• translate
Satyendu Shekher Mishra

ଭୁବନେଶ୍ୱର: ଆପଣ ଜାଣିନଥିବେ ହେଲେ ଆପଣଙ୍କ ନାଁରେ ଆକ୍ଟିଭ୍‌ ହୋଇଯାଇଥିବ ସିମ୍ । ଆଉ ସେହି ସିମ୍ ବ୍ୟବହାର କରି ଅପରାଧୀ କରୁଥିବେ ସାଇବର ଲୁଟ୍ । ରାଜ୍ୟ ସୀମା ଡେଇଁ ସାଇବର ଅପରାଧୀଙ୍କ ପାଖକୁ ଯାଉଥିଲା ଏଭଳି ପୁଳା ପୁଳା ପ୍ରି-ଆକ୍ଟିଭେଟେଡ୍ ସିମ୍ । ଆଜି କମିଶନରେଟ୍ ପୋଲିସ କବଜାରେ ପଡିଛନ୍ତି ୭ ସାଇବର ଲୁଟେରା ଓ ତାଙ୍କ ପାଖରୁ ଜବତ ହୋଇଛି ଦେଢ଼ ଶହ ମୋବାଇଲ୍ ଫୋନ୍ ସାଙ୍ଗକୁ ପ୍ରାୟ ୧୭ ହଜାର ସିମ୍ କାର୍ଡ । ତା ସହିତ ସାମ୍ନାକୁ ଆସିଛି ସାଇବର ଠକେଇର ସିମ୍ କାହାଣୀ ।

ଶହେ କି ଦୁଇ ଶହ ନୁହେଁ, ପ୍ରାୟ ୧୭ ହଜାର ପ୍ରି-ଆକ୍ଟିଭେଟେଡ୍ ସିମ୍ ଜବତ ହୋଇଛି । ଖାଲି ସିମ୍‌ ନୁହେଁ ୧୫୦ ମୋବାଇଲ ଫୋନ୍‌ ମଧ୍ୟ ଜବତ ହୋଇଛି । ଏହି ମୋବାଇଲ ଓ ସିମ୍ ବ୍ୟବହାର ହେଉଥିଲା ସାଇବର ଅପରାଧରେ । ଆଉ ଏହିଭଳି ଅପରାଧ ଘଟାଉଥିବା ୭ ଜଣ ସାଇବର ଲୁଟେରା ଏବେ ପୋଲିସ ପଞ୍ଝାରେ । ଏମାନଙ୍କ ମଧ୍ୟରୁ ୨ ଜଣ ଏକ ନିର୍ଦ୍ଦିଷ୍ଟ ସିମ୍ କମ୍ପାନୀର କର୍ମଚାରୀ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ୫ ଜଣଙ୍କ ମଧ୍ୟରୁ କିଏ ଡିଷ୍ଟ୍ରିବ୍ଯୁଟର ତ ଆଉ କିଏ ରିଟେଲର ବୋଲି ଜଣାପଡ଼ିଛି । ଭଦ୍ରକ, ବାଲେଶ୍ୱର ଓ କେଉଁଝର ଅଂଚଳରୁ ଏମାନଙ୍କୁ ବାନ୍ଧିଛି କମିଶନରେଟ୍ ପୋଲିସ ।

କେମିତି ହେଉଥିଲା ସାଇବର ଫ୍ରଡ୍ ?

ଅପରାଧୀଙ୍କ ପାଖରେ ପୋଲିସ ପହଁଚିଲା କେମିତି ? କିଛି ଦିନ ତଳେ ସହିଦ ନଗର ଥାନାରେ ୨ଲକ୍ଷ ୫୮ ହଜାର ଟଙ୍କାର ସାଇବର ଠକେଇ ନେଇ ଏକ ମାମଲା ହୋଇଥିଲା । ସେହି ମାମଲାର ଖୋଳତାଡ କରୁ କରୁ ସାଇବର ରାକେଟ୍‌ର ଚେରରେ ପହଁଚିଥିଲା ପୋଲିସ କଲ୍ । ଆସିଥିବା IMEI ନମ୍ବରର ୧ ବର୍ଷର ଡାଟା ସର୍ଚ୍ଚରୁ ଜଣାପଡିଥିଲା ଯେ, ଗୋଟିଏ ଫୋନରେ ବ୍ୟବହାର ହୋଇଥିଲା ୩୦ ହଜାରରୁ ଅଧିକ ସିମ୍ । ଯେଉଁଥିରୁ ୭୦୦ ସିମ୍ କେବଳ ଓଡିଶାର । ଆଉ ତା’ଭିତରୁ ୧୦୦ରୁ ଅଧିକ ସିମ୍ କେବଳ ଭଦ୍ରକର ଏକ ଦୋକାନରୁ ଆକ୍ଟିଭେସନ ହୋଇଥିଲା । ଅଭିଯୁକ୍ତମାନେ ନିଜେ ସିମ୍ କଂପାନୀର କର୍ମଚାରୀ ତ କିଏ ଡିଷ୍ଟ୍ରିବ୍ୟୁଟର । ପୁଣି କିଏ ଦୋକାନୀ ହୋଇଥିବାରୁ ପ୍ରି-ଆକ୍ଟିଭେଟେଡ୍ ସିମ୍ ପାଇବାରେ ଓ ତାକୁ ରାଜ୍ୟ ବାହାରକୁ ପଠାଇବାରେ କିଛି ଅସୁବିଧା ହେଉ ନଥିଲା ।

ପୋଲିସ କମିଶନର କହିଛନ୍ତି, ପ୍ରି-ଆକ୍ଟିଭେଟେଡ୍ ସିମ୍ ଗୁଡିକୁ ହରିଆଣା, ବିହାର, କୋଲକାତା, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀକୁ ପଠାଯାଇଛି । ଏପରିକି ଗୋଟିଏ ଗୋଟିଏ ସିମ୍‌କୁ ବାରମ୍ବାର ପୋର୍ଟେବିଲିଟି କରି ଚଢା ଦରରେ ବିକ୍ରି କରାଯାଇଛି । ଏବେ ବଡ଼ ପ୍ରଶ୍ନ ସାଇବର ଅପରାଧ ସାମ୍ରାଜ୍ୟର ଚେର ଖୋଜିବାକୁ କମିଶନରେଟ୍ ପୋଲିସ୍ ଏସବୁ ରାଜ୍ୟକୁ ଯିବ କି ।

ତେବେ ଏହି ସିମ୍ ବ୍ୟବହାର କରି ଓଡିଶାରେ କୌଣସି ସାଇବର ଫ୍ରଡ୍ ହୋଇନାହିଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହେଲେ ଅନାୟାସରେ ପ୍ରି-ଆକ୍ଟିଭେଟେଡ୍ ସିମ୍‌ର ଏଭଳି କାରବାର ହେଉଛି କେମିତି ? ଏ ନେଇ ସଂପୃକ୍ତ ସର୍ଭିସ୍ ପ୍ରୋଭାଇଡର୍ କମ୍ପାନୀମାନେ ବି ତଦନ୍ତ ପରିସରକୁ ଆସିବେ କି ?

Other Stories