କେବେ ଶୁଭିଥିଲା ଶ୍ରୀକୃଷ୍ଣଙ୍କ ଶେଷ ବଂଶୀସ୍ୱନ, ଜାଣନ୍ତି କି?

ଭୁବନେଶ୍ୱର: ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ଗୋପପୁରରେ ରାଧା-କୃଷ୍ଣଙ୍କ ପ୍ରେମକୁ ନେଇ ଅନେକ ବର୍ଣ୍ଣନା ପୁରାଣରେ ରହିଛି। ସେହି ବର୍ଣ୍ଣନା ଅନୁସାରେ ରାଧା-କୃଷ୍ଣଙ୍କ ଏହି ମିଳନରେ ପ୍ରମୁଖ ଭୂମିକା ନେଇଥିଲା ବଂଶୀ। ତେଣୁ ଶ୍ରୀକୃଷ୍ଣଙ୍କ ଅତି ପ୍ରିୟ ଥିଲା ବଂଶୀ। ଗୋଟିଏ ମୁହୂର୍ତ୍ତ ବି ସେ ବଂଶୀକୁ ନିଜ ପାଖରୁ ଅଲଗା କରୁ ନ ଥିଲେ।

କୁହାଯାଏ, ଶ୍ରୀରାଧାଙ୍କ ପରେ ବଂଶୀ ହିଁ ଥିଲା ଶ୍ରୀକୃଷ୍ଣଙ୍କ ପ୍ରିୟତମ। ଏହି ବଂଶୀର ସ୍ୱର ଶୁଣି ହିଁ ରାଧା ତାଙ୍କ ପାଖକୁ ପାଗଳି ପରି ଧାଇଁ ଆସୁଥିଲେ। ତେଣୁ ଶ୍ରୀକୃଷ୍ଣ ବଂଶୀକୁ କେବେ ବି ନିଜ ପାଖରୁ ଦୂରେଇ ରଖୁ ନଥିଲେ। କାହ୍ନାଙ୍କର ପ୍ରିୟ ଏହି ବଂଶୀକୁ ହିଁ ପ୍ରେମର ପ୍ରତୀକ ବୋଲି କୁହାଯାଏ।

krishna
Image Credit: Internet

ଜନ୍ମାଷ୍ଟମୀ ଅବସରରେ ଆସନ୍ତୁ, ରାଧା-କୃଷ୍ଣଙ୍କ ପ୍ରେମରେ ବଂଶୀର ଭୂମିକାକୁ ନେଇ ଥିବା ଏକ ସୁନ୍ଦର କାହାଣୀ ବିଷୟରେ ଜାଣିବା।

ପିଲାଦିନରୁ ହିଁ ଶ୍ରୀକୃଷ୍ଣ ରାଧାଙ୍କୁ ଖୁବ୍‌ ଭଲ ପାଉଥିଲେ। ରାଧା ମଧ୍ୟ ଅନ୍ଧୁଣୀ ପରି ଶ୍ରୀକୃଷ୍ଣଙ୍କୁ ନିଜର ମନ ପ୍ରାଣ ସମର୍ପି ଦେଇଥିଲେ। ବିଶ୍ୱାସ ରହିଛି, ଏହି ସମ୍ପର୍କର ଆରମ୍ଭରୁ ହିଁ ରାଧା କୁଆଡେ ଶ୍ରୀକୃଷ୍ଣଙ୍କ ଦୈବୀ ଶକ୍ତି ସହିତ ପରିଚିତ ଥିଲେ। କିନ୍ତୁ ଏକଥା ସେ ଆଜୀବନ ଗୋପନ ରଖିଥିଲେ।

krishna
Image Credit: Internet

ଭଗବାନ ଶ୍ରୀକୃଷ୍ଣ ରାଧାଙ୍କଠାରୁ ପ୍ରଥମ ଥର ପାଇଁ ଅଲଗା ହେଲେ, ଯେତେବେଳେ ମାମୁ କଂସ ରଙ୍ଗସଭାର ଆୟୋଜନ କରି କୃଷ୍ଣ ଓ ବଳରାମଙ୍କୁ ମଥୁରା ଆମନ୍ତ୍ରଣ କରିଥିଲେ। ଶ୍ରୀକୃଷ୍ଣଙ୍କ ମଥୁରା ଗମନ ଶୁଣିବା ପରେ ଗୋପପୁରରେ କାନ୍ଦ ବୋବାଳି ପଡ଼ି ଯାଇଥିଲା। ତେବେ ମାମୁ ଘରକୁ ଯିବା ପାଇଁ ବିଦାୟ ନେବାବେଳେ ଶ୍ରୀକୃଷ୍ଣ ରାଧାଙ୍କୁ କଥା ଦେଇଯାଇଥିଲେ ଯେ ସେ ନିଶ୍ଚୟ ଫେରିବେ।

କିନ୍ତୁ ଦିନ ପରେ ଦିନ ବିତିଚାଲିଥିଲା। ଶ୍ରୀକୃଷ୍ଣ ଆଉ ରାଧାଙ୍କ ପାଖକୁ ଫେରିଲେ ନାହିଁ। ଶ୍ରୀକୃଷ୍ଣ ଗୋପପୁର ଛାଡ଼ିବା ପରେ ପୁରାଣରେ  ଶ୍ରୀରାଧାଙ୍କ ସମ୍ପର୍କରେ ବର୍ଣ୍ଣନା ମଧ୍ୟ ଖୁବ୍‌ କମ୍‌ ରହିଛି।

krishna
Image Credit: Internet

କୃଷ୍ଣ ମଥୁରାରେ ପହଞ୍ଚିବା ପରେ ମାମୁ କଂସକୁ ବଧ କରି ମଥୁରାବାସୀଙ୍କୁ ତା’ର ଅତ୍ୟାଚାରରୁ ମୁକ୍ତି ଦେଲେ। ମଥୁରା ଲୋକେ ଶ୍ରୀକୃଷ୍ଣଙ୍କୁ ତ୍ରାଣକର୍ତ୍ତା ଭାବି ତାଙ୍କ ପୂଜାର୍ଚ୍ଚନା କଲେ। ଏମିତିରେ ସମୟ ଗଡ଼ି ଚାଲିଲା। ପରେ ଶ୍ରୀକୃଷ୍ଣ ପ୍ରଜାଙ୍କ ସୁରକ୍ଷା ପାଇଁ ଦ୍ୱାରିକାରେ ଏକ ଭବ୍ୟ ମହଲ ଗଢ଼ାଇ ଦ୍ୱାରିକାଧୀଶ ଭାବେ ପରିଚିତ ହେଲେ।

ଏହା ମଧ୍ୟରେ ଶ୍ରୀକୃଷ୍ଣଙ୍କ ବିବାହ ମଧ୍ୟ ଦେବୀ ରୁକ୍ମିଣୀଙ୍କ ସହ ହୋଇ ଯାଇଥିଲା। ରୁକ୍ମିଣୀ ମଧ୍ୟ ଶ୍ରୀକୃଷ୍ଣଙ୍କୁ ପ୍ରାଣଠୁ ଅଧିକ ଭଲ ପାଉଥିଲେ। ନିଜ ଭାଇ ରୁକ୍‌ମୀଙ୍କୁ ବିରୋଧ କରି ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ସହ ହାତ ଧରି ଦ୍ୱାରିକା ଚାଲିଆସିଥିଲେ।

Image Credit: Internet

ଏହା ପରଠାରୁ ରାଧା-କୃଷ୍ଣଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପୁରାଣରେ ବିଭିନ୍ନ କଥା ଉଲ୍ଲେଖ ରହିଛି।

ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ଆସିବା ପରେ ରାଧାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ତାଙ୍କୁ ନାନା ଟାହି ଟାପରା ଶୁଣିବାକୁ ପଡ଼ିଲା। ସେସବୁ ସତ୍ତ୍ୱେ ସାଧାରଣ ନାରୀଙ୍କ ପରି ରାଧା ବି ଶାଶୁ ଘରେ ପତ୍ନୀର ପ୍ରତିଟି କର୍ତ୍ତବ୍ୟ ପାଳନ କରି ଚାଲିଥିଲେ। ଆଉ ସେପଟେ ଶ୍ରୀକୃଷ୍ଣ ଦ୍ୱାରିକାଧୀଶ ଭାବେ ନିଜ କର୍ତ୍ତବ୍ୟ କରି ଚାଲିଥିଲେ। ତେବେ ରାଧା ସିନା ପତ୍ନୀର କର୍ତ୍ତବ୍ୟ କରୁଥିଲେ, କିନ୍ତୁ ମନ ତାଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲା। ଏମିତି ଶ୍ରୀକୃଷ୍ଣଙ୍କ ବାଟ ଚାହିଁ ଚାହିଁ ରାଧା ବାର୍ଦ୍ଧକ୍ୟରେ ପହଞ୍ଚି ଯାଇଥିଲେ।

krishna
Image Credit: Internet

କୁହାଯାଏ, ଅନେକ ଦିନ ପରେ ସବୁ କର୍ତ୍ତବ୍ୟରୁ ମୁକ୍ତି ମିଳିବା ପରେ ରାଧା ତାଙ୍କ ପ୍ରିୟତମ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଦ୍ୱାରିକା ଗଲେ। ସେ ଦ୍ୱାରିକାରେ ପହଞ୍ଚିବା ପରେ ଶ୍ରୀକୃଷ୍ଣଙ୍କ ବିବାହ ରୁକ୍ମିଣୀ ଓ ସତ୍ୟଭାମା ଆଦିଙ୍କ ସହିତ ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ଏନେଇ ତାଙ୍କ ମନରେ କୌଣସି ଦୁଃଖ ନଥିଲା।

କିନ୍ତୁ ଶ୍ରୀକୃଷ୍ଣ ଯେତେବେଳେ ରାଧାଙ୍କୁ ଦ୍ୱାରିକାରେ ଦେଖିଲେ, ତାଙ୍କ ଖୁସିର ସୀମା ରହି ନଥିଲା। ବର୍ଷ ବର୍ଷ ଧରି ତାଙ୍କ ଆଖି ଯେଉଁ ରାଧାଙ୍କୁ ଥରେ ଦେଖିବାକୁ ବ୍ୟାକୁଳ ଥିଲା, ସେହି ରାଧାଙ୍କୁ ପାଖରେ ପାଇ ଶ୍ରୀକୃଷ୍ଣ ପୁଣିଥରେ ପିଲାଦିନର ପବିତ୍ର ପ୍ରେମରେ ହଜିଗଲେ। ଉଭୟେ ରାଧା-କୃଷ୍ଣ ନିଜ ମନର ଭାଷାରେ ଦୀର୍ଘ ସମୟ କଥା ହେଲେ।

ଏହା ପରେ ଶ୍ରୀକୃଷ୍ଣ ରାଧାଙ୍କୁ ଦ୍ୱାରିକାରେ ଜଣେ ଦେବୀ ରୂପରେ ସମ୍ମାନ ଦେଲେ। ରାଧା ଦିନସାରା ଶ୍ରୀକୃଷ୍ଣଙ୍କ ମହଲରେ ରହୁଥିଲେ, ଆଉ ମହଲର ସବୁ କାମ ତଦାରଖ କରୁଥିଲେ। ଆଉ ସୁଯୋଗ ପାଇବା ମାତ୍ରେ ସେ କୃଷ୍ଣଙ୍କ ଦର୍ଶନ ବି କରୁଥିଲେ।

krishna
Image Credit: Internet

କିନ୍ତୁ ଦ୍ୱାରିକାଧୀଶଙ୍କର ସେହି ଭବ୍ୟ ମହଲରେ ବେଶି ସମୟ ବିତାଇ ପାରି ନଥିଲେ ଶ୍ରୀରାଧା। ଶ୍ରୀକୃଷ୍ଣଙ୍କ ଆଧ୍ୟାତ୍ମିକ ସାନିଧ୍ୟ ପାଇପାରୁ ନଥିବାରୁ ତାଙ୍କୁ ପ୍ରାଣଶୂନ୍ୟ ପରି ମନେ ହେଉଥିଲା। ମହଲର ଚାରିକାନ୍ଥ ଭିତରେ ରାଧା ଅଣନିଃଶ୍ୱାସୀ ହୋଇ ପଡ଼ୁଥିଲେ।

ଶେଷରେ ଦିନେ ରାଧା କୃଷ୍ଣଙ୍କ ସେହି ମହଲରୁ ପଳାଇ ଆସିଲେ, ଯେଉଁଆଡ଼େ ତାଙ୍କ ପାଦ ବାଟ କଢ଼େଇ ନେଲା। ଚାଲି ଚାଲି ଏକ ନିଘଞ୍ଚ ଜଙ୍ଗଲରେ ପହଞ୍ଚିଲେ।  ସେଠାରେ ଏକ କୁଡ଼ିଆରେ ସେ ଶ୍ରୀକୃଷ୍ଣଙ୍କ ସ୍ମରଣ କରୁଥିଲେ। ଏମିତି ଅନେକ ସମୟ ବିତିଗଲା ଆଉ ରାଧା ସମ୍ପୂର୍ଣ୍ଣ ଏକାକୀ ହୋଇଯାଇଥିଲେ। ଆଉ ବୟସାଧିକ୍ୟ କାରଣରୁ ଦୂର୍ବଳ ମଧ୍ୟ ହୋଇ ପଡ଼ିଥିଲେ।

ଶେଷ ସମୟ ଉପନୀତ ହେବା ଜାଣିପାରି ଶ୍ରୀରାଧା ଜୀବନ ଯିବା ପୂର୍ବରୁ ଥରୁଟିଏ ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇବା ପାଇଁ ବ୍ୟାକୁଳ ଥିଲେ।  ରାଧା ଖୋଜୁଥିବା ଜାଣି ପାରି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ପ୍ରିୟତମାଙ୍କ ପାଖରେ ହାଜର ହୋଇ ଯାଇଥିଲେ। ଦର୍ଶନ ଦେବା ପରେ ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ କିଛି ବର ମାଗିବା ପାଇଁ କହିଥିଲେ।

କିନ୍ତୁ ସାରାଜୀବନ ଶ୍ରୀକୃଷ୍ଣଙ୍କୁ ଅପେକ୍ଷା କରି ଅବଶ ହୋଇପଡ଼ିଥିବା ରାଧା କିଛି ବି ମାଗି ନଥିଲେ। ତେବେ ଶ୍ରୀକୃଷ୍ଣ ଅନୁରୋଧ କରିବାରୁ ରାଧା ଶେଷଥର ପାଇଁ ପୁଣିଥରେ ସେହି ବଂଶୀର ସ୍ୱର ଶୁଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ରାଧାଙ୍କ ଅନୁରୋଧକ୍ରମେ ଶ୍ରୀକୃଷ୍ଣ ତାଙ୍କ ବଂଶୀ ବି ବଜାଇଥିଲେ। ତେବେ କୃଷ୍ଣ ବଂଶୀ ବଜାଇବାରେ ଏମିତି ହଜିଗଲେ ଯେ ଦିନ ଯାଇ ରାତି ହେବାରେ ଲାଗିଲା। ଏପଟେ ଶ୍ରାରାଧା ଶ୍ରୀକୃଷ୍ଣଙ୍କ ବଂଶୀର ସ୍ୱର ଶୁଣୁ ଶୁଣୁ ଅନେକ ବେଳୁ ଦେହତ୍ୟାଗ କରି ସାରିଥିଲେ।

krishna
Image Credit: Internet

ରାଧାଙ୍କୁ ହରାଇ ସାରିଥିବା ଜାଣିବା ପରେ ଶ୍ରୀକୃଷ୍ଣ  ଏମିତି ଭାଙ୍ଗିପଡ଼ିଥିଲେ ଯେ  ଉଭୟଙ୍କ ମଧ୍ୟରେ ପ୍ରେମର ପ୍ରତୀକ କୁହାଯାଉଥିବା ନିଜର ପ୍ରିୟତମ ବଂଶୀକୁ ଭାଙ୍ଗି ଜଙ୍ଗଲ୍‌ ଭିତରକୁ ପିଙ୍ଗି ଦେଇଥିଲେ। ସେହିଦିନଠାରୁ ଶ୍ରୀକୃଷ୍ଣ ସାରାଜୀବନ ଆଉ ବଂଶୀ ବଜାଇ ନାହାନ୍ତି। ଶ୍ରୀରାଧାଙ୍କ ବିନା ପୁରାଣରେ ମଧ୍ୟ ଶ୍ରୀକୃଷ୍ଣ ବଂଶୀ ବଜାଇବାର ଦେଖାଯାଏ ନାହିଁ।

ଆହୁରି ପଢ଼ନ୍ତୁ

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ଗପ ନୁହେଁ ସତ କାହାଣୀ ; ବିଧବା ବୋହୂର ବାହାଘର କଲେ ଶାଶୂ

ଗୋରା କ୍ରିମ୍‌ର କଳା କାହାଣୀ ; ପ୍ରସାଧନ ନାଁରେ ଔଷଧ ବିକ୍ରି

୮୦ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଇଥିଲେ ଏହି ଯୁବକ, ଧରାପଡିଗଲେ

କିଏ ଏହି ସବୁଜ ଆଖିର ଝିଅ, ଯାହାକୁ ଖୋଜି ପାଇବାକୁ ଲାଗିଲା ୧୭ ବର୍ଷ

ଛୋଟ ପିଲାଙ୍କ ହାତରେ କେଉଁ ନେଲ୍‌ ପଲିସ୍‌ ସୁରକ୍ଷିତ !

ଇଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା ; ସବୁଥିରେ ସକ୍ଷମ ଜଗନ୍ନାଥ

ମାଟିରୁ ମହାକାଶ; ଚାଷୀ ପୁଅ ଆଜି ଇସ୍ରୋ ଅଧ୍ୟକ୍ଷ

ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଛି ଚନ୍ଦ୍ରଯାନ-୨: ୧୦ଟି ରୋଚକ ତଥ୍ୟ ଜାଣନ୍ତୁ

You might also like