ମାଙ୍କଡ ପାଲଟିଲା ଗୁରୁ, ଦେଖାଇଲା ଆଗକୁ ଚାଲିବାର ରାସ୍ତା

ଆଦର୍ଶ ବ୍ୟକ୍ତିଙ୍କୁ ଦେଖିଲେ ମୁଣ୍ଡ ଆପେ ଆପେ ନଇଁଯାଏ। ଭକ୍ତିରେ ଦୁଇହାତ ଯୋଡ଼ି ହୋଇଯାଏ। ତାଙ୍କର ଆଦର୍ଶ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ପୁଞ୍ଜି ପାଲଟିଯାଏ। ଏମିତି ଜଣେ ବ୍ୟକ୍ତିତ୍ୱ ସ୍ୱାମୀ ବିବେକେନନ୍ଦ। ତାଙ୍କର ଜୀବନର ମୂଲ୍ୟବାନ ଘଟଣା ଆଜି କାହାଣୀ ପରି ଲାଗେ। କିନ୍ତୁ ସେଇ କାହାଣୀ ମଣିଷକୁ ବିଶେଷ କରି ଯୁବପୀଢିଙ୍କୁ ଦେଇଥାଏ ଆଗକୁ ଯିବାର ପ୍ରେରଣା, ଦିଏ ନୂଆ ଦିଗ୍‌ଦର୍ଶନ।  ଜାନୁଆରୀ ୧୨ ତାରିଖ ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ। ଏହି ଅବସରରେ ଆସନ୍ତୁ, ତାଙ୍କ  ଜୀବନ ପୁସ୍ତକର କିଛି ଅମୂଲ୍ୟ ପୃଷ୍ଠାକୁ ଓଲଟାଇବା।

ସେ ସମୟରେ ବିବେକାନନ୍ଦ ଜଣେ ଆମେରିକୀୟ ମହିଳାଙ୍କ ଘରେ ରହୁଥିଲେ। ସେଠାରେ ସେ ନିଜେ ରୋଷେଇ କରି ଖାଉଥିଲେ। ଦିନେ ସେ ଖାଇବାକୁ ଯାଉଥିଲେ। କିଛି ଭୋକିଲା ପିଲା ତାଙ୍କ ପାଖକୁ ଆସି ଠିଆ ହେଲେ। ବିବେକାନନ୍ଦ ତାଙ୍କର ସବୁ ଖାଇବା ପିଲାମାନଙ୍କ ମଧ୍ୟରେ ବାଣ୍ଟିଦେଲେ।

କିଛି ଦୂରରେ ଠିଆ ହୋଇଥିବା ଘର ମାଲିକ ଏହା ଦେଖୁଥିଲେ। ସେ ପାଖକୁ ଆସି ପଚାରିଲେ, ସବୁ ଖାଇବା ତ ପିଲାମାନଙ୍କୁ ଦେଇଦେଲ, ଏବେ ଖାଇବ କ’ଣ ? ବିବେକାନନ୍ଦ ଉତ୍ତର ଦେଇଥିଲେ, ରୁଟିର କାମ ପେଟର ଜ୍ୱାଳାକୁ ଶାନ୍ତ କରିବା। ଏଇ ପେଟକୁ ନ କଲେ ନାହିଁ, ଆଉ କେଉଁ ପେଟକୁ ଶାନ୍ତ କରିବ ! ପାଇବାର ଆନନ୍ଦଠାରୁ ଦେବାର ଆନନ୍ଦ ବଡ। ଯିଏ ଅନୁଭବ କରିଛି ସେ ବୁଝିପାରିବ।

ମହିଳାଜଣଙ୍କ ତାଙ୍କ ବିଷୟରେ ଜାଣିଥିଲେ। ହେଲେ ସେଦିନ ନିଜ ଆଖିରେ ବିବେକାନନ୍ଦଙ୍କ ମହାନତା ଦେଖି ସ୍ତବ୍ଧ ହୋଇପଡ଼ିଲେ

ଆଉ ଦିନକର କଥା। ବିବେକାନନ୍ଦ ଦିନେ ବନାରସର ଏକ ମନ୍ଦିରରୁ ବାହାରୁଥିଲେ। ହଠାତ୍‌ ତାଙ୍କୁ ମାଙ୍କଡ ପଲ ଘେରିଗଲେ। ସେମାନଙ୍କ କବଳରୁ ବଞ୍ଚିବା ପାଇଁ ବିବେକାନନ୍ଦ ଦୌଡ଼ିବାକୁ ଲାଗିଲେ। ହେଲେ ମାଙ୍କଡମାନେ କି ସହଜରେ ତାଙ୍କ ପିଛା ଛାଡ଼ନ୍ତି ! କିଛି ବାଟ ଦୌଡ଼ିବା ପରେ ଜଣେ ବୃଦ୍ଧ ସାଧୁଙ୍କ ସହ ବିବେକାନନ୍ଦଙ୍କର ଭେଟ ହେଲା। ସାଧୁ ଜଣକ କହିଲେ, ‘ରୁହ, ଦୌଡୁଛ କାହିଁକି? ସେମାନଙ୍କୁ ସାମ୍ନା କର।’

ବିବେକନନ୍ଦ ଅଟକି ଗଲେ। ଦୌଡ଼ିବା ବନ୍ଦ କରି ମାଙ୍କଡମାନଙ୍କ ଆଡକୁ ଚାଲିଲେ। ହଠାତ୍‌ ବିବେକାନନ୍ଦଙ୍କୁ ତାଙ୍କ ଆଡକୁ ଆସୁଥିବା ଦେଖି ମାଙ୍କଡମାନେ ସତରେ ଡରିଗଲେ ଏବଂ ସେଠାରୁ ପଳାଇବାକୁ ଲାଗିଲେ।

ଏହି ଘଟଣା ବିବେକାନନ୍ଦଙ୍କୁ ଏକ ବଡ ଶିକ୍ଷା ଦେଇଥିଲା। କୌଣସି ବିପଦ ଆସିଲେ ତାକୁ ଦେଖି ଡରି ପଳାଇବା ପରିବର୍ତ୍ତେ ସାମ୍ନା କରିବା ଶିଖ। ବିପଦକୁ ଡରିଲେ, ସେ ବେଶି ଡରାଇବ।

ଏହି ଘଟଣାର ଅନେକ ଦିନ ପରେ ଏକ ସଭାରେ ସମ୍ବୋଧନ ବେଳେ ଏହି କଥା ଉଲ୍ଲେଖ କରିଥିଲେ  ବିବେକାନନ୍ଦ। ପ୍ରବଚନ  ସମୟରେ କହିଥିଲେ ‘ଯଦି ତୁମକୁ କେତେବେଳେ କୌଣସି ଜିନିଷ ଭୟ ଲାଗୁଛି ତେବେ ତାକୁ ଡରି ପଳାଅନି। ତାକୁ ସାମ୍ନା କର।’

୧୮୬୩ ଜାନୁଆରୀ ୧୨ ତାରିଖ ବିବେକାନନ୍ଦଙ୍କ ଜନ୍ମତିଥି।  ଆଜି ସ୍ୱାମୀଜୀ ନାହାନ୍ତି। ହେଲେ ତାଙ୍କର ଜୀବନର ଏପରି ମୂଲ୍ୟବାନ କାହାଣୀ ସବୁ ସମୟରେ ମଣିଷକୁ ପ୍ରେରଣା ଦେଉଥିବ।  ପିଲାଦିନର ନରେନ୍ଦ୍ରନାଥ ଦତ୍ତ ଆଜି ସମସ୍ତଙ୍କ ସ୍ମୃତିରେ ସ୍ୱାମୀ ବିବେକାନନ୍ଦ ହୋଇ ରହିଛନ୍ତି।

 

You might also like