ଆଜିଠୁ ଆରମ୍ଭ ମହାନବରାତ୍ର ପୂଜା; ଜାଣନ୍ତୁ, କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ର ପୂଜା। ଏହି ପବିତ୍ର ପର୍ବ ଆଶ୍ୱିନମାସ ଶୁକ୍ଳ ପକ୍ଷର ପ୍ରତିପଦାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ୯ଦିନ ଧରି ଚାଲେ। ଶରତ ଋତୁର ଆଶ୍ୱିନ ମାସରେ ଏହି ପର୍ବ ପାଳନ ହେଉଥିବାରୁ ଏହାକୁ ଶାରଦୀୟ ନବରାତ୍ରୀ କୁହାଯାଏ। ଚଳିତବର୍ଷ ମହାନବରାତ୍ର ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହୋଇ ବିଜୟା ଦଶମୀ ପର୍ଯ୍ୟନ୍ତ ଚାଲିବ।  ପ୍ରଥମ ଦିନରେ ସମ୍ପୂର୍ଣ୍ଣ ରୀତିନୀତିରେ କଳସ ସ୍ଥାପନା କରାଯିବ। ଏହାପରେ ଆରମ୍ଭ ହୋଇଯିବ ନବରାତ୍ରର ବ୍ରତ। ଏହି ୯ ଦିନରେ ମା’ଙ୍କର ୯ଟି ସ୍ୱରୂପର ପୂଜାର୍ଚ୍ଚନା କରାଯିବ। ତେବେ ଆସନ୍ତୁ ଜାଣିବା କେଉଁ ଦିନ ମା’ଙ୍କର  କେଉଁ ସ୍ୱରୂପ ପୂଜା ପାଇବେ।

୧) ପ୍ରତିପଦା-  ନବରାତ୍ର ପୂଜାର ପ୍ରଥମ ଦିନ। ଏହି ଦିନ କଳସ ସ୍ଥାପନା କରାଯାଏ। ଏହି ଦିନ ମା ଦୁର୍ଗାଙ୍କର ଶୈଳପୁତ୍ରୀ ସ୍ୱରୂପକୁ ପୂଜା କରାଯାଏ। ମା ଶୈଳପୁତ୍ରୀ ନବଦୁର୍ଗାଙ୍କ ମଧ୍ୟରେ ପ୍ରଥମ ଦୁର୍ଗା। ପର୍ବତ ରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଜନ୍ମ ନେବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ। ନବରାତ୍ରିର ପ୍ରଥମ ଦିନରେ ଏହି ଦେବୀଙ୍କୁ ହିଁ ପୂଜା କରାଯାଏ।

୨)  ଦ୍ୱିତୀୟା- ମହାନବରାତ୍ରର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରୀଣୀଙ୍କ ଉପାସନା କରାଯାଏ। ମାଆ ଦୁର୍ଗାଙ୍କର ଏହି ସ୍ୱରୂପକୁ ପୂଜା କଲେ ଭକ୍ତଙ୍କୁ ସର୍ବ ସିଦ୍ଧି ମିଳିଥାଏ ଓ ବିଜୟ ଲାଭ ହୋଇଥାଏ। ମାଆ ବ୍ରହ୍ମଚାରୀଣିଙ୍କ ଉପାସନାରୁ ମନୁଷ୍ୟ ମଧ୍ୟରେ ତପସ୍ୟା, ତ୍ୟାଗ, ସଦାଚାର, ଓ ସହନଶୀଳତାର ବୃଦ୍ଧି ହୋଇଥାଏ।

୩) ତୃତୀୟା- ଏହିଦିନ ମା’ଙ୍କର ଚନ୍ଦ୍ରଘଣ୍ଟା ସ୍ୱରୂପକୁ ପୂଜା କରାଯାଏ। ଚନ୍ଦ୍ରଘଣ୍ଟାଙ୍କର ପୂଜା କଲେ ଭକ୍ତଙ୍କ ମଧ୍ୟରେ ବୀରତା-ନିର୍ଭୟତା ଓ ବିନମ୍ରତାର ବିକାଶ ହେବା ସହ ମୁଖ, ନେତ୍ର ତଥା ସମ୍ପୂର୍ଣ୍ଣ କାୟାରେ ଚମକ ବା ପ୍ରକାଶ ବୃଦ୍ଧି ହୁଏ। ଏମାନଙ୍କର ସ୍ୱରରେ ଦିବ୍ୟ, ଅଲୌକିକ ଓ ମାଧୁର୍ଯ୍ୟର ସମାବେଶ ହୋଇଥାଏ। ମା’ ଚନ୍ଦ୍ରଘଣ୍ଟାଙ୍କ ଭକ୍ତମାନେ ଯେଉଁଠି ଯାଆନ୍ତି  ତାଙ୍କ ଦେଖି ଲୋକଙ୍କ ମନରେ ଶାନ୍ତି ଅନୁଭବ ହୋଇଥାଏ।

୪) ଚତୁର୍ଥୀ- ଏହି ଦିନ ମାଁ ଦୁର୍ଗାଙ୍କର କୁଷ୍ମାଣ୍ଡା ସ୍ୱରୂପର ପୂଜା କରାଯାଏ। ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡାଙ୍କର ଉପାସନା କଲେ ସମସ୍ତ ଦୁଃଖ, କଷ୍ଟ ଓ ରୋଗ ଦୂର ହେବାସହ ଯଶ, ବଳ ଓ ଆୟୁଷ ବୃଦ୍ଧି ହୋଇଥାଏ।

୫) ପଞ୍ଚମୀ-  ନବରାତ୍ରୀର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କର ପୂଜା କରାଯାଏ। ମାତାଙ୍କର ଉପାସନା ଦ୍ୱାରା ଭକ୍ତର ସମସ୍ତ ମନଷ୍କାମନା ପୂର୍ଣ୍ଣ ହୋଇଥାଏ। ମୃତ୍ୟୁ ଲୋକରେ ହିଁ ତାକୁ ପରମ ସୁଖ ଓ ଶାନ୍ତିର ଅନୁଭବ ହୋଇଥାଏ। ମା’ ସ୍କନ୍ଦମାତାଙ୍କର ଭକ୍ତଙ୍କ ପାଇଁ ମୋକ୍ଷର ଦ୍ୱାର ଖୋଲିଯାଏ।

୬)  ଷଷ୍ଠୀ- ଏହିଦିନ ମା’ଙ୍କର କାତ୍ୟାୟନୀ ସ୍ୱରୂପ ପୂଜା ପାଆନ୍ତି। ଶାସ୍ତ୍ର ଅନୁଯାୟୀ ଏହା ମା’ ପାର୍ବତୀଙ୍କର ଅନ୍ୟ ନାମ। ମା’ କାତ୍ୟାୟନୀଙ୍କୁ ଶ୍ରଦ୍ଧା ଓ ଭକ୍ତିର ସହ ପୂଜା କଲେ ଅର୍ଥ, ଧର୍ମ, କାମ ଓ ମୋକ୍ଷ ୪ଟି ବ୍ରହ୍ମଫଳ ପ୍ରାପ୍ତି ହୋଇଥାଏ। ଏହି ଦେବୀଙ୍କର ପୂଜା ଗୋଧୂଳି ବେଳାରେ କରିବା ଉଚିତ୍।

୭) ସପ୍ତମୀ- ମହାନବରାତ୍ରୀର ସପ୍ତମ ଦିନ ଦେବୀ ଦୁର୍ଗାଙ୍କର କାଳରାତ୍ରୀ ସ୍ୱରୂପର ପୂଜା କରାଯାଏ। ମାଆ କାଳରାତ୍ରୀ ବା ମହାକାଳୀଙ୍କର ଉପାସନା କଲେ ମନରେ ସାହସ ଓ ଭୟ ଦୂର ହୋଇଥାଏ। ମା’ଙ୍କ ଆଗମନରେ ସମସ୍ତ ଭୂତ, ପ୍ରେତ, ରାକ୍ଷସ, ପିସାଚର ନାସ ହୋଇଥାଏ। ଫଳରେ ଆପଣଙ୍କ ଘରୁ ସମସ୍ତ ନକାରତ୍ମ ଶକ୍ତି ଦୂର ହୋଇଯାଏ।

୮) ଅଷ୍ଟମୀ- ଶାରଦୀୟ ନବରାତ୍ରୀର ଅଷ୍ଟମ ଦିନର ପୂଜା ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଦିନ ଦେବୀ ଦୁର୍ଗାଙ୍କର ମହାଷ୍ଟମୀ ପୂଜା ହୋଇଥାଏ। ଯେଉଁଥିରେ ମା’ଙ୍କର ମହାଗୌରୀ ତଥା ମହିଷାମର୍ଦ୍ଧିନୀ ସ୍ୱରୂପକୁ ପୂଜା କରାଯାଏ। ମା’ ହେଉଛନ୍ତି ସକଳ ଶକ୍ତିକର ଆଧାର ତେଣୁ ସଦା ସର୍ବଦା ଆମକୁ ମା’ଙ୍କର ଆରାଧନା କରିବା ଉଚିତ୍। ମହାଗୌରୀଙ୍କ ପୂଜାର୍ଚ୍ଚନା କଲେ ଭକ୍ତର ସମସ୍ତ ପାପରୁ ମୁକ୍ତି ମିଳିବା ସହ ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଥାଏ।

୯) ନବମୀ- ମହାନବରାତ୍ରୀର ଶେଷ ଦିନ ତଥା ନବମୀ ଦିନ ହୋମ ବା ଯଜ୍ଞ କରାଯାଏ। ଯଜ୍ଞ ଶେଷରେ ହୋମ ଅଗ୍ନିରେ କ୍ଷୀର ଢାଳି ନବଗ୍ରହଙ୍କୁ ଶାନ୍ତି କରାଯାଏ। ଏହି ଦିନ ମା’ଙ୍କୁ ସିଦ୍ଧି ଦାତ୍ରୀ ରୂପେ ପୂଜା କରାଯାଏ। ଭକ୍ତଙ୍କୁ ସମସ୍ତ ପ୍ରକାର ସିଦ୍ଧି ପ୍ରଦାନ ସହ ସବୁ ପ୍ରକାର ବିପତ୍ତିରୁ ଉଦ୍ଧାର କରନ୍ତି ମା’ ଜଗଜ୍ଜନନୀ।

୧୦) ଦଶମୀ- ଏହିଦିନ ଯେଉଁମାନେ ମା’ ଦୁର୍ଗାଙ୍କର ମୂର୍ତ୍ତି ସ୍ଥାପନା କରିଥିବେ, ସେ ବିଧିବିଧାନ ସହ ମା’ଙ୍କର ବିସର୍ଜନ କରିବେ। ଏହିଦିନକୁ ବିଜୟା ଦଶମୀ ବା ଦଶହରା କୁହାଯାଏ।

ଆହୁରି ପଢ଼ନ୍ତୁ

ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

କୋଟିଏ ଟଙ୍କାର ଦାମୀ କାର୍‌ ଜାଳିଦେଲେ ୟୁଟ୍ୟୁବର, ଭିଡିଓ ଭାଇରାଲ

ମୁଦି ତିଆରି କରି ବିଶ୍ୱ ରେକର୍ଡ କଲେ ବ୍ୟବସାୟୀ

ବିନା କୋଚିଂରେ ନିଟ୍‌ରେ ଓଡିଶାର ଦ୍ୱିତୀୟ ଟପ୍ପର ହେଲେ ଅମିତ୍‌

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

You might also like