୧୧ ବର୍ଷ ଧରି ବନ୍ଧୁକ ମୁନରେ ଶାସନ କରୁଥିଲେ,ଏବେ ଲୋକଙ୍କ ସେବାରେ..

ହାଇଦ୍ରାବାଦ୍‌: ଦିନେ ବନ୍ଧୁକ, ଲାଲ ପତାକା ଥିଲା ତାଙ୍କର ପରିଚୟ। ହେଲେ ଏବେ ସେ ଜନ ପ୍ରତିନିଧି।  ଜନତାଙ୍କ ସୁଖ ଦୁଃଖର ସାଥୀ। ଖାଲି ଯେ ତାଙ୍କର ପରିଚୟ ବଦଳିଛି ତା ନୁହେଁ,  କାମ ବି ବଦଳିଛି। ନକ୍ସଲଙ୍କ ସହ ୧୧ ବର୍ଷ କାମ କରିବା ପରେ ଏବେ ସେ ମୁଖ୍ୟସ୍ରୋତକୁ ଫେରି ବିଧାନସଭାର ସଦସ୍ୟ ହୋଇଛନ୍ତି।  ସେ ହେଉଛନ୍ତି ତେଲେଙ୍ଗାନା ମୁଲୁଗ୍ ର୍ନିବାଚନ ମଣ୍ଡଳିର ବିଧାୟିକା ଦନାସାରି ଅନଶ୍ରୁୟା । ସ୍ଥାନୀୟ ଅଞ୍ଚଳରେ ସିତା ଆକା ଭାବେ ସେ ବେଶ ଲୋକପ୍ରିୟ।

ତେବେ  କିଏ ଏହି ସିତା ଆକା ? କେମିତି ତାଙ୍କ ଜୀବନ ଗତିପଥ ବଦଳିଲା ?

ଦିନ ଥିଲେ ଲାଲଗଡ଼ରୁ ରଣହୁଙ୍କାର ଦେଉଥିବା ସୀତା ଆକା ପ୍ରଶାସନ, ବ୍ୟବସ୍ଥା ଉପରେ ଉଠାଉଥିଲେ ପ୍ରଶ୍ନ। ଲାଲ୍ ପତାକା, ବନ୍ଧୁକ ଧରି ବିରୋଧ କରୁଥିଲେ। ଅସ୍ତ୍ର ଉଠାଇ ପ୍ରହାର କରୁଥିଲେ। ଏବେ ସେ ନେତା। ଜନତାଙ୍କ ସମସ୍ୟାର ସମାଧାନ କରୁଛନ୍ତି। ପ୍ରଶାସନ ଓ ଲୋକଙ୍କ ସହ କାନ୍ଧରେ କାନ୍ଧ ମିଶାଇ କାମ କରୁଛନ୍ତି। ଏ କୌଣସି ଫିଲ୍ମ ନୁହେଁ ରିୟଲ କାହାଣୀ।

ତେଲେଙ୍ଗାନାର ମୁଲୁଗ୍ ର୍ନିବାଚନ ମଣ୍ଡଳିର ଏ ହେଉଛନ୍ତି କଂଗ୍ରେସ ବିଧାୟିକା ଦନାସାରି ଅନଶ୍ରୁୟା ଓରଫ୍ ସିତା ଆକା। ଦିନେ ମାଓଗଡ଼ରେ ବନ୍ଧୁକ ମୁନରେ ଶାସନ କରୁଥିଲେ। ହେଲେ ଏବେ ଲୋକଙ୍କ ସେବାରେ ଲାଗିଛନ୍ତି।  ଲୋକଙ୍କ ପାଖକୁ ଯାଉଛନ୍ତି..ତାଙ୍କ ସୁଖ ଦୁଃଖ କଥା ପଚାରୁଛନ୍ତି। ୧୧ ବର୍ଷ ଯାଏଁ ଲାଲ ସଂଗଠନରେ ରହି ମାଓ କମାଣ୍ଡର ଥିଲେ। ଲୋକଙ୍କ ବିକାଶ ଓ ତାଙ୍କ ପାଇଁ ନିଜକୁ ମାଓ ସଂଗଠନରେ ସାମିଲ କରିଥିଲେ।

ହେଲେ ମାଓବାଦୀ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହେବା ପରେ ସଂଗଠନରୁ ମୁହଁ ମୋଡ଼ିଥିଲେ। ଗତ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ । ଏବେ ସେ ବିଧାୟିକା, ଲୋକଙ୍କ ପାଇଁ ଦିନ ରାତି କାମ କରୁଛନ୍ତି। ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳକୁ ଯାଇ ସେମାନଙ୍କ ପାଖରେ ଛିଡ଼ା ହେଉଛନ୍ତି।

କରୋନା ବେଳେ ଦନାସାରି ଲୋକଙ୍କୁ ସଚେତନ କରୁଛନ୍ତି। କିପରି କରୋନା ନିୟମ ପାଳନ କରିବେ, ସତର୍କ ରହିବେ ସେ ନେଇ ବୁଝାଉଛନ୍ତି। ଦନାସାରିଙ୍କ ଭଳି ଅନେକ ମାଓବାଦୀ ଏବେ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ଲାଲ୍ ସଂଗଠନରୁ ମୁହଁ ଫେରାଇ ଆଣି ଦନାସାରି ଏବେ ଅନ୍ୟଙ୍କ ପାଇଁ ଉଦାହରଣ  ସାଜିଛନ୍ତି।

 

You might also like