ଶିବ କୁମାରଙ୍କ ହାତରେ ଯାଦୁ

ମାଟିର ମହକକୁ ଭୁଲିନାହାନ୍ତି ଯୁବକ, ନିଖୁଣ କାରିଗରୀ ମାଧ୍ୟମରେ ମାଟିକୁ ସୁନାରେ ପରିଣତ କରୁଛନ୍ତି ଏଲଏଲବି ପାସ୍ କରିଥିବା ଶିବ କୁମାର

ଉତ୍ତରପ୍ରଦେଶ : ଆଖିଝଲସା ନିଖୁଣ କାରିଗରୀ ମାଧ୍ୟମରେ ମାଟିକୁ ସୁନାରେ ପରିଣତ କରୁଛନ୍ତି ଶିବକୁମାର ପ୍ରଜାପତି । ମାଟି କାରିଗରୀରୁ ଦୂରେଇ ଯାଉଥିବା ଲୋକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏଲଏଲବି ପାସ୍ କରିଥିବା ଏହି ଯୁବକ । ତାଙ୍କ କୁମ୍ଭାର କଳାକୁ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ମାନିତ କରିସାରିଛନ୍ତି । ଏବେ ଅଯୋଧ୍ୟା, ବିଶାଖାପାଟଣା ଓ ହାଇଦ୍ରାବାଦ ଆଦି ସ୍ଥାନକୁ ମାଟି ତିଆରି ସାମଗ୍ରୀ ଯୋଗାଇବା ସହ ରୁଗଣ ଅବସ୍ଥାରେ ଥିବା ମାଟିର କଳାକୁ ନୂଆ ପରିଚୟ ଦେଇଛନ୍ତି ।

ଆଧୁନିକତାର ସ୍ପର୍ଶରେ କୁମ୍ଭାର ଚକ ଆଉ ଘୁରୁନି, କି ଭାଟି ଆଉ ଜଳୁନି । ମାଟି କାରିଗରୀ ଏବେ ହଜିବା ଉପରେ । ବହୁ କଷ୍ଟରେ ମାଟି ସଂଗ୍ରହ କରି ତାକୁ ଅକ୍ଳାନ୍ତ ପରିଶ୍ରମ କରି ଚକଟି, ଚକରେ ଗଢ଼ି ଶୁଖାଇ ଭାଟିରେ ପୋଡ଼ିଥାନ୍ତି । କଞ୍ଚା ମାଟି ସାମଗ୍ରୀ ଗୁଡ଼ିକୁ ଭାଟିରେ ପୋଡ଼ିବା ପାଇଁ କାଠ, ଜାଳର ଆବଶ୍ୟକ ପଡ଼ିଥାଏ । ଘରେ ପଡ଼ି ପଡ଼ି କୁମ୍ଭାର ଚକରେ  ଉଈ ଲାଗିଗଲାଣି । ଦିନକୁ ଦିନ ମାଟି ତିଆରି ସାମଗ୍ରୀ ଚାହିଦା କମୁଥିବାରୁ ବହୁ କାରିଗର ନିଜ ବୃତ୍ତିରୁ ଦୂରେଇ ରୋଜଗାର ପାଇଁ ଅନ୍ୟ ପନ୍ଥା ବାଛିଲେଣି । ପ୍ଲାଷ୍ଟିକ୍ ଓ ଷ୍ଟିଲ ସାମଗ୍ରୀ ଆସିବା ବେଳେ ଲୋକେ ମାଟି ସାମଗ୍ରୀ ବ୍ୟବହାରକୁ ଭୁଲିଗଲେଣି । ମାଟିରେ ସାମଗ୍ରୀ ତିଆରି କରି ବିକିଲେ ମଧ୍ୟ ଭଲ ପାରିଶ୍ରମିକ ମିଳିପାରୁ ନଥିବାରୁ ଏହି ବୃତ୍ତି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।  ଦିନ ଥିଲା ମାଟି ତିଆରି ସାମଗ୍ରୀ ଧରି ଘର ଘର ବୁଲି ବିକ୍ରି କରୁଥିଲେ କୁମ୍ଭାର । ହେଲା ଅର୍ଥାଭାବ ଓ ପ୍ରୋତ୍ସାହନ ଅଭାବରୁ ଏହି ବୃତ୍ତି ଠାରୁ କାରିଗର ମାନେ ଦୁରେଇ ଯାଉଛନ୍ତି ।

ତେବେ ଏପରିସ୍ଥଳେ  ସେହି ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ଉତ୍ତରପ୍ରେଦଶ ବାରବଙ୍କୀର ୨୮ ବର୍ଷୀୟ ଶିବକୁମାର ପ୍ରଜାପତି । ଏଲଏଲବି ପାସ୍ କରିବା ପରେ ମଧ୍ୟ ମାଟିର ମହକକୁ ନିଜ ଠାରୁ ଦୂରେଇ ଦେଇନାହାନ୍ତି । ମାଟି କାରିଗରୀକୁ ନୂଆ ପରିଚୟ ଦେଇ ନିଜର ଭିନ୍ନ ପରିଚୟ ହାସଲ କରିବା ସହ ବିଭିନ୍ନ ସ୍ତରରେ ସମ୍ମାନିତ  ମଧ୍ୟ ହୋଇଛନ୍ତି ।

ମାଟି କାରିଗରୀରେ ରହିଛି ଅନେକ ସୁଯୋଗ  । ମାଟିକୁ ସଠିକ୍ ଆକାର ଓ ରଙ୍ଗ ଦେଲେ, ତାହା ସୁନା ପରି ଚମକିବ  । ତେବେ ଏହି କ୍ଷେତ୍ରରେ କିଛି ନୂଆ ତଥା ଭିନ୍ନ କରିବାର ଆବଶ୍ୟକତା ରହିଛି । କୁମ୍ଭାର କଳା ସହ ଜଡ଼ିତ ପ୍ରାୟ କାରିଗର କେବଳ ମାଠିଆ, ହାଣ୍ଡି, ଗ୍ଲାସ୍, ଦୀପ  ଆଦି ସାମଗ୍ରୀ ତିଆରି କରନ୍ତି । ପରମ୍ପରାଗତ ମାଟି ସାମଗ୍ରୀ ବ୍ୟତୀୟ ଫଟୋଫ୍ରେମ୍ , ଫୁଲଦାନୀ, ଡମ୍ବରୁ, ତୁଳସୀ କୁଣ୍ଡ, ତବଲା, କଇଁଛ, ମାଛ ଆଦି ଭିନ୍ନ ତଥା ନୂଆ କଳାକୃତି ତିଆରି କରନ୍ତି ଶିବକୁମାର ।  ଗତ ଅକ୍ଟୋବର ମାସରେ ଲକ୍ଷ୍ନୌରେ ଏକ ପ୍ରଦର୍ଶନୀରେ ଶିବକୁମାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିଜ ନିଆରା କଳାକୃତି ଦେଖାଇଥିଲେ । ଆଉ ତାଙ୍କର ସେହି ନିଆରା କାରିଗରୀ ଦେଖୁ ଦେଖୁ ମୁଖ୍ୟମନ୍ତ୍ରୀ କହିଥିଲେ ତୁମେ ମାଟିରୁ ସୁନା ତିଆରି କରୁଛ । ମୁଖ୍ୟମନ୍ତ୍ରୀ ତାଙ୍କ କାମକୁ ସାବାସୀ ଦେବା ସହ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ ।

ଶିବକୁମାରଙ୍କ ବାପା ରାମସାଗର ପ୍ରଜାପତି ମାଟି ସାମଗ୍ରୀ ତିଆରି କରିବାକୁ ଭାରି ପସନ୍ଦ କରୁଥିଲେ । ଏହି କଳାକୃତି ପାଇଁ ତାଙ୍କର ଏତେ ଆଗ୍ରହ ଥିଲା ଯେ ୧୯୯୯ରେ ବାପା ଚାକିରି ଛାଡ଼ି ଦଇଥିଲେ । ତେବେ ୨୦୧୨ରେ ଦ୍ବାଦଶ ପାସ୍ କରିବା ପରେ ବାପାଙ୍କ ସହ  କୁମ୍ଭାର ବୃତ୍ତିକୁ  ଆପଣାଇ ନେଇଥିଲେ ଶିବକୁମାର । ଏହି କଳାକୃତିକୁ ଆପଣେଇ‍ବା ପରେ ତାଙ୍କର ଯେପରି ଭାଗ୍ୟ ଫିଟିଯାଛି  । ନିଜର ନିଆରା କାରିଗରୀ ବିକ୍ରି କରି ଶିବକୁମାର ବିଏ ପଢ଼ିବା ସହ ୨୦୧୮ରେ ଏଲଏଲବି ପରୀକ୍ଷା ଦେଇ  ପାସ କରିଛନ୍ତି । କେବଳ ଏତିକି ନୁହେଁ ଏହି କଳାକାରୀ ଦ୍ୱାରା ଭଲ ଦୁଇ ପଇସା ରୋଜଗାର ହେବା ସହ ନୂଆ ଗାଡ଼ି କିଣିଛନ୍ତି ।

You might also like