ସଫଳତାର ଶୀର୍ଷରେ ଆରୋହୀ : ଏକାକୀ ଅତିକ୍ରମ କଲେ ଆଟ୍‌ଲାଣ୍ଟିକ୍‌ ମହାସାଗର

ମୁମ୍ବାଇ : କ୍ୟାପଟେନ୍ ଆରୋହୀ ପଣ୍ଡିତ। ବୟସ ମାତ୍ର ୨୩ ବର୍ଷ। ଏତେ କମ୍‌ ବୟସରେ ସେ ଯେଉଁ ସଫଳତା ପାଇଛନ୍ତି ତାହା ସାରା ବିଶ୍ୱକୁ ଚମକାଇ ଦେଇଛି। ଲାଇଟ୍‌ ସ୍ପୋର୍ଟ ଏୟାରକ୍ରାଫ୍ଟରେ ସେ ଏକାକୀ ଆଟ୍‌ଲାଣ୍ଟିକ୍‌ ମହାସାଗର ଅତିକ୍ରମ କରିଛନ୍ତି।

ବିଶ୍ୱର ପ୍ରଥମ ମହିଳା ଭାବେ ଆରୋହୀ ଏହି ସଫଳତା ହାସଲ କରିଛନ୍ତି। ସ୍କଟଲାଣ୍ଡର ୱିକରୁ ସେ ଉଡ଼ାଣ ଭରିଥିଲେ।  ପ୍ରାୟ ୩ ହଜାର କିଲୋମିଟର ଅତିକ୍ରମ କରି ସେ ମେ ୧୩ରେ କାନାଡ଼ାରେ ପହଞ୍ଚିଛନ୍ତି। ଯାତ୍ରାପଥରେ ତାଙ୍କୁ ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ବରଫଝଡ଼ ଓ ଜୋରରେ ପବନ ବହୁଥିଲେ ମଧ୍ୟ ସେ ସଫଳତାର ସହ ଉଡ଼ାଣ କରିଥିଲେ। ଉଡ଼ାଣ ବେଳେ ସେ ଗ୍ରୀନଲାଣ୍ଡ ଓ ଆଇସ୍‌ଲାଣ୍ଡରେ କିଛି ସମୟ ପାଇଁ ଅବତରଣ କରିଥିଲେ।

ଯେଉଁ ଏୟାରକ୍ରାଫ୍ଟରେ ଆରୋହୀ ଉଡ଼ାଣ ଭରିଥିଲେ ତାର ଓଜନ ଗୋଟିଏ ବୁଲେଟ ମଟରସାଇକେଲର ଓଜନ ସହ ପ୍ରାୟ ସମାନ ହେବ। ଏଭଳି ହାଲୁକା ଯାନରେ ଆଟ୍‌ଲାଣ୍ଟିକ୍‌ ମହାସାଗର ଅତିକ୍ରମ କରିବା ପାଇଁ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା। ଏଥିପାଇଁ ଆରୋହୀଙ୍କୁ ୭ମାସର କଷ୍ଟସାଧ୍ୟ ଟ୍ରେନିଂ ନେବାକୁ ପଡିଥିଲା।

କିନ୍ତୁ ଉଡ଼ାଣ ବେଳେ ଯେଉଁ ଦୃଶ୍ୟ ସେ ଦେଖିଲେ ତାହା ଅବର୍ଣ୍ଣନୀୟ ଥିଲା ବୋଲି ଆରୋହୀ କହିଛନ୍ତି। ଉପରେ ନୀଳ ଆକାଶ, ତଳେ ଗଭୀର ଜଳରାଶି ତାସହ ଚମକୁଥିବା ବରଫଖଣ୍ଡ ତାଙ୍କୁ ରୋମାଞ୍ଚିତ କରିପକାଇଥିଲା। ଏପରିକି ସୁଯୋଗ ପାଇଲେ ସେ ଆଉ ଥରେ ଆଟ୍‌ଲାଣ୍ଟିକ୍‌ ମହାସାଗର ପାର୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି।

You might also like