କୁମ୍ଭମେଳା ପାଇଁ ସଜେଇ ହେଲାଣି ପ୍ରୟାଗରାଜ

ଆସନ୍ତା ୧୫ରୁ ମେଳା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ

ଉତ୍ତର ପ୍ରଦେଶ  : ସଜେଇ ହେଉଛି ଧାର୍ମିକ ନଗରୀ ପ୍ରୟାଗରାଜ। ଏଥରର ଅର୍ଦ୍ଧ କୁମ୍ଭମେଳାରେ ଦେଶବିଦେଶରୁ ପ୍ରାୟ ୧୫ କୋଟିରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଛି। ମେଳା ପୂର୍ବର ପ୍ରସ୍ତୁତି ଏବେ ଖୁବ୍‌ ରୋମାଂଚକର ହୋଇଉଠିଛି।

ଆଲୋକମାଳାରେ ଝଲସୁଛି ଟେଣ୍ଟ ସିଟି। ଆସନ୍ତା ୧୫ ତାରିଖରୁ ପ୍ରୟାଗରାଜରେ କୁମ୍ଭମେଳା ଆୟୋଜନ ହେଉଛି।  ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ରହିବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏ ସମସ୍ତ ବ୍ୟବସ୍ଥା କରାଯାଇଛି।  କୁମ୍ଭମେଳାକୁ ଆଉ ମାତ୍ର ୪ ଦିନ ବାକି ରହିଥିବା ବେଳେ ଏବେ ସାଧୁସନ୍ଥଙ୍କ ଭିଡ଼ ବି ଜମିଲାଣି।

ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଯେପରି କ୍ୟାସ୍‌ ଜନିତ ସମସ୍ୟା ନ ହେବ ସେଥିପ୍ରତି ଅଧିକ ଦୃଷ୍ଟି ଦିଆଯାଇଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ ପକ୍ଷରୁ ୧୪ଟି ମୋବାଇଲ ଏଟିଏମ୍ କୁ କୁମ୍ଭମେଳାକୁ ପଠାଯିବ। ପ୍ରତ୍ୟକ ଏଟିଏମ୍‌ରୁ ୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ମହଜୁଦ ରହିବ। ଏଟିଏମ୍‌ରୁ ଟଙ୍କା ସରୁ ସରୁ ଟଙ୍କା ଭର୍ତ୍ତି ପାଇଁ ବ୍ୟାଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହା ସହ ସରକାରଙ୍କ ପକ୍ଷରୁ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରତି ବାର ବର୍ଷରେ ଥରେ କୁମ୍ଭମେଳା ଆୟୋଜନ ହେଉଥିବା ବେଳେ ପ୍ରତି ୬ ବର୍ଷରେ ଅର୍ଦ୍ଧ କୁମ୍ଭମେଳା ଆୟୋଜିତ ହୋଇଥାଏ। ଏଥରର କୁମ୍ଭକୁ ସ୍ୱତନ୍ତ୍ର ଓ ଐତିହାସିକ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ସମସ୍ତ ଆବଶ୍ୟକୀୟ ପନ୍ଥା ଆପଣାଇଛନ୍ତି। ଆସନ୍ତା ୧୫ରୁ ଆରମ୍ଭ ହେଉଥିବା ମେଳା ମାର୍ଚ୍ଚ ୪ ତାରିଖରେ ଶେଷ ହେବ।

You might also like