ରସିକିଆ ଗୋପାଳ ସତରେ ମଣିଷ ନା କିମ୍ବଦନ୍ତୀର ଚରିତ୍ର ?

ତାଙ୍କ ନାଁ ଶୁଣିଲେ ଆଖି ଆଗରେ ନାଚିଯାଏ ଏକ କୌତୁକିଆ, ରସିକିଆ ମଣିଷର ଥଟ୍ଟା, ମଜ୍ଜା। ମନେ ପଡିଯାଏ ପ୍ରଖର ବୁଦ୍ଧି ସମ୍ପନ୍ନ ଜଣେ ବ୍ୟକ୍ତିଙ୍କ ବାକ୍‌ଚାତୁରୀ। ପିଲାଙ୍କ ଗପପେଡ଼ିର ଏକ ଚିରସବୁଜ ନାୟକ ସେ। ସେ ହେଉଛନ୍ତି ଗୋପାଳ ଭାଣ୍ଡ ।   କିଏ ଏହି ଗୋପାଳ ଭାଣ୍ଡ ? କେଉଁଠି ତାଙ୍କ ଘର ? କେଉଁଠି ରହିଛି ତାଙ୍କର ଅସ୍ତିତ୍ୱ ? ଗୋପାଳ ଭାଣ୍ଡଙ୍କ ଅସ୍ତିତ୍ୱକୁ ନେଇ                     ସୁମିତ୍ରା ପାଢୀଙ୍କ ସ୍ୱତନ୍ତ୍ର ପ୍ରତିବେଦନ।

ପିଲାବେଳେ ବାପା-ମାଆ, ବୁଢାବାପା-ବୁଢୀମା’ କି ଆଈ ଠାରୁ ପକ୍ଷୀରାଜ ଘୋଡ଼ା କି ପରୀକାହାଣୀ ଶୁଣିନାହିଁ । ଶୁଣିନାହିଁ ବି ସାତ ତାଳ ପାଣି, ପାଣି ତଳେ ପଙ୍କ ଆଉ ପଙ୍କ ଭିତରେ ସାଇତା ଫରୁଆ ଓ ଫରୁଆ ଭିତରେ ସାଇତା ଥିବା ବୁଢୀ ଅସୁରୁଣୀର ଜୀବନ ନାଟିକାର ଗପ । ଅଦୃଶ୍ୟ ରାଜକୁମାର ଆଉ ବାର ହାତ କେଶବତୀ ସୁନ୍ଦରୀ ରାଜକୁମାରୀର ଗପ ବି ଶୁଣିନି । ଶୁଣିନି ବି କୁହୁକ ନଗରୀ, ମତ୍ସ୍ୟକନ୍ୟା କି ଅମାରରୁ ଗୋଟି ଗୋଟି କରି ପାରାମାନଙ୍କର ଧାନ ବହିବାର ଅସରନ୍ତି ଗପ ।

ହଷ୍ଟେଲ୍‌ରେ ବିତିଛି ଶୈଶବ ଓ କୈଶୋର । ଦୁଇ ବର୍ଷ ବୟସରୁ ହିଁ ବାପା-ମାଆ ରହୁଥିବା ବୋର୍ଡିଙ୍ଗ ସ୍କୁଲ୍ ପରିସରରେ ବିତେଇଛି ଦିନ,ମାସ, ବର୍ଷ । ସେଇଥିପାଇଁ ବୋଧେ ୨-୩ ବର୍ଷରେ ଥରେ ଅଧେ କେବେ ସୁଯୋଗ ମିଳିଲେ ଶୀତ ଅବା ଗ୍ରୀଷ୍ମ ଛୁଟିରେ ୪-୫ ଦିନ ପାଇଁ ହେଉ ପଛେ ମାମୁଁଘରକୁ ଯିବାକୁ ଅନେଇ ବସିଥାଏ ।

ମାମୁଁ ଘର ଗାଁ ଅନ୍ୟମାନଙ୍କ ପରି ମୋର ମଧ୍ୟ ଖୁବ୍ ପ୍ରିୟ । ଖରା ଦିନେ ବାଲିସରା ପଡ଼ିଥିବା ଅଗଣାରେ ମାଟି ଚଉରା ପାଖେ ମସିଣା ଖଣ୍ଡେ ପକେଇ ଦେଇଯାଏ ଆଈ । ରଖିଦେଇଯାଏ ଦିକି ଦିକି ଜଳୁଥିବା ଲଣ୍ଠନ ଗୋଟେ । ଅଜା ହାତରେ ଧରେଇ ଦେଇଯାଆନ୍ତି ନିଜେ ବୁଣିଥିବା ବରଡ଼ା ପତ୍ରର ବିଞ୍ଚଣାଟିଏ । ଅଜା ଏଥର ଡାକ ପକାନ୍ତି ମୋତେ ଆଉ ମୋ ସାନ ଭାଇ କୁନିକୁ । କହନ୍ତି “ଏଇଠାକୁ ଆସ ଏବେ । ମୁଁ ଆଜି ତୁମକୁ ଗୋପାଳ ଭାଣ୍ଡଙ୍କ ବିଷୟରେ ଗୋଟିଏ ଗଳ୍ପ ଶୁଣେଇବି ।

ଆମେ ଗପ ଶୁଣିବା କଥା ଶୁଣୁ ଶୁଣୁ ଦଉଡ଼ି ଯାଇ ସୁଧାର ପିଲା ପରି ମସିଣାରେ ଗଡିପଡୁ । ଦିନ ସାରା ଡିଆଁକୁଦା କରି ଥକି ଯାଇଥାଉ କି ନା ! ଅଜା କିନ୍ତୁ ଚକାଚଉକ ମାଡ଼ି ଅଣ୍ଟା ସଳଖ କରି ବସିରହନ୍ତି ଘଣ୍ଟା ଘଣ୍ଟା । ତାଙ୍କର ବସିବା କି ଚାଲିବାରେ ବ୍ୟତିକ୍ରମ ନଥିବା ପରି  ଉଚ୍ଚାରଣରେ ବି ବ୍ୟତିକ୍ରମ ନଥାଏ । ଶୁଦ୍ଧ ଆଉ ସ୍ପଷ୍ଟ ଉଚ୍ଚାରଣ ସବୁବେଳେ । ମନେହୁଏ ସଂସ୍କୃତରେ କଥା ହେଉଛି ଯେମିତି । ସେ ଗପ ନକହି ସବୁବେଳେ ‘ଗଳ୍ପ’ ବୋଲି କହନ୍ତି । ମୁଁ ଆଉ କୁନି ‘ଗଳ୍ପ’ ଶବ୍ଦ ଶୁଣୁ ଶୁଣୁ ହସି ହସି ଗଡ଼ିଯାଉ । ‘ଗପ’କୁ କିଏ ‘ଗଳ୍ପ’ କହେ ଯେ? ସେଇଠୁ ଆରମ୍ଭ ହୁଏ ଗୋପାଳ ଭାଣ୍ଡ ରହସ୍ୟର ପେଡ଼ି ।

ରାଜାଙ୍କ ହୁକୁମ୍’ ରୁ ‘ଜୋଇଁ ଡାକରା’, ‘ପଣ୍ଡିତଙ୍କ ଚୁଟି’, ‘ପିଉସୀ ମା’, ‘ଗୋପାଳ ପାକ’, ‘ରାଜାଙ୍କ କୋଷ୍ଠ’ ଯାଏଁ ଗୋଟିଏ ପରେ ଗୋଟିଏ କାହାଣୀର ଡୋରି ଲମ୍ବିଯାଏ । ଅଜାଙ୍କର ଗପ କହିବାର ଅଦ୍ଭୁତ ଶୈଳୀ ଆଉ କାହାଣୀ ସବୁର ଚମତ୍କାରିତାରେ ଆମେ କେବେ ହସି ହସି ଗଡ଼ିଯାଉ ତ କେବେ ନୀରବ ହେଇଯାଉ, ଆଉ କେବେ କେବେ ଆଶ୍ଚର୍ଯ୍ୟ ହେଇଯାଉ । ଧୀରେ ଧୀରେ ଗପ ଶୁଣୁଶୁଣୁ, ଗୋହୀରି ଆଉ ଦାଣ୍ଡରେ ପଡ଼ିଥିବା ଜହ୍ନ ଆଲୁଅ ଆଉ ନଡ଼ିଆ ଗଛର ଛାଇକୁ ଦେଖୁଦେଖୁ, ଅଜା ହାତରେ ଅନବରତ ଚାଲିଥିବା ବିଞ୍ଚଣାର ପବନରେ ମାଡ଼ି ଆସେ ନିଦ । ସ୍ୱପ୍ନରେ ଆସେ ଗୋପାଳ ।

ଛୁଟି ସରିଯାଏ । ଆମେ ଫେରିଆସୁ ଘରକୁ । ଘର ନୁହେଁ ତ ହଷ୍ଟେଲ୍କୁ । ହଷ୍ଟେଲ୍ ଖୋଲିଲେ ସାଙ୍ଗ ପିଲାଙ୍କୁ କୁହା ଚାଲେ ଗପ । ଅଜାଙ୍କ ପାଖରୁ ଶୁଣିଥିବା ଗୋପାଳର ଗପ । ସେତେବେଳେ ଭାବେ ଏ ଗୋପାଳ ସତସତିକା ମଣିଷଟିଏ ନା କିମ୍ବଦନ୍ତୀର ଚରିତ୍ର?

ଆପଣମାନଙ୍କର ବି ଏମିତି କେତେ ନା କେତେ ସ୍ମୃତି ଥିବ । ମାମୁଁଘର, ଗୋପାଳ ରହସ୍ୟ, ଲୁଚାପୁଚି, ଛୁଟିଦିନ, ଜହ୍ନଆଲୁଅ; ଏମିତି କେତେ ନା କେତେ ସ୍ମୃତି । ବେଳେବେଳେ ସେସବୁ ବିଷୟରେ ଭଲଭାବେ ଜାଣିବାକୁ ଇଚ୍ଛାହୁଏ ବଡ଼ ହେବା ପରେ । ମୋର ବି ଅନେକ ଦିନ ପରେ ସେମତି ଇଚ୍ଛାଟିଏ ହେବାରୁ ମୁଁ ଅନେକ ଖୋଜିଲି ଗୋପାଳ ଭାଣ୍ଡଙ୍କ ବିଷୟରେ ।

ଏବେ ଜାଣୁଛି ଗୋପାଳ ବୋଲି ସତରେ କେହି ଜଣେ କେବେ ଥିଲେ କି ନାହିଁ ସେ ବିଷୟରେ ଏଯାଏଁ ବି କିଛି ନିର୍ଦ୍ଧିଷ୍ଟ ତଥ୍ୟ ମିଳିନାହିଁ। ଅନେକେ କିନ୍ତୁ ବିଶ୍ୱାସ କରନ୍ତି ଗୋପାଳର ଅସ୍ତିତ୍ୱକୁ । ଗୋପାଳ ଥିଲେ ।

ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଗୋପାଳ ଭର ବା ଓଡ଼ିଆରେ ଗୋପାଳ ଭାଣ୍ଡଙ୍କର ନାମ ପ୍ରଥମେ ବଙ୍ଗଳା ସାହିତ୍ୟରେ ଉଲ୍ଲେଖ କରାଯାଇଥିଲା । ଏହି ଗୋପାଳ ଭର ବା ଗୋପାଳ ଭାଣ୍ଡ ମଧ୍ୟଯୁଗୀୟ ଆମ ପଡେ଼ାଶୀ ରାଜ୍ୟ ବଙ୍ଗଳାର ଜଣେ ବ୍ୟକ୍ତି । ସେ ଅଷ୍ଟାଦଶ ଶତାବ୍ଦୀରେ ନଦୀୟାର ରାଜା ରାଜା କୃଷ୍ଣଚନ୍ଦ୍ର (ଜନ୍ମ ୧୭୧୦ – ମୃତ୍ୟୁ ୧୭୮୩)ଙ୍କ ରାଜ ଦରବାରରେ ଜଣେ ବିଦୂଷକ ଥିଲେ ।

ନିଜର ଚାତୁର୍ଯ୍ୟପୂର୍ଣ୍ଣ ହାସ୍ୟରସମୟ ଓ ବ୍ୟଙ୍ଗ କଥା ମାଧ୍ୟମରେ ଗୋପାଳ ସମସ୍ତ ପାରିଷଦଙ୍କୁ ମଜେଇ ରଖିବା ସହ ଅନେକ ବଡ଼ ବଡ଼ ସମସ୍ୟାର ସମାଧାନ ଆଖି ପିଛୁଡ଼ାକରେ କରିଦେଇ ପାରୁଥିଲେ । ରାଜା କୃଷ୍ଟଚନ୍ଦ୍ର ଗୋପାଳଙ୍କୁ ନିଜ ଦରବାରର ନବରତ୍ନ ଭିତରୁ ଜଣେ ଭାବରେ ବିବେଚନା କରୁଥିଲେ । ଏବେ ବି ଗୋପାଳଙ୍କର ପ୍ରତିମୂର୍ତ୍ତି ରାଜା କୃଷ୍ଣଚନ୍ଦ୍ରଙ୍କ ପ୍ରାସାଦ ଓ ନିଜ ଜନ୍ମ ସହର ଘୂର୍ଣ୍ଣି, କୃଷ୍ଣନଗରରେ ରହିଛି । ବିଶ୍ୱାସ କରାଯାଏ, ଗୋପାଳ ଖୁବ୍ ଚତୁର, ବୁଦ୍ଧିମାନ୍ ଓ ସାହସୀ ଥିଲେ

ଗୋପାଳଙ୍କର ପୁରା ନାମ ଗୋପାଳ ଚନ୍ଦ୍ର ପ୍ରମାଣିକ । ଜନ୍ମ ଓ ମୃତ୍ୟୁ ନଦୀୟା ରାଜ୍‌ର ଘୂର୍ଣ୍ଣିରେ; ଯାହା ଏବେର କ୍ରିଷ୍ଣନଗର, ନଦୀୟା, ପଶ୍ଚିମବଙ୍ଗ ଅର୍ନ୍ତଭୁକ୍ତ । ସେ କେଉଁଠି ଜନ୍ମ ହୋଇଥିଲେ ସେ ବିଷୟରେ ତାଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରୁଥିବା ଲୋକମାନଙ୍କ ଭିତରେ ଦ୍ୱିମତ ନଥିଲେ ମଧ୍ୟ ତାଙ୍କ ସାଙ୍ଗିଆକୁ ନେଇ ଅଛି । କେହି କେହି କହନ୍ତି, ପ୍ରଥମେ ତାଙ୍କ ସାଙ୍ଗିଆ ‘ନାଇ’ ଥିଲା ଓ ପରେ ‘ଭଣ୍ଡାରୀ’ ହୋଇଥିଲା ।

ଗୋପାଳ ନାପିତ ଜାତିର ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଖୁବ୍ ବୁଦ୍ଧିମାନ ଥିଲେ । ସେ ଖୁବ୍ ଛୋଟ ଥିବା ବେଳେ ତାଙ୍କ ପିତାଙ୍କର କୌଣସି କାରଣ ବଶତଃ ମୃତ୍ୟୁ ହୋଇଯାଥିଲା ଓ ମାଆଙ୍କୁ ସତୀଦାହ ପ୍ରଥା ଅନୁସାରେ ହତ୍ୟା କରାଯାଇଥିଲା । ଏମିତି ଏକ ପରିସ୍ଥିତି ତାଙ୍କ ବଡ଼ ଭାଇଙ୍କୁ ଦାସତ୍ୱ ବରଣ କରିବାକୁ ବାଧ୍ୟ କରିଥିଲା । ଏବଂ ସ୍ୱୟଂ ଗୋପାଳଙ୍କୁ ଗୋଟିଏ ଡକାୟତ ଦଳ ଅପହରଣ କରି ନେଇଯାଇଥିଲେ । ପରିଶେଷରେ ସେଇଠାରେ ହିଁ ଜଣେ ସହୃଦୟ ମହିଳା ତାଙ୍କୁ ପାଳି ପୋଷି ବଡ଼ କରିଥିଲେ ।

ବଡ଼ ହେବା ପରେ ଯାଇଁ ଗୋପାଳ ରାଜା କୃଷ୍ଣଚନ୍ଦ୍ରଙ୍କ ଦରବାରରେ ଯୋଗ ଦେଇଥିଲେ । କାହା କାହା ମତରେ ରାଜା କୃଷ୍ଣଚନ୍ଦ୍ର ଗୋପାଳଙ୍କର ହାସ୍ୟରସ, ବ୍ୟଙ୍ଗ, ସମସ୍ୟା ସମାଧାନର ଚାତୁରୀ ପାଇଁ ଲୋକଙ୍କ ଠାରେ ଥିବା ପ୍ରସିଦ୍ଧି ବିଷୟରେ ଶୁଣି ନିଜ ଦରବାରରେ ଯୋଗ ଦେବା ପାଇଁ ତାଙ୍କୁ ଡକେଇ ପଠେଇଥିଲେ ।

ପିଲାଦିନରୁ ସେ ଭୋଗିଥିବା ଶୋଷଣ ଓ ପ୍ରପୀଡ଼ନର କାହାଣୀ ସବୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ର ଅନେକ କ୍ଷୁଦ୍ର ଗଳ୍ପରେ ବର୍ଣ୍ଣିତ ହୋଇଛି । ତାଙ୍କ ବିଷୟରେ ଯାହା ବି ତଥ୍ୟ ଆଜି ଉପଲବ୍ଧ ଅଛି ସେସବୁ ହାସ୍ୟରସର ମୌଖିକ ସଂସ୍କୃତିରୁ ହିଁ ମିଳିଛି ।

ଗୋପାଳଙ୍କର କାହାଣୀ ଗୁଡ଼ିକ ଖୁବ୍ ଲୋକପ୍ରିୟ । କାହାଣୀ ଗୁଡ଼ିକରେ ଭରି ରହିଥାଏ ହାସ୍ୟ, ବ୍ୟଙ୍ଗ, ବିଦ୍ରୁପ ଓ ଚାତୁରୀ । ଅନେକ ସମୟରେ କାହାଣୀ ଗୁଡ଼ିକରେ ତାଙ୍କୁ ବଡ଼ ବଡ଼ିଆଙ୍କର, ବିଶେଷ କରି ରାଜା/ରାଣୀ ଙ୍କର ଖିଆଲି ଅନୁରୋଧରେ ବିଭିନ୍ନ ସମସ୍ୟାର ଚତୁର, ସହଜ ଓ ନୂଆ ନୂଆ ଉପାୟରେ ସମାଧାନ କରୁଥିବାର ଚରିତ୍ରରେ ଦେଖିବାକୁ ମିଳେ । କେତେକ କାହାଣୀରେ ରାଜା କୃଷ୍ଣଚନ୍ଦ୍ର ତାଙ୍କୁ କିଛି ନିର୍ଦ୍ଧିଷ୍ଟ କାର୍ଯ୍ୟ ସମ୍ପନ୍ନ କରିବାକୁ ଦେଇଥା’ନ୍ତି । ଏମିତି କରିବା ପଛରେ କେତେବେଳେ ରାଜାଙ୍କର ଉଦ୍ଦେଶ୍ୟ ଗୋପାଳଙ୍କର ବୁଦ୍ଧି ପରୀକ୍ଷା କରିବା ଥାଏ ତ’ କେତେବେଳେ ଗୋପାଳଙ୍କୁ ସର୍ବସାଧାରଣରେ ଲଜ୍ଜିତ କରିବା ଥାଏ ।

ଗୋପାଳ କିନ୍ତୁ  ସବୁବେଳେ ରାଜାଙ୍କର ଏହିପରି ପ୍ରୟାସ ସବୁକୁ ଖୁବ୍ ଚତୁରତା ଓ ସଫଳତାର ସହ ପ୍ରତ୍ୟାଖ୍ୟାନ କରିଦେଇ ପାରୁଥିଲେ । ସେ କେବେ ବି କାହାକୁ ଅସମ୍ମାନିତ ବା ଅପମାନିତ କରିବାକୁ ହାସ୍ୟରସର ପ୍ରୟୋଗ କରିଥିବାର ଦେଖାଯାଏନି । ତାଙ୍କ କାହାଣୀ ସବୁରେ ହାସ୍ୟରସର ଏକ ନିର୍ଦ୍ଧିଷ୍ଟ ପରିସୀମା ଥିଲା, ଯାହାର ସୀମା ସେ କେବେ ବି ଅତିକ୍ରମ କରିଥିବାର ଦେଖାଯାଏନି । ସେ କାହାକୁ ଆକ୍ଷେପ କରନ୍ତିନି ସତ, କିନ୍ତୁ ତାଙ୍କ ପ୍ରତି ମନ୍ଦ ଉଦ୍ଦେଶ୍ୟ ରଖିଥିବା ପ୍ରତିପକ୍ଷର ଯୁକ୍ତି ବା ବିଶ୍ୱାସରେ ଥିବା ଦୁର୍ବଳତାକୁ ସେ ସର୍ବସମଖ୍ୟରେ ଧରା ପକେଇଦିଅନ୍ତି ।

ଗୋପାଳ ଭାରଙ୍କ କାହାଣୀ ଗୁଡ଼ିକୁ ବୀରବଲ୍, ତେନାଲି ରମଣ, ଗୋନୁ ଝା, ମୁଲ୍ଲା ନାସରିଦ୍ଧିନ୍ ଆଦିଙ୍କ ସହ ତୁଳନା କରାଯାଏ ।

ଅନେକ ଗବେଷକ, ଭାଷାବିତ୍, ଐତିହାସିକଙ୍କର ବିଶ୍ୱାସ ଯେ ଗୋପାଳ ଜଣେ କିମ୍ବଦନ୍ତୀର ଚରିତ୍ର, ମନଗଢ଼ା ମଣିଷ; ଯାହାର କାହାଣୀ ୩୦୦ ବର୍ଷ ପରେ ବି ବଞ୍ଚିରହିଛି ଲୋକମୁଖରେ । ଭାଷାବିତ୍ ଆଚାର୍ଯ୍ୟ ସୁକୁମାର ସେନଙ୍କ ମତରେ ଗୋପାଳ ଚରିତ୍ରଟି କେବଳ କାଳ୍ପନିକ । କିନ୍ତୁ ଗବେଷଣାରୁ ଜଣାପଡ଼ିଛି ଯେ, ନଦିଆର ରାଜା କୃଷ୍ଣଚନ୍ଦ୍ରଙ୍କର ଜଣେ ସାହସୀ, ବୁଦ୍ଧିମାନ୍ ଓ ଖୁବ୍ ପାରଙ୍ଗମ ଦେହରକ୍ଷୀ ଥିଲେ । ନାମ ତାଙ୍କର ଶଙ୍କର ତରଙ୍ଗ । ରାଜା ତାଙ୍କୁ ତାଙ୍କର ଜ୍ଞାନ, ବୁଦ୍ଧି ଓ ସାହସ ପାଇଁ ବିଶେଷ ମାନ୍ୟତା ଦେଇଥିଲେ । ତେଣୁ ସେ ସମୟରେ ଶଙ୍କର ତରଙ୍ଗ ଖୁବ୍ ସମ୍ମାନାସ୍ପଦ ଥିଲେ, ଲୋକପ୍ରିୟ ମଧ୍ୟ । ବୋଧହୁଏ ଏହି ଶଙ୍କରଙ୍କର ବ୍ୟକ୍ତିତ୍ୱ ରୁ ହିଁ ଗୋପାଳଙ୍କ ପରି ଜଣେ କିମ୍ବଦନ୍ତୀ ପୁରୁଷ ଓ ଲୋକପ୍ରିୟ ଚରିତ୍ର ସୃଷ୍ଟି ହୋଇଥାଇପାରନ୍ତି ।

ବଙ୍ଗଳା ସାହିତ୍ୟରେ ଗୋପାଳ ଭର ନିଜର ଚତୁରତା, ହାସ୍ୟରସ ଓ କଠିନ ପରିସ୍ଥିତିରେ ବି ସହଜ, ସରଳ ସମାଧାନ ଖୋଜି ଆଣିବା ପାଇଁ ଥିବା ଅଦ୍ଭୁତ ସାମର୍ଥ୍ୟ ପାଇଁ ଖୁବ୍ ଲୋକପ୍ରିୟ । ଗୋପାଳଙ୍କୁ ନେଇ ବଙ୍ଗଳା, ହିନ୍ଦୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ, ଚଳଚ୍ଚିତ୍ର, ଧାରାବାହିକ, କମିକ୍ସ ତିଆରି ମଧ୍ୟ ହୋଇଛି । ୧୯୮୦ରେ ଅମାଲ୍ ସୁର୍ଙ୍କ ନିର୍ଦ୍ଦେଶିତ ବଙ୍ଗଳା କମେଡି ଚଳଚ୍ଚିତ୍ର ‘ଗୋପାଳ ଭର’ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ସନ୍ତୋଷ ଦତ୍ତ ଗୋପାଳ ଭାର ଚରିତ୍ରରେ ଅଭିନୟ କରିଥିଲେ । ଚଳଚ୍ଚିତ୍ରଟି ଖୁବ୍ ଲୋକପ୍ରିୟ ମଧ୍ୟ ହୋଇଥିଲା । ସେଇ ‘ଗୋପାଳ ଭର’ ଶୀର୍ଷକରେ ଏକ ଆନିମେଟେଡ୍ କାର୍ଟୁନ୍ ସିରିଜ୍ ୨୦୦୦ରେ ମୁକ୍ତିଲାଭ କରିଥିଲା । ଯାହା ସୋନି ଆର୍ଥ ରେ ନିୟମିତ ଭାବେ ପ୍ରସାରିତ ହୋଇ ସର୍ବଜନପ୍ରିୟ ହୋଇଥିଲା ।

ପରେ ପରେ ୨୦୧୭ରୁ ଆରମ୍ଭ ହୋଇ ୨୦୧୮, ୧୯ ଅଗଷ୍ଟ ପର୍ଯ୍ୟନ୍ତ ‘ଗୋପାଳ ଭର’ ନାମରେ ଏକ ଟେଲିଭିଜନ୍ ସିରିଜ୍ ଷ୍ଟାର୍ ଜଲସାରେ ପ୍ରସାରିତ ହେଉଥିଲା । ଗୋପାଳ ଭର ଭୂମିକାରେ ଅଭିନୟ କରୁଥିବା ରକ୍ତିମ ସାମନ୍ତ ସମସ୍ତଙ୍କର ଏତେ ପ୍ରିୟ ହୋଇଯାଇଥିଲେ ଯେ ଅନ୍ୟସବୁ ଶାଶୁ ବୋହୂ ସିରିଏଲ୍କୁ ଏହା ପଛରେ ପକାଇ ଦେଇଥିଲା । ଟି.ଆର୍.ପି କ୍ଷେତ୍ରରେ ମଧ୍ୟ ଏହି ସିରିଜ୍ର ପ୍ରଦର୍ଶନ ଖୁବ୍ ଭଲ ଥିଲା । କିନ୍ତୁ ରାତି ୮.୦୦ଟାରେ ପ୍ରସାରିତ ହେଉଥିବା ସମୟକୁ ପରିବର୍ତ୍ତନ କରି ସଂଧ୍ୟା ୫.୦୦ଟା କରିଦେବା ପରେ ଏହାର ଦର୍ଶକ ଆଦୃତି କମିଗଲା । ସିରିଜଟିକୁ ତେଣୁ ଅଳ୍ପ ଦିନରେ ବନ୍ଦ କରିବାକୁ ପଡ଼ିଥିଲା ।

ଏବେ ବି ଗୋପାଳ ଭର ଚରିତ୍ରର ଲୋକପ୍ରିୟତା ପଶ୍ଚିମବଙ୍ଗରେ ଏତେ ବେଶୀ ଯେ, ଗତ ଏପ୍ରିଲ୍ ୨୧, ୨୦୧୬ ରେ ହୋଇଥିବା ନଦିଆ ନିର୍ବାଚନ ପାଇଁ  ଗୋପାଳ ଭରଙ୍କୁ ନିର୍ବାଚନ ମାସ୍କଟ୍ ଭାବେ ବଛା ଯାଇଥିଲା । ‘ଏହା ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗର ବାର୍ତ୍ତା ବହନ କରିବ’ ବୋଲି ନଦିଆ ମାଜିଷ୍ଟ୍ରେଟ୍ ଗଣମାଧ୍ୟମକୁ କହିଥିଲେ ।

ଗୋପାଳ ଭର ନାମରେ ବଙ୍ଗଳାରେ ପ୍ରସିଦ୍ଧ ଚରିତ୍ରଟି ଓଡ଼ିଶାର ଗଳିକନ୍ଦିରେ ଗୋପାଳ ଭାଣ୍ଡ ନାମରେ ଖୁବ୍ ଲୋକପ୍ରିୟ । ଓଡ଼ିଶାର ହାସ୍ୟରସର ମୌଖିକ ସଂସ୍କୃତିରେ ଗୋପାଳକୁ ନେଇ ଏତେ କାହାଣୀ ଅଛି ଯେ, ଅନେକ ଓଡ଼ିଆ ଭାବନ୍ତି ଗୋପାଳ ଭାଣ୍ଡ ଚରିତ୍ରଟି ଓଡ଼ିଶାର ।

ନବେ ଦଶକରେ ଡି.ଡି ଓଡ଼ିଆ ରେ ଧୀର ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଗୋପାଳ ରହସ୍ୟ ନାମରେ ଗୋଟିଏ ସିରିଏଲ୍ ମଧ୍ୟ ଚାଲିଥିଲା । ଯାହା ଏବେ ବି ଡି.ଡି ଓଡ଼ିଆର ୟୁ ଟ୍ୟୁବ୍ ଚ୍ୟାନେଲ୍ ପେଜ୍‌ର ଉପଲବ୍ଧ ଓ ତାହାର ଦର୍ଶକୀୟତା ମଧ୍ୟ ଲକ୍ଷାଧିକ । ଏଥିରେ ଗୋପାଳ ଭୂମିକାରେ ଅଭିନୟ କରିଥିଲେ ରବି ମିଶ୍ର, ଯିଏ ଏଇ ଅଳ୍ପ ଦିନ ତଳେ ଇହଧାମ ତ୍ୟାଗ କରିଛନ୍ତି । ଓଡ଼ିଶାରେ ଗୋପାଳ ଭାଣ୍ଡ କହିଲେ ରବି ମିଶ୍ରଙ୍କ ଚେହେରା ହିଁ ଅନେକଙ୍କର ମନକୁ ଆସେ । ଓଡ଼ିଆ ଲୋକଙ୍କ ଜନମାନସରେ ଗୋପାଳ ଭାଣ୍ଡଙ୍କ ରୂପ ରବି ମିଶ୍ରଙ୍କ ଚେହେରା ଭାବରେ ମନେ ରହିଆସିଛି ଓ ମନେ ରହିବ ମଧ୍ୟ ।

ଓଡ଼ିଶାର କବି ଯଦୁମଣିଙ୍କ ବିଷୟରେ ମଧ୍ୟ ଏମିତି ଅନେକ ହାସ୍ୟ ଓ ବ୍ୟଙ୍ଗ କାହାଣୀ ସବୁ ରହିଛି । ସେ ନୟାଗଡ଼ ରାଜା ବିନାୟକ ସିଂ ମାନ୍ଧାତାଙ୍କର ରାଜକବି ଥିଲେ ଓ ତାଙ୍କୁ ଉତ୍କଳ ଘଣ୍ଟ ଉପାଧି ମିଳିଥିଲା । ସେ ଜଣେ ଚିତ୍ରକର ମଧ୍ୟ ଥିଲେ, ଯାହା ଖୁବ୍ କମ୍ ଲୋକଙ୍କୁ ଜଣା । ତାଙ୍କ ବିଷୟରେ ବିଷଦ ଭାବରେ ଆଉଦିନେ ଲେଖିବି ।

ଏବେ ବି ଓଡ଼ିଶାରେ ଶସ୍ତାରେ ବହି ବିକୁଥିବା ଛୋଟ ଛୋଟ ବହି ଦୋକାନରେ ଗୋପାଳ ଭାଣ୍ଡ ରହସ୍ୟ  ବହି  ଉପଲବ୍ଧ । ବିଭିନ୍ନ ଲେଖକ ଓ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ଭଳିକି ଭଳି ବହି, ଭଳିକି ଭଳି ଚିତ୍ର ଓ କାହାଣୀ । ଗୋପାଳ ଭାଣ୍ଡ ନାମରେ ଲୋକପ୍ରିୟ ଚରିତ୍ରଟି ଜଣେ ପଡେ଼ାଶୀ ବଙ୍ଗୀୟ ଚରିତ୍ର ହୋଇଥିଲେ ମଧ୍ୟ ଏବେ ବି ଓଡ଼ିଶାର ଉପକୂଳବର୍ତ୍ତୀ ଗାଁ ଗହଳରେ ରସିକିଆ, କଉତୁକିଆ ଓ ଚଟୁଳ ବ୍ୟଙ୍ଗ ତଥା ପ୍ରଖର ଉପସ୍ଥିତ ବୁଦ୍ଧି ସମ୍ପନ୍ନ ଲୋକଙ୍କୁ ଲୋକେ ଭାଣ୍ଡ ବୋଲି କୁହନ୍ତି ।

You might also like