ଦରମା ଟଙ୍କା ଘରକୁ ପଠାଇ ଚେନାଏ ପିଆଜ ସାଙ୍ଗେ ମୁଠାଏ ପଖାଳ ଖାଉଛନ୍ତି ସିକ୍ୟୁରିଟି ଗାର୍ଡ଼

ପରିବାରକୁ ଭଲ ପାଉଥିବା ମଣିଷ ପରିବାର ପାଇଁ ସହୁଛି ଦୁଃଖ

ଭୋକରେ ଆଉଟୁପାଉଟୁ ପେଟ ଖୋଜେନା ସ୍ୱାଦିଷ୍ଟ ଭୋଜନ । ଦାନା ମୁଠେ ପଡ଼ିଗଲେ, ଅମୃତ ମିଳିଗଲା ପରେ ଲାଗେ । ମୁଠାଏ ପଖାଳ ଆଉ ଚେନାଏ ପିଆଜର ପ୍ରକୃତ ମୂଲ୍ୟ ବୁଝେ ଗରିବ ବାପୁଡ଼ା । ଦି ଓଳି ଦି ମୁଠା ଖାଇବାକୁ ନଥିଲେ ବି ପରିବାର ପାଇଁ ଗରିବର ଖୋଲା ଆଖି ଖିଲିଖିଲି ସ୍ୱପ୍ନ ଦେଖି ହସୁଥାଏ । ଧନୀ ଲୋକେ ବାଛି ବାଛି ଖାଦ୍ୟ ଖାଉଥିବା ବେଳେ ଅଇଁଠା ପତ୍ର ଚାଟି ଭଙ୍ଗା ନଳକୂପର ପାଣି ଟୋପାଏ ମିଳିଗଲେ ମିଳିଯାଏ ଶାନ୍ତି । ସାହୁକାରର କରଜ ତଳେ ବୁଡ଼ି ରହିଥିବା ଗରିବ ମଣିଷ ଆଜି ସବୁ ଦରମା ଘରକୁ ପଠାଇ ମଧ୍ୟାହ୍ନ ଭୋଜନରେ ପଖାଳ ସାଙ୍ଗେ ଖାଉଛି ପିଆଜ ଆଉ ଦୁଇ କୋଳା ରଶୁଣ । ମାଲେସିଆର ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ୍ ହେଉଛି।

ପରିବାରକୁ ଭଲ ପାଉଥିବା ମଣିଷଟି ପରିବାର ପାଇଁ ଦୁଃଖ ସହୁଛି । ଜଣେ ସିକ୍ୟୁରିଟି ଗାର୍ଡ଼ ମଧ୍ୟାହ୍ନ ଭୋଜନ କରୁଥିବାର ଏପରି ଭିଡ଼ିଓ ଭାଇରାଲ୍ ହେଉଛି । ଯାହା ଦେଖିଲେ କାହାର ବି ଆଖି ଓଦା ହୋଇଯିବ । ଛଅ ତିଅଣ, ନଭଜାରେ ପେଟ ପୂରୁନଥିବା ମଣିଷ ଏହି ଭିଡ଼ିଓ ଦେଖିଲେ ହୁଏତ କିଛି ଶିଖିଯିବ ନିଶ୍ଚୟ । ଭାଇରାଲ୍ ଭିଡ଼ିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ସିକ୍ୟୁରିଟି ଗାର୍ଡ଼ ଜଣକ ପ୍ଲାଷ୍ଟିକ ଟିଫିନରେ ଆଣିଥିବା କଞ୍ଚା ପିଆଜ ଖଣ୍ଡେକୁ ଦୁଇ କୋଲା ରସୁଣରେ ଭାତ ଖାଉଛନ୍ତି । ତେବେ ଏପରି ଖାଇବା ସମୟରେ ମନରେ ତିଳେମାତ୍ର ଦୁଃଖ ନାହିଁ । ମଧ୍ୟାହ୍ନ ଭୋଜନକୁ ଖୁବ ଶାନ୍ତିର ସହିତ ଖାଉଥିବା ଦେଖିବାକୁ ମିଳିଛି । ତାଙ୍କ ବନ୍ଧୁ ଆପିଟ୍ ଲିଡ୍ ଏହି ଭିଡ଼ିଓ ଉତ୍ତୋଳନ କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।

ତେବେ ଭିଡ଼ିଓଟି ସୋସିଆଡ଼ ମିଡ଼ିଆରେ ପୋଷ୍ଟ କରୁ କରୁ ଭାଇରାଲ ହୋଇଯାଇଥିଲା।  ପୋଷ୍ଟର କ୍ୟାପସନରେ ଆପିଟ୍ ଲିଡ୍ ଲେଖିଛନ୍ତି, ମୋ ବନ୍ଧୁ ଜଣେ ପରିଶ୍ରମୀ ବ୍ୟକ୍ତି। ପରିବାରକୁ ଭଲ ପାଉଥିବା ମଣିଷଟି ପାରିଶ୍ରମିକର ଅଧିକ ଅଂଶ ପରିବାର ପାଇଁ ପଠାଇ ଦିଅନ୍ତି । ଆଉ ବଳକା ଟଙ୍କାରେ ମଧ୍ୟାହ୍ନ ଭୋଜନରେ ଏତିକି ହିଁ ଖାଇବା ଜୁଟାଇ ପାରୁଛନ୍ତି।

ଭିଡିଓ ପୋଷ୍ଟ କରିବା ପରେ ୬ ହଜାରରୁ ଅଧିକ ଲୋକ ଭିଡିଓକୁ ସେୟାର କରିଛନ୍ତି । ଅନେକ ଲୋକ ଏହି ଭିଡିଓ ଦେଖି ଭାବପ୍ରବଣ ମନ୍ତବ୍ୟ ପୋଷ୍ଟ କରିଛନ୍ତି । ଅନ୍ୟପଟେ ଆଉ କିଛି ୟୁଜର ସିକ୍ୟୁରିଟି ଗାର୍ଡ଼ଙ୍କ ନମ୍ର ମନୋଭାବ ପାଇଁ ପ୍ରଶଂସା କରିଛନ୍ତି । କିଛି ଲୋକ ତାଙ୍କ ପାଇଁ ଚିନ୍ତିତ ହେବା ସହ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଛନ୍ତି । ତେବେ ସବୁ ଥାଇ ବି ନିଜ ଜୀବନକୁ ନେଇ ଖୁସି ନଥିବା ବ୍ୟକ୍ତି, ସୁରକ୍ଷା କର୍ମୀଙ୍କ ଏହି କାହାଣୀ ଦ୍ୱାରା ଅନୁପ୍ରାଣିତ ହେବେ ବୋଲି ଆଶା କରାଯାଉଛି ।

You might also like