ଅନାବିଳ ବନ୍ଧୁତ୍ୱର ନିଆରା ଉଦାହରଣ ମୋରିସ୍‌-ଚାମ୍ପି

ଇଣ୍ଟରନେଟ୍‌ରେ ଆପଣ ଅନାବିଳ ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିବାକୁ ପାଉଥିବେ।  ହେଲେ ଏମାନଙ୍କ ବନ୍ଧୁତା କିନ୍ତୁ ନିଆରା।  ଏମାନେ ଗୋଟିଏ ରକ୍ତର ନୁହଁନ୍ତି କିମ୍ବା ଗୋଟିଏ ପ୍ରଜାତିର ନୁହଁନ୍ତି । ହେଲେ ମନ ଯେମିତି ଗୋଟିଏ। ପରସ୍ପରର ସୁଖଦୁଃଖକୁ ସେମାନେ ବୁଝିପାରନ୍ତି। ଆବଶ୍ୟକତାକୁ ଅନୁଭବ କରିପାରନ୍ତି। ହଁ, ଆମେ ଏଠି କହୁଛୁ ଦୁଇ ବନ୍ଧୁ ମୋରିସ୍‌ ଏବଂ ଚାମ୍ପିଙ୍କ କାହାଣୀ। ଏମାନେ ମଣିଷ ନୁହଁନ୍ତି ସତ, ମଣିଷଠାରୁ ବନ୍ଧୁତ୍ୱର ମୂଲ୍ୟକୁ ଯେମିତି ଅଧିକ ବୁଝି ପାରିଛନ୍ତି।

ଫଟୋରେ ଦେଖୁଥିବା ଘୋଡ଼ାଟିର ନାମ ହେଉଛି ଚାମ୍ପି ଏବଂ ଘୋଡ଼ାଟିର ପିଠି ଉପରେ ବସିଥିବା ବିଲେଇଟିର ନାଁ ହେଉଛି ମୋରିସ୍‌। ଏହି ଦୁଇଜଣ ହେଉଛନ୍ତି ଭଲ ଦୋସ୍ତ। ଦୀର୍ଘ ସାତ ବର୍ଷ ଧରି ଦୁଇଜଣ ଏକାଠି ଅଛନ୍ତି।

ମୋରିସ୍‌କୁ ତା’ର ମାଲିକ ଏକ ରେସ୍କ୍ୟୁ ସେଣ୍ଟରରୁ ଆଣିଥିଲେ। ପୂର୍ବରୁ ତାଙ୍କ ପାଖରେ ଚାମ୍ପି ରହିଥିଲା। ମୋରିସ୍‌ ଆସିଲା ପରେ ଘୋଡ଼ାଟି ତା ପାଖକୁ ଧିରେଧିରେ ଯିବାକୁ ଚେଷ୍ଟା କଲା। ମାଲିକଙ୍କ କହିବା ଅନୁଯାୟୀ,  ବିଲେଇଟି ଲାଜକୁଳା ସ୍ୱଭାବର ଥିଲା। ସେ ଅନ୍ୟ ଜୀବଜନ୍ତୁଙ୍କ ସହ ଶିଘ୍ର ମିଶି ପାରୁନଥିଲା। ହେଲେ ଚାମ୍ପିଙ୍କ ସହ ଖୁବ୍ ଶିଘ୍ର ଦୋସ୍ତି କରିନେଇଥିଲା।

ମୋରିସ୍‌ ଏବଂ ଚାମ୍ପିର ଦୋସ୍ତି ଏମିତି ଯେ ଚାମ୍ପି ବୁଲିଲା ସମୟରେ ମୋରିସ୍‌ ତା ପିଠିରେ ବସି ବୁଲିଥାଏ।

ଚାମ୍ପି ଏକ କାଠର ଖୁଣ୍ଟ ପାଖରେ ଯାଇ ଛିଡ଼ା ହୋଇଯାଏ। ମୋରିସ୍‌ ସେଇ କାଠ ଖୁଣ୍ଟ ପାଖକୁ ଆସି ତା ଉପରେ ବସେ ଏବଂ ସେଠାରୁ ଚାମ୍ପି ପିଠିକୁ ଜମ୍ପ୍‌ କରେ। ଏହାପରେ ଦୁଇ ବନ୍ଧୁ ଫାର୍ମ ହାଉସ୍‌ର ଚାରିପାଖରେ ବୁଲାବୁଲି କରିଥାନ୍ତି।

ମୋରିସ୍‌ ଚାମ୍ପିକୁ ବହୁତ ଭଲ ପାଏ। ସେ ତାକୁ ଚୁମ୍ୱନ ମଧ୍ୟ ଦେଇଥାଏ।

ଦୁଇଜଣ ଯାକ ମୁହଁକୁ ମୁହଁ ଲଗାଇ କିଛି ସମୟ ନିରବରେ ରହିଥାନ୍ତି। ଏଥିରୁ ଦୁହିଁକ ଭିତରେ ଥିବା ଭଲପାଇବା ବେଶ୍‌ ବାରି ହୁଏ।

 

ମୋରିସ୍‌ ଚାମ୍ପିର ପିଠି ଉପରେ ବସି ଚାରିଆଡ଼େ ବୁଲେ। ଏମିତିକି ସେ ପଡ଼ିଆରେ ଘାସ ଖାଇଲା ସମୟରେ ମଧ୍ୟ ମୋରିସ୍‌ ତାର ପିଠି ଉପରେ ବସି ବୁଲୁଥାଏ।

 


ଚାମ୍ପି ମୋରିସ୍‌କୁ ଅପେକ୍ଷା କରି ରହିଥାଏ। ଯେତେବେଳେ ମୋରିସ୍‌ ତାର ପିଠି ଉପରେ ବସି ପଡ଼େ ସେତେବେଳେ ସେ ବୁଲିବାକୁ ବାହାରିଥାଏ।

ଏଥିରୁ ମଣିଷ ନହୋଇ ମଧ୍ୟ ଦୁଇ ବନ୍ଧୁଙ୍କ ଭିତରେ ଥିବା ନିବିଡ଼ତା ଜାଣିହୁଏ। ତେବେ ଏହି ଫଟୋ ଏବଂ ଭିଡିଓ ଗୁଡ଼ିକ ଚାମ୍ପି ଏବଂ ମୋରିସ୍‌ ନାମକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଜେନିଫର ବୋୟେଲ ସେୟାର କରିଥିବା ଜଣାପଡ଼ିଛି।

You might also like