ସାମ୍ବାଦିକ ଓ ସାମ୍ବାଦିକତା ପାଇଁ  ବର୍ଷ-୨୦୨୦

ଭୁବନେଶ୍ୱର(ସାରଦା ଲାହାଙ୍ଗୀର): ଦେଖୁ ଦେଖୁ  ବିତିଗଲା ଅଭିଶପ୍ତ ବର୍ଷ ୨୦୨୦। ବର୍ଷ ତମାମ କୋରୋନାର କରାଳ ଛାୟା ସମସ୍ତଙ୍କୁ ଅସ୍ତବ୍ୟସ୍ତ କରି ଦେଇଛି। ଶିକ୍ଷା ,ସ୍ୱାସ୍ଥ୍ୟ ଓ ବ୍ୟବସାୟଠାରୁ ଆରମ୍ଭ କରି ଜୀବନ ଜୀବିକା ଉପରେ ପଡିଛି ଏହାର ଗଭୀର ପ୍ରଭାବ ।ଲୋକଙ୍କ ପାଇଁ ଆଣିଦେଇଛି ଦୁଃଖ ଓ ଯନ୍ତ୍ରଣା । ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ସାଧାରଣ ବ୍ୟବସାୟୀ ଏବଂ ଚାକିରିଆ ଠାରୁ ଆରମ୍ଭ କରି ଦିନ ମଜୁରିଆ ପର୍ଯ୍ୟନ୍ତ ସମସ୍ତଙ୍କ ଉପରେ ପଡିଛି ଏଇ କୋରୋନା ରୁପି ଗ୍ରହଣର ପ୍ରଭାବ । ତେବେ ଏଥିରୁ ବାଦ ପଡିନି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲାଉଥିବା ସାମ୍ବାଦିକ ଓ ସାମ୍ବାଦିକତା ବା ଗଣମାଧ୍ୟମ। ଲଗାତାର ହୋଇଥିବା  ଲକଡାଉନ ଓ ସଟଡାଉନ ଦୋହଲାଇ ଦେଇଥିଲା ଦେଶର ଅର୍ଥନୀତିକୁ। ଯାହାଦ୍ୱାରା ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହୋଇଥିଲା। ମିଡ଼ିଆ ଇଣ୍ଡଷ୍ଟ୍ରି ନିଜ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ନିଜ କର୍ମଚାରୀଙ୍କ ଦରମା କାଟିବା  ସହିତ ଅନେକ ସାମ୍ବାଦିଙ୍କଙ୍କୁ ଚାକିରୀରୁ ଛଟେଇ କରିଥିଲା।କାହାକୁ ବି ଇସ୍ତଫା ଦେବାକୁ ପଡିଥିଲା।

ଅନେକ ଜାତୀୟ ସମ୍ବାଦପତ୍ର ନିଜ ଏଡିସନ ବନ୍ଦ କରିବା ସହିତ ଅନେକ ଟିଭି ସଂସ୍ଥା ନିଜର ବ୍ୟୁରୋ ବନ୍ଦ କରିଦେଲେ। ଫଳରେ ଦେଶର ଶହଶହ ସଂଖ୍ୟାରେ ସାମ୍ବାଦିକ ହଠାତ୍‌ ବେରୋଜଗାର ହେଲେ। କିଛି ମିଡ଼ିଆ ହାଉସ ନିଜ ନିଯୁକ୍ତି ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଆଣିଛନ୍ତି। ଯେମିତି କି ଅନେକେ  ନିଜ  କର୍ମଚାରୀଙ୍କୁ ଫ୍ରିଲାନ୍ସରରେ ପରିଣତ କରିଦେଇଛନ୍ତି । ଯେଉଁମାନେ ଫ୍ରିଲାନ୍ସର ଭାବେ କାମ କରି ଆସୁଥିଲେ ସେମାନଙ୍କୁ ଆଉ ଅଧିକ କାମ ଦେବା ମଧ୍ୟ ପ୍ରାୟତଃ ବନ୍ଦ ହୋଇଯାଇଛି।

ଇଣ୍ଡିଆ ଟୁଡେ ଗ୍ରୁପ୍ ଦ୍ୱାରା ପ୍ରକାଶିତ ଏକ ଟାବ୍ଲଏଡ୍, ଯାହା ଅଗଷ୍ଟ ମାସରେ ଏହାର ପ୍ରିଣ୍ଟ ସଂସ୍କରଣକୁ ସ୍ଥଗିତ ରଖିଦେବାରୁ , ଶଶାଙ୍କ ଶେଖର ନାମକ ଜଣେ ସାମ୍ବାଦିକଙ୍କୁ ଚାକିରୀରେ ଛଟେଇର ସମ୍ମୁଖୀନ ହେବାକୁ ପଡିଲା। ଶେଷରେ ସେ  ସାଇବର ସିକ୍ୟୁରିଟି  ଏବଂ ଟେକ୍ନୋଲୋଜି ଉପରେ ଲେଖିବାକୁ ନିଷ୍ପତ୍ତି ନେଲେ।

“ମୋର ୧୪ ବର୍ଷର କ୍ୟାରିଅରରେ ମୁଁ ଅନେକ ଛଟେଇ ଦେଖିଛି। ପ୍ରଥମେ ମୁଁ ଦୈନିକ ଭାସ୍କର ଗ୍ରୁପର ଏକ ଇଂରାଜୀ ସମ୍ବାଦ ୱେବସାଇଟ୍ ଆରମ୍ଭ କରିଥିଲି, କିନ୍ତୁ ତାହା ବନ୍ଦ ହୋଇଗଲା। ତାପରେ ମୁଁ ଏସିଆନେଟ୍ ଗ୍ରୁପର “ମୋ ନେସନ୍” ନାମକ  ୱେବସାଇଟ୍ଆ ରମ୍ଭ କରିବାକୁ  ଏସିଆନେଟ୍ ଗ୍ରୁପରେ ଯୋଗ ଦେଲି। କିନ୍ତୁ ଏଠାରେ ମଧ୍ୟ ଏକ କଥା …। କିଛି ଦିନ ପରେ ଦିଲ୍ଲୀ କାର୍ଯ୍ୟାଳୟରୁ ମୋ ସହିତ ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରାଗଲା। ତା’ପରେ ମୁଁ ମେଲ୍ ଟୁଡେରେ ଯୋଗ ଦେଲି, ହେଲେ ଏଠାରେ ମଧ୍ୟ ସମାନ ଅବସ୍ଥା। ମୁଁ ଜଣେ ସାମ୍ବାଦିକ ଭାବରେ କିପରି ବଞ୍ଚିବି ଏବଂ ନିଜକୁ ବଞ୍ଚାଇବି?” କୋହଭରା କଣ୍ଠରେ ଶଶାଙ୍କ କୁହନ୍ତି।

କିଛି ମିଡ଼ିଆ ହାଉସ ସାମ୍ବାଦିକଙ୍କୁ ସିଧାସଳଖ ଛଟେଇ କରୁଥିବା ବେଳେ କିଛି ସଂସ୍ଥା ବିଭିନ୍ନ ପ୍ରକାରର ବାହାନା ଦେଖାଇ ପରୋକ୍ଷ ଭାବେ ସାମ୍ବାଦିକଙ୍କୁ ନିଜ ଆଡୁ ଇସ୍ତଫା ଦେବାକୁ ବାଧ୍ୟ କରାଯିବାର ମଧ୍ୟ ନଜିର ରହିଛି।

କୋରୋନା କାଳରେ ସମ୍ବାଦ ସଂଗ୍ରହ କରୁଥିବା ସାମ୍ବାଦିକଙ୍କ ଚାଲେଞ୍ଜ

କୋଭିଡ଼ର ଭୟାବହତା ଏତେ ବେଶୀ ଥିଲା ଯେ,ଏହି ସମୟରେ ସାମ୍ବାଦିଙ୍କୁ ନିଜ ଜୀବନର ବାଜି ଲଗେଇ ଖବର ସଂଗ୍ରହ କରିବାକୁ ପଡୁଥିଲା। କୋରୋନା ସମୟରେ ଖବର ସଂଗ୍ରହ କରିବା ସାମ୍ବାଦିକଙ୍କ ପାଇଁ କେତେବଡ଼ ଚ୍ୟାଲେଞ୍ଜ ଥିଲା ,ଏହାକୁ ନେଇ  ଇଣ୍ଟରନ୍ୟାସନାଲ ଫେଡେରେସନ  ଅଫ ଜର୍ଣ୍ଣାଲିଷ୍ଟ (ଆଇଏଫଜେ ) ୭୭ ଦେଶର ୧୩୦୮ ଜଣ ସାମ୍ବାଦିକଙ୍କୁ ନେଇ ଏକ ସର୍ଭେ କରିଥିଲା। ଯେଉଁଠି ୬୫.୪ ପ୍ରତିଶତ ସାମ୍ବାଦିକ କୋଭିଡ ସମୟରେ ସେମାନଙ୍କ କାର୍ଯ୍ୟ ଶୈଳୀରେ ପ୍ରତିକୂଳ ପ୍ରଭାବ ପଡିଥିବାର ସ୍ୱୀକାର କରିଥିବା ବେଳେ ୭୩.୯ ପ୍ରତିଶତ ସାମ୍ବାଦିକ ଏହା ସେମାନଙ୍କ ଚାକିରୀକୁ ମଧ୍ୟ ପ୍ରଭାବିତ କରିଥିବା  କହିଛନ୍ତି। ୨୩.୭୪ ପ୍ରତିଶତ ସାମ୍ବାଦିକ ଫିଲ୍ଡରେ ଖବର ସଂଗ୍ରହ କରିବା ବେଳେ କୋଭିଡରୁ ନିଜକୁ ରକ୍ଷାକରିବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯଥା ମାସ୍କ ,ଗ୍ଲୋବସ ,ଲମ୍ବା ବୁମ ଇତ୍ୟାଦି ଦିଆଯାଉ ନଥିବାର ଅଭିଯୋଗ  କରିଛନ୍ତି। ରିପୋର୍ଟ ଅନୁସାରେ ୫୯.୧୯ପ୍ରତିଶତ ସାମ୍ବାଦିକ ଦୁଶ୍ଚିନ୍ତା ଓ ଚାପର ମଧ୍ୟ ଶିକାର ହୋଇଛନ୍ତି।

ସାମ୍ବାଦିକଙ୍କ ସ୍ୱାଧୀନ ଅଭିବ୍ୟକ୍ତିର କଣ୍ଠରୋଧ 

ସାମ୍ବାଦିକଙ୍କ ସୁରକ୍ଷା,ବ୍ୟକ୍ତିଗତ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ମାନବିକ ଅଧିକାର ଉପରେ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତର ମାନ୍ୟତା କ୍ରମାଗତ ଭାବେ ହ୍ରାସ ପାଉଥିବାବେଳେ ବିଶ୍ୱସ୍ତରୀୟ ପ୍ରେସ ସ୍ୱାଧୀନତା ସୂଚକାଙ୍କରେ ୧୮୦ ଟି ଦେଶ ମଧ୍ୟରୁ ଭାରତ ଦୁଇଟି ସ୍ଥାନ ହ୍ରାସ କରି ୧୪୨ରେ ପହଞ୍ଚିଛି।

ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାର ଉପରେ କାମ କରୁଥିବା “ଫ୍ରି ସ୍ପିଚ କଲେକ୍ଟିଭ” ନାମକ ଏକ ସଂସ୍ଥାର ଏକ ସର୍ଭେ ରିପୋର୍ଟ ଅନୁସାରେ ଗତ ଦଶନ୍ଧିରେ ଭାରତରେ ପ୍ରାୟ ୧୫୪ ସାମ୍ବାଦିକଙ୍କ ସ୍ୱାଧୀନ ଅଭିବ୍ୟକ୍ତି କରିବାର ଅଧିକାରର ଖନନ ହୋଇଛି। ସେମାନଙ୍କୁ ପଚରାଉଚରା କରିବାକୁ ପୋଲିସ ଦ୍ୱାରା ଅଟକ ରଖାଯାଇଛି। ସେମାନଙ୍କ ବୃତ୍ତିଗତ କାର୍ଯ୍ୟ ପାଇଁ  କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଅବା ଗିରଫ ମଧ୍ୟ କରାଯାଇଛି। ଏପରି ଘଟଣା ୨୦୨୦ ରେ ୪୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

୨୦୧୮ ମସିହାରେ ୫୩ ବର୍ଷିୟ ଇଣ୍ଟେରିୟର ଡିଜାଇନର୍ ଆତ୍ମହତ୍ୟା କେସ୍‌ ପାଇଁ  ରିପବ୍ଲିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀ ଦାୟୀ ବୋଲି ଅଭିଯୋଗ କରି ପୋଲିସ ତାଙ୍କୁ ନଭେମ୍ବର ୪,୨୦୨୦ ରେ ମୁମ୍ବାଇର ଲୋୟର ପରେଲ ବାସଭବନରୁ  ଗିରଫ କରିଥିଲା। ଏହା ଦେଶରେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ଥିଲା।

ସେହିପରି ଏକ ଚର୍ଚ୍ଚିତ ଘଟଣା ହେଉଛି ଓଡିଶା ଟେଲିଭିଜନ ଲିମିଟେଡ (ଓଟିଭି)ର ଜଣେ ବରିଷ୍ଠ ସାମ୍ବାଦିକ ରମେଶ ରଥ। ନିଜର ସାହସିକ ତଥା ନିର୍ଭୀକ ଅନୁସନ୍ଧାନକାରୀ ସାମ୍ବାଦିକତା ପାଇଁ ସେ କେଉଁଝର ପୋଲିସ ଦ୍ୱାରା ଅନେକ ହଇରାଣ ହରକତ ଓ ଅପମାନିତ ହେବା ପରେ ସ୍ୱାସ୍ଥ୍ୟ ତଥା ବ୍ୟକ୍ତିଗତ କାରଣ ଦର୍ଶାଇ ନ୍ୟୁଜ ଚ୍ୟାନେଲରୁ ଇସ୍ତଫା ଦେଇଥିଲେ ।

“ ୧୫ ଅକ୍ଟୋବର ୨୦୨୦ ମୁଁ  ମଧ୍ୟାହ୍ନ ଭୋଜନ ପାଇଁ ଘରକୁ ଯାଉଥିବା ବେଳେ  ଭୁଟନେଶ୍ୱରର ପଟିଆଠାରେ ପୋଲିସ ମୋତେ ଉଠାଇ ନେଲା , ମୋର କୌଣସି ଭୁଲ ନଥାଇ ମଧ୍ୟ ମୋତେ ପୋଲିସ ପଣବନ୍ଦୀ ଭାବେ ରଖି ଅନେକ ହଇରାଣ ହରକତ ଓ ଅପମାନିତ କରିଥିଲା। ସେମାନେ ମୋର ମୋବାଇଲ ମଧ୍ୟ ନେଇଯାଇଥିଲେ। ମୁଁ ଜାଣିବାକୁ ପାଇଲି ଯେ, ଏକ ନିର୍ଦ୍ଧିଷ୍ଟ ଭାଇରଲ ଭିଡିଓ ପାଇଁ ମୋତେ ଦୋଷୀ ସାବ୍ୟସ୍ତ କରାଯାଉଥିଲା ଏବଂ ମାମଲା ତିଆରି ହୋଇଥିଲା। ମୁଁ ବିଗତ କୋଡିଏ ବର୍ଷରୁ ଅନୁସନ୍ଧାନ ମୂଳକ ସାମ୍ବାଦିକତା କରି ଆସୁଥିଲେ ମଧ୍ୟ କେବେ ବି ପୋଲିସ ଦ୍ୱାରା ଏପରି ଆକ୍ରୋଶର ଶିକାର ହୋଇ ନଥିଲି । ଏହା ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବାର ପ୍ରୟାସ ନୁହେଁ ତ ଆଉ କଣ ” ସାମ୍ବାଦିକ ରମେଶ ରଥ ଏକ ପ୍ରେସ ବିବୃତ୍ତିରେ ଏହା କହିଛନ୍ତି।

ବିଗତ ବର୍ଷରେ ସାମ୍ବାଦିକଙ୍କ ଉପରେ ଶାରୀରିକ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ୨୦୧୪-୧୯ ମଧ୍ୟରେ ଅତି କମରେ ସାମ୍ବାଦିକଙ୍କ ଉପରେ ୧୯୮ଟି ଗୁରୁତର ଆକ୍ରମଣର ଘଟଣା ଘଟିଥିବା  ବେଳେ , କେବଳ ୨୦୧୯ ରେ ୩୬ଟି ଘଟଣା ଘଟିଛି । ଏଇ ସର୍ଭେରେ ୨୦୨୦ରେ ତିନି ଜଣ ସାମ୍ବାଦିକଙ୍କୁ ସେମାନଙ୍କର ବୃତ୍ତିଗତ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ହତ୍ୟା କରାଯାଇଥିବା ଘଟଣାର ଉଲ୍ଲେଖ କରାଯାଇଛି।

  • ଜୁନ୍ ୨୪ରେ, ସାମ୍ବାଦିକ ଶୁଭମ୍ ମଣି ତ୍ରିପାଠୀ ଉତ୍ତରପ୍ରଦେଶର ଉନ୍ନାଓରେ ଅଜ୍ଞାତ ବ୍ୟକ୍ତିର ଗୁଳିର ଶିକାର ହେଲେ। ଏହି ଅଞ୍ଚଳରେ ବାଲି ଖନନ ସମ୍ପର୍କରେ ଦେଇଥିବା ରିପୋର୍ଟର ପ୍ରତିଶୋଧ ନେଇଥିଲେ ଦୁର୍ବୁତ୍ତମାନେ |
  • ନଭେମ୍ବର ୮ରେ, ଥାମିଜହାନ  ଟିଭିର ସାମ୍ବାଦିକ ଇସ୍ରାଭେଲ ମୋସେଙ୍କୁ  ଡ୍ରଗ୍ସ ଡିଲରମାନେ ପ୍ରଥମେ  କିଡନାପ ଓ ପରେ ହତ୍ୟା କରିଥିଲେ ।
  • ନଭେମ୍ବର ୨୭ ରେ, ରାଷ୍ଟ୍ରୀୟ ସ୍ୱରୂପର ସାମ୍ବାଦିକ ରାକେଶ ସିଂ ‘ନିର୍ବାକ’ ଉତ୍ତରପ୍ରଦେଶର ବଳରାମପୁରରେ ତାଙ୍କ ଘରେ ନିଆଁ ଲାଗିଯିବାରୁ ପ୍ରାଣ ହରାଇଥିଲେ। ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟି  ନାହିଁ।
  • ଆସାମର ଏକ ଟେଲିଭିଜନ ଚ୍ୟାନେଲ  ପ୍ରତିଦିନ ଟାଇମର ସାମ୍ବାଦିକ ପାରାଗ ଭୁୟାନ ଙ୍କ ‘ହିଟ୍-ଏନ୍-ରନ୍’ ରେ ହୋଇଥିବା ମୃତ୍ୟୁକୁ ନେଇ ପୋଲିସର ତଦନ୍ତ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ସାମ୍ବାଦିକଙ୍କ ବିରୋଧରେ ମାମଲା 

ଫ୍ରି ସ୍ପିଚ କଲେକ୍ଟିଭର ଏହି ସର୍ଭେ ରିପୋର୍ଟ ଅନୁସାରେ, ଦେଶରେ ସାମ୍ବାଦିକଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ୨୦୧୭ ଠାରୁ ଦୁଇ ଅଙ୍କରେ ରହିଛି।

୨୦୧୦ — ୧୦

୨୦୧୧ — ୦୩

୨୦୧୨ — ୦୫

୨୦୧୩—୦୧

୨୦୧୪—୦୧

୨୦୧୫-୦୭

୨୦୧୬-୦୬

୨୦୧୭—୧୬

୨୦୧୮-୨୫

୨୦୧୯—୧୩

୨୦୨୦ — ୬୭

ବିଦେଶୀ ସାମ୍ବାଦିକ ଭାରତରେ ….

  • ଭାରତକୁ ସାମ୍ବାଦିକତା କରିବାକୁ ଆସିଥିବା ବିଦେଶୀ ସାମ୍ବାଦିକଙ୍କ ପାଇଁ ମଧ୍ୟ ୨୦୨୦ ବହୁତ ସଂଘର୍ଷମୟ ଥିଲା। ସେମାନଙ୍କ ଭିସା ପ୍ରତ୍ୟାଖାନ କରାଯାଇଥିଲା ଏବଂ ବିବାଦୀୟ ଅଂଚଳକୁ ଖବର ସଂଗ୍ରହ କରିବାକୁ ବାରଣ କରାଯାଇଥିଲା।
  • ୨୦୧୧ ରେ, ବିଶିଷ୍ଟ ରେଡିଓ ପ୍ରସାରଣକାରୀ ଡେଭିଡ ବାରସାମିଆନଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ବିତାଡିତ କରାଯାଇଥିଲା।
  •  ୨୦୧୭ ରେ, ଷ୍ଟିଫେନ୍ ଲଙ୍ଗଙ୍କ ନେତୃତ୍ୱରେ ଅଷ୍ଟ୍ରେଲୀୟ ନ୍ୟୁଜ୍ ଟିମ୍ ଏବିସି ଫୋର୍ କର୍ଣ୍ଣର୍ସ, ଆଦାନୀ ଗ୍ରୁପ୍‌ର ମୁଣ୍ଡ୍ରା ବନ୍ଦରରେ ରିପୋର୍ଟ କରୁଥିବା ବେଳେ ଗୁଜୁରାଟ ଛାଡିବାକୁ ବାଧ୍ୟ କରାଯାଇଥିଲା ।
  • ଡିସେମ୍ବର ୨୦୧୭ରେ, ଫ୍ରାନ୍ସର ଫ୍ରିଲାନ୍ସ ସାମ୍ବାଦିକ ପାଉଲ କମିତିଙ୍କୁ ବିନା ଅନୁମତିରେ ଡକ୍ୟୁମେଣ୍ଟାରୀ ସୁଟିଂ ଏବଂ ଭିସା ନିୟମ ଉଲ୍ଲଂଘନ କରିଥିବା ଆରୋପରେ  ଗିରଫ କରାଯାଇଥିଲା ।
  •  ୨୦୧୮ ରେ ଅନ୍ୟ ଏକ ମାମଲାରେ ଫ୍ରେଞ୍ଚ ନ୍ୟୁଜ୍ ଚ୍ୟାନେଲ ଫ୍ରାନ୍ସ ୨୪ର ଭାରତରେ ଥିବା  ପ୍ରତିନିଧି , ଆଲବାନ୍ ଆଲଭାରେଜ୍ ଏବଂ ବ୍ରିଟିଶ୍ ନ୍ୟାସନାଲ୍ ଡେରେକ୍ ମ୍ୟାକ୍ ଡୋନାଲ୍ଡଙ୍କର ବିରୁଦ୍ଧରେ ମଧ୍ୟ କେସ ରୁଜୁ କରାଯାଇଥିଲା।
  • ସେଇପରି ରଏଟର୍ସ ନ୍ୟୁଜ୍ ଏଜେନ୍ସିର ଦିଲ୍ଲୀ କାର୍ଯ୍ୟାଳୟର ମୁଖ୍ୟ ଫଟୋଗ୍ରାଫର କ୍ୟାଥଲ୍ ମ୍ୟାକନାଉଟନଙ୍କୁ ଦିଲ୍ଲୀ ଅଫିସକୁ ପଶିବାକୁ ବାରଣ  କରାଯାଇଥିଲା ।

ସାମ୍ବାଦିକ ଓ ଗଣମାଧ୍ୟମ  ଉପରେ ହେଉଥିବା ଏହି ଆକ୍ରମଣ ତଥା ଗଣମାଧ୍ୟମର କଣ୍ଠରୋଧ କରାଯାଉଥିବା ପ୍ରୟାସକୁ ଆଖିଆଗରେ ରଖି ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ୨୦୨୦ ଅବସରରେ ୟୁନେସ୍କୋର ମହାନିର୍ଦ୍ଦେଶକ ଆଜୁଲାଏ ଏକ ପ୍ରେସ ବିବୃତିରେ କହିଛନ୍ତି-

“ବିଶ୍ୱରେ ସମସ୍ତେ ଯେହେତୁ ପରସ୍ପର ଉପରେ ନିର୍ଭରଶୀଳ, ତେଣୁ ଯେ, କୌଣସି ସଙ୍କଟ ମଧ୍ୟ ଆମର ନିଜର ହୋଇଯାଏ। ସେଥିପାଇଁ ବର୍ତମାନ ପ୍ରେସର ବିବିଧତା ଉପରେ ହେଉଥିବା ଧମକ କିମ୍ବା ଆକ୍ରମଣ, ଗଣମାଧ୍ୟମର ସ୍ୱାଧୀନତା ଏବଂ ସାମ୍ବାଦିକମାନଙ୍କ ସୁରକ୍ଷା ଆମ ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରିଛି। ଏ ନେଇ ଆଜି, ମୁଁ ଆମର ପ୍ରୟାସକୁ ଦୁଇଗୁଣ କରିବାକୁ ଆହ୍ୱାନ କରୁଛି। କାରଣ ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଏବଂ ଆମର ଭବିଷ୍ୟତ ପାଇଁ ଆମକୁ ଏକ ମୁକ୍ତ ଗଣମାଧ୍ୟମର ଆବଶ୍ୟକତା ରହିଛି ଏବଂ ସାମ୍ବାଦିକମାନେ ଆମ ସମସ୍ତଙ୍କ ଉପରେ ଭରସା କରିବାକୁ ସମର୍ଥ ହେବାର ମଧ୍ୟ  ଆବଶ୍ୟକତା ରହିଛି “।

You might also like