ନୂଆଦିଲ୍ଲୀ : ମା’ର ପ୍ରେମ ସବୁଠୁ ଉର୍ଦ୍ଧ୍ୱରେ ବୋଲି କୁହାଯାଏ। ନିଜ ପିଲାମାନଙ୍କୁ ଯେତିକି ଭଲ ପାଇବା ମା ଦିଏ, ବୋଧହୁଏ ଏ ଦୁନିଆରେ ଆଉ କେହି ଦେବେନି। ଖାଲି ସେତିକି ନୁହେଁ ମା ହିଁ ସାଜିଥାଏ ନିଜ ପିଲାର ସୁରକ୍ଷା କବଜ। ସେଥିପାଇଁ କୁହାଯାଏ, ଭଗବାନ ସବୁ ବିପଦରେ ଆସି ଠିଆ ହୋଇପାରିବେ ନାହିଁ ବୋଲି ପାଖରେ ମା’ଟିଏ ଦେଇଛନ୍ତି। କିନ୍ତୁ ଜର୍ମାନର ଏକ ମହିଳା ଯାହା କରିଛନ୍ତି ଆପଣ ଜାଣିଲେ ହୃଦୟ ଥରିଯିବ, ଆପଣଙ୍କ ଆଖି ଛଳ ଛଳ ହେଇଯିବ। ଆପଣ ନିଜର କୋହକୁ ଅଟକେଇ ପାରିବେ ନାହିଁ।

ଘଟଣାଟି ଏହା ଯେ, ଯେତେବେଳେ ତାଙ୍କ ସ୍ୱାମୀ ଅନ୍ୟ ଜଣଙ୍କୁ ପ୍ରେମ କଲେ ଏହି ମହିଳା ତାଙ୍କର ୬ଟି ପିଲାଙ୍କ ମଧ୍ୟରୁ ୫ ଜଣଙ୍କୁ ମାରିଦେଲେ। ଏହି ଘଟଣା ଜର୍ମାନର ସୋଲିଂଗନ୍ ସହରର। ଗତ ବର୍ଷ ସେପ୍ଟେମ୍ବରରେ ଏଠାରେ ୫ ଜଣ ପିଲାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ମାମଲାରେ ସେମାନଙ୍କ ମା’ଙ୍କ ବିରୋଧରେ ଅଭିଯୋଗ କରାଯାଇଥିଲା। ଅଭିଯୁକ୍ତ ମା କ୍ରିଷ୍ଟିୟନଙ୍କ ବିରୋଧରେ ବୁପର୍ଟାଲ ଜିଲ୍ଲା କୋର୍ଟରେ ମାମଲା ଚାଲିଛି।

କ୍ରିଷ୍ଟିୟନଙ୍କ ବିରୋଧରେ ଅଭିଯୋଗ ହୁଏ ଯେ ସେ ତାଙ୍କର ୫ ଜଣ ପିଲାଙ୍କ ଖାଦ୍ୟରେ ଡ୍ରଗ୍ସ ମିଶେଇ ଦେଇଥିଲେ। ଏହାପରେ ସେମାନଙ୍କୁ ବାଥରୁମ୍‌କୁ ନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ତେବେ ଏହି ମାମଲରେ ଓକିଲମାନେ ଦାବି କରନ୍ତି ଯେ କ୍ରିଷ୍ଟିୟନ୍ ନିଜ ପିଲାମାନଙ୍କ ଜଳଖିଆରେ କୌଣସି ନିଶା ପଦାର୍ଥ ମିଶେଇ ଦେଇଥିଲେ। ଏହାକୁ ଖାଇଲା ପରେ ସେମାନେ ଅଚେତ ହୋଇଯିବାରୁ ଅଭିଯୁକ୍ତ ମା ଜଣକ ପରେ ଜଣକୁ ବାଥ୍‌ରୁମ୍‌କୁ ନେଇ ପାଣିରେ ବୁଡେଇ ବୁଡେଇ ହତ୍ୟା କରିଥିଲେ।

ଏହି ପାଞ୍ଚ ଜଣ ମୃତ ପିଲାଙ୍କ ମଧ୍ୟରେ ଦୁ‍ଇରୁ ତିନି ବର୍ଷ ମଧ୍ୟରେ ତିନି ଜଣ ଝିଅ ଥିବାବେଳେ ଛଅରୁ ଆଠ ବର୍ଷ ଭିତରେ ଦୁ‍ଇ ଜଣ ପୁଅ ଅଛନ୍ତି। ଏହି ପାଞ୍ଚ ଜଣ ପିଲାଙ୍କ ଶବ ସେପ୍ଟେମ୍ବର ତିନିରେ ଉତ୍ତର ରାଇନ୍-ୱେଷ୍ଟଫେଲିଆରେ ଅବସ୍ଥିତ ଏକ ଫ୍ୟାମିଲି ଫ୍ଲାଟ୍‌ରେ ମିଳିଥିଲା। ତେବେ ମହିଳାଙ୍କ ୬ ନମ୍ବର ସନ୍ତାନ, ୧୧ ବର୍ଷୀୟ ମାର୍ସେଲ ଘଟଣା ସମୟରେ ନିଜ ସ୍କୁଲରେ ଥିବାରୁ ବଞ୍ଚି ଯାଇଥିଲେ।

ଓକିଲମାନେ କହିଛନ୍ତି ଯେ ନିଜର ପାଞ୍ଚ ଜଣ ପିଲାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଅଭିଯୁକ୍ତ ମହିଳା ଡସେଲଡୋର୍ଫ ସେଣ୍ଟ୍ରାଲ୍ ଷ୍ଟେସନରେ ଟ୍ରେନ୍ ସାମ୍ନାକୁ ଡେଇଁ ଆତ୍ମହତ୍ୟା କରିବାର ପ୍ରୟାଶ କରିଥିଲେ, କିନ୍ତୁ ତାଙ୍କୁ ବଞ୍ଚେଇ ଦିଆଯାଇଥିଲା। ଅନ୍ୟପକ୍ଷରେ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା ନେଇ କ୍ରିଷ୍ଟିୟନ କହିଛନ୍ତି ଯେ, ଜଣେ ମୁଖା ପିନ୍ଧିଥିବା ବ୍ୟକ୍ତି ଫ୍ଲାଟ୍‌ରେ ପ୍ରବେଶ କରି ପିଲାମାନଙ୍କୁ ହତ୍ୟା କରିଥିଲା।

ତେବେ ଓକିଲଙ୍କ କହିବାନୁସାରେ, ଏହି ମାମଲାର ଯାଞ୍ଚ ବେଳେ ପୁଲିସ ଅଧିକାରୀମାନେ ଏପରି କୌଣସି ପ୍ରମାଣ ପାଇ ନାହାନ୍ତି, ଯାହା ସ୍ପଷ୍ଟ କରିପାରେ ଯେ ଅଭିଯୁକ୍ତ ମହିଳାଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ସତ ବୋଲି।

Other Stories