମୀରେ ଘରେ ଘରେ ପିଠାପଣା

    ଆଜି ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ପ୍ରଥମାଷ୍ଟମୀ । ପରମ୍ପରା ଅନୁଯାୟୀ, ପରିବାରର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ, ବନ୍ଦାପନା କରାଯାଏ ।