ଫାଶି ପାଇଁ କାହିଁକି ଖୋଜା ପଡ଼େ ‘ମନିଲା ରୋପ୍‌’

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ପାଇଁ ପ୍ରସ୍ତୁତ ହେଉଛି ତିହାର ଜେଲ୍‌। ଏଥିପାଇଁ ପ୍ରସ୍ତୁତି ପହଞ୍ଚିଲାଣି ଶେଷ ପର୍ଯ୍ୟାୟରେ। ଜଲ୍ଲାଦଠାରୁ ଫାଶୀ ଦଉଡି ସମସ୍ତେ ଅପେକ୍ଷା କରିଛନ୍ତି ସେଇଦିନକୁ। ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ୪ ଦୋଷୀଙ୍କୁ ଫାଶ ଦିଆଯିବା ପାଇଁ ଜାନୁଆରୀ ୨୨ ତାରିଖ ଦିନ ଧାର୍ଯ୍ୟ କରାଯାଇଥିଲା। ଯଦିଓ ଏହି ତାରିଖରେ ଦୋଷୀଙ୍କୁ ଫାଶୀ ହେବନି ବୋଲି କୁହାଯାଉଛି ତଥାପି ତିହାର ଜେଲ୍‌ର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ।

ତେବେ ଯେଉଁ ଦଉଡି ଦିଏ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ, ଜାଣନ୍ତି ସେ ଦଉଡ଼ି କେଉଁଠୁ ଆସେ ?  କ’ଣ ତାହାର ନାଁ ?

ମନିଲା ରୋପ୍‌ କାହିଁକି ?

ଯେଉଁ ଦଉଡିରେ ଦୋଷୀଙ୍କୁ ଫାଶୀ ଦିଆଯାଏ, ସେଇ ଦଉଡ଼ିକୁ କହନ୍ତି ମନିଲା ରଶି ବା ମନିଲା ରୋପ୍‌। ଏଇ ମାନିଲା ରୋପ୍‌ ସଜା ଦେଇଛି ଅଜମଲ୍‌କୁ, କସବ୍‌କୁ, ଅଫଜଲ୍‌ଗୁରୁକୁ। ଏବେ ଚାହିଁ ବସିଛି ନିର୍ଭୟା ୪ ଦୋଷୀଙ୍କୁ।  ଫିଲିପାଇନ୍ସରୁ ଆସିଛି ଏହି ଶବ୍ଦ ‘ମନିଲା’। ଏହି ରଶି ଏକ ପ୍ରକାର  ଫାଇବରରୁ ପ୍ରସ୍ତତ କରାଯାଇଥାଏ ଯାହା କେବଳ ଫିଲିପାଇନ୍ସରେ ହିଁ ମିଳିଥାଏ। ଏହି ଗଛର ପତ୍ରରୁ  ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଏ ମନିଲା ରୋପ। ଫିଲିପାଇନ୍ସରେ ଏହି ଗଛକୁ କହନ୍ତି ‘ମନିଲା ଗଞ୍ଜା’। ତେବେ ଭାରତରେ ଫାଶି ଦଣ୍ଡ ଦେବା ପାଇଁ ବ୍ୟବହୃତ ହେଉଥିବା ମନିଲା ରଶି  ଏହି ମନିଲା ଗଛରୁ ପ୍ରସ୍ତୁତ କରାଯାଏ ନାହିଁ, ବରଂ ଏହା J-34 କଟନରୁ ପ୍ରସ୍ତୁତ କରାଯାଏ ଏବଂ ବିହାରର  ବକ୍ସର ଜେଲ୍‌ରେ ଏହି ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଏ ।

ତେବେ ଜାଣନ୍ତି, ଭାରତରେ ଜଣେ ଅପରାଧୀକୁ ଫାଶୀ ଦଣ୍ଡ ଦେବାବେଳେ ଏହି ରଶି ବ୍ୟବହାର କରାଯାଏ ? କାରଣ ଏହି ରଶି ଯେତିକି ମଜଭୁତ ସେତିକି ନରମ ମଧ୍ୟ ହୋଇଥାଏ। ଯାହାଫଳରେ ଦୋଷୀର ଶରୀରରେ କ୍ଷତି ହୁଏନାହିଁ। ମନିଲା ରଶିରେ ଦୋଷୀର ବେକ କାଟେ ନାହିଁ।

 କେବଳ ବକ୍ସର ଜେଲ୍‌ରୁ କାହିଁକି ଏହି ରଶି ଆସେ ? 

ଫାଶୀ ଦେବାପାଇଁ ଯେତେବେଳେ ରଶିର ଆବଶ୍ୟକ ହୁଏ ସେତେବେଳେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବକ୍ସର ଜେଲ୍‌ର କଏଦୀମାନଙ୍କ ଦ୍ୱାରା ଏହି ରଶି ପ୍ରସ୍ତୁତ କରାଯାଏ।  ଏହାବ୍ୟତୀତ ଏହି ରଶି ଅନ୍ୟାନ୍ୟ କାମରେ ମଧ୍ୟ ବ୍ୟବହାର କରାଯାଏ। ଯେମିତି ଜାହାଜରେ, ମାଛଧରା ଜାଲରେ। କାରଣ ଏହି ରଖି ସମୁଦ୍ରର ଲୁଣି ପାଣି ପଡିଲେ ବି ଶୀଘ୍ର ନଷ୍ଟ ହୁଏନି।

ରାଜକ୍ଷମା କ’ଣ ?

ଦଣ୍ଡ ଶୁଣାଣି ପରେ ସୁପ୍ରିମ୍‌କୋର୍ଟରେ ରିବ୍ୟୁ ପିଟିଶନ ଏବଂ କ୍ୟୁରେଟିଭ ପିଟିଶନ ଖାରଜ ହୋଇଗଲେ ଶେଷରେ ଦୋଷୀ ରାଷ୍ଟ୍ରପତିଙ୍କ ପାଖରେ ରାଜକ୍ଷମା ପାଇଁ ଆବେଦନ କରିପାରିବେ।  ଏହି ରାଜକ୍ଷମା ଉପରେ ରାଷ୍ଟ୍ରପତି ଅନୁଚ୍ଛେଦ-୭୨ ଅନୁସାରେ ଶୁଣାଣି କରିବେ। ରାଷ୍ଟ୍ରପତି ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ମାଗିବେ ଏବଂ ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିବେ।

ରାଜ୍ୟ ସରକାରଙ୍କ ରିପୋର୍ଟ ଦେଖିବା ପରେ ଗୃହ ମନ୍ତ୍ରାଳୟ ତାଙ୍କ ରିପୋର୍ଟ ରାଷ୍ଟ୍ରପତିଙ୍କ ପାଖକୁ ପଠାଇବେ। ତା’ ପରେ ରାଷ୍ଟପତି ରାଜକ୍ଷମା ଉପରେ ନିଷ୍ପତ୍ତି ନେବେ। ରାଜକ୍ଷମା ଖାରଜ ହୋଇଗଲା ପରେ ଡେଥ୍‌ ୱାରେଣ୍ଟି ଜାରି ହୁଏ। କିନ୍ତୁ ନିର୍ଭୟା ମାମଲାରେ ସୁପ୍ରିମ୍‌ କୋର୍ଟରେ ରିଭ୍ୟୁ ପିଟିଶନ ଖାରଜ ହେବା ପରେ ଏ ଯର୍ପ୍ୟନ୍ତ ନା କ୍ୟୁରେଟିଭ ନା ରାଜକ୍ଷମା କିଛି ବି ଦାଏର କରାଯାଇ ନାହିଁ। ତେଣୁ ନିର୍ଭୟା ଦୋଷୀଙ୍କ ବିରୋଧରେ ଡେଥ ୱାରେଣ୍ଟ ଜାରି କରାଯାଇଛି।

 

You might also like