କରୋନା ରୋଗୀଙ୍କ ପାଇଁ ବିକି ଦେଲେ ଏସ୍‌ୟୁଭି କାର୍, ଆଉ କଲେ ଏମିତି କାମ

ମୁମ୍ବାଇ: ଭାରତରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଦେଶରେ କରୋନାରେ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର, ଯେଉଁଠାରେ ପ୍ରାୟ ୩୧ ପ୍ରତିଶତ ସକ୍ରିୟ ମାମଲା ରହିଛି। ତେବେ ଏହି ରାଜ୍ୟରେ ଅଧିକ ସଂଖ୍ୟକ ପଜିଟିଭ୍ ବାହାରିଥିବା ମୁମ୍ବାଇରେ ବଡ଼ ସମସ୍ୟା ହେଉଛି, ଏଠାରେ ଏବେ କରୋନା ରୋଗୀଙ୍କ ପାଇଁ ବେଡ୍ ଖାଲି ନାହିଁ। ଏପରିକି ଅକ୍ସିଜେନ୍ ଏବଂ ଭେଣ୍ଟିଲେଟରର ମଧ୍ୟ ଅଭାବ ଦେଖା ଦେଇଛି। ଏଭଳି ସ୍ଥିତିରେ ସହରର କିଛି ଲୋକେ ସହାୟତା ପାଇଁ ଆଗକୁ ଆସୁଛନ୍ତି। କିନ୍ତୁ ମଲାଡରେ ରହୁଥିବା ଜଣେ ବ୍ୟକ୍ତି ଏମିତି ଏକ କାମ କରିଛନ୍ତି, ଯେଉଁଥି ପାଇଁ ତାଙ୍କୁ ଯେତେ ପ୍ରଶଂସା କରାଗଲେ କି ତାହା କମ୍ ହେବ। ସେହି ବ୍ୟକ୍ତି ଜଣକ ହେଉଛନ୍ତି ଶାହନାବାଜ୍ ଶେଖ୍। କରୋନା ମହାମାରୀ ସମୟରେ ଗରିବଙ୍କ ସହାୟତା କରିବା ପାଇଁ ସେ ନିଜର ଏସୟୁଭି କାରକୁ ବିକି ଦେଇଛନ୍ତି। କାର୍ ବିକ୍ରିରୁ ମିଳିଥିବା ଟଙ୍କାରୁ ସେ ୨୫୦ ପରିବାରଙ୍କୁ ଅକ୍ସିଜେନ୍ ସିଲିଣ୍ଡର୍ ଯୋଗାଇଛନ୍ତି।

୩୧ ବର୍ଷୀୟ ଶାହନାବାଜ୍ ୨୦୧୧ରେ ଫର୍ଡ ଆଣ୍ଡେଭର୍ କିଣିଥିଲେ। .007 ନମ୍ବର ପ୍ଲେଟ୍ ଥିବା ଏହି କାରରେ ସେ କଷ୍ଟମାଇଜ୍ ମ୍ୟୁଜିକ୍ ସିଷ୍ଟମ୍ ଲଗାଇଥିଲେ। କରୋନା ଭଳି ସଙ୍କଟ ସମୟରେ ସେ ଏହି କାରକୁ ମେକଶିଫ୍ଟ ଆମ୍ବୁଲାନ୍ସରେ ପରିଣତ କରିଦେଇଥିଲେ। ତେବେ ମେ’ ୨୮ ତାରିଖରେ ତାଙ୍କ ବିଜନେସ୍ ପାର୍ଟନରଙ୍କ ଭଉଣୀ କରୋନା ଯୋଗୁ ମୃତ୍ୟୁବରଣ କରିଥିଲେ, ଯାହା ପରେ ସବୁକିଛି ବଦଳି ଯାଇଥିଲା।

ତେବେ ସବୁଠୁ ଦୁଃଖଦାୟକ ହେଉଛି, ଶାହନାବାଜଙ୍କ ବିଜନେସ୍ ପାର୍ଟନରଙ୍କ ଭଉଣୀ ୬ମାସର ଗର୍ଭବତୀ ଥିଲେ ଏବଂ ହସ୍ପିଟାଲ୍ ବାହାରେ ଅଟୋରିକ୍ସାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ହେଉଛି କୋଭିଡ୍ ହସ୍ପିଟାଲରେ ବେଡ୍ ଉପଲବ୍ଧ ନଥିବାରୁ ତାଙ୍କୁ ଆଡମିଟ୍ କରାଯାଇ ପାରିନଥିଲା। ତେବେ ବିଜନେସ୍ ପାର୍ଟନରଙ୍କ ଭଉଣୀଙ୍କର ଏଭଳି ମୃତ୍ୟୁ ତାଙ୍କୁ ବିଚଳିତ କରିଦେଇଥିଲା। ସେ ଭାବିଲେ ଯେ ଯଦି ଠିକ୍ ସମୟରେ ଅକ୍ସିଜେନ୍ ସିଲିଣ୍ଡରର ବନ୍ଦୋବସ୍ଥ ହୋଇଥାନ୍ତା, ତାହେଲେ ହୁଏତ ଗର୍ଭବତୀ ଭଉଣୀ ବଞ୍ଚିପାରିଥାନ୍ତେ। ସେବେଠାରୁ ସେ ଅକ୍ସିଜେନ୍ ସିଲିଣ୍ଡର୍ କିଣିବା ପାଇଁ ମନ ବଳାଇଥିଲେ।

ଏ ନେଇ ଶାହନାବାଜ୍ କହିଛନ୍ତି, “ମୁଁ କରୋନା ରୋଗୀଙ୍କ ପାଇଁ କିଛି କରିବାକୁ ଚାହୁଁଥିଲି। ଏଥିପାଇଁ ଯଦି ମୋତେ ଗୋଟିଏ କାର ବିକିବାକୁ ପଡ଼େ, ତାହେଲେ ମୋ ପାଇଁ ଏହା କୌଣସି ବଡ଼ କଥା ନୁହେଁ। ମୁଁ ଏକ ସମ୍ପୂର୍ଣ୍ଣ ପରିବାରରୁ ଆସିଛି ଏବଂ ମୁଁ ଆହୁରି ୪ଟି କାର୍ କିଣିପାରିବି। ତେଣୁ କାର୍ ବିକିବା ନେଇ ମୁଁ ଆଦୌ ଚିନ୍ତିତ ନୁହେଁ। ଏହି ମହାମାରୀ ସମୟରେ ଅସହାୟଙ୍କ ପାଖରେ ଅକ୍ସିଜେନ୍ ସିଲିଣ୍ଡର ପହଞ୍ଚାଇବା ମୋ ପାଇଁ ଜରୁରୀ ଥିଲା।”

ଶାହନାବାଜଙ୍କ ପାଖରେ ଏବେବି ଆଉ ଗୋଟିଏ କାର୍ ଅଛି, ଯାହାକୁ ସେ ମେକଶିଫ୍ଟ ଆମ୍ବୁଲାନ୍ସ ଭାବେ ବ୍ୟବହାର କରୁଛନ୍ତି। ମଲାଡରେ କିଛି ବସ୍ତି ଅଞ୍ଚଳ ଅଛି, ଯେଉଁଠାରେ କରୋନା ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। କିନ୍ତୁ ଶାହନାବାଜଙ୍କ କାର୍ ଏବେ କରୋନା ରୋଗୀଙ୍କ ପାଖରେ ସହଜରେ ପହଞ୍ଚିପାରୁଛି। ଏହା ମଧ୍ୟରେ ସେ ନିଜର ସୁରକ୍ଷାର ମଧ୍ୟ ଖୁବ୍ ଯତ୍ନ ରଖୁଛନ୍ତି। ପ୍ରତିଥର ସେ ନିଜର ବ୍ୟବହୃତ କାରକୁ ସାନିଟାଇଜ୍ କରୁଛନ୍ତି। ନିଜ ପରିବାର ଲୋକଙ୍କୁ କିପରି ଭାଇରସର ସଂକ୍ରମଣ ନହେବ, ସେଥିପାଇଁ ସେ ସେମାନଙ୍କଠାରୁ ବହୁ ଦୂରରେ ଅଛନ୍ତି।

You might also like